ଦୁଇ ଜଣ ଚାଷୀ ପ୍ରାୟ ୮ ବର୍ଷ ପୂର୍ବରୁ ସବୁଜ ଗୃହ ପ୍ରତିଷ୍ଠା କରିଥିଲେ । ପ୍ରଥମ ଦୁଇ ବର୍ଷ ସେମାନେ ଲାଭ କଲେ, ଯାହା ସେମାନଙ୍କୁ ଉତ୍ସାହିତ କଲା ଏକ ଏକରରୁ ଦୁଇ ଏକରକୁ ଏହାକୁ ସଂପ୍ରସାରିତ କରିବା ପାଇଁ । ଭାଗବତ କହନ୍ତି, ‘‘୨୦୦୯-୧୦ରେ, ଯେତେବେଳେ ଆମ ଅଞ୍ଚଳରେ ସବୁଜ ଗୃହ ଏବଂ ପଲି ହାଉସ୍ ଅଧିକ ସଂଖ୍ୟାରେ ପ୍ରତିଷ୍ଠା ହେଲା, କ୍ୟାପ୍ସିକମ୍ ଭଳି ଦାମୀ ପରିବା ବା ଫୁଲ ଆଦିର ମୂଲ୍ୟ ଉଚ୍ଚା ହେଲା । କିନ୍ତୁ ଏବେ ମୂଲ୍ୟ ଖୁବ୍ ଖସିଆସିଛି (ଅତ୍ୟଧିକ ଯୋଗାଣ ଏବଂ ଅସ୍ଥିର ବଜାର ଫଳରେ) ଏବଂ ପାଣି ତ ଆଦୌ ନାହିଁ ।’’
୫ବର୍ଷ ଧରି , ସେ ଏବଂ ସାପିକେ କ୍ୟାପସିକମ୍ ଫସଲ କରି ବହୁତ କ୍ଷତି କଲେ। କିନ୍ତୁ ସେମାନେ ନିଜର ଋଣ ବିଷୟରେ କହିବା ପାଇଁ କୁଣ୍ଠାବୋଧ କରୁଥିଲେ। ଭାଗବତ କହିଲେ, "ଖୋଲାଖୋଲି ଭାବରେ ଏହା କହିବା ଭାରି କଷ୍ଟକର ଥିଲା,'' "କାରଣ ଯଦି ବନ୍ଧୁବାନ୍ଧବ ଜାଣିବେ ଯେ ଆମେ କରଜରେ ବୁଡି ରହିଛୁ ତେବେ ଆମର ସାମାଜିକ ପ୍ରତିପତ୍ତି ପ୍ରଭାବିତ ହେବ ବୋଲି ଭୟ ଲାଗୁଥିଲା କିନ୍ତୁ ଏହି ସମୟ ଥିଲା ସରକାରଙ୍କୁ ଆମ ସମସ୍ୟା ବିଷୟରେ ଅବଗତ କରାଇବାର ସମୟ।''
ଦାଦାସାହେବ କହିଲେ, ଅହମ୍ମଦନଗର ଜିଲ୍ଲା ଓ ଅନ୍ୟ ସ୍ଥାନର ବହୁ ଅନ୍ୟ କୃଷକ, ଯେଉଁମାନେ ନିଜ କ୍ଷେତରେ ସବୁଜ ଗୃହ ବା ପଲି ହାଉସ୍ ପ୍ରତିଷ୍ଠା କରିଛନ୍ତି, ସେମାନେ ମଧ୍ୟ ପ୍ରଚୁର ଋଣରେ ବୁଡ଼ିଛନ୍ତି ଏବଂ ପ୍ରୋଜେକ୍ଟ ବନ୍ଦ କରିଦେଇଛନ୍ତି । ଦାଦାସାହେବ କହିଲେ, ସିରଡ଼ି ନିକଟସ୍ଥ ତାଙ୍କ ନିଜ ଗାଁ କାନକୁରିରେ, ଅନେକଙ୍କ ପାଖରେ ଆଦୌ ଅର୍ଥ ନାହିଁ ଏବଂ ଆଉ ସେମାନେ ବ୍ୟାଙ୍କରୁ ମଧ୍ୟ କୌଣସି ଋଣ ପାଇବେ ନାହିଁ । ସେ ଆହୁରି ମଧ୍ୟ କହିଲେ, ‘‘ଅର୍ଥର ଅଭାବ, ପାଣିର ଅଭାବ, ବଜାରର ଅଭାବ ରହିଛି । ଆମେ ଫସିଯାଇଛୁ । ମୋର ପେନ୍ସନ୍ ଅଛି (ସେ ଜଣେ ଅବସରପ୍ରାପ୍ତ ନୌସେନା କିରାଣୀ) ମୋ ପରିବାର ଚଳାଇବା ପାଇଁ, କିନ୍ତୁ ଅନ୍ୟମାନଙ୍କର କିଛି ବି ନାହିଁ ...।’’