ଗତ ବର୍ଷ ଡିସେମ୍ବରର ଶୀତଦିନରେ, ତମ୍ବୁ ଘେରା ଏକ ବନ୍ୟଜୀବନ ଶିବିରର ଶାନ୍ତ ପରିବେଶରେ, ଗୋଣ୍ଡ ଚିତ୍ରଶିଳ୍ପୀ ମିଥଲେଶ କୁମାର ଶ୍ୟାମ, ତାଙ୍କ ଚିକଚିକ ରଙ୍ଗଭରା ଚିତ୍ରଗୁଡ଼ିକୁ ଏକ ବଡ଼ ଟେବୁଲ ଉପରେ ମେଲାଇ ରଖିଲେ। ତାଙ୍କ ପରିବାରର ପୁରୁଣା କାର୍ ଚଳାଇ ପାଟଣଗଡ଼ରୁ ପ୍ରାୟ ୧୫୦ କିଲୋମିଟର ଦୂର ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନ ନିକଟ ବାମନି ଗାଁର ଏହି ଶିବିରରେ ସେ ସେଦିନ ସକାଳେ ପହଞ୍ଚିଥିଲେ ।
ତାଙ୍କ ପ୍ରାଣବନ୍ତ ଓ ବିସ୍ତୃତ ଚିତ୍ରକଳାରେ ସ୍ଥାନ ପାଇଥିଲା ଗଛ, ପକ୍ଷୀ, ବାଘ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ, ଏବଂ ଗୋଣ୍ଡ ସଂପ୍ରଦାୟର ସମୃଦ୍ଧ ପୌରାଣିକ କଥାବସ୍ତୁ ସାଙ୍ଗକୁ ଆଧୁନିକତାର ବାସ୍ତବତା । ୨୭ ବର୍ଷୀୟ ମିଥଲେଶ କହନ୍ତି, “ବେଳେବେଳେ ମୁଁ ଆମ ଲୋକଗୀତର ବିଷୟକୁ ନେଇ ଚିତ୍ର କରେ । ହୁଏତ ଏମିତି ଭାବରେ ମୁଁ ଏକ ବାନା (ଏକ ତିନି ତାର ବିଶିଷ୍ଟ ବେହେଲା) ରୂପରେ ଆମର ମୁଖ୍ୟ ଆରାଧ୍ୟ ଦେବତା, ବଡ଼ ଦେବ (ମହାପ୍ରଭୁ)ଙ୍କୁ ଚିତ୍ରରେ ଉପସ୍ଥାପନ କରେ । ଅନ୍ୟ ସମୟରେ, ମୁଁ ମୋର ନିତିଦିନିଆ ଜୀବନର ବସ୍ତୁ ଏବଂ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇଥାଏ । ମୁଁ ମୋର କଳ୍ପନାରୁ ମଧ୍ୟ ଚିତ୍ର କରେ, ଏମିତି କି ମୋ ସ୍ୱପ୍ନରୁ ବି ।”
ଅନ୍ୟ ଅନେକ ଗୋଣ୍ଡ ଚିତ୍ରଶିଳ୍ପୀଙ୍କ ଭଳି ମିଥଲେଶଙ୍କର ମଧ୍ୟ ଚିତ୍ରର ପ୍ରତିରୂପରେ ରଙ୍ଗ ଭରିବାର ଏକ ସ୍ୱତନ୍ତ୍ର ଶୈଳୀ ରହିଛି । ଯେଉଁଥିରେ କି ସେ ଚିତ୍ରକଳାର ଏକ ବୃହତ୍ ଆକାରକୁ ବିନ୍ଦୁ, କ୍ଷୁଦ୍ର ରେଖା ଏବଂ ବକ୍ରରେଖାରେ ଭରି ଦିଅନ୍ତି । ସେ ମତେ କହନ୍ତି ଯେ, ପର୍ବ ପାଳନ ଅବସରରେ ଗୋଣ୍ଡମାନେ ସେମାନଙ୍କ ମାଟି ଘରର ସାମନା ପଟକୁ ପାରମ୍ପରିକ କଳାକୃତିରେ ସଜାଇ ଥାଆନ୍ତି। ଏହା ସେମାନଙ୍କ ପାଇଁ ଶୁଭଙ୍କର ବୋଲି ସେମାନେ ବିଶ୍ୱାସ କରନ୍ତି। ଘର କାନ୍ଥରେ ସେମାନଙ୍କ ଦେବଦେବୀ, ପୌରାଣିକ କଥା ଏବଂ କିମ୍ବଦନ୍ତୀକୁ ବର୍ଣ୍ଣନା କରୁଥିବା ଚିତ୍ର ଅଙ୍କନ କରାଯାଏ ଏବଂ ଏହି ପ୍ରାଚୀର କଳାକୁ ଗୋଣ୍ଡ ବିଟ୍ଟି ଚିତ୍ର କୁହାଯାଏ । “ସାଧାରଣତଃ ଏଥିରେ ଆମେ ବ୍ୟବହାର କରୁଥିବା ରଙ୍ଗ ପ୍ରକୃତିରୁ ମିଳିଥାଏ- ସେମି ଗଛର ପତ୍ରରୁ ସବୁଜ ରଙ୍ଗ, ଗେଣ୍ଡୁ ଫୁଲରୁ ନାରଙ୍ଗୀ, ସୂର୍ଯ୍ୟମୁଖୀ ଫୁଲରୁ ହଳଦିଆ, ଗୋଲାପରୁ ଗାଢ଼ ଗୋଲାପୀ, ଗାଈ ଗୋବରରୁ ବାଦାମୀ, ଚୁହି (ଧଳାମାଟି)ରୁ ଧଳା, କଳାମାଟିରୁ କଳା ରଙ୍ଗ ଏବଂ ଏମିତି ଆହୁରି ଅନେକ,” ବୁଝାଇ ଦିଅନ୍ତି ଏହି ଚିତ୍ରଶିଳ୍ପୀ ।









