ପଟ୍ଟଚିତ୍ର ଚିତ୍ରଣର ପ୍ରଥମ ସୋପାନ ହେଉଛି ଏକ ସଙ୍ଗୀତ - ଏକ ପଟ୍ଟର ଗାନ ସଂଯୋଜନା କରିବା । ‘‘ଚିତ୍ରଣ ଆରମ୍ଭ କରିବା ପୂର୍ବରୁ ଆମକୁ ସଙ୍ଗୀତର ଛନ୍ଦ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି... ଏହାର ତାଳ ଚିତ୍ରଣ ପ୍ରକ୍ରିୟାକୁ ଏକ ଢାଞ୍ଚା ପ୍ରଦାନ କରିବ,’’ ମାମୋନି ଚିତ୍ରକାର କୁହନ୍ତି। ଅଷ୍ଟମ ପିଢ଼ିର ଏହି କଳାକାର ଜଣଙ୍କ ନିଜ ଘରେ ବସି ପଟଚିତ୍ର ତିଆରି କରୁଛନ୍ତି ଯେଉଁଥିରେ ପଶ୍ଚିମବଙ୍ଗ ପୂର୍ବ କୋଲକାତାର ଆର୍ଦ୍ରଭୂମିର ଚିତ୍ରଣ ରହିଛି।
ସଂସ୍କୃତ ଶବ୍ଦ ‘ପଟ୍ଟ’ ବା ଖଣ୍ଡେ କପଡ଼ା ଏବଂ ‘ଚିତ୍ର’ ବା ଚିତ୍ରକାରୀରୁ ଏହି କଳାର ଉତ୍ପତି ହୋଇଛି। ଆର୍ଦ୍ରଭୂମି ଦ୍ୱାରା ସମୃଦ୍ଧ ହୋଇଥିବା ପରିବେଶ ପରିତନ୍ତ୍ରର ଚିତ୍ରକୁ ଅତି ନିଖୁଣ ଭାବେ ଆଙ୍କୁଥିବା ସମୟରେ ମାମୋନି ପଟ୍ଟର ଗାନ୍ ଗାଉଛନ୍ତି ଯାହାକି ପଟଚିତ୍ରର ପ୍ରଦର୍ଶନ ସହିତ ପ୍ରତିଫଳିତ ହେବ। ଏହି ସଙ୍ଗୀତକୁ ମାମୋନି ନିଜେ ଲେଖିଛନ୍ତି ଓ ସଂଯୋଜନା କରିଛନ୍ତି, ଯାହାକି ଏକ ଆମନ୍ତ୍ରଣ ସହିତ ଆରମ୍ଭ ହୋଇଥାଏ : ‘‘ଶୁଣ, ଶୁଣ ସମସ୍ତେ, ଧ୍ୟାନ ଦେଇ ଶୁଣ’’।
ଏହି ସଙ୍ଗୀତରେ ପୂର୍ବ କୋଲକାତା ଆର୍ଦ୍ରଭୂମିର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକି ‘‘ଅନେକଙ୍କ ପାଇଁ ଜୀବନଧାରା’’। ମତ୍ସ୍ୟଜୀବୀ, ଚାଷୀ ଓ ଜୀବନ୍ତ କ୍ଷେତଗୁଡ଼ିକର ଚିତ୍ର ଏକ ପଟ୍ଟ ଉପରେ ଅଙ୍କା ଯାଏ, ଏହା ଏକ କପଡ଼ା ଉପରେ ଲଗାଯାଇଥିବା କାଗଜର ଚିତ୍ରଫଳକ ବା ସ୍କ୍ରଲ ହୋଇଥାଏ। କଳା ପରିବେଷଣ ସମୟରେ ଯେତେବେଳେ ଅନ୍ତିମ ରୂପ ଦିଆ ଯାଇ ସାରିଥିବାପଟ୍ଟ କୁ ଖୋଲାଯାଏ, ସେତେବେଳେ ସଙ୍ଗୀତର ପଦଗୁଡ଼ିକ ସହିତ ଚିତ୍ରକଳାର ବିଭିନ୍ନ ଭାଗ ମେଳ ଖାଇଥାଏ। ଏହି ମାର୍ଗରେ, ମାମୋନିଙ୍କ ଚିତ୍ରକଳା ଚିତ୍ର ଓ ସଙ୍ଗୀତ ମାଧ୍ୟମରେ ଆର୍ଦ୍ରଭୂମିର କାହାଣୀ କହିଥାଏ।
ମାମୋନି କୁହନ୍ତି, ତାଙ୍କ ଗାଁ ପଶ୍ଚିମ ମେଦିନାପୁର ପିଙ୍ଗଲା ତାଲୁକା ର ନୟା ଗ୍ରାମରେ ପାଖାପାଖି ୪୦୦ ଚିତ୍ରକର ରହୁଛନ୍ତି। ଏହି ତାଲୁକାର ଅନ୍ୟ କୌଣସି ଗ୍ରାମରେ ଏତେ ସଂଖ୍ୟକ ପଟ୍ଟଚିତ୍ର କାରିଗର ନାହାନ୍ତି। ନୟା ଗ୍ରାମର ଏହି ୩୨ ବର୍ଷୀୟା ବାସିନ୍ଦା ଓ କାରିଗର ତାଙ୍କ ଗାଁର ସବୁ ଘର କାନ୍ଥରେ ବିଭିନ୍ନ ରଙ୍ଗରେ ଅଙ୍କା ହୋଇଥିବା ବୃକ୍ଷଲତା, ବନ୍ୟପ୍ରାଣୀ ଓ ଫୁଲର ଚିତ୍ର ବିଷୟରେ ଉଲ୍ଲେଖ କରି କୁହନ୍ତି, ‘‘ଗାଁର ପ୍ରାୟ ସମସ୍ତ ୮୫ଟି ଘର କାନ୍ଥରେ ଭିତ୍ତିଚିତ୍ର ଅଙ୍କା ହୋଇଛି। ସେଥିପାଇଁ ଆମର ସମ୍ପୂର୍ଣ୍ଣ ଗାଁ ସୁନ୍ଦର ଦେଖାଯାଏ।’’











