चाण्डालश्च वराहश्च कुक्कुटः श्वा तथैव च ।
रजस्वला च षण्ढश्च नैक्षेरन्नश्नतो द्विजान् ॥
ଚାଣ୍ଡାଳ, ଗ୍ରାମ୍ୟ ଶୂକର, କୁକୁଡା, କୁକୁର,
ରଜବତୀ ନାରୀ ଓ ନପୁଂସକ ଆଦି ଦ୍ଵିଜମାନଙ୍କୁ ଚାହିଁବେ ନାହିଁ।
— ମନୁସ୍ମୃତି ୩॰୨୩୯
କେବଳ ଚାହିଁ ଦେବା ନୁହେଁ, ନ’ ବର୍ଷ ବୟସ ବାଳକଟିର ପାପ ତହିଁରୁ କାହିଁ କେତେ ଗୁଣା ଅଧିକ। ତୃତୀୟ ଶ୍ରେଣୀରେ ପଢୁଥିବା ଇନ୍ଦ୍ର କୁମାର ମେଘୱାଲ ନିଜ ଶୋଷକୁ ଅଟକାଇ ପାରିଲା ନାହିଁ। ଦଳିତ ପିଲା ହୋଇଥିଲେ ବି ଉଚ୍ଚ ଜାତିର ଶିକ୍ଷକମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ରହିଥିବା ମାଠିଆରୁ ପାଣି ପିଇଦେଲା।
ସେଥିପାଇଁ ତାକୁ ଦଣ୍ଡ ଦିଆଗଲା! ରାଜସ୍ଥାନର ସୁରଣା ଗାଁରେ ଥିବା ସରସ୍ଵତୀ ଶିଶୁ ମନ୍ଦିରରେ ଶିକ୍ଷକ ରୂପେ କାମ କରୁଥିବା ଉଚ୍ଚ ଜାତିର ୪୦ ବର୍ଷ ବୟସ୍କ ଚୈଲ ସିଂ ବାଳକଟିକୁ ନିର୍ଦ୍ଦୟ ଭାବେ ପିଟିଲେ।
ପଚିଶି ଦିନ ଧରି ଚିକିତ୍ସା ପାଇଁ ସାତଟି ଡାକ୍ତରଖାନା ବୁଲିବା ପରେ ଶେଷକୁ ଯାଲୋର ଜିଲ୍ଲାର ସେହି ଛୋଟ ପିଲାଟି ସ୍ଵାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଅହମ୍ମଦାବାଦ ସହରରେ ପ୍ରାଣ ହରାଇଲା।


