ଶ୍ରୀନଗରର ଲାଲ୍ ଚୌକ୍ରେ ଥିବା ତାଙ୍କ ଦୋକାନରେ ନିଆଜ୍ ଅହମଦ୍ କହିଲେ, “କିଛି ବର୍ଷ ତଳେ ଏହା ସଂପୂର୍ଣ୍ଣ ଭିନ୍ନ ଥିଲା”। ପଶ୍ମିନା ଶାଲର ଚାହିଦା ଖୁବ୍ ଅଧିକ ଥିଲା, ଏବଂ ସାରା ଭାରତରେ ତଥା ବିଦେଶରେ ଏହି ଶାଲ୍ ବିକି ନିଆଜ୍ ଓ ଅନ୍ୟ ଦୋକାନ ମାଲିକମାନେ ବେଶ୍ ଲାଭ କରୁଥିଲେ |
ଏ କଥା ୨୦୧୬ ଫେବ୍ରୁଆରୀର, ଯେତେବେଳେ ମୁଁ ଚାଙ୍ଗ୍ଥାଙ୍ଗ୍ର ଛେଳିରୁ ଆରମ୍ଭ କରି ଖୁଚୁରା ଦୋକାନ ଯାଏ ପଶ୍ମିନା ଶାଲ୍ର ସନ୍ଧାନ ନେବା ଆରମ୍ଭ କଲି; ଭାରତ ଓ ମଧ୍ୟ ଏସିଆକୁ ସଂଯୋଗ କରୁଥିବା ପ୍ରାଚୀନ ଭାରତୀୟ ବାଣିଜ୍ୟ ପଥ ସମୂହର ଇତିହାସ ଜାଣିବାରେ ମୁଁ ଆଗ୍ରହୀ । ଏହି ବାଣିଜ୍ୟ ପଥରେ ପଶ୍ମିନା ଓ ରେଶମ ଥିଲା ବେଶ୍ ମୂଲ୍ୟବାନ ସାମଗ୍ରୀ ।
ଭାରତ-ଚୀନ୍ ସୀମା ନିକଟବର୍ତ୍ତୀ ପୂର୍ବ ଲଦାଖରେ, ପଶ୍ଚିମକୁ ସଂପ୍ରସାରିତ ତିବ୍ବତୀୟ ମାଳଭୂମିର ଚାଙ୍ଗ୍ଥାଙ୍ଗ ଅଞ୍ଚଳରେ ଯାଯାବର ସଂପ୍ରଦାୟର ପଶୁପାଳକ ଚାଙ୍ଗ୍ପାମାନେ ଚାଙ୍ଗ୍ଥାଙ୍ଗି ଛେଳି ପାଳନ କରନ୍ତି। ପ୍ରାୟ ୪,୦୦୦ରୁ ୫,୦୦୦ ମିଟର ଉଚ୍ଚ ଏହି ପାର୍ବତ୍ୟାଞ୍ଚଳରେ ବସବାସ କରିବା ଖୁବ୍ କଷ୍ଟକର। ମେଣ୍ଢା, ପଶ୍ମିନା ଛେଳି ଏବଂ ଅଳ୍ପ କେତେକ ଚମରୀ ଗାଈଙ୍କ ଭଳି ସେମାନଙ୍କ ପାଳିତ ପଶୁମାନଙ୍କ ପାଇଁ ଚାରଣଭୂମିର ସନ୍ଧାନ ଏବଂ ସେପ୍ଟେମ୍ବର ଶେଷଭାଗରୁ ମେ ମାସ ପର୍ଯ୍ୟନ୍ତ ସୁଦୀର୍ଘ ଶୀତଋତୁ ଯୋଗୁଁ ଏଠାରେ ଜୀବନଯାପନ କରିବା କଷ୍ଟକର । ଜାଳେଣି ସଂଗ୍ରହ, ଶିଶୁମାନଙ୍କ ଯତ୍ନ, ରୋଷେଇ, ପଶ୍ମିନା ସୂତା ବୁଣା ଭଳି କାର୍ଯ୍ୟ ସହ ଦିନଗୁଡ଼ିକ ଲମ୍ବି ଯାଏ ।
ପ୍ରତି ଚାଙ୍ଗ୍ପା ପରିବାର ପାଖରେ ଅତି କମ୍ରେ ୮୦-୧୦୦ଟି ପାଳିତ ପଶୁ ଥାଆନ୍ତି, ଅନେକଙ୍କ ପାଖରେ ୧୦୦-୧୫୦ଟି ଏବଂ କେତେକଙ୍କ ପାଖରେ ୩୦୦ରୁ ଅଧିକ ପଶୁ ବି ଥାଆନ୍ତି । ସାଧାରଣତଃ ଛେଳି ଓ ମେଣ୍ଢାଙ୍କ ସଂଖ୍ୟା ସମାନ ଥାଏ । ଗୋଟିଏ ପରିବାର ଗୋଟିଏ ଚାଙ୍ଗ୍ଥାଙ୍ଗି ଛେଳିରୁ ବର୍ଷକୁ ପ୍ରାୟ ୨୦୦-୩୦୦ ଗ୍ରାମ୍ ଅଶୋଧିତ ପଶ୍ମିନା ପାଇପାରେ ।
୨୦୧୬ ମାର୍ଚ୍ଚ ମାସର ଏକ ଶୀତୁଆ ସକାଳରେ, ହାନ୍ଲେ ଏବଂ ଚୁମୁର ସହର ମଧ୍ୟବର୍ତ୍ତୀ ଦକ୍ଷିଣପୂର୍ବ ଚାଙ୍ଗ୍ଥାଙ୍ଗ୍ରେ ପଶୁପଲ ନେଇ ଯାଉଥିବା ବେନ୍ସନ୍ ସେରିଂଙ୍କ ସହ ମୋର ଦେଖା ହେଲା। ସେ ମୋତେ କହିଲେ ଯେ,ସରକାରଙ୍କ ଦ୍ୱାରା ପରିଚାଳିତ ଲଦାଖ ହିଲ୍ ଡେଭଲପ୍ମେଣ୍ଟ୍ କାଉନ୍ସିଲ ସହ ଅନୁବନ୍ଧିତ ଲେହର ଅଲ୍ ଚାଙ୍ଗ୍ଥାଙ୍ଗ୍ ପଶ୍ମିନା ଗ୍ରୋଅର୍ସ କୋଅପରେଟିଭ୍ ମାର୍କେଟିଂ ସୋସାଇଟି ନାମକ ସମବାୟ ସମିତି ଏକ ସ୍ଥିରୀକୃତ ଦରରେ ସିଧାସଳଖ ପଶୁପାଳକମାନଙ୍କଠାରୁ ଅଶୋଧିତ ପଶ୍ମିନା କିଣିଥାଏ। ଅତୀତରେ ମଧ୍ୟସ୍ଥମାନେ ପ୍ରାୟତଃ ଉଚିତ ଦର ଦେଉ ନଥିଲେ। ଏବେ ସମବାୟ ସମିତି ଏକ କିଲୋ ଅଶୋଧିତ ପଶ୍ମିନା ପିଛା ୨,୫୦୦ରୁ ୨,୭୦୦ ଟଙ୍କା ଦେଉଛି। ଚାହିଦା କମିବା କାରଣରୁ ଗତ ୪-୫ ବର୍ଷ ହେଲା ଏହାର ଦର ସେତେ ବେଶୀ ବଢ଼ିନାହିଁ । ପଞ୍ଜାବ ଓ ଅନ୍ୟ ରାଜ୍ୟରୁ ବଜାରକୁ ଆସୁଥିବା ଅଣ-ପଶ୍ମିନା ଶାଲ୍ ଓ ଉଲ୍ ପୋଷାକପତ୍ର ମଧ୍ୟ ଏହି କାରବାରକୁ ପ୍ରଭାବିତ କରିଛି ।
ହାନ୍ଲେରୁ ପ୍ରାୟ ୪୦ କିଲୋମିଟର ଦୂରରେ ମୁଁ ପେମା ଚୋକେଟଙ୍କୁ ମଧ୍ୟ ଭେଟିଲି । ପେମାଙ୍କ ଛ’ ଜଣ ସନ୍ତାନଙ୍କ ମଧ୍ୟରୁ କେବଳ ୨୩ ବର୍ଷୀୟା ବଡ଼ ଝିଅ ଡେଚେନ୍ ପରିବାରର ଜୀବନଯାପନ ଧାରା ଜାରି ରଖିବାକୁ ଚାହାଁନ୍ତି । ପେମା କହିଲେ, “ସେ ହିଁ ଆମର ପଥ ପ୍ରଦର୍ଶକ।” ଗୃହପାଳିତ ପ୍ରାଣୀ ଏବଂ ପଶୁପାଳକ ଜୀବନକୁ ସେ ଖୁବ୍ ଭଲ ପାଏ ।






















