ଜନପ୍ରିୟ ଗରବା ଗାୟନଶୈଳୀରେ ଆଧାରିତ ଏହି ଗୀତ ହେଉଛି ସ୍ଵାଧୀନତା, ପ୍ରତିବାଦ ଓ ଦୃଢ଼ତାର ସଙ୍ଗୀତ। ପୁରୁଷାନୁକ୍ରମେ ଚଳି ଆସୁଥିବା ବ୍ୟବସ୍ଥା ଓ ନିୟମକୁ ଗ୍ରହଣ ନକରି ଗ୍ରାମାଞ୍ଚଳର ନାରୀସମୂହଙ୍କ ପ୍ରକୃତ ସ୍ୱରକୁ ପ୍ରତିଧ୍ଵନିତ କରେ ଏହି ଗୀତ।
କଚ୍ଛ ମହିଳା ବିକାଶ ସଂଗଠନ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇଥିବା ନାରୀମାନଙ୍କ ସହ ସଂଯୁକ୍ତ ଭାବେ ଏହି ଗୀତ ନାରୀମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କଚ୍ଛରେ ପ୍ରଚଳିତ ଏକାଧିକ ଭାଷା ମଧ୍ୟରୁ ଗୁଜରାଟୀ ଭାଷାରେ ଲିଖିତ।
ନିର୍ଦ୍ଦିଷ୍ଟ ଭାବେ କେଉଁ ବର୍ଷ ବା କେଉଁମାନେ ଏହି ଗୀତକୁ ଲେଖିଥିଲେ ତାହା ଜାଣିବା କଷ୍ଟକର କଥା। ତେବେ ଯାହା ଶୁଣିବାକୁ ମିଳେ ସେଥିରୁ ନିଃସନ୍ଦେହରେ ଜଣାପଡ଼େ ଯେ ସମ୍ପତ୍ତି ଉପରେ ସମାନ ଅଧିକାର ଦାବିରେ ନାରୀମାନଙ୍କର ଏହା ଏକ ଦୃଢ଼ ସ୍ୱର।
ପ୍ରକୃତରେ କେଉଁ ପରିପ୍ରେକ୍ଷୀରେ ଏହି ଗୀତଟି ପ୍ରସ୍ତୁତ ହୋଇଥିଲା ତାହା ହୁଏତ ଜାଣିବା କଷ୍ଟକର, ତେବେ ନାରୀମାନଙ୍କ ଭୂମି-ଅଧିକାର ଓ ଜୀବିକା ସମସ୍ୟାକୁ ନେଇ ସାରା ଗୁଜୁରାଟରେ, ବିଶେଷ କରି କଚ୍ଛ ଅଞ୍ଚଳରେ ଆୟୋଜିତ ଆଲୋଚନା ଓ ଶିବିରଗୁଡ଼ିକର ଆମ ପାଖରେ ଥିବା ରେକର୍ଡ ଅନୁଯାୟୀ ତାହା ୨୦୦୩ ମସିହା ପାଖାପାଖି ହୋଇଥିବ। କୃଷି ଉତ୍ପାଦନ କ୍ଷେତ୍ରରେ ନାରୀମାନଙ୍କ ଯୋଗଦାନ ଓ ଜମି ଉପରେ ସେମାନଙ୍କ ଅଧିକାର ମଧ୍ୟରେ ଥିବା ଚରମ ତାରତମ୍ୟକୁ ଦୃଷ୍ଟିରେ ରଖି ସେତେବେଳେ ନାରୀମାନଙ୍କ ଅଧିକାର ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବାକୁ ପ୍ରଚାର କରାଯାଉଥିଲା। ତେବେ ଆମେ ନିଶ୍ଚିତ ନୁହଁ କି ଯେ ଏହି କଥା ସବୁ ଆଲୋଚନା କରାଯାଇ ଗୀତଟି ପ୍ରସ୍ତୁତ ହୋଇଥିବ।
ସେ ଯାହା ବି ହୋଇଥାଉନା କାହିଁକି ଗୀତଟି ଏହା ଭିତରେ ଆଞ୍ଚଳିକତାର ସୀମାକୁ ଅତିକ୍ରମ କରିଯାଇଛି। ଅଧିକାଂଶରେ ଲୋକଗୀତଗୁଡ଼ିକ କ୍ଷେତ୍ରରେ ଗାୟକମାନେ ସେମାନଙ୍କ ଶ୍ରୋତାମାନଙ୍କ ମନକୁ ଟାଣି ରଖିବାକୁ ଯେଉଁ ଭଳି କିଛି ଧାଡ଼ି ଯୋଡ଼ି କି ବଦଳାଇ କିମ୍ବା ଖଞ୍ଜି ଦେଲା ପରି ପ୍ରସାର କାଳରେ ଏହି ଗୀତଟି ମଧ୍ୟ ସେହି ଭଳି ବାଟ ଦେଇ ଯାଇଛି। ଏଠାରେ ଉପସ୍ଥାପିତ ଗୀତଟିର ରୂପ ନକ୍ଷତ୍ର ତାଲୁକାର ନନ୍ଦୁବା ଜାଡ଼େଜାଙ୍କ ଦ୍ଵାରା ପ୍ରସ୍ତୁତ ହୋଇଛି।
ଏହି ଗୀତଟି ୨୦୦୮ରେ ଆରମ୍ଭ ହୋଇଥିବା କମ୍ୟୁନିଟି ରେଡିଓ ସୁରବାଣୀ ଦ୍ଵାରା ରେକର୍ଡ କରାଯାଇଥିବା ସମୁଦାୟ ୩୪୧ଟି ଗୀତ ମଧ୍ୟରୁ ଗୋଟିଏ। କଚ୍ଛ ମହିଳା ବିକାଶ ସଂଗଠନ ମାଧ୍ୟମରେ ‘ପରୀ’ ପାଖକୁ ଆସିଥିବା ଗୀତଗୁଡ଼ିକର ଏହି ସଂକଳନ ସ୍ଥାନୀୟ ଅଞ୍ଚଳର ଅପାର ସାଂସ୍କୃତିକ, ଭାଷାଗତ ଓ ସାଙ୍ଗିତିକ ଭିନ୍ନତାକୁ ପରିଦୃଷ୍ଟ କରୁଛି। ସଙ୍କଳନଟି କଚ୍ଛ ଅଞ୍ଚଳର ବାଲୁକାମୟ ମରୁଭୂମିରେ କ୍ରମେ ହଜି ଯାଉଥିବା ସଙ୍ଗୀତ ପରମ୍ପରାକୁ ସରଂକ୍ଷିତ କରି ରଖିବାରେ ସାହାଯ୍ୟ କରିବ।



