ନିଜ ଜୀବନର ୭୦ ଦଶକର ଶେଷ ଭାଗରେ ପହଞ୍ଚି ସାରିଥିବା ସେ ଜଣେ ଷ୍ଟ୍ରବେରୀ କୃଷକ। ପୁରୁଣା ମହାବଳେଶ୍ୱରରେ ଥିବା ତାଙ୍କର ତିନି ଏକର କ୍ଷେତରେ ସେ ଖୋଳିଥିବା ଗଭୀର କୂପ ପଥର ଭଳି ଶୁଖିଲା ପଡିଛି। ଚାଷ କାମ ଜାରି ରଖିବା ପାଇଁ ସେ ଓ ତାଙ୍କର ସ୍ତ୍ରୀ ସଂଘର୍ଷ କରୁଛନ୍ତି। ଯେହେତୁ ତାଙ୍କର ବୋରୱେଲରେ ଏବେ ବି କିଛି ପାଣି ଅଛି, ସେମାନେ ଚାଷ ଜାରି ରଖିବାରେ ସମର୍ଥ ହୋଇଛନ୍ତି। ସେହି ଅଳ୍ପ ପାଣି ମଧ୍ୟରୁ ବି ସେ ତାଙ୍କ ଜମିକୁ ଲାଗିକରି ଥିବା ମନ୍ଦିରକୁ ମାଗଣାରେ କିଛି ଦିଅନ୍ତି। ଉକ୍ରଟ ମରୁଡି ତାଙ୍କ ଫସଲକୁ କ୍ଷତି ପହଞ୍ଚାଇଛି କିନ୍ତୁ ତାଙ୍କ ବଦାନ୍ୟତା ଉପରେ କୌଣସି ପ୍ରଭାବ ପଡିନାହିଁ। ତାଙ୍କ ନାଁ ହେଲା ୟୁନୁସ୍ ଇସମାଇଲ୍ ନାଲାବନ୍ଦ ଏବଂ ସେ କ୍ରିଷ୍ଣାମାଇ ମନ୍ଦିରକୁ ବଡ ଆନନ୍ଦର ସହ ପାଣି ଦିଅନ୍ତି, ଯାହାକି ସତାରା ଜିଲ୍ଲାରେ କ୍ରିଷ୍ଣା ନଦୀର ସବୁଠାରୁ ପୁରୁଣା ଉତ୍ସର ଚିହ୍ନ।
ସେ କହନ୍ତି, “ପ୍ରକୃତରେ ଏହା କଣ ମୋର ପାଣି ? ଏହା ସବୁ ଉପରବାଲାର, ନୁହେଁ କି ? ’’ ତାଙ୍କ ସ୍ତ୍ରୀ ରୋସନ ନାଲାବନ୍ଦ ମଧ୍ୟ ସହମତି ପ୍ରକାଶ ସୂଚକ ମୁଣ୍ଡ ହଲାଇଲେ। ରୋସନ୍ ବି ଜୀବନର ୭୦ ଦଶକରେ ପହଞ୍ଚିଛନ୍ତି। ଉଭୟ ଛୋଟ ବାକ୍ସରେ ଷ୍ଟ୍ରବେରୀ ପ୍ୟାକିଂ କରୁଥିଲେ। ରୋସନ କହିଲେ, “ବ୍ୟବସାୟୀମାନେ ଏସବୁ ନେବାକୁ ଆସିବେ, ଅଭାବ ପାଇଁ ଚଳିତବର୍ଷ ମୂଲ୍ୟ ଅଧିକ ଅଛି, କିନ୍ତୁ କମ୍ ପରିମାଣର ଓ କମ୍ ମାନର ଫସଲ ଯୋଗୁଁ ତାହା ସନ୍ତୁଳିତ ହୋଇଯାଇଛି। ’’ କିଭଳି ଜଳ ସଙ୍କଟ ସେମାନଙ୍କୁ ପ୍ରଭାବିତ କରୁଛି, କାମ ବନ୍ଦ ନ କରି ସେମାନେ କଥା ହେଉଥିଲେ। ରୋସନ କେବଳ ଆମକୁ ପାଣି ଦେବାକୁ ବା ଅନ୍ୟ କିଛି ଆବଶ୍ୟକୀୟ ଜିନିଷ ପାଇଁ ପଚାରିବାକୁ ଏକ ମିନିଟ୍ ପାଇଁ ବିରତି ନେଲେ।
ନାଲାବନ୍ଦଙ୍କ ବୋରୱେଲରୁ ପାଣି ଆସିବା ସମୟ ଛାଡିଦେଲେ, କ୍ରିଷ୍ଣାମାଇରେ କୁଣ୍ଡ(ମନ୍ଦିର ଟାଙ୍କି) ସବୁବେଳେ ଖାଲି ଥାଏ। ଏଥର ଟାଙ୍କି ଶୁଖିଲା ହୋଇଗଲା। କ୍ରିଷ୍ଣା ମାଇ ଅଧିକ ଲୋକ ଦେଖିବାକୁ ଆସୁଥିବା ପଞ୍ଚଗଙ୍ଗା ମନ୍ଦିରଠାରୁ ମାତ୍ର କେଇ ମିନିଟ୍ ପାଦଚଲା ରାସ୍ତା ଦୂରରେ ଅଛି। ପଞ୍ଚଗଙ୍ଗା ମନ୍ଦିର କ୍ରିଷ୍ଣା ଏବଂ ଅନ୍ୟ ୪ଟି ନଦୀ କୋୟନା, ବୀନା, ସାବିତ୍ରୀ ଓ ଗାୟତ୍ରୀର ସାଙ୍କେତିକ ଉତ୍ସ। ସେସବୁର ପ୍ରକୃତ ଉତ୍ସ ଗୁଡିକ ଏଠାରୁ ବେଶୀ ଦୂର ନୁହେଁ। ସମ୍ଭବତଃ କ୍ରିଷ୍ଣାମାଇ ହେଉଛି ୱାଇ- ମହାବଳେଶ୍ୱର ଅଞ୍ଚଳର ସବୁଠାରୁ ପୁରୁଣା ମନ୍ଦିର। ଗୋଟିଏ ଛୋଟ ସୁନ୍ଦର ମନ୍ଦିର, ସ୍ଥାନୀୟ ଲୋକେ ନଦୀ ଦେବୀଙ୍କ ଘର ବୋଲି ବିଶ୍ୱାସ କରନ୍ତି।








