“ମଦଦୋକାନଗୁଡ଼ିକ ଚା' କଡ୍ଡା[ଦୋକାନ] ପରି ଖେଳାଇ ହୋଇ ରହିଛି। ଆଗରୁ ସେଗୁଡ଼ିକ ଦୂରରେ ଥିଲା ତେଣୁ ସେଠାକୁ ଚାଲିକରି ଯିବା ଲୋକଙ୍କ ପକ୍ଷେ ସହଜ ନଥିଲା। ଏବେ ଏଠାରୁ ତିନି କିଲୋମିଟର ଦୂରରେ ଗୋଟେ ଦୋକାନ ଅଛି, ଯଦି ଆପଣ ସେଠାକୁ ଚାଲିକରି ଯାଇପାରିବେ ନାହିଁ, ତେବେ ଅଟୋ ଡ୍ରାଇଭର୍ ଏହା ଆପଣଙ୍କ ଘରେ ପହଞ୍ଚାଇ ଦେବ। ’’
ତେଣୁ ଆଜି ଏପ୍ରିଲ୍ ୧୮ ତାରିଖରେ ଯେତେବେଳେ ୩୨ ବର୍ଷ ବୟସ୍କା କଟ୍ଟୁନାୟକନ୍ ଆଦିବାସୀ ଏମ୍.ଭି. ଶାନ୍ତିନି ନିଜ ଘରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ସରକାରୀ ସ୍କୁଲ୍କୁ ନିକାଞ୍ଚନ ମାଟି ରାସ୍ତାରେ ଚାଲି ଚାଲି ଯାଇ ଲୋକସଭା ନିର୍ବାଚନ ପାଇଁ ନିଜର ଭୋଟ ଦେବେ, ସେତେବେଳେ ଏହି ଅନୁରୋଧ ସହିତ: ‘‘ଆଗାମୀ ସରକାର ଯାହାର ବି ହେଉ ତାଙ୍କ ପ୍ରତି, ଦୟାକରି ଆମ ଘରକୁ ଶାନ୍ତି ଫେରାଇ ଆଣ ଯାହା ବୋତଲ ଦ୍ୱାରା ଭାଙ୍ଗି ଯାଇଛି।’’
ଶାନ୍ତିନି, ଯେ ୧୫-୧୭ ଘର ବିଶିଷ୍ଟ ଏକ ପଡ଼ା ମାଛିକୋଲିରେ ରୁହନ୍ତି କୁହନ୍ତି ଯେ ନିର୍ବାଚନରେ କିଏ ପ୍ରାର୍ଥୀ ସେକଥା ସେଜାଣନ୍ତି ନାହିଁ। ତାଙ୍କର ପଡ଼ା ଗୁଦାଲୁର ବ୍ଲକ୍ର ଦେବରଶୋଲା ସହର ପଞ୍ଚାୟତରେ ଅଛି ଯାହାକି ତାମିଲନାଡୁର ନୀଳଗିରି ଲୋକସଭା ନିର୍ବାଚନ ମଣ୍ଡଳୀରେ ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଅଛି। ୨୦୧୪ରେ ଏହି ଆସନ ପାଇଁ ନିର୍ବାଚକ (ପଞ୍ଜିକୃତ ଭୋଟର)ଙ୍କ ସମୁଦାୟ ସଂଖ୍ୟା ଥିଲା ୧୨.୭୦ ଲକ୍ଷ।
କିନ୍ତୁ ଶାନ୍ତିନି ସ୍ପଷ୍ଟଭାବରେ ଜାଣନ୍ତି ତାଙ୍କ ଜୀବନକୁ ଉନ୍ନତ କରିବା ପାଇଁ ବିଜେତା କ’ଣ କରିପାରିବେ। ରାଜ୍ୟର ନିମ୍ନ ଆୟ ପରିବାରରୁ ଆସିଥିବା ଅନ୍ୟ ମହିଳାଙ୍କ ପରି ଶାନ୍ତିନି ଛତୁ ଫୁଟିଲା ପରି ସରକାରୀ ମଦଦୋକାନଗୁଡ଼ିକ ଦ୍ୱାରା ବିବ୍ରତ। ଏହି ଦୋକାନଗୁଡ଼ିକୁ ତାମିଲନାଡ଼ୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ଅନୁଯାୟୀ ସ୍ଥାନୀୟ ଭାବରେ କୁହାଯାଏ ଟାସମାକ୍ସ(ଟିଏଏସ୍ଏମ୍ଏସି)। ୨୦୦୨ ମସିହାଠାରୁ ମଦର ହୋଲ୍ସେଲ୍ ଏବଂ ଖୁଦୁରା ମଦ ବିକ୍ରୟ ଉପରେ ଏହାର ଏକଚାଟିଆ ଅଧିକାର ରହିଛି।
ଦୁଃଖିତ ଶାନ୍ତିନି କୁହନ୍ତି, ‘‘ ଆମ ସ୍ୱାମୀମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଶ୍ରମିକ। ସେମାନେ ନିଜ ମଜୁରି ପିଇବାରେ ସାରି ଦିଅନ୍ତି। ସେମାନେ ଦିନକୁ ଯେଉଁ ୨୫୦ ଟଙ୍କା ରୋଜଗାର କରନ୍ତି ତାହା ମଦ କିଣିବା ଏବଂ ପରିବାର ପାଇଁ ଖାଦ୍ୟ ଯୋଗାଇବାକୁ ଯଥେଷ୍ଟ ହୁଏନି। ଏହି ଅବସ୍ଥାରେ ହିଁ ଘରେ ପରିସ୍ଥିତି ହିଂସ୍ର ହୋଇଯାଏ।’’ ଶାନ୍ତିନି ନିଜ ତିନି ପିଲାଙ୍କ ଦେଖାଶୁଣାରେ ସମୟ କାଟନ୍ତି । ତାଙ୍କର ଜ୍ୟେଷ୍ଠ ସନ୍ତାନର ବୟସ ୧୦ ବର୍ଷ।






