ଯେତେବେଳେ ଜାନୁୟାରୀ ମାସର ଶେଷଆଡକୁ ଦୁଇମାସର ମଇଁଷି ଛୁଆ ମରିଗଲା, ସାରିକା ସାୱନ୍ତ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ । ମହସ୍ୱାଦ ସହରରେ ଥିବା ଏକ ପଶୁ କ୍ୟାମ୍ପରେ ଆମେ ତାଙ୍କୁ ଭେଟିବା ପରେ ସେ କହିଲେ, “ମୁଁ ଚିନ୍ତା କଲି କି ମକାରେ ଏକ ବଡ଼ ପୋକ ଥିଲା । ମଇଁଷିଛୁଆ ହୁଏତ ତାକୁ ଖାଇଦେଇଛି... ତେଣୁ ଗତକାଲିଠାରୁ ମଇଁଷି ଆଉ କ୍ଷୀର ଦେଉନାହିଁ ।’’
ସାରିକା ଏବଂ ତାଙ୍କର ସ୍ୱାମୀ ଅନୀଲ ସାୱନ୍ତ ଗତବର୍ଷ ପ୍ରାୟ ଦୀପାବଳୀ ବେଳକୁ ସେମାନଙ୍କର ଦୁଇଟି ଗାଈ ବିକ୍ରି କରିବାକୁ ବାଧ୍ୟ ହେବା ପରେ ଏହି କ୍ଷତି ଘଟିଲା। ଏହି ପରିବାର ନିକଟରେ ଏବେ ୪ଟି ଜର୍ସି ଗାଈ, ୩ଟି ମଇଁଷି ଏବଂ ଦୁଇଟି ବାଛୁରୀ ଅଛି । ସେମାନଙ୍କର ରୋଜଗାରର ମୁଖ୍ୟ ଉତ୍ସ ହେଲା କ୍ଷୀର । କିନ୍ତୁ, ସାରିକା କହିଲେ, “ ଗତ ଦୁଇବର୍ଷ ହେଲା ଭଲ ବର୍ଷା ହୋଇନାହିଁ । ଗାଁରେ ଥିବା କୂଅଗୁଡ଼ିକ ଶୁଖିଯିବା ପରେ ଆମେ ଦୀପାବଳୀ (ଅକ୍ଟୋବର-ନଭେମ୍ବର ୨୦୧୮)ଠାରୁ ଜଳସଙ୍କଟର ସାମ୍ନା କରୁଛୁ । ପଶୁଙ୍କ ପାଇଁ ଦାନା ନାହିଁ, ସବୁଜ ଘାସ ନାହିଁ, ଆମେ ଆମର ପଶୁମାନଙ୍କୁ କିଭଳି ଖୁଆଇଥାନ୍ତୁ? ଏବଂ ଋଣ ମଧ୍ୟ ବଢୁଥିଲା... ।’’
ମରୁଡ଼ିର ଚାପ ସହିନପାରି ୨୪ ବର୍ଷୀୟା ସାରିକା ଏବଂ ଅନୀଲ (୩୨) ଯେଉଁମାନେ କି ମରାଠା ସଂପ୍ରଦାୟର ବାସିନ୍ଦା ସେମାନେ ହୱାଲଦରୱାଡିଠାରୁ ପ୍ରାୟ ୧୫ କିମି ଦୂର ମହସ୍ୱାଦରେ ଥିବା ପଶୁ କ୍ୟାମ୍ପକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି । ସେମାନଙ୍କର ଗାଁ ହୱାଲଦରୱାଡି ମହାରାଷ୍ଟ୍ରର ସତାରା ଜିଲ୍ଲାର ମାନ୍ ବ୍ଲକ୍ରେ ରହିଥିବା ବେଳେ ସେଠାରେ ୯୯୪ ଜଣ ଲୋକ ବସବାସ କରନ୍ତି ।
ଅକ୍ଟୋବର ୩୧, ୨୦୧୮ରେ ମହାରାଷ୍ଟ୍ରର ୨୬ଟି ଜିଲ୍ଲାର ୧୫୧ଟି ବ୍ଲକ୍ରେ ମରୁଡ଼ି ଘୋଷଣା କରାଗଲା । ସେଥିମଧ୍ୟରୁ ୧୧୨ଟି ବ୍ଲକ୍ ଗୁରୁତର ମରୁଡ଼ିର ସାମ୍ନା କରୁଛନ୍ତି । ମାନ୍ଦେଶ ଅଞ୍ଚଳର ସମସ୍ତ ବ୍ଲକ୍ – ସତାରା ଜିଲ୍ଲାର ମାନ୍ ଏବଂ ଖାତଭ ତାଲୁକା, ସାଙ୍ଗଲିର ଜାଟ, ଅଟପଦି ଏବଂ କାଭଥେମାହଙ୍କଲ ତାଲୁକା, ସୋଲାପୁରର ସାଙ୍ଗୋଲ ଏବଂ ମାଲସିରା ଏହି ତାଲିକାରେ ଥିଲେ । ମାନ ଦେଶୀ ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପଶୁ କ୍ୟାମ୍ପରେ ଏବେ ମାନ୍ଦେଶ ଅଞ୍ଚଳର ୬୪ଟି ଗ୍ରାମର ପ୍ରାୟ ୨,୫୦୦ ଲୋକ ସେମାନଙ୍କର ୮୦୦୦ରୁ ଉର୍ଦ୍ଧ୍ୱ ପଶୁଙ୍କୁ ନେଇ ରହୁଛନ୍ତି । (ଗୋଖାଦ୍ୟ ସନ୍ଧାନରେ ବିଚ୍ଛିନ୍ନ ପରିବାର ଏବଂ ଅନ୍ୟ ୮୦୦୦ଙ୍କ ସହ ଶେଷରେ ଚିମନାବାଇ ଖାଇବାକୁ ପାଇଲା ଦେଖନ୍ତୁ ।)








