ପୂର୍ଣ୍ଣିମା ମିସ୍ତ୍ରୀ ତାଙ୍କ ମାଛଧରା ଜାଲ ସହିତ ରାଇମଙ୍ଗଲ ନଈରୁ ବାହାରନ୍ତି । ତାଙ୍କ ଅଣ୍ଟା ଚାରିପଟେ ପାଣି ଢେଉ ଭାଙ୍ଗୁଥାଏ। ବାଘୁଆ ଚିଙ୍ଗୁଡ଼ି ଯାଆଁଳ ଖୋଜିବାକୁ ନିଜ ପଛଆଡ଼େ ବନ୍ଧା ଜାଲକୁ ଟାଣି ଟାଣି ସେ ନଈକୂଳ ପାଖ ପାଣିରେ ଅଧ ଘଣ୍ଟା ହେଲା ପହଁରୁଥିଲେ ।
ନଈକୂଳରେ ସେ ଜାଲରେ ପଡ଼ିଥିବା ଜିନିଷକୁ ବାଛନ୍ତି । ଚିଙ୍ଗୁଡ଼ି ଯାଆଁଳକୁ ଦଳ, ଘାସପତ୍ର ଓ ଅନ୍ୟ ମାଛରୁ ଅଲଗା କରନ୍ତି । ପ୍ରଖର ଖରାରେ ତାଙ୍କ ଶାଢ଼ି ଓ କେଶ ଶୁଖିବା ଆରମ୍ଭ କରେ। କିନ୍ତୁ ପୂର୍ଣ୍ଣିମାଙ୍କୁ ପୁଣି ନଈକୁ ଯିବାକୁ ହେବ। ସେ କହନ୍ତି, “ମତେ ଆହୁରି ଅଧିକ ଚିଙ୍ଗୁଡ଼ି ଯାଆଁଳ ସଂଗ୍ରହ କରିବାକୁ ହେବ, ଯେମିତି କି ମୁଁ ସେଗୁଡ଼ିକୁ ବିକିପାରିବି । ଏଥିପାଇଁ ଆହୁରି ୨-୩ ଘଣ୍ଟା ଲାଗିବ।”
କାଦୁଅ ଭର୍ତ୍ତି ନଈକୂଳରେ ବସି ଜାଲରେ ପଡ଼ିଥିବା ଜିନିଷକୁ ବାଛିବା ବେଳେ ସେ ଲୁଣିଆ ପାଣି ଓ କାଦୁଅରେ ଘଣ୍ଟା ଘଣ୍ଟା କାଟିବା ଫଳରେ ହେଉଥିବା ଚର୍ମରୋଗ ଓ କୁଣ୍ଡେଇ ହେଉଥିବା ବିଷୟରେ କହନ୍ତି।“ଦେଖନ୍ତୁ ଆମ କାମ କେତେ କଷ୍ଟକର।” ସେ କହନ୍ତି, “ସୁନ୍ଦରବନର ଲୋକେ ଏମିତି ହିଁ ବଞ୍ଚନ୍ତି ଏବଂ ଖାଆନ୍ତି ।”
ଦୁଇଟି ଝିଅ ଓ ଗୋଟିଏ ପୁଅ ସମେତ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଦୁଇ ବର୍ଷ ତଳେ ପୂର୍ଣ୍ଣିମା ଏହି କାମ ଆରମ୍ଭ କରିଥିଲେ। ତାଙ୍କ ସ୍ଵାମୀ ପାଣିକୁ ଭୟ କରନ୍ତି ଏବଂ ମାଛ ଧରିବାକୁ ଯାଇପାରନ୍ତି ନାହିଁ, ଯାହା କି ଏଠାକାର ମୁଖ୍ୟ ବେଉସା। ତେଣୁ ସେ ପନିପରିବା ଚାଷ କରି ଘରେ ବିକ୍ରି କରନ୍ତି।





