ଏହି ମହିଳାମାନେ କେଶରେ ଧଳା ରଙ୍ଗର ଯୁଇ ଏବଂ ଆବୋଲି ଫୁଲ ଲଗାଇଛନ୍ତି। ସେମାନଙ୍କ ନାଲି, ନେଳି, ସବୁଜ ଆଉ ଖଇରିଆ ରଙ୍ଗର ଶାଢ଼ିରେ ନାଲି ରଙ୍ଗର ବ୍ୟାଚ ଲାଗିଛି। ସେମାନଙ୍କ ଦେହର ରଙ୍ଗ ବେଶ୍ ସଫା ଦେଖାଯାଉଛି। ଚଳିତ ସପ୍ତାହର ମଙ୍ଗଳବାର ଅପରାହ୍ନରେ ଦହାନୁରୋଡ୍ ଷ୍ଟେସନର ପ୍ଲାଟଫର୍ମ ୩ରେ ସେମାନେ ଅନ୍ୟ ଯାତ୍ରୀମାନଙ୍କ ସହ ଗୋଟିଏ ଟ୍ରେନ୍କୁ ଅପେକ୍ଷା କରିଛନ୍ତି। ସେମାନଙ୍କ ସହ ଦକ୍ଷିଣରୁ ମୁମ୍ବାଇକୁ ପ୍ରାୟ ୧୦୦ କିଲୋମିଟର ଯାତ୍ରା କରୁଥିବା ଛାତ୍ରଛାତ୍ରୀ ଏବଂ ଉତ୍ତରରେ ଥିବା ଉମ୍ବେରଗାଓଁ ସହର ପରି ନିକଟରେ ଥିବା ଛୋଟ ଛୋଟ ସହରକୁ ଯାଉଥିବା କାରଖାନା ଶ୍ରମିକମାନେ ମଧ୍ୟ ଅଛନ୍ତି।
ଏହି ମହିଳାମାନେ ସମସ୍ତେ ୱାର୍ଲି ଆଦିବାସୀ ସମୁହର କୃଷକ। ଏମାନେ ମହାରାଷ୍ଟ୍ରର ପଲଘର ଜିଲ୍ଲାର ଦହାନୁ ତାଲୁକାରୁ ଆସୁଥିବା ଅନ୍ୟ ପୁରୁଷ ଓ ମହିଳାମାନଙ୍କ ସହ ଖୁବ୍ ଶୀଘ୍ର ଯୋଗଦେବେ।
ସେମାନେ ସମସ୍ତେ ଦିଲ୍ଲୀକୁ ଯାଉଛନ୍ତି। ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ୍ କମିଟିର ଡକରାରେ ନଭେମ୍ବର ୨୯-୩୦ରେ ଆୟୋଜିତ ସଂସଦ ଅଭିମୁଖେ ପଦଯାତ୍ରାରେ ସେମାନେ ଅଂଶଗ୍ରହଣ କରିବେ। ଏହି କମିଟି ସାରା ଦେଶର ପ୍ରାୟ ୨୦୦ କୃଷକ ଗୋଷ୍ଠୀର ସମୁହ ସଂଗଠନ। ଏ ମଧ୍ୟରେ ଅଲ୍ ଇଣ୍ଡିଆ କିଷାନ ସଭା(AIKS) ମଧ୍ୟ ରହିଛି। ଦହାନୁ ଷ୍ଟେସନରେ ଅପେକ୍ଷା କରିଥିବା କୃଷକମାନେ ସମସ୍ତେ AIKS ର ସଦସ୍ୟ। ସେମାନଙ୍କ ଦାବି ମଧ୍ୟରେ ରହିଛି କୃଷି ବିପର୍ଯ୍ୟୟ ଉପରେ ସଂସଦରେ ୩ ସପ୍ତାହ ବିଶେଷ ଅଧିବେଶନ। ଏଥିସହ ମହିଳା କୃଷକମାନଙ୍କର ନିର୍ଦ୍ଦିଷ୍ଟ ଦାବି ସମ୍ପର୍କରେ ୩ ଦିନିଆ ଆଲୋଚନା।










