ଘରକୁ ଫେରିବା ବେଳେ ସାଙ୍ଗରେ ଆଫଲାତୁନ ନେଇ ଯିବାକୁ ମହମ୍ମଦ ସାମିମ ଯୋଜନା କରୁଥିଲେ। ତାଙ୍କ ଘର ବିହାର ସମସ୍ତିପୁର ଜିଲ୍ଲାର ଖରଜ (ଦିନମାନପୁର) ଗାଁରେ। ‘‘୩୬ ଘଣ୍ଟାର ଯାତ୍ରାରେ ଏହା ନଷ୍ଟ ହେବନି। ମୁମ୍ବାଇର ଏଇଟା ସବୁଠୁ ଭଲ ମିଠେଇ,’’ ଘିଅ ଆଉ ମାୱାରେ ତିଆରି ହୋଇଥିବା ମିଠେଇ କଥା ସେ କହିଲେ। ସାମିମ ୬ ମାସ ତଳେ ଖରଜା ଯାଇଥିଲେ। ଏବେ ପୁଣି ଗାଁକୁ ଯିବାକୁ କିଛି ସପ୍ତାହ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ସ୍ତ୍ରୀ ସୀମା ଖାତୁନ ଚାହୁଁଥିଲେ ସେ ତାଙ୍କ ପାଇଁ ‘‘ବମ୍ବେ ଷ୍ଟାଇଲ୍ର ସୁଟ୍ [ସାଲୱାର କାମିଜ୍],’’ ଗୋଟିଏ ମୁଣ୍ଡଲଗା ତେଲ, ଗୋଟିଏ ସାମ୍ପୁ, ଗୋଟିଏ ମୁହଁଲଗା କ୍ରିମ ଏବଂ ଆଉ କିଛି ଉପହାର ଆଣି ଆସନ୍ତୁ, ଯାହା ସେ କହିବାକୁ ଲାଜ କରୁଥିଲେ।
ସାମିମ ଚଟାଣରେ ବସି ଗୋଟିଏ କପଡ଼ାରେ ଖୁବ୍ ଶୀଘ୍ର ଶୀଘ୍ର ପ୍ଲାଷ୍ଟିକ ପତ୍ର ଆଉ ଫୁଲ ସିଲେଇ କରୁଥିଲେ। କପଡ଼ାଟି ଖଣ୍ଡେ କାଠ ଚାରିପାଖରେ ବେଢା ଯାଇଥିଲା। ସେ ଏଠାରେ ବହୁ ଦିନ ହେବ କାମ କରି ଆସୁଛନ୍ତି - ‘‘ସମସ୍ତେ ୟାକୁ ଆସଲମ ଭାଇ କାରଖାନା ଭାବେ ଜାଣନ୍ତି’’ - ମଧ୍ୟ ମୁମ୍ବାଇର ମାହିମ୍କୁ ସେ ପ୍ରାୟ ଏକ ଦଶନ୍ଧି ହେବ ଆସିଲେଣି। ସେ ମୁମ୍ବାଇକୁ ଆସିବା ଦିନରୁ ଜରି କାମ କରୁଛନ୍ତି।
କାରଖାନାର ଗୋଟିଏ ପାର୍ଶ୍ୱକୁ ଥିବା ଏକ ଛୋଟ ବଖରାରେ ଲୁଗାପଟା, ବ୍ୟାଗ ଆଉ ବେଡ଼ସିଟ୍ ଥାକ କରି ରଖା ଯାଇଛି। ମୁଖ୍ୟ ଘରର ଚଟାଣର ଆୟତ୍ତନ ୪୦୦-ବର୍ଗଫୁଟ। ଏଠି ଏକା ବେଳକେ ୩୫ ଜଣ ପର୍ଯ୍ୟନ୍ତ କର୍ମଚାରୀ ବସି ଜରି ବୁଣା କାମ କରନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାୟ ମୁମ୍ବାଇ ବାହାରର। ଅଧିକାଂଶ ସେଇ ଘରେ ରାତିରେ ଶୁଅନ୍ତି। ଉପରେ ଲାଗିଥିବା ସିଲିଂ ଫ୍ୟାନ୍ ଖରାଦିନେ ଯଥେଷ୍ଟ ହୁଏନି। ସାମିମ ସ୍ମିତ ହସି କହିଲେ, ‘‘ସେଇଥି ପାଇଁ ରୁମ୍ରେ ଥିବା ଷ୍ଟାଣ୍ଡ ଫ୍ୟାନ୍ ପାଖକୁ ଲାଗି ଶୋଇବାକୁ ସମସ୍ତଙ୍କର ମନ।’’
ସିଲେଇ ହେଉଥିବା ଜରି ପାରଂପରିକ ଭାବେ ସୁନା ବା ରୁପାର ପ୍ରଲେପ ଦିଆଯାଇଥିବା ମିଶ୍ର ଧାତୁରେ ତିଆରି ହୋଇଥାଏ; ଏବେ ତମ୍ବା କିମ୍ବା ଶସ୍ତା ମିଶ୍ର ଧାତୁ, କିମ୍ବା ଚିକ୍ ଚିକ୍ କରୁଥିବା ପ୍ଲାଷ୍ଟିକ ସମେତ ବିଭିନ୍ନ ପଦାର୍ଥରେ ଆକର୍ଷଣୀୟ କରାଯାଉଛି। ମାହିମଙ୍କ କାରଖାନାରେ କାରିଗରମାନେ ଧାତବ ତାରରେ ମଧ୍ୟ ଜରି କାମ କରନ୍ତି। ଗ୍ରାହକଙ୍କ ଅର୍ଡର ଉପରେ ଏହା ନିର୍ଭର କରେ - ସାଧାରଣତଃ ଷ୍ଟୋର ଏବଂ ଫାସନ ଡିଜାଇନରମାନେ ତାଙ୍କ ଗ୍ରାହକ।
ସମିମ୍ଙ୍କୁ ଏବେ ୪୦ ବର୍ଷ, ତାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ସେତେବେଳୁ ସେ ଏହି ଛୋଟିଆ କୋଠରୀକୁ ଯାତ୍ରା ଆରମ୍ଭ କରିଥିଲେ। ଏକ ଉର୍ଦ୍ଦୁ-ମାଧ୍ୟମ ସ୍କୁଲରେ ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି। ତାଙ୍କ ବାପା ମହମ୍ମଦ ସାଫିକ୍ କାଲା-ଆଜାର (ଏକ ପ୍ରକାର ଧୂଳି ମାଛି କାମୁଡିବା ଦ୍ୱାରା ଏହି ରୋଗ ହୋଇଥାଏ) ରେ ସଂକ୍ରମିତ ହୋଇ ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ପଡ଼ି ରହିଥିଲେ। ସେତେବେଳେ ତାଙ୍କ ଜେଜେ ଏବଂ ମାମୁଁ ତାଙ୍କ ପରିବାରର ଦେଖାଶୁଣା କରୁଥିଲେ। ସାମିମ କହନ୍ତି ଜରି କାମ କରି ନଥିଲେ ତାଙ୍କ ବାପାଙ୍କ ଭଳି ସେ କଂସେଇ କାମ କରିଥାନ୍ତେ।








