ସରକାରୀ କର୍ମଚାରୀମାନଙ୍କ ବ୍ୟତିତ ଏଠାରେ ପ୍ରଦାନ କରାଯାଇଥିବା ଅନ୍ୟ ବ୍ୟକ୍ତିମାନଙ୍କ ନାମ ସେମାନଙ୍କ ପରିଚୟ ଗୋପନ ରଖିବା ଉଦ୍ଦେଶ୍ୟରେ ପରିବର୍ତ୍ତନ କରାଯାଇଛି। ସମାନ କାରଣରୁ ସେମାନଙ୍କ ଗ୍ରାମର ନାମ ମଧ୍ୟ ଦିଆଯାଇନାହିଁ। ଦୁଇଟି ଅଂଶ ଥିବା ଗୋଟିଏ ବିଷୟବସ୍ତୁର ଏହା ପ୍ରଥମଭାଗ।
ସଂଧ୍ୟା ପ୍ରାୟ ପାଞ୍ଚଟା। ସୂର୍ଯ୍ୟ ସମ୍ପୂର୍ଣ୍ଣ ଯାଇନଥା‘ନ୍ତି। ୧୬ ବର୍ଷୀୟ ବିବେକ ସିଂହ ବିଷ୍ଟ ଓ ତାଙ୍କ ସହ ଥିବା ଅନ୍ୟମାନେ ସାତପେରସ୍ଥିତ ସେମାନଙ୍କ ତମ୍ବୁକୁ ଫେରିଆସିଲେ। କିଛି ଅଧିକ କୀଡ଼ାଜଡ଼ି ପାଇବା ପାଇଁ ଆମେ ଆଉ ୧୦ ଦିନ ଏଠାରେ ରହିବୁ। ସେଦିନ ସଂଗ୍ରହ କରିଥିବା ୨୬ଟି ଛତୁ ଦେଖାଇ ସେ କୁହନ୍ତି, ଏ ଋତୁ ଆମ ପାଇଁ ଭଲ ହେଲାନି।
ଆମେ ସମୁଦ୍ରପତ୍ତନରୁ ୪,୫୦୦ ମିଟର ଉଚ୍ଚତାରେ ଥିବା ସାତପେର୍ ଘାସ ପଡ଼ିଆକୁ ଯାଇଥିଲୁ। ଚତୁର୍ଦ୍ଦିଗରେ ବରଫାବୃତ୍ତ ପାହାଡ଼। ଏଠାରେ ପ୍ରାୟ ୩୫ଟି ନୀଳ ଟାର୍ପୋଲିନ୍ ତମ୍ବୁ ହେମାଳ ପବନରେ ଫଡ଼ଫଡ଼ ଶବ୍ଦ କରୁଛି। ବିଭିନ୍ନ ଗ୍ରାମରୁ ବିବେକଙ୍କ ପରି ଛତୁ ତୋଳାଳୀମାନେ ଏଠାରେ ଆଶ୍ରୟ ନେଇଛ‘ନ୍ତି। ସେମାନେ ମେ’ ମାସର ମଧ୍ୟଭାଗରୁ ଏଠାରେ ଜମା ହୋଇଛନ୍ତି। ଭାରତ-ନେପାଳ ସୀମାର ପଶ୍ଚିମରେ କେଇ କିଲୋମିଟର ଦୂରରେ ପିଥୋରଗଡ଼ ଜିଲ୍ଲାର ଧାର୍ଚୁଲା ବ୍ଲକରେ ସାତପେର ଅବସ୍ଥିତ।
ଭଲ ଦିନମାନଙ୍କରେ ଛତୁ ତୋଳାଳୀମାନେ ୪୦ଟି ପର୍ଯ୍ୟନ୍ତ କୀଡ଼ା ଜଡ଼ି ତୋଳିପାରନ୍ତି, ଖରାପ ଦିନରେ ୧୦ଟି ପର୍ଯ୍ୟନ୍ତ। ଜୁନ୍ ମାସର ମଧ୍ୟଭାଗରେ ଉତ୍ତରାଖଣ୍ଡରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଗଲା ପରେ ଲୋଭନୀୟ କୀଡ଼ାଜଡ଼ି ଅମଳ ଋତୁ ଶେଷ ହୋଇଯାଏ। ଗତବର୍ଷ ଜୁନ୍ ମାସରେ ବିବେକଙ୍କ ବାପା-ମା’, ଜେଜେବାପା-ଜେଜେମା’ ଓ ଆଠବର୍ଷୀୟା ଭଉଣୀ ଗାଁକୁ ୯୦୦ଟି କୀଡ଼ାଜଡ଼ି ଧରି ଗାଁକୁ ଫେରିଥିଲେ। ପ୍ରତି କୀଡ଼ାଜଡ଼ିର ଓଜନ ଅଧ ଗ୍ରାମରୁ ମଧ୍ୟ କମ୍। ବିବେକଙ୍କ ପରିବାର ଗୋଟିକ ପିଛା ୧୫୦-୨୦୦ ଟଙ୍କା ଦରରେ ବିକ୍ରି କରିବେ।









