“ମୁଁ ଖୁବ୍ ଖୁସି ଥିଲି । ମୁଁ କହିଲି, ‘ନମସ୍କାର’ । ସେ (ରାଷ୍ଟ୍ରପତି) ମୋତେ ସ୍ୱାଗତ ଜଣାଇଲେ ଏବଂ କହିଲେ, ‘ରାଷ୍ଟ୍ରପତି ଭବନକୁ ସ୍ୱାଗତ’,’’ ଚଳିତବର୍ଷ ମାର୍ଚ୍ଚ ମାସରେ ପଦ୍ମଶ୍ରୀ ପୁରସ୍କାର ପାଇଁ ନୂଆଦିଲ୍ଲୀକୁ ଯିବା ସମୟର କଥାକୁ ମନେ ପକାଇ କମଳା ପୂଜାରୀ ଏହା କହିଲେ ।
ବିହନ ସଂରକ୍ଷଣ ଦିଗରେ କମଳାଜୀଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା (ଉପରେ ଥିବା କଭର ଫଟୋକୁ ଦେଖନ୍ତୁ) । ତାଙ୍କ ପାଇଁ ଏହା ଏକ ଯାତ୍ରା, ଯାହାକି ୪ ଦଶନ୍ଧି ତଳୁ ଆରମ୍ଭ ହୋଇଥିଲା ଯେତେବେଳେ ସେ ବିବାହ ପରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ପାତ୍ରପୁଟ ଗାଁକୁ ଆସିଥିଲେ। ସେ ମନେ ପକାଇଲେ, ସେତେବେଳେ ଗ୍ରାମବାସୀମାନେ ପ୍ରାୟ ୧୫ଟି ଦେଶୀ ପ୍ରଜାତିର ଧାନ ଚାଷ କରୁଥିଲେ । କଳାଜିରା, ଗୋଠିଆ, ହଳଦୀଚୁଡ଼ି, ଉମୁରିଆଚୁଡ଼ି, ମାଛକଣ୍ଟା, ଭୁଦେଇ, ଦୋଡିକାବୁରି ଏବଂ ଅନ୍ୟ ପ୍ରଜାତିର ଧାନକୁ ପ୍ରଚୁର ଭାବେ ଚାଷ କରାଯାଉଥିଲା ।
ସେ କହିଲେ, “ପ୍ରତି ପରିବାର ପରସ୍ପରଠାରୁ ଭିନ୍ନ ୨-୩ ପ୍ରକାର ଧାନ ଚାଷ କରୁଥିଲେ।’’ “ଫସଲ ଅମଳ ଋତୁର ଶେଷରେ ଲୋକମାନେ ପରସ୍ପର ମଧ୍ୟରେ ବିହନ ଏବଂ ଶସ୍ୟକୁ ବଦଳ କରୁଥିଲେ। ତାହା ମାଧ୍ୟମରେ ଗାଁରେ ବିଭିନ୍ନ ପ୍ରଜାତିର ଧାନ ରହୁଥିଲା ।’’
କିନ୍ତୁ ପ୍ରାୟ ୨୫ ବର୍ଷ ତଳୁ ଧାନର ପ୍ରଜାତି କମିବାରେ ଲାଗିଲା । କମଳାଜୀ ଯିଏକି ୬୦ ବର୍ଷରେ ଉପନୀତା ଏବଂ ଭୂମିଆ ଆଦିବାସୀ ସଂପ୍ରଦାୟର ବାସିନ୍ଦା ସେ କହିଲେ, “ଲ୍ୟାଣ୍ଡ୍ରେସେସ୍ (ଦେଶୀ ପ୍ରଜାତି)ର ଧାନ ଚାଷ କମୁଥିବାର ମୁଁ ଲକ୍ଷ୍ୟ କଲି । ମୁଁ ଅନୁଭବ କଲି ଯେ ସେଗୁଡ଼ିକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ।’’
କମଳାଜୀଙ୍କ ଅନୁସାରେ ଯେହେତୁ ଯୌଥ ପରିବାର ଭାଗଭାଗ ହୋଇଗଲା, ଛୋଟ ପରିବାରଗୁଡ଼ିକ ଅଧିକ ଅମଳକ୍ଷମ ହାଇବ୍ରିଡ୍ ବିହନ ବ୍ୟବହାର କରିବା ବୃଦ୍ଧି କଲେ । ଏହାଯୋଗୁ ଧାନର ପ୍ରଜାତି ନିଶ୍ଚିହ୍ନ ହେବା ଆରମ୍ଭ ହେଲା । ସେହି ପରିବର୍ତ୍ତନକୁ ସରକାରୀ ନୀତି ବି ସୁହାଇଲା । କମଳାଜୀଙ୍କ ପୁଅ ଟଙ୍କଧର ପୂଜାରୀ କହିଲେ, “ସବୁ ପ୍ରଜାତିକୁ ମଣ୍ଡି (ସରକାରଙ୍କ କ୍ରୟ ସଂସ୍ଥା)ରେ କିଣାଯାଏ ନାହିଁ କାରଣ ସେଗୁଡ଼ିକ ସେମାନଙ୍କର ମାନକ (‘ଉଚିତ୍ ହାରାହାରି ଗୁଣବତ୍ତା’)ପାଳନ କରିପାରନ୍ତି ନାହିଁ ।’’ “ସମୟ ସମୟରେ ମାଛକଣ୍ଟା ପରି ଫାଇନ୍ କ୍ୱାଲିଟିର ଧାନକୁ ମଣ୍ଡିରେ ବିକ୍ରି କରିହେବ। କିନ୍ତୁ ଅଧିକାଂଶ ସମୟରେ ଆମେ ମାଛକଣ୍ଟା ଏବଂ ହଳଦୀଚୁଡ଼ିକୁ ଘରେ ବ୍ୟବହାର ପାଇଁ ଚାଷ କରୁ ଏବଂ ‘ସରକାରୀ ଧାନ ୧୦୧୦’ (ଏକ ନୂଆ ପ୍ରଜାତିର ହାଇବ୍ରିଡ୍ ଧାନ)କୁ ମଣ୍ଡିରେ ବିକ୍ରି କରିବା ଲାଗି ଚାଷ କରିଥାଉ ।’’









