ଏହା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସଂସ୍କରଣର ମୁଖ୍ୟ ସମୟ, କିନ୍ତୁ ନୟାଗାଓଁର ବାସିନ୍ଦାମାନଙ୍କ ମନରେ କ୍ରିକେଟ୍ ଚିନ୍ତା ନାହିଁ । ନିକଟବର୍ତ୍ତୀ ଧୁମାସପୁର ଗାଁରେ ହୋଇଥିବା ହିଂସାର ଛାୟା ଏବେ ମଧ୍ୟ କୁହୁଳୁଛି। ଚଳିତବର୍ଷ ମାର୍ଚ୍ଚ ୨୧ ତାରିଖରେ ହୋଲି ଦିନ କ୍ରିକେଟ୍ ଖେଳୁଥିବା ଯୁବଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହେବା ଯୋଗୁ ଏକ ମୁସଲିମ ପରିବାର ଉପରେ ଆକ୍ରମଣ ହୋଇଥିଲା । ସେହି ଘଟଣାକୁ ମିଡିଆ ବ୍ୟାପକ ଭାବେ ପ୍ରକାଶ କଲା । ଆକ୍ରମଣକାରୀମାନେ ବାଡ଼ି ଏବଂ ରଡ୍ ବ୍ୟବହାର କରିବା ସହିତ ସେହି ପରିବାରକୁ ‘ପାକିସ୍ତାନକୁ ଯାଅ ଏବଂ କ୍ରିକେଟ୍ ଖେଳ’ କହିଥିଲେ । ହିସାଂକାଣ୍ଡ ଘଟାଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ନୟାଗାଓଁର।
ଜଣେ ୩୧ ବର୍ଷୀୟା ଗୃହିଣୀ ରାକ୍ଷୀ ଚୌଧୁରୀ କହିଲେ “ପୁଲିସ ଏହି ଅଞ୍ଚଳର ଅନ୍ୟ ସମସ୍ୟାଗୁଡ଼ିକ ପରି ଆକ୍ରମଣ ଘଟଣାରେ ଠିକ୍ ଭାବେ ପଦକ୍ଷେପ ନେଲାନାହିଁ ।’’ ‘‘ଏଠାରେ ଯେତେବେଳେ କୌଣସି ବିବାଦ ହୁଏ ସେହି ସମୟରେ ହସ୍ତକ୍ଷେପ କରିବା ଲାଗି ଆମେ ୮-୧୦ ଜଣ ମହିଳାଙ୍କୁ ନେଇ ଏକ ଟିମ୍ ଗଠନ କରିଛୁ (ସାଧାରଣତଃ ଗାଁ ପିଲାମାନେ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କଲେ ବା ଯୌନ ନିର୍ଯ୍ୟାତନା ଦେବା ଘଟଣାରେ ସେମାନେ ହସ୍ତକ୍ଷେପ କରନ୍ତି) । କେବଳ ଏହା ମାଧ୍ୟମରେ ଆମେ ନିଜକୁ ରକ୍ଷା କରିପାରିବୁ । ପୁଲିସକର୍ମୀମାନେ ହୁଏତ ଟ୍ରାଫିକ୍ ଡ୍ୟୁଟି କରନ୍ତି ନ ହେଲେ ଏହି ଅଞ୍ଚଳକୁ ରାଜନେତାମାନେ ଆସିଲେ ସେମାନଙ୍କୁ ନେଇ ବ୍ୟସ୍ତ ରହନ୍ତି । ସେ ଯାହାହେଉ ଧନୀ ଲୋକମାନେ ସେମାନଙ୍କୁ ଡାକିଲେ ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି । ଆମକୁ କୀଟପତଙ୍ଗ ଭଳି ବ୍ୟବହାର କରାଯାଏ ।’’
ରାକ୍ଷୀ ନୟାଗାଓଁର କ୍ରିଷ୍ଣାକୁଞ୍ଜ କଲୋନୀରେ ରୁହନ୍ତି । (ଏହି ଗାଁରେ ମଧ୍ୟ ମାରୁତି କୁଞ୍ଜ କଲୋନୀ ରହିଛି, ପୂର୍ବତନ କଂଗ୍ରେସ ନେତା ସଞ୍ଜୟ ଗାନ୍ଧୀ ଯେତେବେଳେ ୧୯୭୦ ମସିହାରେ ଜାପାନର କାର୍ ନିର୍ମାତା ମାରୁତି କଂପାନିକୁ ଏଠାରେ ଦୋକାନ କରିବା ଲାଗି ନିମନ୍ତ୍ରଣ କରିଥିଲେ ସେତେବେଳେ ଏହି କଲୋନୀର ଏପରି ନାମକରଣ କରାଯାଇଥିଲା । ମାରୁତିରେ କାମ କରୁଥିବା ଶ୍ରମିକମାନଙ୍କୁ ଏଠାରେ ଘର ଦିଆଯାଇଥିଲା ।)
ଜାନୁୟାରୀ ୨୦୧୬ରେ ହରିଆନାର ଗୁରୁଗ୍ରାମ ଜିଲ୍ଲାର ସୋହନା ତହସିଲର ଭୋଣ୍ଡସୀ ଗ୍ରାମଠାରୁ ଅଲଗା ହୋଇ ନୟାଗାଓଁ ଏକ ସ୍ୱତନ୍ତ୍ର ପଞ୍ଚାୟତ ହୋଇଥିଲା । ଗୁରୁଗ୍ରାମ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଏହି ଗାଁର ଲୋକମାନେ ମେ ୧୨ ତାରିଖରେ ଭୋଟ ଦେବେ ।
୨୦୧୪ରେ, (ପ୍ରାୟ ୧୮.୪୬ ଲକ୍ଷ ମତଦାତା)ଙ୍କ ମଧ୍ୟରୁ୧୩.୨୧ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଗୁରୁଗ୍ରାମରେ ବିଜେପିର ରାଓ ଇନ୍ଦ୍ରଜିତ ସିଂହ ଦଳକୁ ପ୍ରଥମ ବିଜୟ ଦେଇଥିଲେ । ସେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପ୍ରାର୍ଥୀ ଜାକିର ହୁସେନଙ୍କୁ ପ୍ରାୟ ୨, ୭୦ ହଜାର ଭୋଟ ବ୍ୟବଧାନରେ ହରାଇଥିଲେ । କଂଗ୍ରେସର ରାଓ ଧର୍ମପାଲ ସିଂହ ଯାହାଙ୍କର ୨୦୦୯ ପର୍ଯ୍ୟନ୍ତ ଗୁରୁଗ୍ରାମରେ ଦବଦବା ରହିଥିଲା ସେ ମୋଟ ୧୩୩,୭୧୩ ଖଣ୍ଡ ଭୋଟ ବା ୧୦.୧୨% ଭୋଟ ପାଇଥିଲେ । ଆମ ଆଦମୀ ପାର୍ଟିର ଯୋଗେନ୍ଦ୍ର ଯାଦବ ମୋଟ ଭୋଟର ୬.୦୨ ପ୍ରତିଶତ ବା ୭୯,୪୫୬ ଖଣ୍ଡ ଭୋଟ ପାଇଥିଲେ ।









