ସବୁଦିନ ସକାଳେ, ବ୍ରହ୍ମପୁତ୍ର ନଦୀରେ ଥିବା ବିଭିନ୍ନଚାର୍ ଅର୍ଥାତ୍ ମୃତ୍ତିକା କ୍ଷୟ ଓ ଜଳମଗ୍ନ ପ୍ରବଣ କ୍ଷୁଦ୍ର ଦ୍ଵୀପସମୂହରୁ, ଦେଶୀ ଡଙ୍ଗାରେ ଆସାମର ଧୁବ୍ରି ଜିଲ୍ଲାର ଧୁବ୍ରି ସହରକୁ ବହୁ ଦିନ ମଜୁରିଆ ଆସନ୍ତି । ପଡ଼ୋଶୀ ରାଜ୍ୟ ମେଘାଳୟରୁ ମଧ୍ୟ ଅସ୍ଥାୟୀ ଭେଳା ରୂପରେ ବନ୍ଧା ହୋଇଥିବା ବାଉଁଶ ଖଣ୍ଡଗୁଡ଼ିକ ଭାସି ଭାସି ଆସି ଧୁବ୍ରିରେ ଥିବା ଗଦାଧର ଉପନଦୀ ଏବଂ ବ୍ରହ୍ମପୁତ୍ରର ସଂଗମସ୍ଥଳରେ ପହଞ୍ଚେ ।
କିନ୍ତୁ ଏହି ସଂଗମସ୍ଥଳରେ ଏବେ ଜୀବିକା ଅର୍ଜନରେ ସଂକଟ ଉପୁଜିଛି। ଗତ ଦୁଇ ଦଶନ୍ଧି ଧରି ଚିରା ବାଉଁଶର ଚାହିଦା ହ୍ରାସ ପାଇଛି । ବାଡ଼, ପ୍ୟାନେଲ୍, ବାଉଁଶର କାନ୍ଥ ଏବଂ କାଠର ପ୍ଲାଇବୋର୍ଡ ତିଆରିରେ ଏହି ବାଉଁଶ ବ୍ୟବହୃତ ହୁଏ । କିନ୍ତୁ ଲଗାତର ବନ୍ୟା ଓ ମୃତ୍ତିକାକ୍ଷୟର ମୁକାବିଲା ପାଇଁ ଆସାମର ବିଭିନ୍ନ ଚାର୍ ଏବଂ ଅନ୍ୟାନ୍ୟ ସ୍ଥାନରେ ରହୁଥିବା ଲୋକେ ଏବେ ପାରମ୍ପରିକ କଚ୍ଚାଘର ଏବଂ ବାଉଁଶ ଘର ଛାଡ଼ି, ଟିଣ ଛାତ ଓ ଟିଣ କାନ୍ଥରେ ତିଆରି ଅଭିନବ ଫୋଲ୍ଡିଂ ଘରେ ରହିବା ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗ ଓ ବିହାରରେ ମଧ୍ୟ ଚିରା ବାଉଁଶର ଚାହିଦା ହ୍ରାସ ପାଇଛି, କାରଣ ସେଠାରେ ମଧ୍ୟ ସ୍ଵଳ୍ପ ମୂଲ୍ୟର ଘର ତିଆରିରେ ଇଟା ଓ ଟିଣ ଭଳି ବିକଳ୍ପ ସାମଗ୍ରୀର ବହୁଳ ବ୍ୟବହାର କରାଯାଉଛି ।











