୨୦୨୦ରେ କରୋନାଜନିତ ଲକଡାଉନ୍ ଲାଗୁ ହୋଇ ସାରିଥିଲା। ଗାଁରୁ ଖବର ମିଳିଲା ଯେ ମୋ ଜେଜେବାପା ପଡ଼ିଯାଇଛନ୍ତି ଓ ତାଙ୍କ ଗୋଡ଼ ଭାଙ୍ଗିଯାଇଛି । ସରକାରୀ ଡାକ୍ତରଖାନାରେ ଡାକ୍ତରମାନଙ୍କ ଦେଖା ମିଳୁନଥିଲା, ଆଖପାଖରେ ଯେତିକି ଘରୋଇ କ୍ଲିନିକ୍ ଥିଲା ସେସବୁ କରୋନା ପାଇଁ ବନ୍ଦ ଥିଲା। ଜେଜେବାପାଙ୍କ ଗୋଡ଼କୁ ଘର ଲୋକମାନେ ଯେନତେନ ପ୍ରକାରରେ ପ୍ଲାଷ୍ଟର କରି ଦେଲେ ଏବଂ ଘରେ ହିଁ ତାଙ୍କର ଯତ୍ନ ନିଆଗଲା। କିନ୍ତୁ ବେଳେ ବେଳେ ତାଙ୍କୁ ଜ୍ୱର ହେଉଥିଲା, ତ’ ପୁଣି କେବେ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ହେଉଥିଲା। କଷ୍ଟରେ ସେ ଚିତ୍କାର କରି ଉଠୁଥିଲେ। ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା, ମଇ ମାସ ଅନ୍ତିମ ସପ୍ତାହରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ଏହି ଘଟଣା ଘଟିବା ସମୟରେ ମୁଁ ମୁମ୍ବାଇରେ ଥିଲି। ଅଚାନକ ସବୁକିଛି ବନ୍ଦ ହୋଇଯିବା କାରଣରୁ ଲୋକମାନଙ୍କ ଜୀବନରେ ଯେମିତି ଝଡ଼ ମାଡ଼ି ଆସିଥିଲା। ଗୋଟିଏ ପଟେ ମହାମାରୀର ଭୟ ଘେରି ରହିଥିଲା, ଅନ୍ୟପଟେ ରାସ୍ତାରେ ପୁଲିସ ଲାଠି ମାଡ଼ କରୁଥିଲା। କାମଦାମ ସବୁ ବନ୍ଦ ହୋଇଯାଇଥିଲା, ପ୍ରବାସୀ ଶ୍ରମିକମାନେ ଗାଁ ମୁହାଁ ହୋଇଥିଲେ। ମୁଁ ମୁମ୍ବାଇରେ ଥିଲି, କାରଣ ମୁଁ ପରିବା ବିକ୍ରି କରୁଥିଲି ଏବଂ ଏ ବେଉସା କରିବା ଲାଗି ଅନୁମତି ମିଳିଥିଲା, କିନ୍ତୁ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଥିବା ମୋ ଗାଁରେ ଯେତେବେଳେ ଜେଜେବାପା ଆରପାରିକୁ ଚାଲିଯାଇଥିବା ଖବର ମିଳିଲା, ତୁରନ୍ତ ଘରକୁ ଯିବା ଲାଗି ମୋର ଇଚ୍ଛା ହେଲା। ତାଙ୍କ ସହିତ ମୋର ଭାବଗତ ସମ୍ପର୍କ ଥିଲା। ଏହା ବ୍ୟତୀତ ଗାଁରେ ମା’ଙ୍କ ଛଡ଼ା ଅନ୍ୟ କେହି ଦାୟିତ୍ୱବାନ ଲୋକ ନଥିଲେ ।
ତାହା ଏମିତି ଏକ ସମୟ ଥିଲା, ଯେତେବେଳେ ଏକ ଦୁଃଖଦ ଖବର ମନକୁ ଆନ୍ଦୋଳିତ କରିଥିଲା। କିଛି ଶ୍ରମିକ ପାଦରେ ଚାଲି ଚାଲି ଘରକୁ ଫେରୁଥିଲେ ଏବଂ ରାତିରେ ଥକି ଯାଇ ରେଳ ଧାରଣାରେ ଶୋଇଯାଇଥିଲେ। ଏହି ସମୟରେ ଟ୍ରେନ ଆସି ସେମାନଙ୍କୁ ଖଣ୍ଡବିଖଣ୍ଡିତ କରି ଚାଲି ଯାଇଥିଲା। ସେମାନଙ୍କ ମଧ୍ୟରେ ଏମିତି ମା’ ଥିଲେ ଯିଏ ନିଜେ ଭୋକଶୋଷରେ ଥାଇ ମଧ୍ୟ ଛୁଆକୁ କ୍ଷୀର ଖୁଆଇବାକୁ ଛାତିରେ ଜାବୁଡ଼ି ଧରିଥିଲେ। ଜେଜେବାପାଙ୍କ ଦେହାନ୍ତ ଖବର ପାଇ ମୁଁ ଜିନିଷପତ୍ର ସଜାଡ଼ିଲି ଏବଂ ଟ୍ରେନ୍ ଧରିବା ପାଇଁ ମୁମ୍ବାଇର ଅନ୍ଧେରୀ (ୱେଷ୍ଟ) ନିକଟସ୍ଥ ଥାନାକୁ ଗଲି। କିନ୍ତୁ ସେଠାରେ ଜାଣିବାକୁ ପାଇଲି ଯେ ଆହ୍ଲାବାଦ ଯାଉଥିବା ଟ୍ରେନ୍ ଚାଲୁନାହିଁ। ଇତିମଧ୍ୟରେ ବାରାଣାସୀରେ ଟ୍ରେନ ଭିତରୁ ଦୁଇଟି ଶବ ମିଳିଥିବା ଖବର ଆସିଲା। ଗୋଟିଏ ଟ୍ରେନ୍ ଉତ୍ତର ପ୍ରଦେଶ ଯିବାର ଥିଲା, ତାହା ଓଡ଼ିଶା ଚାଲିଗଲା। ମୋତେ ମୋ ଗାଁରେ ପହଞ୍ଚିବାକୁ ହେଲେ ଆହ୍ଲାବାଦ (ପ୍ରୟାଗରାଜ) ଠାରୁ ଆହୁରି ୭୦ କିଲୋମିଟର ଆଗକୁ ଯିବାର ଥିଲା। ଏସବୁ ଖବର ଶୁଣି ମୋର ମନୋବଳ ଭାଙ୍ଗିଗଲା। ଟ୍ୟାକ୍ସି ବୁକିଂ କରି ଯିବାକୁ ଚାହିଁଲେ, ସୁବିଧା ମିଳୁଥିଲା। ମାତ୍ର ଏଥିପାଇଁ ୪୦,୦୦୦-୫୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା। ମୋ ପାଇଁ ଏପରି କରିବା ସମ୍ଭବ ନଥିଲା। ସେଥିପାଇଁ ମୁଁ ଗାଁକୁ ଯିବାର ଇଚ୍ଛା ତ୍ୟାଗ କଲି । ଏହାଛଡ଼ା ମୋ ପାଖରେ କୌଣସି ବିକଳ୍ପ ନଥିଲା।























