ମେ ୪ରେ ଯେତେବେଳେ ହରିନ୍ଦର ସିଂ ତାଙ୍କ ସହକର୍ମୀଙ୍କୁ ଶେଷ ଦୁଇ ମୃତଦେହ ପ୍ରସ୍ତୁତ କରିବାକୁ କହିଲେ, ସେତେବେଳେ ତାଙ୍କ ସହକର୍ମୀଙ୍କୁ ସେ ବିସ୍ମିତ କରିବାକୁ ଆଶା କରିଥିଲେ । ତାଙ୍କ ଦ୍ୱାରା ଚୟନିତ ଶବ୍ଦଗୁଡିକ ଅତ୍ୟନ୍ତ ଅସ୍ୱାଭାବିକ ଥିଲା ।

ହରିନ୍ଦର କହିଲେ “ ଦୋ ଲୌଣ୍ଡେ ଲେଟେ ହୁଏ ହେଁ [ ଦୁଇଜଣ ପୁଅ ସେଠାରେ ଶୋଇଛନ୍ତି]” । ତାଙ୍କ ସହକର୍ମୀମାନେ ଯେତେବେଳେ ସେ ଅତ୍ୟନ୍ତ ବ୍ୟାକୁଳ ହେଉଥିବା ଦେଖିଲେ, ସେତେବେଳେ ତାହା ବିସ୍ମୟ ଆମୋଦଦାୟକ ହସରେ ପରିଣତ ହୋଇଗଲା । ଏହା ଥିଲା ନିଗମ ବୋଧ ଘାଟ – ଦିଲ୍ଲୀର ସର୍ବାଧିକ ବ୍ୟସ୍ତ ଶ୍ମଶାନ –ରେ କଠିନଶ୍ରମଯୁକ୍ତ ସେମାନଙ୍କ କାମ ମଧ୍ୟରେ ପ୍ରାପ୍ତ ହୋଇଥିବା ଆରାମର କିଛି ଦୁର୍ଲଭ ମୁହୂର୍ତ୍ତ ।

ହେଲେ, ହରିନ୍ଦର ମୋତେ ଏ ବିଷୟରେ ବିସ୍ତାରରେ ବୁଝାଇବାର ଆବଶ୍ୟକତା ରହିଥିବା ଅନୁଭବ କଲେ । ସେ ତାଙ୍କର ସହକର୍ମୀମାନଙ୍କ ସହିତ ଦାହଗୃହର ଚୁଲା ନିକଟରେ ଥିବା ଏକ ପ୍ରକୋଷ୍ଠରେ ତାଙ୍କର ରାତ୍ରିଭୋଜନ ଖାଉଥିଲେ । ସେ ଟିକିଏ ନିଃଶ୍ୱାସ ମାରିଲେ – ସେ ଭାଗ୍ୟବାନ ଥିଲେ ଯେହେତୁ ଏହି କୋଭିଡ୍‌ ମହାମାରୀରେ ତାଙ୍କର ଶ୍ୱାସକ୍ରିୟା ଚାଲୁଥିଲା – ଆଉ କହିଲେ, “ଆପଣ ସେମାନଙ୍କୁ ଶବ କୁହନ୍ତି । ଆମେ ସେମାନଙ୍କୁ ଲୌଣ୍ଡେ [ ପିଲା] କହୁ ।

“ ଏଠାକୁ ଯେଉଁମାନଙ୍କୁ ଅଣାଯାଏ, ସେମାନେ ସମସ୍ତେ କାହାର ନା କାହାର ପୁଅ କିମ୍ବା ଝିଅ ହୋଇଥିବେ, ଯେପରି ମୋର,” ବୋଲି ପପ୍ପୁ କୁହନ୍ତି । “ସେମାନଙ୍କୁ ଚୁଲା ଭିତରକୁ ପଠାଇବା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ହେଲେ, ସେମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଆମକୁ ଏହା କରିବାକୁ ପଡେ, ଆମେ କରୁନୁ କି”? ଗତ ଏକମାସ ହେବ ନିଗମ ବୋଧରେ ପ୍ରତିଦିନ ପ୍ରାୟ ୨୦୦ରୁ ଅଧିକ ଶବଦାହ କରାଯାଉଛି – ସି.ଏନ୍‌.ଜି ଶବଦାହ ଚୁଲା ଓ ଖୋଲା ଚିତାରେ ।

ସେଦିନ, ମେ ୪ରେ, ନିଗମ ବୋଧ ଘାଟର ସି.ଏନ୍‌.ଜି ଶବଦାହ ଚୁଲାରେ ୩୫ଟି ଶବଦାହ କରାଯାଇଥିଲା । ଏହି ସଂଖ୍ୟା ଏପ୍ରିଲ୍‌ ପ୍ରଥମ ସପ୍ତାହ, ଯେତେବେଳେ କୋଭିଡ୍‌ର ଦ୍ୱିତୀୟ ଲହର ଦିଲ୍ଲୀକୁ କବଳିତ କରିବାରେ ଲାଗିଥିଲା, ସେତେବେଳେ  ଜାରି ରହିଥିବା ଦୈନିକ ହାରାହାରି ସଂଖ୍ୟା ୪୫ – ୫୦ରୁ ଟିକିଏ କମ୍‌ ଥିଲା । ହେଲେ, ମହାମାରୀ ପୂର୍ବରୁ, ଶବଦାହ ଗୃହର ସି.ଏନ୍‌.ଜି ଚୁଲାରେ ମାସକୁ କେବଳ ୧୦୦ ଶବଦାହ  କରାଯାଉଥିଲା ।

ଘାଟର ପ୍ରବେଶଦ୍ୱାରରେ, ଦିଲ୍ଲୀର କାଶ୍ମୀର ଦ୍ୱାର ନିକଟସ୍ଥ ଯମୁନା ନଦୀ କୂଳରେ ଏକ ବଡ ପ୍ରାଚୀର ଚିତ୍ର ରହିଛି । ଏହା କହୁଛି “ମତେ ଏଠାକୁ ଆଣିଥିବାରୁ ଧନ୍ୟବାଦ । ଏଠାରୁ ଆଗକୁ ମୁଁ ଏକଲା ଯିବି । “ହେଲେ, ଏପ୍ରିଲ – ମେ’ରେ ଯେତେବେଳେ ଦେଶର ରାଜଧାନୀରେ କୋଭିଡ୍‌ – ୧୯ ଭୟଙ୍କର ରୂପନେଲା, ସେତେବେଳେ ମୃତକମାନେ ଆଉ ଏକଲା ନଥିଲେ – ସେମାନଙ୍କର ପରଲୋକ ଗମନ ବେଳେ ସେମାନେ ବୋଧହୁଏ ଜଣେ ଜଣେ ସାଥି ପାଇ ପାରିଥିବେ ।

Left: New spots created for pyres at Nigam Bodh Ghat on the banks of the Yamuna in Delhi. Right: Smoke rising from chimneys of the CNG furnaces
PHOTO • Amir Malik
Left: New spots created for pyres at Nigam Bodh Ghat on the banks of the Yamuna in Delhi. Right: Smoke rising from chimneys of the CNG furnaces
PHOTO • Amir Malik

ବାମ : ଦିଲ୍ଲୀରେ ଯମୁନା କୂଳରେ ଥିବା ନିଗମ ବୋଧ ଘାଟରେ ଚିତା ପାଇଁ ନୂତନ ସ୍ଥାନ ସୃଷ୍ଟି କରାଯାଇଛି . ଡାହାଣ : ସି . ଏନ୍‌ . ଜି ଶବଦାହ ଚୁଲାରୁ ଧୂଆଁ ବାହାରୁଛି

ଭିତରେ ଜଳୁଥିବା ଶବଗୁଡିକରୁ ବାହାରୁଥିବା ଅପ୍ରୀତିକର ଗନ୍ଧ ପ୍ରଦୂଷିତ ଯମୁନା ନଦୀରୁ ଜାତ ଦୁର୍ଗନ୍ଧ ସହିତ ମିଶି ବାତାବରଣରେ ଚାରିଆଡେ ଖେଳେଇଯାଇ ମୋର ଦ୍ୱିସ୍ତରଯୁକ୍ତ ମାସ୍କ ମଧ୍ୟ ଦେଇ ନାକରେ ପ୍ରବେଶ କରୁଥିଲା । କିଛି ଦୂରରେ, ନଦୀ ପାଖରେ ପାଖାପାଖି ୨୫ଟି ଚିତା ଜଳୁଥିଲା । ନଦୀ କୂଳକୁ ଯାଇଥିବା ସଂକୀର୍ଣ୍ଣ ରାସ୍ତାର ଉଭୟ ପାର୍ଶ୍ୱରେ ଆହୁରି ଅନେକ ଥିଲା – ଡାହାଣରେ ପାଞ୍ଚଟି ଓ ବାମରେ ତିନିଟି ଚିତା। ଆହୁରି ଅନେକ ମୃତଦେହ ସେମାନଙ୍କର ପାଳି ପାଇଁ ଅପେକ୍ଷା କରି ରହିଥିଲେ ।

ପରିସର ମଧ୍ୟରେ ଥିବା ଏକ ଖାଲି ପଡିଆକୁ ସମତଳ କରି ତିଆରି କରାଯାଇଥିବା ଏକ ଅସ୍ଥାୟୀ ଦାହସ୍ଥଳରେ ଦାହକାମ ପାଇଁ୨୧ ନୂଆ ସ୍ଥାନ ରହିଛି – ହେଲେ, ତାହା ପର୍ଯ୍ୟାପ୍ତ ନୁହେଁ । ମଧ୍ୟଭାଗରେ ଗୋଟିଏ ଗଛ ଠିଆ ହୋଇଥିଲା – ଏହାର ପତ୍ରଗୁଡିକ ଜଳନ୍ତା ଶବଗୁଡିକରୁ ଉଠୁଥିବା ଶିଖାରେ ପୋଡି ଅଙ୍ଗାର ହୋଇଯାଇଥିଲା – ଯେପରିକି ତାହା ଏକ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିକୁ ରେକର୍ଡ କରୁଥିଲା ଯାହା ମଧ୍ୟକୁ ଦେଶ ଠେଲି ହୋଇଯାଇଛି ।

ଶବଦାହକମାନେ ସେ ବିଷୟରେ ମଧ୍ୟ କିଛି କିଛି ଜାଣିଥିଲେ । ସି.ଏନ୍‌.ଜି ଶବଦାହ ଚୁଲା ଥିବା ହଲ୍‌ ଭିତରେ, ଯେଉଁଠାରେ ସେମାନେ କାମ କରୁଥିଲେ, ସେଠାରେ ଲୋକମାନେ ସେମାନଙ୍କ ପାଦରେ ଏଣେତେଣେ ଚାଲୁଥିଲେ, କାନ୍ଦୁଥିଲେ, ମୃତବ୍ୟକ୍ତିର ଆତ୍ମାର ସଦ୍‌ଗତି ନିମନ୍ତେ ଶୋକ ଓ ପ୍ରାର୍ଥନା କରୁଥିଲେ । କୋଠାରେ ଥିବା ପ୍ରତୀକ୍ଷାସ୍ଥଳ, ଯାହା ଟ୍ୟୁବ୍‌ଲାଇଟ୍‌ର ଅସ୍ଥିର ଆଲୋକରେ ଆଲୋକିତ ହେଉଥିଲା, ତାହା କ୍ୱଚିତ୍‌ ବ୍ୟବହୃତ ହେଉଥିଲା ।

ସେଠାରେ ଥିବା ଛଅଟି ଚୁଲା ମଧ୍ୟରୁ ‘ଅର୍ଦ୍ଧ ସଂଖ୍ୟକ କୁଣ୍ଡ ଗତବର୍ଷ (୨୦୨୦) ରେ ହିଁ ସ୍ଥାପନା କରାଯାଇଥିଲା, କରୋନା – ସଂକ୍ରମିତ ଶବଗୁଡିକ ଗଦା ହେବାକୁ ଆରମ୍ଭ ହେବା ପରେ, ବୋଲି ପପ୍ପୁ କହିଲେ । କୋଭିଡ୍‌ – ୧୯ ମହାମାରୀ ଆରମ୍ଭ ହେବା ପରଠାରୁ, ସି.ଏନ୍‌.ଜି ଚୁଲାଗୁଡିକରେ କେବଳ ସଂକ୍ରମଣଜନିତ ମୃତ ବ୍ୟକ୍ତିଙ୍କ ଦାହକାର୍ଯ୍ୟ କରାଯାଉଛି ।

ଯେତେବେଳେ କୌଣସି ଶବକୁ ଦାହ କରିବାର ପାଳି ଆସେ, ସେତେବେଳେ ଏହା ସହିତ ଆସିଥିବା ଲୋକ ବା ଡାକ୍ତରଖାନା କର୍ମଚାରୀ ବା ଶବଦାହକମାନେ ଏହାକୁ ଚୁଲା ପାଖକୁ ଆଣୁଥିଲେ। କିଛି ଦେହ – ଯାହା ଅନ୍ୟ ତୁଳନାରେ ଭାଗ୍ୟଶାଳୀ – ଧଳା କପଡାରେ ଗୁଡ଼ାଯାଇଥିଲା । ଅନ୍ୟଗୁଡିକ ଧଳା ପ୍ଲାଷ୍ଟିକ୍‌ ଅଖାରେ ଗୁଡାଯାଇଥିଲା, ଯାହା ସିଧାସଳଖ ଆମ୍ବୁଲାନ୍ସରୁ ଅଣାଯାଇଥିଲା। କେତେକ ଷ୍ଟ୍ରେଚର୍‌ରେ, ଆଉ କେତେକକୁ ବୋହି କୋଠାକୁ ଅଣାଯାଇଥିଲା ।

ଶବଦାହକମାନେ ତା’ପରେ ସେହି ଶରୀରକୁ ଚକ ଲାଗିଥିବା ଏକ ମଞ୍ଚ ଉପରକୁ ଉଠାଇନେଲେ, ଯାହା ଚୁଲାକୁ ଯାଇଥିବା ଏକ ରେଲ୍‌ ଉପରେ ରହିଥିଲା । ପରବର୍ତ୍ତୀ ଭାଗ ପାଇଁ କ୍ଷୀପ୍ର ଗତିରେ କାମ କରିବା ଆବଶ୍ୟକ ହୋଇଥାଏ – ଚୁଲା ଭିତରକୁ ଶରୀରକୁ ଠେଲାଯିବା ସଙ୍ଗେସଙ୍ଗେ ଶବଦାହକମାନଙ୍କୁ ଦ୍ରୁତଗତିରେ ପ୍ଲାଟ୍‌ଫର୍ମକୁ ଟାଣି ବାହାର କରିବାକୁ ହୁଏ ଓ ତା’ପରେ ଚୁଲାର ଦ୍ୱାର ବନ୍ଦ କରି ଦିଆଯାଇ ବୋଲ୍ଟ ଲଗାଯାଏ । ଶୋକସନ୍ତପ୍ତ ପରିବାର ସେମାନଙ୍କ ପ୍ରିୟଜନ ଚୁଲାରେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଉଥିବା ଦେଖୁଥିବା ବେଳେ ଏକ ବଡ ଚିମିନିରୁ ଧୂଆଁର କଳା ମେଘ ଉପରକୁ  ଉଠୁଥାଏ ।

Left: A body being prepared for the funeral pyre. Right: Water from the Ganga being sprinkled on the body of a person who died from Covid-19
PHOTO • Amir Malik
Left: A body being prepared for the funeral pyre. Right: Water from the Ganga being sprinkled on the body of a person who died from Covid-19
PHOTO • Amir Malik

ବାମ : ଅନ୍ତିମ ସଂସ୍କାର ପାଇଁ ଗୋଟିଏ ଶରୀରକୁ ପ୍ରସ୍ତୁତ କରାଯାଉଛି ଡାହାଣ : କୋଭିଡ୍‌ - ୧୯ କାରଣରୁ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀର ଉପରେ ଗଙ୍ଗାଜଳ ଛିଞ୍ଚା ଯାଉଛି

“ଚୁଲା ଉତ୍ତପ୍ତ ହେବାକୁ ଅଧିକ ସମୟ ଲାଗୁଥିବାରୁ ଦିନର ପ୍ରଥମ ଶରୀର ପୂର୍ଣ୍ଣଭାବେ ପୋଡିବା ପାଇଁ ଦୁଇଘଣ୍ଟା ସମୟ ଲାଗିଥାଏ,” ବୋଲି ପପ୍ପୁ ମୋତେ କହିଲେ । ତା’ପରେ ପୋଡ଼ାଯାଉଥିବା ଶରୀରଗୁଡିକ ପୋଡ଼ିବା ପାଇଁ ପ୍ରତ୍ୟେକ ଦେଢ଼ ଘଣ୍ଟା ସମୟ ଲାଗେ। ପ୍ରତ୍ୟେକ ଚୁଲାରେ ଗୋଟିଏ ଦିନରେ ୭ -୯ଟି ଶବଦାହ କରାଯାଇପାରିବ ।

ନିଗମ ବୋଧ ଘାଟରେ ଥିବା ଚୁଲାଗୁଡିକ ଚାରିଜଣ ଶବଦାହକଙ୍କ ଦ୍ୱାରା ପରିଚାଳିତ ହୋଇଥାଏ – ସମସ୍ତେ କୋରି ସମ୍ପ୍ରଦାୟର – ଉତ୍ତର ପ୍ରଦେଶର ଏକ ଅନୁସୂଚିତ ଜାତି । ସବୁଠାରୁ ବରିଷ୍ଠ, ହରିନ୍ଦର, ୫୫, ଉତ୍ତରପ୍ରଦେଶର ବଲ୍ଲିଆ ଜିଲ୍ଲାରୁ ଆସିଛନ୍ତି । ସେ ସେଠାରେ ୨୦୦୪ରୁ କାମ କରୁଛନ୍ତି । ପପ୍ପୁ, ୩୯, ଯିଏ ୨୦୧୧ ରେ ଯୋଗ ଦେଇଥିଲେ,  ୟୁପିର କାଂଶିରାମ ନଗର ଜିଲ୍ଲାର ସୋରୋଣ ବ୍ଲକରୁ ଆସିଛନ୍ତି । ଅନ୍ୟ ଦୁଇଜଣ, ନୂଆକରି ଚାକିରି ଆରମ୍ଭ କରିଛନ୍ତି,  ରାଜୁ ମୋହନ, ୩୭ ଓ ରାକେଶ, ୨୮ , ଉଭୟ ଶୋରଣରୁ ଆସିଛନ୍ତି ।

ସେମାନେ ସମସ୍ତେ କାର୍ଯ୍ୟଭାରର ସୁପରିଚାଳନା ପାଇଁ ଏପ୍ରିଲ୍‌ – ମେ-ରେ ପ୍ରତିଦିନ ୧୫-୧୭ ଘଣ୍ଟା– ପୂର୍ବାହ୍ନ ୯ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ –ସେମାନଙ୍କ ଜୀବନକୁ ବିପନ୍ନ କରି କାମ କରୁଛନ୍ତି । ଯଦିଓ ସେମାନେ ଭୂତାଣୁକୁ ନିଜଠାରୁ ଦୂରେଇ ରଖିବାରେ ସକ୍ଷମ ହୋଇପାରିଛନ୍ତି, ତଥାପି ଚୁଲାରୁ ଉତ୍ପନ୍ନ ହେଉଥିବା ୮୪୦°C ଉତ୍ତାପରେ ସେମାନେ ଦ୍ରବୀଭୂତ ହୋଇଯିବା ସମ୍ଭାବନା ରହିଛି। “ରାତିରେ ଏହାର ସ୍ୱିଚ୍‌ ବନ୍ଦ କରିବାପରେ, ଯଦି ଆମେ ଏହା ଭିତରେ କୌଣସି ଶରୀରକୁ ରଖି ଛାଡିଦେବା, ତାହାହେଲେ ପରଦିନ ଆମେ କେବଳ ପାଉଁଶ ପାଇବା,” ବୋଲି ହରିନ୍ଦର କୁହନ୍ତି ।

ଆଉ ସେମାନେ କୌଣସି ବିରତି ନନେଇ କାମ କରୁଛନ୍ତି । “ଆମେ କେମିତି ନେଇ ପାରିବୁ [ ବିରତି], ଯେତେବେଳେକି ଆମକୁ ପାଣି ବା ଚା’ ଟିକେ ପିଇବାକୁ ମଧ୍ୟ ସମୟ ହେଉନି?” ବୋଲି ପପ୍ପୁ କୁହନ୍ତି । “ଆମେ ଯଦି କିଛି ଘଣ୍ଟା ପାଇଁ ମଧ୍ୟ ଏହି ସ୍ଥାନରୁ ଟିକେ ଦୂରେଇ ଯିବୁ, ତାହାହେଲ ଏଠାରେ ବଡ ବିଭ୍ରାଟ ହୋଇଯିବ ।’’

ତଥାପି, ସେମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ସ୍ଥାୟୀ ଶ୍ରମିକଭାବେ ନିଯୁକ୍ତି ଦିଆଯାଇନାହିଁ । ନିଗମ ବୋଧ ଘାଟ ପୌରପାଳିକାର ଶ୍ମଶାନ ହୋଇଥିବା ବେଳେ ଏହା ବେଦି ପଞ୍ଚାୟତ ବୈଶ୍ୟ ବିସି ଅଗ୍ରୱାଲ୍‌ (ସ୍ଥାନୀୟ ଅଞ୍ଚଳରେ ‘ସଂସ୍ଥା’ ନାମରେ ପରିଚିତ) ନାମକ ଏକ ଦାନଶୀଳ ସଂଗଠନ ଦ୍ୱାରା ପରିଚାଳିତ ହେଉଛି ।

ସଂଗଠନ ପକ୍ଷରୁ ହରିନ୍ଦରଙ୍କୁ ମାସକୁ ୧୬,୦୦୦ଟଙ୍କା ଦିଆଯାଏ । ଯାହାର ଅର୍ଥ ହେଉଛି ଦିନକୁ ୫୩୩ଟଙ୍କା ଓ ଶରୀର ପ୍ରତି ୬୬ ଟଙ୍କା, ଯଦି ସେ ଦିନରେ ଆଠଟି ଶରୀର ଦାହ କରନ୍ତି, ତାହାହେଲେ । ପପ୍ପୁଙ୍କ ମାସିକ ପାରିଶ୍ରମିକ ୧୨,୦୦୦ ହୋଇଥିବାବେଳେ ଉଭୟ ରାଜୁ ଓ ରାକେଶ ପ୍ରତ୍ୟେକ ୮,୦୦୦ଟଙ୍କା ଲେଖା ପାଆନ୍ତି । “ ସଂସ୍ଥା ପକ୍ଷରୁ ଆମର ବେତନ ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ହେଲେ, କେତେ ବୃଦ୍ଧି ହେବ, ସେ ବିଷୟରେ ସେମାନେ ଆମକୁ କହିନାହାନ୍ତି,’’ ବୋଲି ହରିନ୍ଦର ମୋତେ କହିଲେ ।

Left: Harinder Singh. Right: The cremation workers share a light moment while having dinner in a same room near the furnace
PHOTO • Amir Malik
Left: Harinder Singh. Right: The cremation workers share a light moment while having dinner in a same room near the furnace
PHOTO • Amir Malik

ବାମ : ହରିନ୍ଦର ସିଂ : ଡାହାଣ : ରାଜୁ ମୋହନ , ହରିନ୍ଦର , ରାକେଶ ଓ ପପ୍ପୁ ଚୁଲା ପାଖରେ ରାତ୍ରି ଭୋଜନ କରିବାବେଳେ ହସମଜା କରୁଛନ୍ତି

ସଂସ୍ଥା ତରଫରୁ ଗୋଟିଏ ଶବଦାହ ପାଇଁ  ୧୫,୦୦ଟଙ୍କା ଚାର୍ଜ କରାଯାଉଥିବା ସତ୍ତ୍ୱେ (ମହାମାରୀ ପୂର୍ବରୁ ୧ ,୦୦୦ଟଙ୍କା )  ବେତନ ବୃଦ୍ଧି କରିବା ପାଇଁ କୌଣସି ଯୋଜନା କରାଯାଉଥିବା ଭଳି ଲାଗୁନି। ଏହାର ସାଧାରଣ ସଚିବ ସୁମନ ଗୁପ୍ତା ମୋତେ କହିଲେ ଯେ : “ଯଦି ଆମେ ସେମାନଙ୍କର ବେତନ ବୃଦ୍ଧି  କରୁ, ତାହାହେଲେ ସେହି ବର୍ଦ୍ଧିତ ପରିମାଣ ଆମକୁ ବର୍ଷସାରା ଦେବାକୁ ପଡିବ । “ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି,” ବୋଲି ଏହା ସହିତ ସେ କହିଲେ ।

ସେ ନିଶ୍ଚିତ ଭାବେ ଶବଦାହକମାନେ ଯେଉଁ ଛୋଟ ବଖରାରେ ସେମାନଙ୍କର ରାତ୍ରିଭୋଜନ କରୁଥିଲେ ତାହା ଅର୍ଥରେ କହୁନଥିଲେ। ଚୁଲାଠାରୁ ମାତ୍ର ପାଞ୍ଚ ମିଟର୍‌ ଦୂରରେ ଥିବାରୁ, ଗ୍ରୀଷ୍ମଦିନେ ବଖରାଟି ଏକ ସାଉନାରେ ରୂପାନ୍ତରିତ ହୋଇଯାଇଥିଲା। ଏଣୁ ପପ୍ପୁ ବାହାରକୁ ଗଲେ ଓ ସମସ୍ତଙ୍କ ପାଇଁ ଥଣ୍ଡାପାନୀୟ ଆଣିଲେ । ଏଥିପାଇଁ ତାଙ୍କୁ ୫୦ଟଙ୍କା ଖର୍ଚ୍ଚ କରିବାକୁ ପଡିଲା – ସେହି ଦିନ ସେ ପୋଡିଥିବା ଗୋଟିଏ ଶରୀରର ମୂଲ୍ୟ ।

ପପ୍ପୁ ମୋତେ ପରେ କହିଲେ ଯେ ଗୋଟିଏ ଶବକୁ ପୋଡିବା ପାଇଁ ପ୍ରାୟ ୧୪ କେଜି ସି.ଏନ୍‌.ଜି ଖର୍ଚ୍ଚ ହୋଇଥାଏ । “ପ୍ରଥମ ଶରୀର ପାଇଁ ଆମମାନଙ୍କ ରୋଷେଇଘରେ ବ୍ୟବହାର ହେଉଥିବା ଦୁଇଟି ଘରୋଇ ସିଲିଣ୍ଡର ଆବଶ୍ୟକ ହୋଇଥାଏ । ପରବର୍ତ୍ତୀ ଶରୀର ପାଇଁ କମ୍‌ ଆବଶ୍ୟକ ହୋଇଥାଏ – ଗୋଟିଏରୁ ଦେଢଟି ସିଲିଣ୍ଡର । “ଏପ୍ରିଲରେ, ନିଗମ ବୋଧର ସି.ଏନ୍‌.ଜି ଚୁଲାରେ ୫୪୩ଟି ଶବଦାହ ହୋଇଥିଲା, ବୋଲି ଗୁପ୍ତା କହିଥିଲେ ଓ ସେହି ମାସରେ ସଂସ୍ଥାର ସି.ଏନ୍‌.ଜି ବିଲ୍‌ ୩,୨୬, ୯୬୦ ଟଙ୍କା ଥିଲା।

ଚୁଲାର କବାଟକୁ ଉପରକୁ ଉଠାଇ ଖୋଲି ଓ ଏକ ଲମ୍ବା ବାଡି ସହାୟତାରେ ମେସିନ୍‌ ଭିତର ଆଡକୁ ଗୋଟିଏ ପରେ ଗୋଟିଏ ଠେଲି, ଏପଟସେପଟ କରି ଶବଦାହକମାନେ ପୋଡ଼ିବା କାମର ଗତି ବୃଦ୍ଧି କରୁଥିଲେ । “ଆମେ ଯଦି ସେପରି କରିବୁନି, ତାହାହେଲେ ଗୋଟିଏ ଶରୀର ସମ୍ପୂର୍ଣ୍ଣଭାବେ ପୋଡିବା ପାଇଁ ଆମକୁ ଅତିକମ୍‌ରେ ୨-୩ ଘଣ୍ଟା ସମୟ ଲାଗିବ,” ବୋଲି ହରିନ୍ଦର କହିଲେ । ଆମକୁ ଶୀଘ୍ର ସାରିବାକୁ ହେବ, ଯାହାଦ୍ୱାରା ଆମେ ସି.ଏନ୍‌.ଜି ବଞ୍ଚେଇ ପାରିବୁ । ଅନ୍ୟଥା ସଂସ୍ଥାକୁ କ୍ଷତି ସହିବାକୁ ପଡ଼ିବ ।

ସଂଗଠନର ବ୍ୟୟଭାର କମ୍‌ କରିବା ପାଇଁ ସେମାନେ ପ୍ରୟାସ କରିବା ସତ୍ତ୍ୱେ ଦୁଇବର୍ଷ ହେବ ସେମାନଙ୍କର ବେତନ ବୃଦ୍ଧି ହୋଇନି। “ଆମେମାନେ କୋଭିଡ୍‌-ସଂକ୍ରମିତଙ୍କ ଶବଦାହ କରୁଛୁ, ଆମର ଜୀବନକୁ ବିପଦରେ ପକାଇ,” ବୋଲି ଅଧିକ ପାରିଶ୍ରମିକ ଦିଆଯାଉନଥିବାରୁ ଦୁଃଖି ଥିବା ପପ୍ପୁ କୁହନ୍ତି । “ଆମକୁ କୁହାଯାଇଥିଲା ଯେ, ‘ଏହି ସଂସ୍ଥାନ ’ ବଦାନ୍ୟତା ଓ ଅନୁଦାନ ମାଧ୍ୟମରେ ଚାଲେ, ଏଣୁ ଆମେ କ’ଣ କରିପାରିବୁ?” ବୋଲି ହରିନ୍ଦର କହିଲେ । ସତ କହିବାକୁ ଗଲେ, ସେମାନଙ୍କ ପାଇଁ କିଛି ମଧ୍ୟ କରାଯାଇନାହିଁ ।

Pappu (left) cuts bamboo into pieces (right) to set up a pyre inside the CNG furnace
PHOTO • Amir Malik
Pappu (left) cuts bamboo into pieces (right) to set up a pyre inside the CNG furnace
PHOTO • Amir Malik

ପପ୍ପୁ ୨୦୧୧ରୁ ନିଗମ ବୋଧ ଘାଟରେ କାମ କରି ଆସୁଛନ୍ତି । ସେ କରୁଥିବା ବିଭିନ୍ନ କାମ ମଧ୍ୟରୁ ଗୋଟିଏ ହେଉଛି ସି.ଏନ୍‌.ଜି ଶବଦାହ ଚୁଲାରେ ଚିତା ପ୍ରସ୍ତୁତ କରିବାକୁ ବାଉଁଶକୁ ଖଣ୍ଡ ଖଣ୍ଡ କରି କାଟିବା

ଏପରିକି ସେମାନଙ୍କର ଟିକାକରଣ ମଧ୍ୟ ସମ୍ପୂର୍ଣ୍ଣ ହୋଇନି । ପପ୍ପୁ ଓ ହରିନ୍ଦର ଚଳିତ ବର୍ଷ ଆରମ୍ଭରେ ସେମାନଙ୍କର ପ୍ରଥମ ଟିକା ନେଇଥିଲେ ଯେତେବେଳେ ଆଗଧାଡିର ଶ୍ରମିକମାନଙ୍କର ଟିକାକରଣ ପ୍ରକ୍ରିୟା ଚାଲିଥିଲା । “ମୁଁ ଶ୍ମଶାନ କାର୍ଯ୍ୟରେ ବ୍ୟସ୍ତ ରହୁଥିଲି, ଏଣୁ ସମୟ ନଥିବାରୁ ଆଉ ଦ୍ୱିତୀୟ ପାଇଁ ଯାଇପାରିନି ବୋଲି ପପ୍ପୁ କହିଲେ । “ଯେତେବେଳେ ମୋ ପାଖକୁ ଫୋନ୍‌ ଆସିଲା, ସେତେବେଳେ ମୁଁ ଟିକାକରଣ କେନ୍ଦ୍ରରୁ ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ମୋର ଟିକା ଅନ୍ୟ କାହାକୁ ଦେଇଦେବାକୁ କହିଲି ।’’

ସେହିଦିନ ଭୋର୍‌ ସମୟରେ, ପପ୍ପୁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) କିଟ୍‌ ସହାୟତାରେ ଘୋଡାଯାଇଥିବା ଏକ ବିନ୍‌ ଚୁଲା ପାଖରେ ଦେଖିବାକୁ ପାଇଲେ, ଯାହା ପୂର୍ବଦିନର କେହି ଜଣେ ଯାତ୍ରୀ ଛାଡି ଚାଲିଯାଇଥିଲେ। ଯଦିଓ, ଯାତ୍ରୀମାନଙ୍କୁ ବାହାରେ ରଖାଯାଇଥିବା ବଡ ବିନ୍‌ରେ ସେଗୁଡିକୁ ଫିଙ୍ଗିବାକୁ କୁହାଯାଇଛି, ତଥାପି ଅନେକ ପିପିଇକୁ ହଲ୍‌ରେ ଫିଙ୍ଗି ଦିଅନ୍ତି । ପପ୍ପୁ ଏକ ବାଡି ସହାୟତାରେ ସେଗୁଡିକୁ ଟାଣି ବାହାର କଲେ ଓ ବାହାରକୁ ଘୋଷାରି ଘୋଷାରି ନେଲେ । ସେ ନିଜେ କିନ୍ତୁ କୌଣସି ପିପିଇ ପିନ୍ଧିନଥିଲେ କିମ୍ବା ତାଙ୍କ ହାତରେ କୌଣସି ଗ୍ଲୋଭ୍‌ସ ନଥିଲା ।

ପପ୍ପୁ କହିଲେ ଯେ ଚୁଲା ଆଖପାଖର ଅସହ୍ୟ ତାତି କାରଣରୁ ପିପିଇ ପିନ୍ଧିବା ସମ୍ଭବ ହେଉନି । “ଏହାସହିତ, ବେଳେବେଳେ ଚୁଲାର ଦ୍ୱାର ଦେଇ  ଅଗ୍ନିଶିଖା ବାହାରି ଆସେ, ଯେତେବେଳେ ଶରୀରର ପାକସ୍ଥଳୀ ଫାଟିଯାଏ,  ଯାହାଦ୍ୱାରା ପିପିଇରେ ନିଆଁ ଲାଗିବା ସମ୍ଭାବନା ରହିଛି । ପିପିଇକୁ ବାହାର କରିବାକୁ ସମୟ ଲାଗିଥାଏ ଓ ଶେଷରେ ଜୀବନ ହାରିବା ସମ୍ଭାବନା ମଧ୍ୟ ରହିଛି,’’ ବୋଲି ସେ ବୁଝାଇ କହିଲେ । ଅଧିକନ୍ତୁ ହରିନ୍ଦର କହିଲେ ଯେ : “ କିଟ୍‌ ପିନ୍ଧିଲେ ମୁଁ ରୁନ୍ଧି ହୋଇଯାଏ ଓ ଧଇଁସଇଁ ଲାଗେ । ମୋର ମରିବାକୁ ଇଚ୍ଛା ହେଉଛି ନା କ’ଣ?”

ସେମାନଙ୍କ ସୁରକ୍ଷାର ଏକ ମାତ୍ର ଅସ୍ତ୍ର ଥିଲା ଗୋଟିଏ ମାସ୍କ, ଯାହା ସେମାନେ ଅନେକ ଦିନ ପର୍ଯ୍ୟନ୍ତ ପିନ୍ଧିଆସୁଥିଲେ । “ଆମେ କାଳେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଯିବୁ, ସେ ନେଇ ଆମେ ଚିନ୍ତିତ ଅଛୁ । ହେଲେ, ଏହା ହେଉଛି ଏକ ସଂକଟମୟ ସ୍ଥିତି ଯାହାକୁ ଆମେ ଅଣଦେଖା କରିପାରିବୁନାହିଁ,” ବୋଲି ପପ୍ପୁ କହିଲେ । “ଏମିତିତ ଲୋକମାନେ ଦୁଃଖି ଅଛନ୍ତି, ଆମେ ତାଙ୍କୁ ଆଉ ଅଧିକ ନୈରାଶ୍ୟ ଭିତରକୁ ଠେଲି ପାରିବୁନାହିଁ ।’’

ସେଠାରେ ବିପଦ କେବେ ମଧ୍ୟ ଶେଷ ହୁଏନି । ଥରେ, ଗୋଟିଏ ଶବଦାହ କରିବାବେଳେ, ପପ୍ପୁଙ୍କ ବାମହାତରେ ନିଆଁ ଶିଖା ଯୋଗୁ ଫୋଟକା ହୋଇଗଲା ଯାହାର କ୍ଷତଚିହ୍ନ ରହିଯାଇଛି । “ମୁଁ ଏହା ଅନୁଭବ କଲି । କିନ୍ତୁ ମୁଁ କ’ଣ କରିପାରିଥାନ୍ତି ।’’ ସେମାନଙ୍କ ସହିତ ସାକ୍ଷାତ ହେବାର ଏକ ଘଣ୍ଟା ପୂର୍ବରୁ, ହରିନ୍ଦର ଆଘାତପ୍ରାପ୍ତ ହୋଇଥିଲେ । “ମୁଁ କବାଟ ବନ୍ଦ କରିବାବେଳେ ଏହା ମୋର ଆଣ୍ଠୁରେ ଜୋର୍‌ରେ ବାଜିଗଲା” ବୋଲି ସେ ମୋତେ କହିଲେ ।

Left: The dead body of a Covid-positive patient resting on a stretcher in the crematorium premises. Right: A body burning on an open pyre at Nigam Bodh Ghat
PHOTO • Amir Malik
Left: The dead body of a Covid-positive patient resting on a stretcher in the crematorium premises. Right: A body burning on an open pyre at Nigam Bodh Ghat
PHOTO • Amir Malik

ବାମ : ଶ୍ମଶାନ ପରିସର ମଧ୍ୟରେ ଷ୍ଟ୍ରେଚରରେ ଏକ କୋଭିଡ୍‌ —ପ ଜିଟିଭ୍‌ ରୋଗୀର ମୃଦଦେହ ପଡିଥିଲା । ଡାହାଣ : ନିଗମ ବୋଧ ଘାଟରେ ମୁକ୍ତ ଚିତାରେ ଜଳୁଥିବା ଏକ ଶରୀର

“ଚୁଲାର କବାଟର ହ୍ୟାଣ୍ଡେଲ୍‌ ଭାଙ୍ଗି ଯାଇଥିଲା । ଆମେ ଏହାକୁ ଏକ ବାଉଁଶ କାଠ ସହାୟତାରେ ଏକପ୍ରକାର ଠିକ୍‌ କରିଦେଇଛୁ,” ବୋଲି ରାଜୁ ମୋହନ କହିଲେ । “ସେହି କବାଟର ମରାମତି ପାଇଁ ଆମେ ଆମ ସୁପର୍‌ଭାଇଜର୍‌ଙ୍କୁ କହିଲୁ । ‘ସେ ଆମକୁ କହିଲେ ଯେ, ତାଲାବନ୍ଦ ସମୟରେ ଆମେ ଏହାକୁ କେମିତି ଠିକ୍‌ କରିପାରିବୁ ।’’ ଆମେ ଜାଣିଛୁ ଯେ କିଛି ମଧ୍ୟ କରିହେବନି’ ବୋଲି ହରିନ୍ଦର କହିଲେ ।

ଏପରିକି ସେମାନଙ୍କ ପାଖରେ ଗୋଟିଏ ପ୍ରାଥମିକ ଚିକିତ୍ସା ବାକ୍ସ ମଧ୍ୟ ଉପଲବ୍ଧ ନାହିଁ ।

ବର୍ତ୍ତମାନ ଅନେକଗୁଡାଏ ନୂଆ ବିପଦ ସୃଷ୍ଟି ହୋଇଛି, ଯେପରିକି ଚଟାଣ ଉପରେ ଗୋଡ ଖସିବା, ଯାହା ପରିବାର ସଦସ୍ୟମାନଙ୍କ ଦ୍ୱାରା ଶରୀରକୁ ଚୁଲା ଭିତରକୁ ପଠାଇବା ପୂର୍ବରୁ ତାହା ଉପରେ ଘିଅ ଓ ପାଣି ଢାଳିବା ଯୋଗୁ ହୋଇଥାଏ । “ଏଥିପାଇଁ ଅନୁମତି ନାହିଁ । ଏହା ଉଭୟ ଅସ୍ୱାସ୍ଥ୍ୟକର ଓ ବିପଦପୂର୍ଣ୍ଣ ହେଲେ, ଲୋକମାନେ ପ୍ରତିବନ୍ଧକଗୁଡିକୁ ଅଣଦେଖା କରନ୍ତି,” ବୋଲି ଅମର ସିଂ, ପୌରନିଗମର ଜଣେ ଅଧିକାରୀ କୁହନ୍ତି । ମହାମାରୀ ସମୟରେ ନିଗମ ବୋଧ ଘାଟରେ ଚାଲୁଥିବା ବିଭିନ୍ନ ଗତିବିଧି ଉପରେ ନଜର ରଖିବା ପାଇଁ ନିଯୁକ୍ତ ହୋଇଥିବା ସାତଜଣ ଏମ୍‌.ସି.ଡିଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ ।

ପୂର୍ବାହ୍ନ ୮ଟା ପୂର୍ବରୁ ଆସିଥିବା ଶରୀରଗୁଡିକୁ ସେହି ଦିନ ଦାହ କରାଯାଏ, ବୋଲି ସିଂ କହିଲେ । କିନ୍ତୁ, ବିଳମ୍ବରେ ଆସି ପହଞ୍ଚୁଥିବା ଶରୀରଗୁଡିକୁ ପରଦିନ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ବେଳେ ସେଗୁଡିକ ପାଖରେ କେହି ଜଗି ରୁହନ୍ତିନି । ଏପଟେ, ରାତ୍ରିକାଳୀନ ଶୁଳ୍କ ମଧ୍ୟ ମିଶୁଥିବାରୁ ଆମ୍ବୁଲାନ୍ସ ବାବଦକୁ ଖର୍ଚ୍ଚ ବୃଦ୍ଧି ପାଏ, ବୋଲି ସେ କହିଲେ । “ଦିନରାତି ଚବିଶ ଘଣ୍ଟା ଚୁଲା ସକ୍ରିୟ ରହିବା ଦ୍ୱାରା ଏହାର ଆଶୁ ସମାଧାନ ହୋଇପାରିବ।’’

ହେଲେ, ତାହା କ’ଣ ସମ୍ଭବ? "କାହିଁକି ନୁହେଁ?" ବୋଲି ସିଂ କହିଲେ। “ଆପଣ ଯେତେବେଳେ ତନ୍ଦୁର୍‌ରେ କୁକୁଡା ପୋଡନ୍ତି, ତନ୍ଦୁରର କିଛି କ୍ଷତି ହୁଏ ନାହିଁ । ଏଠାରେ ଥିବା ଚୁଲାଗୁଡିକ ମଧ୍ୟ ୨୪ଘଣ୍ଟା ସକ୍ରିୟ ରହିବା ପାଇଁ ସକ୍ଷମ । ହେଲେ, ସଂସ୍ଥା ଏପରି କରିବାକୁ ଦେବନି।’’ ପପ୍ପୁ ଏହି ଧାରଣା ସହ ଏକମତ ନୁହନ୍ତି । “ମଣିଷ ପରି ମେସିନ୍‌କୁ ମଧ୍ୟ ବିଶ୍ରାମର ଆବଶ୍ୟକତା ରହିଛି’’ ବୋଲି ପପ୍ପୁ କୁହନ୍ତି ।

ଉଭୟ ସିଂ ଓ ପପ୍ପୁ ସହମତି ପ୍ରକାଶ କରନ୍ତି ଯେ ଦାହଗୃହରେ ଶବଦାହକମାନଙ୍କ ଘୋର ଅଭାବ ରହିଛି । “ଯଦି ସେମାନଙ୍କ ମଧ୍ୟରୁ କାହାର କିଛି ହୋଇଯାଏ, ତାହାହେଲେ, ପୂର୍ବରୁ ଭାରାନ୍ୱିତ ହୋଇ ରହିଥିବା ପରିଚାଳନା ବ୍ୟବସ୍ଥା ଭୂଷୁଡି ପଡିବ,” ବୋଲି ସିଂ କହିଲେ । ଶବଦାହକମାନଙ୍କୁ ବୀମା ପରିସରଭୁକ୍ତ କରାଯାଇନଥିବା କଥା ମଧ୍ୟ ସେ କହିଥିଲେ । ପପ୍ପୁଙ୍କ ବିଚାର କିନ୍ତୁ ସାମାନ୍ୟ ଭିନ୍ନ । “ଯଦି ସେଠାରେ ହରିନ୍ଦର ଓ ମୋ ପରି ଆଉ କେତେକ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଏ, ତାହାହେଲେ ଏଠାରେ କାମ କରିବା ଆହୁରି ସୁବିଧାଜନକ ହୋଇଯିବା ସହିତ ଆମକୁ କିଛି ସମୟ ବିଶ୍ରାମ କରିବାକୁ ମଧ୍ୟ ମିଳିଯିବ,” ବୋଲି ସେ କହିଲେ।

Left: The large mural at the entrance of Nigam Bodh Ghat. Right: A garland of marigold flowers and dried bananas left on the ashes after cremation
PHOTO • Amir Malik
Left: The large mural at the entrance of Nigam Bodh Ghat. Right: A garland of marigold flowers and dried bananas left on the ashes after cremation
PHOTO • Amir Malik

ବାମ : ନିଗମ ବୋଧ ଘାଟରେ ଥିବା ଦୀର୍ଘ ପ୍ରାଚୀର ଚିତ୍ର । ଡାହାଣ : ଗେଣ୍ଡୁଫୁଲର ଗୋଟିଏ ମାଳ ଓ ଶୁଖିଲା କଦଳୀଗୁଡିକ ଦାହ ପରେ ପାଉଁଶରେ ପଡିରହିଛି

ଯଦି ସେମାନଙ୍କ ମଧ୍ୟରୁ କାହା ସହିତ କୌଣସି ପ୍ରକାର ଅଘଟଣ ଘଟିଯାଏ, ତାହାହେଲେ କ’ଣ ହେବ ବୋଲି ମୁଁ ଯେତେବେଳେ ଗୁପ୍ତାଙ୍କୁ ପଚାରିଲି, ସେ ଉତ୍ତର ଦେଲେ ଯେ “ସେହି ପରିସ୍ଥିତିରେ ବାକି ତିନିଜଣ କାମ ଜାରି ରଖିବେ। ନ ହେଲେ, ଆମେ ବାହାରୁ ଶବଦାହକ ଆଣିବୁ । ଅଧିକନ୍ତୁ ସେ ଏହା କହିଲେ ଯେ “ଶବଦାହକମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି,’’ ଏହା ଏପରି ନୁହେଁ ଯେ ଆମେ ସେମାନଙ୍କୁ ଖାଇବାକୁ ଦେଉନାହୁଁ । ଆମେ ଯୋଗାଉଛୁ । ଆମେ ସେମାନଙ୍କୁ ଖାଦ୍ୟ, ଔଷଧ ଓ ସାନିଟାଇଜର୍‌ ଦେଉଛୁ ।

ସେହିଦିନ ବିଳମ୍ବରେ, ହରିନ୍ଦର ଓ ତାଙ୍କର ସହକର୍ମୀମାନେ ଏକ ଛୋଟ ବଖରାରେ ରାତ୍ରିଭୋଜନ କରିବା ବେଳେ ପାଖରେ ଥିବା ଚୁଲାରେ ନିଆଁ ଗୋଟିଏ ଶରୀରକୁ କ୍ଷୟ କରିବା କାମ ଚାଲୁ ରଖିଥିଲା । ଶ୍ରମିକମାନେ ମଧ୍ୟ କିଛିମାତ୍ରାରେ ହ୍ୱିସ୍କି ପିଇଥିଲେ । “ଆମକୁ ପିଇବାକୁ ପଡେ [ମଦ] । ଏହା ବିନା ଆମର ବଞ୍ଚିରହିବା ପ୍ରାୟତଃ ଅସମ୍ଭବ ମନେହୁଏ,” ବୋଲି ହରିନ୍ଦର ବର୍ଣ୍ଣନା କରି କହିଲେ ।

ମହାମାରୀ ପୂର୍ବରୁ, ସେମାନେ ତିନି ପେଗ୍‌ ହ୍ୱିସ୍କିରେ (ଗୋଟିଏ ପେଗ୍‌ ହେଉଛି ୬୦ ମିଲି) କାମ ଚଳାଇ ନେଉଥିଲେ, ହେଲେ, ବର୍ତ୍ତମାନ ସେମାନେ ସେମାନଙ୍କର କାମ କରିବାକୁ ଦିନସାରା ମଦ୍ୟପାନ କରିବାକୁ ପଡୁଛି । “ସକାଳେ ଏକ କ୍ୱାର୍ଟର [୧୮୦ ମିଲି], ମଧ୍ୟାହ୍ନ ଭୋଜନରେ ମଧ୍ୟ ସେତିକି, ତା’ପରେ ସନ୍ଧ୍ୟାବେବେଳେ ଓ ରାତ୍ରି ଭୋଜନ ପରେ ଆଉ ଏକ କ୍ୱାର୍ଟର୍‌ । ବେଳେବେଳେ, ଆମେ ଘରକୁ ଫେରିବା ପରେ ମଧ୍ୟ ପିଉ” ବୋଲି ପପ୍ପୁ କୁହନ୍ତି । “ଭଲ କଥା ଏହା ଯେ ସଂସ୍ଥା କେବେ ବି ଆମକୁ ପିଇବାକୁ ମନାକରେ ନାହିଁ । ବରଂ, ଏହା ଆଉ ପାଦେ ଆଗେଇଯାଇ ଆମକୁ ପ୍ରତିଦିନ ମଦ ଯୋଗାଇଥାଏ,” ବୋଲି ହରିନ୍ଦର କୁହନ୍ତି ।

‘ପଛଧାଡି’ର ଏହି ଶ୍ରମିକମାନଙ୍କୁ ମଦ ଏକ ମୃତ ମାନବ ଶରୀର ଦାହ କରିବା ଜନିତ ଯନ୍ତ୍ରଣା ଓ କଠିନ ପରିଶ୍ରମରୁ ଉଦ୍ଧାର କରିଥାଏ । “ସେମାନେ ମୃତ, କିନ୍ତୁ ଆମେମାନେ ମଧ୍ୟ, ଏଠାରେ ଏପରି କଷ୍ଟସାଧ୍ୟ ଓ କ୍ଳାନ୍ତିକର କାମ କରୁଛୁ,” ବୋଲି ହରିନ୍ଦର କୁହନ୍ତି। “ମୁଁ ଯେତେବେଳେ ଗୋଟିଏ ପେଗ୍‌ ପିଏ ଓ ତାପରେ ମୃତଶରୀରକୁ ଦେଖେ, ମୁଁ ଧୈର୍ଯ୍ୟହରା ହୁଏ ନାହିଁ ,” ବୋଲି ପପ୍ପୁ କୁହନ୍ତି । “ଆଉ ଯେତେବେଳେ ଧୂଳି ଓ ଧୂଆଁ ବେଳେବେଳେ ଆମ ତଣ୍ଟିରେ ଅଟକିଯାଏ, ମଦରେ ଏହା ତଳକୁ ଚାଲିଯାଏ’’।

ବିଶ୍ରାମ ସମୟ ବିତିଯାଇଥିଲା । ପପ୍ପୁଙ୍କ ଯିବା ସମୟ ହୋଇଯାଇଥିଲା, ଏହାସହିତ ସେହି ଦୁଇ ଲୌଣ୍ଡେଙ୍କ କାମ ସାରିବା ସମୟ ମଧ୍ୟ । “ଆମେ ମଧ୍ୟ କାନ୍ଦୁ । ଆମ ଆଖିରେ ମଧ୍ୟ ଲୁହ ଜକେଇ ଆସେ ।  “ଆମକୁ ମଧ୍ୟ ଦୁଃଖ ହୁଏ,” ବୋଲି ସେ ଦୁଃଖ ଜର୍ଜରିତ କଣ୍ଠରେ କହିଲେ, ତାଙ୍କ ଆଖି ଓଦା ହୋଇଯାଇଥିଲା। “ହେଲେ, ଆମକୁ କାମ କରିବାକୁ ହେବ ଓ ଆମର ହୃଦୟକୁ ସୁରକ୍ଷିତ ରଖିବାକୁ ହେବ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Amir Malik

ଆମିର ମଲିକ ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ୨୦୨୨ର ପରୀ ସଦସ୍ୟ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Amir Malik
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE