ଚାରି ଦଶକରେ ପ୍ରଥମ ଥର ପାଇଁ ୨୦୧୭ରେ କିଲାରି ନାଗେଶ୍ୱର ରାଓ ନିଜ ଜମିରେ ଧୂଆଁପତ୍ର ଚାଷ ବନ୍ଦ କଲେ। ଏହି ଫସଲରେ ସେ ଗତ ତିନି ବର୍ଷରେ ସେ ୧୫ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି। ଏହି ବୋଝ ସେ ଆଉ ସମ୍ଭାଳିପାରିବେନି।
ତାଙ୍କ ଫସଲର ମୂଲ୍ୟ କମ୍ ହୋଇଗଲା। ଧୂଆଁପତ୍ର ଚାଷର ଖର୍ଚ୍ଚ କିନ୍ତୁ ବଢ଼ିଚାଲିଲା। ୬୦ ବର୍ଷ ବୟସ୍କ ନାଗେଶ୍ୱର ରାଓଙ୍କ ଆକଳନ ଅନୁଯାୟୀ ତାଙ୍କ ଗାଁରେ ଏବେ ସମୁର୍ଦା ୨୪୦୦ ଏକର ଚାଷଜମି ମଧ୍ୟରୁ ଅର୍ଦ୍ଧେକ ପଡ଼ିଆ ପଡ଼ିଛି। ତାଙ୍କ ଗାଁ ମୁଗା ଚିନ୍ଥଲା ପ୍ରକାଶମ୍ ଜିଲ୍ଲାର ପୋଡ଼ିଲି ମଣ୍ଡଳରେ ଅଛି। ସେ କୁହନ୍ତି, “ଚାଷୀମାନେ ଆଉ ଧୂଆଁପତ୍ର ଚାଷ କରୁନାହାନ୍ତି କାରଣ, ଏହା ଆମକୁ କେବଳ କ୍ଷତି ଦେଉଛି। ”
ସମୁଦାୟ ଆନ୍ଧ୍ରପ୍ରଦେଶରେ ୨୦୧୫-୧୬ରେ ୩.୩ ଲକ୍ଷ ଏକର ଜମିରେ ଧୂଆଁପତ୍ର ଚାଷ ହେଉଥିଲା, ୨୦୧୬-୧୭ ବର୍ଷରେ ଏହା ୨.୨୪ ଲକ୍ଷ ଏକରକୁ ହ୍ରାସ ପାଇଛି। ଏହି ଅବଧିରେ ରାଜ୍ୟର ଧୂଆଁପତ୍ର ଉତ୍ପାଦନ ୧୬୭ ଅୟୁତ କିଲୋରୁ ୧୧୦ ଅୟୁତ କିଲୋକୁ ହ୍ରାସ ପାଇଛି ବୋଲି ଜନୈକ ଧୂଆଁପତ୍ର ବୋର୍ଡ ଅଧିକାରୀଙ୍କ ଠାରୁ ଜଣାପଡ଼ିଛି। ଏହା ବୋର୍ଡର ବାର୍ଷିକ ଲକ୍ଷ୍ୟ ୧୩୦ ଅୟୁତ କିଲୋଠାରୁ ଢେର୍ କମ୍। ୧୯୭୦ ଦଶକରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ହୋଇଥିବା ଏହି ବୋର୍ଡର ମୁଖ୍ୟାଳୟ ଗୁଣ୍ଟୁରରେ ଅଛି। ଚାଷୀ ଓ ତମାଖୁ କମ୍ପାନୀ ମଧ୍ୟରେ ବଜାର ମଧ୍ୟସ୍ଥତା ଏହାର ମୁଖ୍ୟ ଭୂମିକା ମଧ୍ୟରେ ସାମିଲ।










