ଆପଣ ଯେତେବେଳେ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ତାରାପୀଠ ରେଳ ଷ୍ଟେସନରେ ଓହ୍ଲାଇ ଗ୍ରାଣ୍ଡ୍ ଟ୍ରଙ୍କ୍ ରୋଡ୍ରେ ଯାଆନ୍ତି, ସବୁଆଡ଼େ ଧୂଳି ଭରି ରହିଥାଏ । ପଥର ଖଣ୍ଡ ବୋଝେଇ ବିଶାଳକାୟ ଟ୍ରକ୍ଗୁଡ଼ିକ ରାସ୍ତା ଜାମ୍ କରିଦିଅନ୍ତି, ସେଗୁଡ଼ିକ ପଛେ ପଛେ ଥାଏ ଧୂଳି ଆଉ ଧୂଆଁର ଆସ୍ତରଣ । ଧୂଳି ଭିତର ଦେଇ ଆପଣ କିଛି ଦେଖିପାରିବେନି ଏବଂ ନାକ, ଆଖି ଓ ପାଟିରେ ଧୂଳିକଣା ପଶି ନଯିବା ପାଇଁ ଆପଣଙ୍କୁ କପଡ଼ାରେ ମୁହଁ ଢାଙ୍କି ଦେବାକୁ ପଡ଼ିବ ।
ଏବେ ଆମେ ବୀରଭୂମର ମଲ୍ଲାରପୁର ପଥର ଅଞ୍ଚଳର ଆଦିବାସୀ ଗାଁ ଗରିଆ ଅଭିମୁଖେ ଯାଉଛୁ । ସେଠାରେ, ଉଥନୌ ନାମକ ଏକ ବେସରକାରୀ ସଂଗଠନ, ଆଦିବାସୀ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ କରେ। ମୁଁ ସେହି ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁଛି, ଯେଉଁମାନେ ଏ ଅଞ୍ଚଳର ପଥର କ୍ୱାରୀ ଏବଂ କ୍ରସରରେ କାମ କରନ୍ତି ।
ଗରିଆରେ ମୁଁ ଘାସିରାମ ହେମ୍ବ୍ରମ୍ଙ୍କୁ ଭେଟିଲି । ସେ ଜଣେ ସାମାଜିକ କର୍ମୀ ଏବଂ ଭାରତ ଜାକତ ମାଝି ମଣ୍ଡୁଆ ନାମକ ସାନ୍ତାଳ ଗାଁ ଓ ଆଞ୍ଚଳିକ ମୁଖିଆମାନଙ୍କର ଏକ ସଂଗଠନ ସହ କାର୍ଯ୍ୟ କରନ୍ତି । ସେ ହେବେ ମୋର ପଥ ପ୍ରଦର୍ଶକ । ଲିପିଡ଼ି ଗାଁକୁ ଯିବା ବାଟରେ ଏକାକୀ ଚାଲିଥିବା ଜଣେ ବୃଦ୍ଧାଙ୍କ ସହ ଆମର ଦେଖା ହେଲା । ତାଙ୍କ ଦେହର ରଙ୍ଗ କଳା, କୁଞ୍ଚୁକୁଞ୍ଚିଆ ପାଚିଲା କେଶ, ଖାଲି ପାଦ ଏବଂ ପାଟିରେ ଆଗ ଦାନ୍ତ ନଥିଲା । ଧଳା ରଙ୍ଗର ଶାଢ଼ି ଉପରେ ସେ ଏକ ପୁରୁଣା ଲାଲ ଶାଲ ଘୋଡ଼େଇ ହୋଇଥିଲେ । ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ସେ ଏକୁଟିଆ ରହନ୍ତି । ସେ କହନ୍ତି, ଅଳ୍ପ କିଛି ଟଙ୍କା ପାଇଁ ତାଙ୍କ ପୈତୃକ ଜମିକୁ ଜଣେ କ୍ୱାରୀ ମାଲିକଙ୍କୁ ଦେଇଦେଲା ପରେ ତାଙ୍କ ସ୍ୱାମୀ ଓ ପୁଅମାନେ ତାଙ୍କୁ ଛାଡ଼ି ଦେଇଛନ୍ତି। ଏବେ ସେ ତାଙ୍କ ଘର ବି ହରାଇବାକୁ ଯାଉଛନ୍ତି । କ୍ୱାରୀର ପ୍ରଶସ୍ତ ଖୋଲାମୁହଁ ଦିନକୁ ଦିନ ବିସ୍ତାରିତ ହେଉଛି ଏବଂ ଯେ କୌଣସି ଦିନ ଏହା ତାଙ୍କ କୁଡ଼ିଆକୁ ଗ୍ରାସ କରିବ । ବଞ୍ଚି ରହିବା ପାଇଁ ସେ ଏକ ପଥର କ୍ରସରରେ କାମ କରନ୍ତି; ଟ୍ରକ୍ରୁ ବଡ଼ ବଡ଼ ପଥର ଖଣ୍ଡ ତଳକୁ ଓହ୍ଲାନ୍ତି ଏବଂ ସେଗୁଡ଼ିକୁ ହାତୁଡ଼ିରେ ପିଟି ଖଣ୍ଡଖଣ୍ଡ କରନ୍ତି ।








