ଦ୍ରୌପଦୀ ଶବର ଲୁଗା କାନିରେ ତାଙ୍କର ଆଖି ପୋଛୁଛନ୍ତି, ସେ ନିଜ ଲୁହ ରୋକିପାରୁନାହାନ୍ତି । ତାଙ୍କର ନାତିମାନେ, ତିନି ବର୍ଷର ଗିରୀଶ ଏବଂ ନଅ ମାସର ବିରାଜ ଓଡ଼ିଶାର ଗୁଡ଼ଭେଲି ଗାଁରେ ଥିବା ତାଙ୍କ ଘର ବାହାରେ ତାଙ୍କ ପାଖରେ ଚୁପ୍ଚାପ୍ ଖେଳୁଛନ୍ତି । ନିଜ ନାତୁଣୀ ତୁଲ୍ସାର ମୃତ୍ୟୁରେ ଶୋକଗ୍ରସ୍ତ ୬୫ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ପରିବାର ସଦସ୍ୟମାନେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି ।
‘‘ଆମେ ଏବେ କାହାକୁ ‘ଆମ ଝିଅ’ ବୋଲି କହିବୁ ? ’’ ସେ କାହାରିକୁ ନିର୍ଦ୍ଦିଷ୍ଟ ଭାବେ ପଚାରୁ ନ ଥିଲେ ।
ନୂଆପଡ଼ା ଜିଲ୍ଲା ଖରିଆର ବ୍ଲକ୍ରେ ନିଜ ଅର୍ଦ୍ଧନିର୍ମିତ ଇଟା ଘର ସାମ୍ନାରେ ପ୍ଲାଷ୍ଟିକ୍ର ଏକ ମସିଣା ଉପରେ ବସି ଶବର ଆଦିବାସୀ ସମ୍ପ୍ରଦାୟର ତୁଲ୍ସାଙ୍କ ପରିବାର ସେମାନଙ୍କର ହୋଇଥିବା ଅଚାନକ କ୍ଷତିରୁ ବାହାରିବାକୁ ଉଦ୍ୟମ କରୁଛନ୍ତି । ତାଙ୍କର ବାପା ମା – ମା’ ପଦ୍ମିନୀ ଏବଂ ବାପା ଦେବାନନ୍ଦ – ନିଜ ଝିଅର ଛୋଟ ପିଲା, ଖାସ୍ କରି ବିରାଜ ବାବଦରେ ଚିନ୍ତିତ ଅଛନ୍ତି, ମୃତ୍ୟୁ ବେଳକୁ ବି ତୁଲସା ଯାହାର ଯତ୍ନ ନେଉଥିଲେ । ଦ୍ରୌପଦୀ କହିଲେ, ‘‘ମୋ ବୋହୂ ପଦ୍ମିନୀ ଏବଂ ମୁଁ ପାଳିକରି ଏହି ପିଲାମାନଙ୍କର ଦେଖାଶୁଣା କରୁଛୁ । ’’
ପିଲାମାନଙ୍କର ବାପା, ତୁଲସାଙ୍କର ସ୍ୱାମୀ ଭୋସିନ୍ଧୁ, ସେଠାରେ ନାହାନ୍ତି । ସେ ପାଞ୍ଚ ଶହ କିଲୋମିଟର ଦକ୍ଷିଣରେ ତେଲେଙ୍ଗାନାର ପେଦାପଲ୍ଲି ଜିଲ୍ଲାର ରଙ୍ଗାପୁର ଗାଁରେ ଥିବା ଗୋଟିଏ ଇଟାଭାଟିରେ କାମ କରୁଛନ୍ତି । ସେ ଡିସେମ୍ବର ୨୦୨୧ରେ ତାଙ୍କ ମା’, ଏବଂ ତୁଲସାଙ୍କର ସାନ ଭଉଣୀ ଦୀପାଞ୍ଜଳିଙ୍କ ସହ ଗୋଟିଏ ଇଟାଭାଟିରେ ଛଅ ମାସ ପାଇଁ କାମ କରିବାକୁ ଯାଇଥିଲେ । ସେମାନେ ଦିନକୁ ପ୍ରାୟ ୨୦୦ ଟଙ୍କା ରୋଜଗାର କରୁଥିଲେ।
୨୦୨୨ ମସିହାର ଜାନୁଆରୀ ୨୪ତାରିଖ ରାତିରେ ୨୫ ବର୍ଷୀୟା ତୁଲସା ଶବର ତାଙ୍କ ବାପ ଘର ଗୁଡଭେଲିଠାରୁ ୨୦ କିଲୋମିଟର ଦୂରରେ ଚନୁଟମାଲଗାଁରେ ଥିବା ଘରେ ଥିଲେ । ରାତି ପ୍ରାୟ ୮ଟା ବେଳେ ତାଙ୍କର ଜୋରରେ ପେଟ ଯନ୍ତ୍ରଣା ହେଉଥିବା ସେ କହିଲେ । ତାଙ୍କ ଶ୍ୱଶୁର ୫୭ ବର୍ଷୀୟ ଦଶମୁଶବର କହନ୍ତି, ‘‘ମୁଁ ତାଙ୍କୁ ଖରିଆର[ସହର]ରେ ଥିବା ଉପଖଣ୍ଡ ଚିକିତ୍ସାଳୟକୁ ନେଇଗଲି । ସେଠାରେ ଡାକ୍ତର କହିଲେ ଯେ ସ୍ଥିତି ଗୁରୁତର ଅଛି ଏବଂ ଆମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାକୁ କହିଲେ । କିନ୍ତୁ ଆମେ ସେଠାରେ ପହଞ୍ଚିବାବେଳକୁ ତୁଲସା ପ୍ରାଣ ହରାଇ ସାରିଥିଲେ।"








