କୋଡାଣ୍ଡା ରାମିରେଡ୍ଡୀ ଜଣେ ସାଧାରଣ କୃଷକ ନୁହନ୍ତି। ୨୬ ବର୍ଷ ବୟସର ତାଙ୍କର ଏକ ଏମବିଏ ଡିଗ୍ରୀ ଥିଲା ଓ ସେ ତାଙ୍କ ଗାଁରେ କୃଷି ଜ୍ଞାନକୌଶଳ ଓ ପଦ୍ଧତିରେ ପରିବର୍ତ୍ତନ ଆଣିବା ଲାଗି ଚାହୁଁଥିଲେ ।
ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ଅନ୍ତର୍ଗତ ରାୟମପଲ୍ଲିରେ ତାଙ୍କ ପରିବାରର ୨୦ଏକର ଜମି ଥିଲା । ସେମାନେ ବିଭିନ୍ନ ସୂତ୍ରରୁ ଋଣ ନେଇଥିଲେ- ଏକ କୃଷି ଋଣ, ବ୍ୟାଙ୍କରୁ ଶିକ୍ଷା ଋଣ ଏବଂ ସାହୁକାରଙ୍କଠାରୁ ହାତ ଉଧାରି ନେଇଥିଲେ ।
ତାଙ୍କର ମାତାପିତା ପରିବାରର ଜମି ବନ୍ଧକ ରଖିଥିଲେ, ଏହି ଜମିକୁ ସାହୁକାରଠାରୁ ମୁକୁଳାଇବା ଚେଷ୍ଟାରେ ଥିଲେ ରାମିରେଡ୍ଡୀ । ବ୍ୟାଙ୍କରେ ତାଙ୍କ ପରିବାର ଉପରେ ଥିବା ଋଣ ସେ ସୁଝିବା ଲାଗି ଚାହୁଁଥିଲେ । ସେ ତାଙ୍କର ୨ ଏକର ଜମି ବିକ୍ରି କରିପାରିଥିଲେ ସାହୁକାରଙ୍କଠାରୁ ଆଣିଥିବା ଋଣ ସୁଝିପାରିଥାନ୍ତେ ।
ନିଜ ଜମିକୁ ବଞ୍ଚାଇବା ଲାଗି ସେ ବ୍ୟାଙ୍କ ପ୍ରକ୍ରିୟାକୁ ପାଳନ କରିଥିଲେ ଏବଂ ବକେୟା ଥିବା ଅନ୍ୟ ଋଣ ସୁଝିଥିଲେ । କିନ୍ତୁ ବ୍ୟାଙ୍କ ଅଧିକାରୀଙ୍କ ଚାପ ବଢ଼ିଚାଲିଲା । ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାରେ ଜୁଲାଇ ୨, ୨୦୧୫ରେ ରାମିରେଡ୍ଡୀ ବ୍ୟାଙ୍କ ପରିସରରେ ବିଷ ପିଇ ଦେଇଥିଲେ ।
“ସେ ତାଙ୍କ ମା’ଙ୍କ ପାସବୁକ ଫେରି ପାଇବାକୁ ଚାହୁଁଥିଲେ (ଏଥିସହିତ ଜମି କାଗଜପତ୍ର) । ଏହାଦ୍ୱାରା ସେ ନିଜ ଜମିର କିଛି ଅଂଶ ବିକ୍ରି କରିପାରିଥା’ନ୍ତେ ଏବଂ ଏହାକୁ ବନ୍ଧକ ମୁକ୍ତ କରିଥା’ନ୍ତେ”, ରାମିରେଡ୍ଡୀଙ୍କ ଜଣେ ବନ୍ଧୁ କହିଛନ୍ତି। “କିନ୍ତୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଏହି ପାସବୁକ ଦେବା ଲାଗି ମନା କରି ଦେଇଥିଲେ।”
ବହୁଦିନ ପର୍ଯ୍ୟନ୍ତ, ରାମିରେଡ୍ଡୀ ଅନନ୍ତପୁରର ଉରଭକୋଣ୍ଡା ସହରରେ ଥିବା ସିଣ୍ଡିକେଟ ବ୍ୟାଙ୍କୁ ଯାଉଥିଲେ। ପ୍ରତିଦିନ ବ୍ୟାଙ୍କକୁ ଯିବା ଫଳରେ ତାଙ୍କୁ ଅନ୍ୟମାନେ ଚିହ୍ନିଯାଇଥିଲେ ଓ ସମସ୍ତେ ତାଙ୍କ ସମସ୍ୟା ବିଷୟରେ ଜାଣିଥିଲେ । ସେ ତାଙ୍କ ପାସବୁକ ଚାହୁଁଥିଲେ, ଫଳରେ ସେ ନିଜ ବନ୍ଧକ ଜମି ମୁକୁଳାଇ ପାରିଥା’ନ୍ତେ ଏବଂ କୀଟନାଶକ ଓ ସାର ପ୍ରୟୋଗ ନକରି ନିଜେ ଶିଖିଥିବା ପ୍ରାକୃତିକ ଚାଷ ପ୍ରଣାଳୀରେ ଚାଷ କରିଥା’ନ୍ତେ । ସେ ଆଗକୁ ବଢ଼ିବା ଲାଗି ଆଗ୍ରହୀ ଥିଲେ ।
“ସାହୁକାରମାନେ ୩-୬ ମାସ ମଧ୍ୟରେ ଆମର ଜମି ଛଡ଼ାଇ ନେଇଥାନ୍ତ,” ବୋଲି କୁହନ୍ତି ରାମିରେଡ୍ଡୀଙ୍କ ଭାଇ ଶ୍ରୀନିବାସରେଡ୍ଡୀ। “ଆମେ ଭାବୁଥିଲୁ ଆମେ ଆମ ପାସବୁକ ଫେରିପାଇବୁ, ଦୁଇ ଏକର ଜମି ବିକ୍ରି କରିବୁ ଓ ସାହୁକାରଙ୍କ ଋଣ ସୁଝିଦେବୁ’’।
ତେଣୁ ରାମିରେଡ୍ଡୀ ଜୁନ ୧୯ ତାରିଖରେ ତାଙ୍କ ମା’ଙ୍କ ବ୍ୟାଙ୍କ ଋଣ ସୁଝିଥିଲେ ଏବଂ ପରବର୍ତ୍ତୀ ପ୍ରକ୍ରିୟାରେ ଆଗକୁ ବଢ଼ିବା ଲାଗି ଆଶା କରିଥିଲେ। କିନ୍ତୁ କଠୋର ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କର ପାସବୁକ ଫେରାଇନଥିଲେ ଏବଂ ତାଙ୍କ ପରିବାର ଉପରେ ଥିବା ଆଉ ଏକ ଶିକ୍ଷା ଋଣ ସୁଝିବା ଲାଗି ଦାବି କରିଥିଲେ।
“ଆମ ଭଉଣୀ ପାଇଁ ମୋ ବାପା ଏକ ଶିକ୍ଷା ଋଣ ଆଣିଥିଲେ ଓ ସେ ଏବେ ଆଉ ଦୁନିଆରେ ନାହାନ୍ତି,” ଶ୍ରୀନିବାସ ରେଡ୍ଡୀ କୁହନ୍ତି। “କିନ୍ତୁ ଶିକ୍ଷା ଋଣ ସୁଝିନଥିବା ଦର୍ଶାଇ ବ୍ୟାଙ୍କ ଆମ ପାସବୁକ ରଖିପାରିବ ନାହିଁ। ଏହା ଶିକ୍ଷା ପାଇଁ ଥିଲା। ଆମ ଗାଁରେ ପ୍ରାୟ ୫୦ ପରିବାର ଥିବେ ଯେଉଁମାନେ ସେମାନଙ୍କର ଶିକ୍ଷା ଋଣ ସୁଝିନାହାନ୍ତି, କିନ୍ତୁ ସେମାନଙ୍କ ପାଖରେ ପାସବୁକ ରହିଛି।”
ରାମିରେଡ୍ଡୀ ବ୍ୟାଙ୍କକୁ ଯାଉଥିଲେ ଏବଂ ପାସବୁକ ପାଇଁ ମ୍ୟାନେଜରଙ୍କ ଲଗାତାର ଅନୁରୋଧ କରିଚାଲିଥିଲେ। “ଗତ ସପ୍ତାହରେ, ବ୍ୟାଙ୍କ ମ୍ୟାନେଜର କହିବାରୁ ପୋଲିସ ରାମିରେଡ୍ଡୀଙ୍କୁ ଥାନାକୁ ନେଇଯାଇଥିଲା। ସେମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ,” ରାମିରେଡ୍ଡୀଙ୍କ କକା ନାଗିରେଡ୍ଡୀ କୁହନ୍ତି। “ସେ ଜଣେ ଶିକ୍ଷିତ ପିଲା ଓ କିଛି ଅପରାଧ କରିନଥିଲା। କିନ୍ତୁ ପୋଲିସ ମ୍ୟାନେଜରଙ୍କୁ ସମର୍ଥନ କରିବା କାରଣରୁ ସେ ରାଗିଗଲେ ଓ ଲଜ୍ଜିତ ହେଲେ।
କିନ୍ତୁ ରାମିରେଡ୍ଡୀ ଏବେବି ଆଶା ହରାଇନଥିଲେ। ମୃତ୍ୟୁବରଣ କରିବା ଦିନ, ସେ ତାଙ୍କ କକାଙ୍କୁ ସାଢ଼େ ୮ଟା ସମୟରେ ଫୋନ କରି କହିଲେ, “ମୁଁ ମନ୍ତ୍ରୀଙ୍କ ଜଣେ ବ୍ୟକ୍ତିଗତ ସହାୟକଙ୍କ ସହ କଥା ହୋଇଛି। ସେମାନେ ଆମକୁ କାଗଜପତ୍ର ଫେରାଇ ଦେବେ ଏବଂ ସବୁକିଛି ଠିକ ହୋଇଯିବ।”
“ମୁଁ ଗୋଟିଏ ସେକେଣ୍ଡ ପାଇଁ ସୁଦ୍ଧା ଭାବିନଥିଲି ଯେ ସେ ତାଙ୍କ ଜୀବନ ହାରିଦେବେ,” ଯୁବ ଚାଷୀଙ୍କ କକା କୁହନ୍ତି ।
ଜୁଲାଇ ୨ ତାରିଖରେ ରାମିରେଡ୍ଡୀ ଅନ୍ୟଦିନ ଭଳି ବ୍ୟାଙ୍କକୁ ଗଲେ ଏବଂ ମ୍ୟାନେଜରଙ୍କୁ ତାଙ୍କର ପାସବୁକ ଓ କାଗଜପତ୍ର ଫେରାଇ ଦେବାକୁ ଅନୁରୋଧ କଲେ। ପୁଣିଥରେ, ସେ ତାଙ୍କୁ ମନା କରିଦେଲେ। ରାମିରେଡ୍ଡୀ ପାଖାପାଖି ଅପରାହ୍ଣ ୧ଟା ସମୟରେ ବ୍ୟାଙ୍କକୁ ଫେରିଲେ, ହାତରେ ତାଙ୍କର କୀଟନାଶକ ଥିଲା। ଯଦି ସେ କାଗଜପତ୍ର ଫେରି ନପାଆନ୍ତି ତା’ହେଲେ ସେ ଜୀବନ ହାରିଦେବେ ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ କହିଲେ।
“ସେ ପ୍ରତିକ୍ଷାଳୟରେ ବସି କୀଟନାଶକ ପିଇ ଦେଇଥିଲେ’’, ବୋଲି କୁହନ୍ତି, ତେଲୁଗୁ ଦୈନିକ ବାର୍ତ୍ତା ପକ୍ଷରୁ ଉରଭକୋଣ୍ଡାଠାରେ କାର୍ଯ୍ୟରତ ସାମ୍ବାଦିକ କେ. ଆନନ୍ଦ ରାଓ । “ବ୍ୟାଙ୍କରେ ଭିଡ଼ ଥିବାରୁ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ରାମିରେଡ୍ଡୀଙ୍କୁ କେହି ଦେଖିପାରିନଥିଲେ । ଏବଂ ପରେ ଯେତେବେଳେ ସେମାନେ ତାଙ୍କୁ ଡାକ୍ତରଖାନା ନେଇଗଲେ, ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିପାରିନଥିଲେ” ।
ରାମିରେଡ୍ଡୀଙ୍କ ପକେଟରୁ ଏକ ସୁଇସାଇଡ ନୋଟ ମିଳିଥିଲା, ଏଥିରେ ଲେଖାଥିଲା : “ଶିବଶଙ୍କର ସାର୍ ରାଜନୈତିକ, ଜମିଦାର ଓ ଧନୀ ଜମିଦାରଙ୍କ ହାତରେ ଖେଳନା ସାଜିଛନ୍ତି ଏବଂ ଜାଣିଶୁଣି ମୋତେ ହଇରାଣ କରୁଛନ୍ତି। ମୋର ମୃତ୍ୟୁ ପାଇଁ ସିଣ୍ଡିକେଟ ବ୍ୟାଙ୍କର ମ୍ୟାନେଜର ଦାୟୀ। ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ପ୍ରରୋଚନାରେ ପୋଲିସ ମୋତେ ପିଟିଲା। ତୁମମାନଙ୍କର ଆପଣାର, କୋଡାଣ୍ଡା ରାମିରେଡ୍ଡୀ, ଜଣେ କୃଷକଙ୍କ ପୁଅ” ।
ରାମିରେଡ୍ଡୀ ଜଣେ ଗରମ ମିଜାଜର ଯୁବକ ଥିଲେ। ଖବରକାଗଜରେ ସେ ଯାହା ପଢ଼ୁଥିଲେ ସେହି ଦିଗରେ ଯାଉଥିଲେ। ସେ ଅତ୍ୟନ୍ତ ଉତ୍ସାହୀ ଥିଲେ ଓ
ପାଲେକରଙ୍କ ଶୂନ ଖର୍ଚ୍ଚ କୃଷି ପଦ୍ଧତି
ବିଷୟରେ ଜାଣିବା ଲାଗି ବିଶାଖାପାଟଣା ଯାଇଥିଲେ। ସେ ସୌର ବିଦ୍ୟୁତ ବିଷୟରେ ଜାଣିବା ଲାଗି କର୍ଣ୍ଣାଟକ ଯାଇଥିଲେ ।
ତାଙ୍କର ଏହି ପ୍ରୟାସକୁ ପରିବାର ଲୋକ ସମର୍ଥନ କରୁଥିଲେ। “ଆମେ ତାଙ୍କୁ ନେଇ ଗର୍ବ କରୁଥିଲୁ ଏବଂ ଏସବୁ କାମ ପାଇଁ ତାଙ୍କୁ ଟଙ୍କା ଦେଉଥିଲୁ”, କାନ୍ଦି କାନ୍ଦି କୁହନ୍ତି ଶ୍ରୀନିବାସ ରେଡ୍ଡୀ। “ହେ ମୋ ଭାଇ! ସେ ଚାଷୀଙ୍କ ଜୀବନ ବଦଳାଇବା ଲାଗି ଚାହୁଁଥିଲେ। କିନ୍ତୁ ସେ ମାଟି ଭିତରକୁ ଚାଲିଗଲେ ଏବଂ କେବେ ବି ଫେରି ଆସିବେ ନାହିଁ” ।
ଏହିପରି ଭାବେ ଜଣେ ଯୁବ କୃଷି ଉଦ୍ୟୋଗୀ, ଯିଏକି ବଡ଼ ହେବା ପାଇଁ ଚାହୁଁଥିଲେ, ଆର୍ଥିକ ବୋଝ ତଳେ ଚାପି ହୋଇ ପ୍ରାଣ ହାରିଲେ। ତାଙ୍କର ଦକ୍ଷତା ଓ ସ୍ୱପ୍ନ ସବୁଦିନ ପାଇଁ ହଜିଗଲା।
ଅନୁବାଦ: ଓଡ଼ିଶାଲାଇଭ୍