ହାତଣେର ସରକାରୀ ଡାକ୍ତରଖାନା ମୁଖ୍ୟ ଦ୍ୱାର ସମ୍ମୁଖରେ ଏକ ଅଟୋରିକ୍ସା ଛିଡ଼ା ହୋଇଛି, ଯେଉଁଥିରେ ବସିଥିବା ଜଣେ ମହିଳା ବାରମ୍ବାର ଅଚେତ ହୋଇଯାଉଛନ୍ତି। ଅନ୍ୟ ଜଣେ ମହିଳା ଛାତି ବାଡ଼େଇ ବିଳାପ କରୁଛନ୍ତି: “ମାଝା ସୋନ୍ୟା, ମାଝା ସୋନ୍ୟା, କୁଥେ ଗେଲାରେ ମାଝା ସୋନ୍ୟା -(ମୋ ଗେହ୍ଲା ତୁ କୁଆଡ଼େ ଗଲୁ ରେ ମୋର ଗେହ୍ଲା)?” ପ୍ରତ୍ୟେକ ଦିଗରୁ ଉଚ୍ଚ ସ୍ୱରରେ ଚିତ୍କାର ଶୁଭାଯାଏ। କିଛି ପରିବାର କାଗଜପତ୍ର କାମ ସମ୍ପୂର୍ଣ୍ଣ କରିବାର ପ୍ରୟାସରେ ସାମୁହିକ ଭାବେ ଏକତ୍ରିତ ହୋଇଛନ୍ତି। ଆଉ କିଛି ଅନ୍ୟ ଡାକ୍ତରଖାନାରେ ଶଯ୍ୟା ବ୍ୟବସ୍ଥା କରିବା ଲାଗି ଚେଷ୍ଟା କରୁଛନ୍ତି।
ମଇ ମାସର ପ୍ରାରମ୍ଭରେ ଏବଂ ସୋମବାର ମଧ୍ୟାହ୍ନରେ ଖୁବ ଜୋରରେ ଗରମ ହେଉଛି। ଏବଂ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ହାତଣେ ଗ୍ରାମର ରେଭେରା ଡାକ୍ତରଖାନା ବାହାରେ ସମ୍ପୂର୍ଣ୍ଣ ଭାବେ କୋଳାହଳପୂର୍ଣ୍ଣ ପରିବେଶ ରହିଛି।
ଗୁରୁ ଚୌଧରୀ ଡାକ୍ତରଖାନା ପରିସର ବାହାରେ ଥିବା ଏକ ଗଛ ମୂଳରେ ତିଆରି ହୋଇଥିବା ସିମେଣ୍ଟ ପିଣ୍ଡିରେ ବସିଛନ୍ତି ଏବଂ ଲଗାତାର ଫୋନ କରୁଛନ୍ତି। ସେ ନିଜ ଭିଣୋଇଙ୍କ ମୃତ୍ୟୁ ଖବର ଦେଉଛନ୍ତି। “ଦେୱାଲା ପ୍ରିୟ ଝାଲା କାଲ ରାତ୍ରୀ” (କାଲି ରାତିରେ ତାଙ୍କର ଦେହାନ୍ତ ଘଟିଛି)”, ସେ ଫୋନରେ ଏହି ବାକ୍ୟକୁ ଦୋହରାଇଥିଲେ। “ସେ ମୋ ପାଇଁ ଭାଇ ଭଳି ଥିଲେ”, ସେ ଉଦାସ ଏବଂ ବ୍ୟଥିତ ହୋଇ ମୋତେ କହିଥିଲେ। “ଏହି ଭିଡିଓକୁ ଦେଖନ୍ତୁ। ଏଇଠି ସେ ଠିକ୍ ଅଛନ୍ତି। ମୋ ଭଉଣୀ ଡାକ୍ତରଖାନାରେ ତାଙ୍କ ସହିତ ଥିଲା। ତାଙ୍କର ଅକ୍ସିଜେନ ବୋତଲରୁ ଲଗାତାର ଲିକ୍ ହୋଇଚାଲିଥିଲା... ସେ ଡାକ୍ତରଙ୍କୁ କହିଚାଲିଥିଲେ ଯେ ଏଠାକୁ ଆସି ତାଙ୍କର ଯାଞ୍ଚ କରନ୍ତୁ....”
ପରିବାର ରେଭେରା ଆସିବା ପୂର୍ବରୁ ଗୁରୁଙ୍କ ଭିଣୋଇ, ୩୫ ବର୍ଷୀୟ ବାମନ ଦିଘାଙ୍କୁ ୨୩ ଏପ୍ରିଲରେ ସେମାନଙ୍କ ଗାଁ ପାଖରେ ଥିବା ଦୁଇଟି ଛୋଟ ଡାକ୍ତରଖାନାକୁ ନିଆଯାଇଥିଲା। “ସେ ଠିକ୍ ଭାବେ ନିଶ୍ୱାସ ନେଇ ପାରୁନଥିଲେ। ତାଙ୍କୁ କିଛିଦିନ ହେବ ଅଧିକ ଜ୍ୱର ମଧ୍ୟ ଥିଲା, ସେଥିପାଇଁ ଆମେ ଡରିଗଲୁ ଏବଂ ତାଙ୍କର ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଲୁ”, ଗୁରୁ କହିଥାନ୍ତି। “ଡାକ୍ତର କହିଲେ ତାଙ୍କୁ ନିମୋନିଆ ହୋଇଛି, କୋଭିଡ ମଧ୍ୟ ହୋଇଥାଇପାରେ, ସେଥିପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ହେବ। ଆଖାପାଖର କୌଣସି ଡାକ୍ତରଖାନାରେ ଶଯ୍ୟା କିମ୍ବା ଅକ୍ସିଜେନ ମିଳିନଥିଲା।”
ପରିବାରକୁ ପାଲଘରର ମୋଖାଡ଼ା ତାଲୁକାରେ ଥିବା ସେମାନଙ୍କର ଗ୍ରାମ ତାକପାଡ଼ରୁ ସେହି ଜିଲ୍ଲାର ବିକ୍ରମଗଡ଼ ତାଲୁକାରେ ରାଜ୍ୟ ଦ୍ୱାରା ପରିଚାଳିତ ରେଭେରା ପର୍ଯ୍ୟନ୍ତ ଏକ ଆମ୍ବୁଲାନ୍ସରେ ପାଖାପାଖି ୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡ଼ିଲା। ଏହି ତାଲୁକାରେ କୋଭିଡ ପାଇଁ ତିଆରି ହୋଇଥିବା ଏକମାତ୍ର ଡାକ୍ତରଖାନା ରହିଛି, ଯେଉଁଠି କୋଭିଡ ରୋଗୀଙ୍କ ପାଇଁ ୨୦୦ ଶଯ୍ୟା ରହିଛି (ଏଥିମଧ୍ୟରୁ ଅଧା ଆଇସୋଲେସନ ଶଯ୍ୟା ଏବଂ ବାକି ଅକ୍ସିଜେନ, ଭେଣ୍ଟିଲେଟର କିମ୍ବା ଆଇସିୟୁ ଶଯ୍ୟା ରହିଛି, ଏ ସଂକ୍ରାନ୍ତ ତଥ୍ୟ ଜିଲ୍ଲାର ସରକାରୀ ୱେବସାଇଟରେ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ଦିଆଯାଇନାହିଁ)।










