କେବେ କେମିତି ମହୁମାଛି ବସାର ଗାତ ଭିତରେ ସାପଟିଏ ଥାଏ । ବିକ୍କାପାତିମୁଣ୍ଡ ଗାଁର କାଥେ କୁଟ୍ଟନ କହନ୍ତି, “ସାପ ଭିତରେ ଥିବା ସମୟରେ ମହୁମାଛିମାନେ ଆପଣଙ୍କୁ ମହୁ ବାହାର କରାଇ ଦେବେ ନାହିଁ (ମହୁ ସଂଗ୍ରହକାରୀ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ), କିନ୍ତୁ କୌଣସି ପ୍ରକାରେ ସାପଟି ବାଟ ଛାଡ଼ି ଆର ପାଖକୁ ଚାଲିଯିବ ।” ତା’ପରେ ମହୁ ସଂଗ୍ରାହକ ହାତ ପୂରାଇ ସେଇ ସୁସ୍ଵାଦୁ ସୁନେଲି ମହୁଫେଣାକୁ ବାହାର କରିପାରିବେ । କାଥେ କହନ୍ତି, “ସାପଟି ମହୁମାଛିଙ୍କୁ ‘କଥା’ ଦେଇଥାଏ– ଯିଏ ବି ମହୁ ନେବାକୁ ଆସନ୍ତୁ, ମୁଁ କାହାରିକୁ କାମୁଡ଼ିବି ନାହିଁ ।”
ଅବଶ୍ୟ,ଏହା ସେତେବେଳେ ଠିକ୍, ଯେତେବେଳେ ମହୁ ସଂଗ୍ରାହକ ପବିତ୍ର ମନ ଓ ଶରୀରରେ ଆସିଥାଆନ୍ତି । ଅନ୍ୟଥା, କଥା ଅଲଗା ହୋଇପାରେ ।
କାଥେଙ୍କ ଭଳି ତିଲତୋଷ କୁଟ୍ଟନ ବି ଜଣେ ମହୁ ସଂଗ୍ରାହକ ଏବଂ ସେ ବି ବିକ୍କାପାତିମୁଣ୍ଡରେ ରହୁଥିବା ଟୋଡ଼ା ଆଦିବାସୀ ସଂପ୍ରଦାୟର । ଏହି ଗାଁରେ ପ୍ରାୟ ୩୫ ଜଣ ଟୋଡ଼ା ରହନ୍ତି । ପାହାଡ଼ିଆ ଅଞ୍ଚଳ ଓ ଉପତ୍ୟକାର ଏକ ଅବକ୍ଷୟାଭିମୁଖୀ ଶୋଲା ଜଙ୍ଗଲ ଭିତର ଦେଇ ସେ ଓ ତାଙ୍କ ପୁଅ ଆମ ସହିତ ଚାଲି ଚାଲି ଯାଉଥିଲେ । ପାଖରେ ଥିଲା ଏକ ତୃଣଭୂମି, ଯେଉଁଠି ଟୋଡ଼ା ସଂପ୍ରଦାୟର ମଇଁଷିମାନେ ଘାସ ଚରିବାକୁ ଘୂରିବୁଲନ୍ତି । ଟୋଡ଼ା ସଂପ୍ରଦାୟର ଆଦିବାସୀମାନେ ତାମିଲନାଡୁର ନୀଳଗିରି ପାର୍ବତ୍ୟାଞ୍ଚଳରେ ରହନ୍ତି । ସେମାନେ ପଶୁପାଳକ ଗୋଷ୍ଠୀର ଏବଂ ପ୍ରକୃତିକୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି । ଏବଂ ସେମାନେ ଧରିତ୍ରୀ ମାତାଙ୍କୁ ସମ୍ମାନ ଜଣାଇବା ପାଇଁ ଖାଲି ପାଦରେ ଚାଲନ୍ତି ।
ଛୋଟିଆ ଝରଣାଟିଏ ପାର ହେବା ଏବଂ ଏକ ଢାଲୁ ଉପରକୁ ଚଢ଼ିବା ପରେ ଆମକୁ ତିଲତୋଷ ଗୋଟିଏ ବଡ଼ ଗଛରେ ପ୍ରାୟତଃ ଜଣାପଡୁ ନଥିବା ଏକ ଛୋଟ ଗାତ ଦେଖାଇ ଦିଅନ୍ତି । ଗାତ ମୁହଁରେ ଥିବା ତରଭୁଜ ଆକାରର ପଥରଟିଏ ଭିତରକୁ ଯିବାର ସବୁ ରାସ୍ତା ବନ୍ଦ କରିଦେଇଥାଏ ଏବଂ ଏହା ଚାରିପଟେ ପଲପଲ ମହୁମାଛି ଉଡୁଥାଆନ୍ତି । ଏଗୁଡ଼ିକ ଏସିଆ ମହାଦେଶରେ ପରିଲକ୍ଷିତ ମହୁମାଛି ଯାହାକୁ କହନ୍ତି ଏସିଆନ୍ ହନି ବି (Apiscerana) । ସେମାନେ ମହୁବାକ୍ସରେ ଫେଣା ତିଆରି କରନ୍ତି ଏବଂ ସେମାନଙ୍କୁ ପାଳିବା ସବୁଠାରୁ ସହଜ ବୋଲି ମନେ କରାଯାଏ ।





