"ଏହି [ସୁପ୍ରିମ୍କୋର୍ଟ] ରାୟ କେବଳ ଆମ ବିରୁଦ୍ଧରେ ଅପରାଧ ହାର ବଢ଼ାଇବ!"

ସରୋଜ ସ୍ୱାମୀଙ୍କ ଉଦ୍ବୋଧନ ଶୁଣନ୍ତୁ। ତାଙ୍କ ଠାରେ ମୁମ୍ବାଇରେ ଏପ୍ରିଲ୍ ୨ ତାରିଖରେ ଏକତ୍ର ହୋଇଥିବା ଦଳିତ ଓ ଆଦିବାସୀମାନଙ୍କର ପ୍ରତିବାଦ ଓ ଦେଶବ୍ୟାପୀ ନିୟୁତ ନିୟୁତଙ୍କର କ୍ରୋଧ ପ୍ରତିଫଳିତ ହେଉଥିଲା।

କେନ୍ଦ୍ର ମୁମ୍ବାଇର ଦାଦରସ୍ଥ କୋଟୱାଲ ଉଦ୍ୟାନରୁ ଶିବାଜୀ ପାର୍କ ନିକଟସ୍ଥ ଚୈତ୍ୟଭୂମିକୁ ବିକ୍ଷୋଭକାରୀମାନଙ୍କ ସହ ଚାଲି ଚାଲି ଯାଉଥିବା ବେଳେ ୫୮ ବର୍ଷ ବୟସ୍କା ଏହି ରାଜନୈତିକ କର୍ମୀ କହିଥିଲେ, "ଆମେ ଆଜି ବି ସେହି ଯୁଗରେ ଅଛି ଯେଉଁଠି ଦଳିତ ଯୁବକଟିଏ ଘୋଡ଼ା ଚଢ଼ିଥିବାରୁ ତାକୁ ହତ୍ୟା କରାଗଲା।"

ବିକ୍ଷୋଭକାରୀମାନେ ମାର୍ଚ୍ଚ ୨୦ ତାରିଖରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ରାୟ ଯାହାକି ଅନୂସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିରୋଧି) ଆଇନ୍, ୧୯୮୯ର କିଛି ବ୍ୟବସ୍ଥାକୁ କୋହଳ କରିଛି  ସେଥିରେ ଅସନ୍ତୁଷ୍ଟ ଥିଲେ। ସର୍ବୋଚ୍ଚ ଅଦାଲତଙ୍କ ରାୟ ଅନୁଯାୟୀ ଏହା ପରଠାରୁ ଯେଉଁ ସରକାରୀ କର୍ମଚାରୀ ମାନେ ଦଳିତ କିମ୍ବା ଆଦିବାସୀଙ୍କ ପ୍ରତି ଭେଦଭାବ କରିଥିବାର ଅଭିଯୋଗ ହେବ, ସେମାନଙ୍କୁ ସେମାନଙ୍କୁ ନିଯୁକ୍ତିଦାତା କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମୋଦନ କ୍ରମେ ଗିରଫ କରାଯାଇପାରିବ।

ଏହାଛଡ଼ା ଅଭିଯୋଗୁଡିକ ସତ ନା ଉଦ୍ଦେଶ୍ୟମୂଳକ ଏହା ସ୍ଥିର କରିବା ପାଇଁ ପ୍ରଥମେ ଜଣେ ଡେପୁଟି ପୋଲିସ ସୁପରିଟେଣ୍ଡେଣ୍ଟ ପାହ୍ୟର ଜଣେ ଅଧିକାରୀ ଏକ ଆଗୁଆ ତଦନ୍ତ କରିବେ। କେନ୍ଦ୍ର ସରକାର ଏହି ରାୟ ନେଇ ଏକ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ଏହି ମାମଲାରେ ଏକ ତୁରନ୍ତ ଶୁଣାଣୀ ପାଇଁ ଅଦାଲତ ମଧ୍ୟ ରାଜି ହୋଇଛନ୍ତି।

ଭିଡ଼ିଓ ଦେଖନ୍ତୁ! ନିର୍ଯାତନା ଆଇନ୍କୁ କୋହଳ କରାଯିବା ଦେଇ ସର୍ବୋଚ୍ଚ ଅଦାଲତଙ୍କ ରାୟ ବିରୋଧରେ ଦଳିତ ଓ ଆଦିବାସୀ ବିକ୍ଷୋଭକାରୀମାନେ ଶୋଭାଯାତ୍ରା କରୁଛନ୍ତି।

ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ ସୂଚିତ କରୁଛି ଯେ , ୨୦୧୫ ଅପେକ୍ଷା ୨୦୧୬ରେ ଆଦିବାସୀ ହରିଜନମାନଙ୍କ ପ୍ରତି ନିର୍ଯାତନା ଗୁଣ ବଢ଼ିଛି। କିନ୍ତୁ ଦଣ୍ଡବିଧାନ ହାର ଏବେ ବି - ପ୍ରତିଶତ ଅଛି।

ସରୋଜା ସ୍ୱାମୀ ପଚାରନ୍ତି, ଏ ପ୍ରକାର ପରିସ୍ଥିତିରେ ଏ ପ୍ରକାର ରାୟର ଯଥାର୍ଥତା କ’ଣ ? ମହିଳାମାନେ ଧର୍ଷିତା ହେଉଛନ୍ତି କାରଣ ସେମାନେ ଦଳିତ, ଆମକୁ ଆମ ଜାତି ଯୋଗୁଁ ଚାକିରୀ ଦିଆଯାଉନି। ଗାଁ ମାନଙ୍କରେ ସାର୍ବଜନୀନ କୂଅ ବ୍ୟବହାର କରି ନ ପାରିବା ପରି ନିତିଦିନିଆ ଭେଦଭାବ ବିଷୟରେ ନ କହିବା।

ସୁପ୍ରିମ୍କୋର୍ଟଙ୍କ ରାୟ ପ୍ରତି ଅସହମତି ମଧ୍ୟ ଦଳିତ ଓ ଆଦିବାସୀମାନଙ୍କ ପ୍ରତି ନିର୍ଯାତନ ବଢ଼ିବା ପରିପ୍ରେକ୍ଷୀରେ ସୃଷ୍ଟି ହୋଇଛି। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍ସିଆରବି) ର ସୂଚନା ଅନୁଯାୟୀ ଅନୁସୂଚିତ ଜାତିମାନଙ୍କ ପ୍ରତି ନିର୍ଯାତନା ଓ ଅପରାଧ ମାମଲା ୨୦୧୫ରେ ୩୮,୬୭୦ଥିବା ବେଳେ ୨୦୧୬ରେ ୪୦,୮୦୧ (୫.୫ ପ୍ରତିଶତ) କୁ ବୃଦ୍ଧି ପାଇଛି। ଅନୁସୂଚିତ ଜନଜାତି ମାମଲାରେ ପ୍ରାୟ ସମାନ ଭାବରେ ଏହା ୪.୭ ପ୍ରତିଶତ ବୃଦ୍ଧି ହୋଇଛି।

ମାତ୍ର ଅପରାଧ ସାବ୍ୟସ୍ତ ହେବାର ନିରାଶାଜନକ ୨-୩ ପ୍ରତିଶତ ହାର ଯୋଗୁଁ ଜାଣିଶୁଣି ଦଳିତ ଓ ଆଦିବାସୀଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଲି ବଦ୍ଧମୂଳ ଧାରଣା ହୋଇଛି।

୨୦୧୬ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ମଧ୍ୟ କହିବାକୁ ବାଧ୍ୟ ହେଲେ ଯେ, ପ୍ରତିଦିନ ଆମ ଦଳିତ ଭାଇ-ଭଉଣୀଙ୍କୁ ପ୍ରତି ହେଉଥିବା ବିଭିନ୍ନ ଘଟଣା ଯୋଗୁଁ ଲଜ୍ୟାରେ ତାଙ୍କ ମୁଣ୍ଡ ତଳକୁ ହୋଇଯାଉଛି। ତଥାପି ତାଙ୍କ ସରକାରୀ ଅଧୀନରେ ହିଁ ଏପରି ଘଟଣା ଦୃଢ ଭାବରେ ବଢ଼ି ଚାଲିଛି।

Saroja, AIDWA member
PHOTO • Siddharth Adelkar
 Protestors marching outside Sena Bhavan in Dadar
PHOTO • Siddharth Adelkar

ବାମ : ଉନା ବିକ୍ଷୋଭ କାହିଁକି ହେଲା ? ଦଳିତମାନେ ବି ମଣିଷ। ଦୃଢ ସ୍ୱରରେ କୁହନ୍ତି ସରୋଜା ସ୍ୱାମୀ। ଡାହାଣ : କେନ୍ଦ୍ର ମୁମ୍ବାଇର ଚୈତ୍ୟ ଭୂମି ଆଡ଼କୁ ବିକ୍ଷୋଭକାରୀମାନେ ଆଗାଉଛନ୍ତି।

ଦାଦରଠାରୁ ୨୧ କିଲୋମିଟର ଦୂରରେ ମୁମ୍ବାଇ ସହରତଳିର ଭନ୍ଦୁପରେ ରୁହନ୍ତି ସରୋଜା। ସେ କୁହନ୍ତି, ଦଳିତମାନଙ୍କ ସ୍ଥିତି ମୋଦୀ ସରକାରରେ ଅଧିକ ଖରାପ ହୋଇଯାଇଛି। ସେ ପଚାରନ୍ତି , "ରୋହିତ ଭେମୁଲାଙ୍କର ଭୁଲ୍ କ’ଣ ଥିଲା? ଉନା ବିକ୍ଷୋଭ କାହିଁକି ହେଲା? ଦଳିତମାନେ ବି ତ ମଣିଷ।"

୨୦୧୬ ଜାନୁଆରୀ ମାସରେ ରୋହିତ ଭେମୁଲା ଘଟଣା ଘଟିଲା। ହାଇଦ୍ରାବାଦ୍ସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ତାଙ୍କର ଫେଲୋସିପ୍ ବନ୍ଦ କରିଦେବାରୁ ଏହି ମେଧାବି ଯୁବ ଦଳିତ ପିଏଚ୍ଡି ଛାତ୍ର ନିଜର ଜୀବନ ହାରିଦେଲେ। ଏହାପରେ ବିଶ୍ୱ ବିଦ୍ୟାଳୟ ପରିସରରେ ତାଙ୍କ ମୃତ୍ୟୁର ପ୍ରତିବାଦ କରୁଥିବା ଦଳିତ ଓ ବାମପନ୍ଥୀ କର୍ମକର୍ତ୍ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଗଲା।

ସରୋଜାଙ୍କ ପରି ଭନ୍ଦୁପର ୧୬ ବର୍ଷ ବୟସ୍କା ବାଣିଜ୍ୟ  ଛାତ୍ରୀ ମନିଷା ୱାଙ୍ଗେଡ ମଧ୍ୟ ଖୁବ୍ କ୍ରୋଧାନିତ୍ଵ। ତାଙ୍କ ଅନୁଯାୟୀ ଡ. ବାବାସାହେବ ଆମ୍ବେଦକର ଦେଶକୁ ଯେଉଁ ସମ୍ବିଧାନ ଦେଇଥିଲେ ତାହା ଏବେ ବିପଦରେ। ସେ କୁହନ୍ତି, "ଯଦି ଆମେ ସମ୍ବିଧାନକୁ ମାନୁଛୁ ତେବେ ଶାମ୍ଭାଜୀ ଭିଡେ (କୋରେଗାଓଁ ଭୀମା ପ୍ରକରଣରେ କୁଖ୍ୟାତ ହୋଇଥିବା) ଏବେ ଜେଲ୍ରେ ଥାଆନ୍ତା। ମୋଦି ସରକାର ଏସବୁ ଘଟଣାକୁ ସାହସ ଦେଉଛନ୍ତି। ସେମାନେ ଆମ୍ବେଦକରଙ୍କୁ ମୁହଁରେ ପ୍ରଶଂସା କରୁଛନ୍ତି କିନ୍ତୁ ସେ ଲେଖିଥିବା ସମ୍ବିଧାନକୁ ଅସମ୍ମାନ କରୁଛନ୍ତି। ସମ୍ବିଧାନରେ କୌଣସି ଦୋଷତ୍ରୁଟି ନାହିଁ, କିନ୍ତୁ ସରକାର ଏହାକୁ ମାନିବା ଦରକାର।"

ତାଙ୍କ ଯୁକ୍ତି ବି ଗ୍ରହଣଯୋଗ୍ୟ। ଗତ ତିନି ବର୍ଷ ମଧ୍ୟରେ ଦଳିତମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ୨୦୧୬ ଜୁଲାଇ ମାସରେ ଗୁଜୁରାଟର ଗୀର୍ ସୋମନାଥ ଜିଲ୍ଲାର ଉନା ସହରରେ ୪ ଜଣ ଦଳିତ ଯୁବକଙ୍କୁ ବର୍ବର ଭାବରେ ମାଡ଼ ମାରିବା ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଥିଲା। ସେମାନଙ୍କର ତଥାକଥିତ ଅପରାଧ ଥିଲା, ମୃତ ଗୋରୁଦେହରୁ ଚମଡ଼ା ଉତାରିବା।

 Protestors marching outside Sena Bhavan at Chaityabhumi
PHOTO • Himanshu Chutia Saikia
 Protestors marching outside at chaityabhumi
PHOTO • Samyukta Shastri

ବାମ : ନିର୍ଯାତନା ନିରୋଧୀ ଆଇନ୍ରେ ପରିବର୍ତ୍ତନ ପ୍ରତି ଚମଡ଼ା ଶ୍ରମିକମାନଙ୍କ ସଂଘ ଚର୍ମକାର ଏକ୍ୟ ପରିଷଦ ଅସନ୍ତୋଷ ପ୍ରକାଶ କରୁଛି। ଡାହାଣ : ବିକ୍ଷୋଭକାରୀ ମାନେ ଚୈତ୍ୟ ଭୂମିରେ ବିକ୍ଷୋଭର ନେତୃବୃନ୍ଦଙ୍କ ଭାଷଣ ଶୁଣୁଛନ୍ତି।

ଏହାର ମାତ୍ର ତିନିମାସ ପରେ ମହାରାଷ୍ଟ୍ର ପୁନା ଜିଲ୍ଲାର କୋରେଗାଓଁକୁ ଯିବାଆସିବା କରୁଥିବା ଦଳିତମାନଙ୍କ ବିରୁଦ୍ଧରେ ପ୍ରଭାବଶାଳୀ ଜାତିର ଗୋଷ୍ଠି ହିଂସା ଆରମ୍ଭ କଲେ। ୧୮୧୮ ମସିହାରେ ପେଶୱା ନେତୃତ୍ୱାଧୀନ ମରାଠା ସେନା ବ୍ରିଟିଶ୍ ସେନାର ମାହାର ସୈନିକମାନଙ୍କ ଦ୍ୱାରା ପରାସ୍ତ ହେବାର ସ୍ମୃତି ପାଳନ ପାଇଁ ପ୍ରତିବର୍ଷ ବହୁ ସଂଖ୍ୟାରେ ଦଳିତ ସେଠାରେ ଏକତ୍ରିତ ହୁଅନ୍ତି।

ଏସବୁ ହିଂସା ଓ ଅନ୍ୟାୟର ଘଟଣା ମାର୍ଚ୍ଚ ମାସରେ ମୁମ୍ବାଇରେ ଅନୁଷ୍ଠିତ ପ୍ରତିବାଦ ଶୋଭାଯାତ୍ରାକାରୀଙ୍କ ମନକୁ  ଗଭୀର ଭାବରେ ଭାରାକ୍ରାନ୍ତ କରିଥିଲା। ଚୈତ୍ୟ ଭୂମିରେ ପହଁଞ୍ଚିବା ପରେ ନେତାମାନେ ଗୀତ ଗାଇଲେ, ସ୍ଲୋଗାନ୍ ଦେଲେ ଓ ଭାଷଣ ଦେଲେ। ଏମାନଙ୍କ ମଧ୍ୟରେ ବିଖ୍ୟାତ ସାମାଜିକ କର୍ମୀ ଉଲକା ମହାଜନ, ଅବସରପ୍ରାପ୍ତ ପୋଲିସ ମହାନିରୀକ୍ଷକ ସୁଧାକର ସୁରଦ୍କାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସୁରଦ୍କର କହିଥିଲେ, ପୋଲିସ୍ ସମେତ ସମାଜର ସବୁବର୍ଗ ନିର୍ଯାତନା ଆଇନ୍ କ’ଣ ତାହା ବୁଝିବା ଦରକାର। ଏହି କାରଣରୁ କୌଣସି ଆଇନ୍ ଲାଗୁ କରିବା ସନ୍ତୋଷଜନକ ହେଉନାହିଁ। କିନ୍ତୁ ଆମ ବ୍ୟବସ୍ଥାରେ ପ୍ରତ୍ୟେକ ନିଜ ନିଜର ଦାୟିତ୍ୱ ଖସେଇ ଦେବାକୁ ଚେଷ୍ଟା କରୁଛନ୍ତି।

ମୁମ୍ବାଇ ଶୋଭାଯାତ୍ରାରେ ରାସ୍ତାରେ ସାଧାରଣ ଜନତା ଭର୍ତ୍ତି ହୋଇଯାଇ ନଥିଲେ। ତେବେ ଦେଶର ଉତ୍ତରାଞ୍ଚଳର ରାଜ୍ୟ ଗୁଡିକରେ ଏହି ପ୍ରଦିବାଦ ଅଧିକ ଗମ୍ଭୀର ହୋଇଥିଲା। ସାରା ଦେଶରେ ଏହି ପ୍ରତିବାଦ କାଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ମଧ୍ୟପ୍ରଦେଶରେ ପାଞ୍ଚଜଣ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଜଣେ ଲେଖାଏଁ। ଗୁଜରାଟ ଓ ପଞ୍ଜାବରୁ ମଧ୍ୟ ହିଂସାତ୍ମକ ସଂଘର୍ଷର ଖବର ମିଳିଥିଲା। ପ୍ରାୟ ୧,୭୦୦ ଦଙ୍ଗାନିରୋଧୀ ପୋଲିସ କର୍ମଚାରୀ ବିଭିନ୍ନ ଅଞ୍ଚଳରେ ମୂତୟନ ହୋଇଥିଲେ। ଯେଉଁସବୁ ରାଜ୍ୟରେ ଦଳିତ ଓ ଆଦିବାସୀଙ୍କ ପ୍ରତି ନିର୍ଯାତନା ଅଧିକ ସେ ସବୁ ରାଜ୍ୟରେ ପ୍ରତିବାଦ ମଧ୍ୟ ଅଧିକ ହୋଇଥିଲା।

Women came from Raigad for the protest
PHOTO • Himanshu Chutia Saikia
Tribals from came from Raigad for the protest
PHOTO • Siddharth Adelkar

ରାୟଗଡ଼ ଜିଲ୍ଲାର ରୋହାରୁ ଚନ୍ଦା ତିୱାରୀ (ବାମ) ଅନ୍ୟ ୭୦ ଜଣ ଆଦିବାସୀଙ୍କ (ଡାହାଣ) ସହ ଏହି ପ୍ରତିବାଦ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଆସିଛନ୍ତି।

ଜମି ବିବାଦ କର୍ମୀ ଚନ୍ଦା ତିୱାରୀ ତାଙ୍କର କେବଳ ଆଦିବାସୀ ଛୋଟ ବନ୍ଧୁ ଦଳକୁ ନେଇ ୧୩୦ କିମି ଦୂର ରାଏଗଡ଼ାର ରୋହାର ଆସି ଦାଦର୍ରେ ପହଞ୍ଚିଛନ୍ତି। "ଜୋ ହିଟ୍ଲର କି ଚାଲ୍ ଚଲେଗା ୱ ହିଟ୍ଲର କି ମୌତ୍ ମରେଗା" ସ୍ଲୋଗାନ୍ର ପୁନରାବୃତ୍ତି ମଧ୍ୟରେ ସେ କହିଥିଲେ, "ଆମେ ନିଜେ ଅର୍ଥ ଖର୍ଚ୍ଚ କରିଛୁ। ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଛୁ ଏବଂ ନିଜର ପାଣି ମଧ୍ୟ ଆଣିଛୁ। ଆମେ ଆଜି ବିଳମ୍ବିତ ରାତ୍ରିରେ ଟ୍ରେନ୍ ଧରି ଘରକୁ ଫେରିବୁ। ଯଦିଓ ଅଧିକ ଜନସମାବେଶ ହୋଇନାହିଁ ତଥାପି ଏଠାରେ ଯୋଗ ଦେବା ଏବଂ ଆମେ ଆମ ଦଳିତ ଭାଇଭଉଣୀଙ୍କ ସହ ଏକାଠି ଅଛୁ , ଏହି ସନ୍ଦେଶ ଦେବା ଗୁରୁତ୍ୱପୂର୍ଣ୍ଣ ଥିଲା।"

୨୦୦୬ ଜଙ୍ଗଲ ଅଧିକାର ଆଇନ୍କୁ ସୂଚୀତ କରି ସେ କହିଥିଲେ, ଯେଉଁ ଆଇନ୍ ଆମ ପାଇଁ ଲାଭଦାୟକ ତାହା ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ। ପୁଣି ଆମ ପାଇଁ ଲାଭଦାୟକ ହେଉଥିବା ଯେଉଁ ଆଇନ୍ ଲାଗୁ କରାଯାଉଛି ତାହା କୋହଳ କରିଦିଆଯାଉଛି। ଏହି ଆଇନ୍ ବହୁ ଦଶନ୍ଧି ଧରି ଚାଷ କରି ଆସୁଥିବା ଜମି ଉପରେ ଆଦିବାସୀମାନଙ୍କର ଅଧିକାର ସାବ୍ୟସ୍ତ କରିଛି।

ଏହି ପ୍ରତିବାଦ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ପ୍ରାୟ ୨୦୦ ଜଣଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କୌଣସି ଦଳରେ କିମ୍ବା କାହା ସହିତ ଆସିଥିଲେ, କେବଳ ସୁନୀଲ ଯାଦବଙ୍କୁ ଛାଡ଼ିଦେଇ। ଦାଦର ଠାରୁ ୪୦ କିମି ଦୂର ନାଭି ମୁମ୍ବାଇରେ ରହୁଥିବା ୪୭ ବର୍ଷ ବୟସ୍କ ସୁନୀଲ୍ ଖବରକାଗଜଗୁଡିକରେ ଏହି ପ୍ରତିବାଦ ଶୋଭାଯାତ୍ରା ବିଷୟରେ ପଢ଼ି ଏଥିରେ ଯୋଗ ଦେବାକୁ ନିଷ୍ପତ୍ତି ନେଲେ। ସେ କହିଥିଲେ, "ମୁଁ ସିଓନ୍ରେ ରାତ୍ରୀ ଜଗୁଆଳ ଭାବରେ କାମ କରେ। ମୁଁ ପ୍ରତିବାଦ ଶୋଭାଯାତ୍ରାରୁ ସିଧାସଳଖ କାର୍ଯ୍ୟସ୍ଥଳକୁ ଚାଲିଯିବି।" ସୁନୀଲ ସୁପ୍ରିମ୍କୋର୍ଟ ରାୟର ଅର୍ଥକୁ ଠିକ୍ ଭାବରେ ବୁଝି ନାହାନ୍ତି କିମ୍ବା ଏହି ପ୍ରତିବାଦ ଶୋଭାଯାତ୍ରାର କାରଣ କ’ଣ ତାହା ମଧ୍ୟ ଜାଣି ନାହାନ୍ତି। ତା’ହେଲେ ସେ କ’ଣ ଜାଣନ୍ତି ? ସେ ଏକ ମ୍ଲାନ ହସ ହସି କହିଲେ, "ଦଳିତ ମାନେ ଭଲ ଅବସ୍ଥାରେ ନାହାନ୍ତି। ମୁଁ ଭାବିଲି, ସେମାନେ ମୋ ଲୋକ, ତେଣୁ ମୁଁ ଯିବା ଉଚିତ୍।"

ଅନୁବାଦ: ଓଡ଼ିଶାଲାଇଭ୍

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Parth M.N.
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE