ଏହି ଅଞ୍ଚଳରେ ସର୍ବୋଚ୍ଚ ସ୍ଥାନ ହେଲା ମନ୍ଦିର । ଦେବତା ପାଣିରେ ଅଧାବୁଡ଼ା ଅବସ୍ଥାରେ ଅଛନ୍ତି, ବେକ ଯାଏଁ ପାଣି ଭରିଛି । ଚାରିଆଡ଼େ ପାଣି ! ସ୍ଥାନୀୟ ଲୋକେ ନିକଟରେ କେଉଁଠି ଶୁଖିଲା ଭୂଇଁ ଅଛି ତାର ଅନୁସନ୍ଧାନରେ ଯାଇଛନ୍ତି, ଯେତେବେଳେ କି ପରିବାରର ଜଣେ ଘରକୁ ପହରା ଦେବା ପାଇଁ ରହିଛନ୍ତି । ମନ୍ଦିର ପରିସର ମଧ୍ୟରେ ଥିବା ତିନି ମହଲା ବିଶିଷ୍ଟ ପ୍ରସାଦର ସବୁଠାରୁ ଉପର ମହଲାରେ 67 ଜଣ ପିଲା ଓ 356 ଜଣ ବୟସ୍କ ଅଛନ୍ତି । ଗୃହପାଳିତ ପଶୁ ଯେପରିକି କୁକୁର, ବିଲେଇ, ଛେଳି ଓ ପକ୍ଷୀ ମଧ୍ୟ ଅଛନ୍ତି ।


Alappuzha, Kerala
|TUE, SEP 25, 2018
‘ଧୀରେ, ଧୀରେ ବଢ଼ିଲା ପାଣି’
କେରଳରେ ନିକଟରେ ହୋଇଥିବା ବନ୍ୟାରେ, ଆଲାପୁଝା ରିଲିଫ୍ କ୍ୟାମ୍ପରେ ଶିଶୁମାନେ । i
Author
Translator
ଏହା ହେଉଛି 1924ର ମହାବନ୍ୟା ଉପରେ ଲିଖିତ ଥାକାଜୀ ଶିବଶଙ୍କର ପିଲ୍ଲାଇଙ୍କ କ୍ଷୁଦ୍ର କାହାଣୀ ‘ଦି ଫ୍ଲଡ୍’ର କେତେକ ପ୍ରାରମ୍ଭିକ ଧାଡ଼ି ।
ଏବଂ ପିଲାମାନଙ୍କ ଦ୍ଵାରା ଅଙ୍କାଯାଇଥିବା ଚିତ୍ରରେ, ଆକାଶରୁ ଖସିଥିବା ବର୍ଷା, ନଦୀରେ ପ୍ରବାହିତ ଜଳ, ପାଣି ଘେରରେ ଘର ଏବଂ ଚାଷ କ୍ଷେତ ସବୁ ଦେଖାଯାଇଛି । ସେମାନଙ୍କର ଏ ଚିତ୍ର ସେମାନେ ଦେଖିଥିବା ଭୟାନକ ବନ୍ୟା ବାବଦରେ ବ୍ୟାଖ୍ୟା କରୁଥିଲା ।
ଚଳିତବର୍ଷ ଜୁଲାଇ-ଅଗଷ୍ଟ ମାସରେ ଅତ୍ୟଧିକ ବର୍ଷା ଯୋଗୁଁ କେରଳରେ ଶତାବ୍ଦୀର ସବୁଠାରୁ ଭୟଙ୍କର ବନ୍ୟା ପରେ ଏହି ଚିତ୍ର ସବୁ ପୁଣି ଥରେ 100 ବର୍ଷ ପରେ ଅଙ୍କାଯାଇଛି ।

V. Sasikumar

V. Sasikumar
ଯେତେବେଳେ କୁଟ୍ଟନାଡ୍ ଅଞ୍ଚଳରେ (କେରଳର ଆଲାପୁଝା, କୋଟ୍ଟୟାମ ଏବଂ ପଠାନମଥିଟ୍ଟା ଜିଲ୍ଲା ଅଞ୍ଚଳ) ପ୍ରଥମେ ଜୁଲାଇ ମଧ୍ୟ ଭାଗରେ ପ୍ରଥମେ ବନ୍ୟା ପ୍ଲାବିତ ହେଲା, ସେତେବେଳେ ପାଣି ବଢ଼ିବାକୁ ଲାଗିଲା, ଚାରିଆଡ଼େ କାଦୁଅ ଭରିଗଲା, ଆଉ ପରିବେଶ ଥିଲା ଭୟାନକ । ସ୍କୁଲ ଓ ସରକାରୀ ଅଫିସ୍ ସବୁ ପାଲଟିଲା ରିଲିଫ୍ କ୍ୟାମ୍ପ୍ ।
ଜୁଲାଇ 28 ତାରିଖରେ ମୁଁ କାର୍ଥିକାପାଲ୍ଲୀ ତାଲୁକା ଅଧୀନ ମହାଦେବୀକାଡ୍ ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ରିଲିଫ୍ କ୍ୟାମ୍ପକୁ ଯାଇଥିଲି । ଦୀର୍ଘ ବର୍ଷ ତଳେ ଏହି ସ୍କୁଲରେ ମୁଁ ପାଠ ପଢ଼ିଥିଲି; 2018 ଜୁଲାଇ –ଅଗଷ୍ଟ ମାସରେ, ଏହି ସ୍କୁଲ 362 ବନ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ପାଲଟିଲା ଆଶ୍ରୟ ସ୍ଥଳ।
କ୍ୟାମ୍ପରେ ଆଶ୍ରୟ ନେଇଥିବା ଲୋକଙ୍କ ଭିତରେ ଥିଲେ ନିକଟସ୍ଥ ଗାଁର କୃଷି ଶ୍ରମିକମାନଙ୍କର 23 ଜଣ ପିଲା । ଏହି କ୍ୟାମ୍ପ ଭଳି ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଦାସ ଥିଲେ । ପରଦିନ ମୁଁ ସ୍କୁଲକୁ ଚିତ୍ର କରିବା ସାମଗ୍ରୀ ନେଇ ଆସିଲି । ମୁଁ କାଗଜ ସିଟ୍, କଲମ ଓ କ୍ରେୟନ୍ ପିଲାଙ୍କୁ ବାଣ୍ଟିବା ବେଳେ ସେମାନେ ଆଗ୍ରହର ସହ ମୋତେ ଘେରିଗଲେ । ସଙ୍ଗେ ସଙ୍ଗେ ସେମାନେ ଘର, କୃଷି କ୍ଷେତ୍ର, ସୂର୍ଯ୍ୟ, ପକ୍ଷୀ, ଗଛ, ବାଦଲ, ପ୍ରଜାପତି, ମଣିଷ ଓ ପାଣି ଆଦି ଆଙ୍କିଲେ ଏବଂ ରଙ୍ଗ ଦେଲେ । ସେମାନଙ୍କ ପିଲା ଏମିତି ଆଙ୍କୁଥିବା ଦେଖି କେତେକ ମା’ କାନ୍ଦି ପକାଇଲେ ।

V. Sasikumar

V. Sasikumar
ଓନମ ପର୍ବ ଦିନ ଅଗଷ୍ଟ 24 ତାରିଖରେ ଆମେ ସ୍କୁଲ କାନ୍ଥରେ ପିଲାମାନଙ୍କର ଚିତ୍ରକୁ ଟଙ୍ଗାଇଲୁ, ଚଳିତ ବର୍ଷ ନିରବ ଓ ଉଦାସ ହୋଇଯାଇଥିବା ଏହି ପର୍ବ ଦିନରେ ଏ ରଙ୍ଗୀନ ଚିତ୍ର ସବୁ କିଛି ମାତ୍ରାରେ ଆଲୋକ ଭରିଦେଲା ।
ପିଲାମାନେ ମଧ୍ୟ ବନ୍ୟା ବିଷୟରେ ଲେଖିଥିଲେ । ସେମାନଙ୍କର ଡାଏରୀରେ ମାଲାୟଲୀ ଭାଷାରେ ଲିଖିତ କିଛି ରଚନାର ଏହା ହେଉଛି ଇଂରାଜୀ ଅନୁବାଦ:
ବନ୍ୟାର ଡାଏରୀ
‘ଆମ ଚାରି ପଟରୁ ଧୀରେ ଧୀରେ ପାଣି ଆମକୁ ଘେରିବାକୁ ଲାଗିଲା । ଏହା ଆମ ଘର ଓ ଛକ ଯାଏଁ ପହଞ୍ଚିଗଲା । ଉଦ୍ଧାରକାରୀ ଦଳ ଗୋଟିଏ ବଡ଼ ମାଛଧରା ଡଙ୍ଗା ନେଇ ଆସିଲେ ଏବଂ ଆମ ସମସ୍ତଙ୍କୁ ଉଦ୍ଧାର କଲେ । ଆମ ଘର ଛାଡ଼ିବାକୁ ଆମର ଇଚ୍ଛା ନ ଥିଲା, କିନ୍ତୁ ଆମେ ଭୟ କରୁଥିଲୁ ଯେ ପାଣି ହୁଏତ ଆହୁରି ଅଧିକ ବଢ଼ିଯିବ । ତେଣୁ ଆମେ ଉଦ୍ଧାରକାରୀ ଦଳଙ୍କ ସହ ଆସିଲୁ । ଆମକୁ ପାଇପ୍ପାଡ୍ ପୋଲ ପାଖରେ ଓହ୍ଲାଇ ଦିଆଗଲା । ସେଠାରୁ ଆମେ କେଏସ୍ଆର୍ଟିସି(କର୍ଣ୍ଣାଟକ ରାଜ୍ୟ ପରିବହନ ନିଗମ)ର ବସ୍ରେ ଚଢ଼ିଲୁ ଏବଂ ମହାଦେବୀକାଡ୍ ସ୍କୁଲ ପାଖରେ ଓହ୍ଲାଇଲୁ । ଏଠାରେ ଓହ୍ଲାଇବା ପରେ ଆମକୁ ଖାଦ୍ୟ ଓ ପୋଷାକ ଦିଆଗଲା । ଆମେ ଖାଇ ଶୋଇ ପଡ଼ିଲୁ । ପରଦିନ, ଜଳଖିଆରେ ଆମକୁ ଉପମା ଏବଂ ମଧ୍ୟାହ୍ନ ଭୋଜନରେ ଭାତ ଦିଆଗଲା । ରାତିରେ ବି ଆମେ ଭାତ ଖାଇଲୁ ଓ ପୁଣି ଶୋଇପଡ଼ିଲୁ । ଆମକୁ ସବୁବେଳେ ଖାଦ୍ୟ ମିଳୁଥିଲା । ଏବଂ କ୍ୟାମ୍ପରେ ଆମେ ଖୁସିରେ ରହିଲୁ ।’
ଆଲାପୁଝା ଜିଲ୍ଲା ହରିପାଡ୍ ବ୍ଲକ୍ ଅଧୀନ ଚେରୁଥାନ୍ନା-ଆୟାପ୍ରାମ୍ପୁ ଗାଁରୁ ଆସିଥିବା 13 ବର୍ଷର ଅଭିଜିତ୍ ଏସ୍ ଏହା ଲେଖିଛନ୍ତି ।
V. Sasikumar

V. Sasikumar

V. Sasikumar

V. Sasikumar
‘ସ୍ଵାଧୀନତା ଦିବସ ଦିନ ମୋ ଘର ବନ୍ୟା ପାଣିରେ ବୁଡ଼ିଗଲା । ଘର ଭିତରୁ ପାଣି ପଶିବା ବେଳକୁ, ମୁଁ ଛୁଟି ଦିନକୁ ନେଇ ଖୁବ୍ ଖୁସି ଥିଲି । ମୋ ବାପା ମା’ ବନ୍ୟା ପାଣିରୁ ଉପରେ ସୁରକ୍ଷିତ ସ୍ଥାନରେ ଘର ଜିନିଷ ସବୁକୁ ରଖିଲେ । କିନ୍ତୁ ଯେତେବେଳେ ଆମ ଖଟ ବୁଡ଼ିଗଲା ଆମେ ଆମର ସମ୍ପର୍କୀୟଙ୍କ ଘରୁ ଚାଲିଗଲୁ, ଯାହା ଏକ ଉଚ୍ଚା ସ୍ଥାନରେ ଥିଲା । କିନ୍ତୁ ସେଠାକୁ ବି ଶୀଘ୍ର ବନ୍ୟା ଆସିଗଲା । ଆମେ ଯେତେବେଳେ ସେ ସ୍ଥାନ ଛାଡ଼ିଲୁ ସେତେବେଳେ ପାଣି ବେକ ଯାଏଁ ହୋଇସାରିଥିଲା । ଆମେ ଯେତେବେଳେ ଚେରୁଥାନା ନଦୀ ପାଖରେ ପହଞ୍ଚିଲୁ, ସେଠାରେ ଆମର ପଡ଼ୋଶୀମାନେ ପୋଲ ଉପରେ ଉଦ୍ଧାରକାରୀ ନୌକାକୁ ଅପେକ୍ଷା କରିଥିବା ଦେଖିଲୁ । ନୌକାରେ ବସି ଆସିବା ଖୁବ୍ ଭୟଙ୍କର ଥିଲା ଏବଂ ମୁଁ ଭୟରେ କାନ୍ଦି ପକାଇଲି। ଚେରୁଥାନା ପୋଲ ନିକଟରୁ, ଆମେ ବସ୍ରେ ଚଢ଼ିଲୁ ଏବଂ ଏହି ସ୍କୁଲରେ ପହଞ୍ଚିଲୁ ।’
ଆଲାପୁଝା ଜିଲ୍ଲା ହରିପାଡ ବ୍ଲକ୍ ଅଧୀନ ଚେରୁଥାନା ଗାଁର 10 ବର୍ଷର ଅତୁଲ ମୋହନ
‘ବନ୍ୟା ଆମକୁ ବହୁ ସମସ୍ୟା ଦେଇଛି । ଆମ ଘରର ସବୁ ଜିନିଷ ଏବେ ପାଣି ତଳେ।’
ଆଲାପୁଝା ଜିଲ୍ଲା ହରିପାଡ୍ ବ୍ଲକ୍ ଅଧୀନ ଚେରୁଥାନା ଗାଁର 10 ବର୍ଷର ଅଭିଜିତ୍ ପି.

V. Sasikumar

V. Sasikumar

V. Sasikumar

V. Sasikumar
‘‘ଆମ ଘର ବନ୍ୟାରେ ବୁଡ଼ିଥିଲା, ମୁଁ ଅଗଷ୍ଟ 15ରେ ସ୍କୁଲକୁ ଯାଇପାରିଲି ନାହିଁ । ମୁଁ ଭାବିଲି ପାଣି ସ୍ତର କମି ଆସିବ । କିନ୍ତୁ ସେମିତି ହେଲା ନାହିଁ । ପାଣି ଧୀରେ ଧୀରେ ଅଧିକ ବଢ଼ିବାରେ ଲାଗିଲା । ସଂଧ୍ୟାରେ ବି ସ୍ଥିତି ସେହିଭଳି ଥିଲା । ଆମର ଭାଗ୍ୟ ଭଲ ଥିଲା ଯେ ରାତିରେ ପାଣି ବଢ଼ିଲା ନାହିଁ । ପରଦିନ ସକାଳ 6ଟାରେ ଆମ ଘର ଭିତରକୁ ବନ୍ୟା ପାଣି ପୁଣି ପଶିବାକୁ ଲାଗିଲା। ପ୍ରଥମେ ଆମ ରୋଷେଇ ଘରେ ପାଣି ପଶିଲା, ତା ପରେ ହଲ୍, କୋଠରୀଗୁଡ଼ିକୁ ଏହିପରି ସବୁଆଡେ ବ୍ୟାପିଗଲା । ଯେତେବେଳେ ଆମର ଦ୍ଵିତୀୟ କୋଠରୀର ଅଧା ପାଣି ଭର୍ତ୍ତି ହୋଇଗଲା, ଆମେ ଜେଜେବାପାଙ୍କ ସାନ ଭାଇଙ୍କ ଘରକୁ ଚାଲିଗଲୁ। ଆମେ ସେଠାରେ ଦୁଇ-ତିନି ଦିନ ଧରି ରହିଲୁ । ତୃତୀୟ ଦିନ, ଆମର ସମ୍ପର୍କୀୟମାନେ ପହଞ୍ଚିଲେ । ସେହିଦିନ ସଂଧ୍ୟାରେ, ମୋ ବାପାଙ୍କ ଭାଇଙ୍କର ଘର ବି ବନ୍ୟାରେ ବୁଡ଼ିଗଲା । ଆମେ ସମସ୍ତେ ଦୁଇଟି ବ୍ୟାଚ୍ରେ ଉଦ୍ଧାରକାରୀ ଦଳଙ୍କ ବୋଟ୍ରେ ଚେରୁଥାନା ପୋଲ ପାଖକୁ ଗଲୁ । ଆମକୁ ପାୟିପଡ୍ ପୋଲ ନିକଟରେ ଛାଡ଼ି ଦିଆଗଲା । ତା ପରେ ଆମେ କେଏସ୍ଆର୍ଟିସି ବସ୍ରେ ଚଢ଼ିଲୁ । ଆମେ ଯେତେବେଳେ (ମହାଦେବୀକାଡ଼ ସ୍କୁଲରେ) ପହଞ୍ଚିଲୁ ସେଠାରେ କେହି ନ ଥିଲେ । କ୍ୟାମ୍ପରେ ଆମେ ପ୍ରଥମ ଲୋକ ଥିଲୁ । ଆମେ ଶୋଇବା ପାଇଁ ସ୍ଥାନ ପାଇଲୁ । କିଛି ସମୟ ପରେ ଆମେ ଆପ୍ପମ୍ ଓ ମାଂସ ତରକାରୀ ଖାଇବାକୁ ପାଇଲୁ । ରାତିରେ କେହି ଶୋଇପାରିଲେ ନାହିଁ । ’’
ଆଲାପୁଝା ଜିଲ୍ଲା ହରିପାଡ୍ ବ୍ଲକ୍ ଅଧୀନ ଚେରୁଥାନା-ଆୟାପରମ୍ପୁ ଗାଁ 14 ବର୍ଷର ଆକାଶ ଏମ୍ ଏହା କହିଲେ ।
V. Sasikumar

V. Sasikumar
‘‘ଆମ ଘର ବନ୍ୟା ପ୍ରଭାବିତ ହେବାର ମାସେ(ଜୁଲାଇରେ)ରୁ ଅଧିକ ହେଲାଣି । ଆମେ ନିକଟରେ ଏକ ଘରେ ରହିଛୁ । ଚଳିତ ମାସ(ଅଗଷ୍ଟ) 17 ତାରିଖରେ, ସେହି ଘର ମଧ୍ୟ ବନ୍ୟା ପାଣିରେ ବୁଡ଼ିଗଲା । ବହୁ କଷ୍ଟରେ ଆମେ ସେଠାରେ ରାତିରେ ରହିଲୁ । ପରଦିନ ସକାଳେ, ଆମେ ଦେଖୁଥିଲୁ ଆଉ ପାଣି ସ୍ତର ବଢ଼ିଗଲା । ଭୟରେ ଆମେ ସମସ୍ତେ କାନ୍ଦିବାକୁ ଆରମ୍ଭ କଲୁ । ତା ପରେ ପୋଲିସ୍ ଅଙ୍କଲମାନେ ଗୋଟିଏ ବଡ଼ ଗାଡ଼ି ନେଇ ଆମକୁ ଉଦ୍ଧାର କରିବାକୁ ଆସିଲେ । ସେମାନେ ଆମକୁ କାଲାରକୋଡ ନାମକ ସ୍ଥାନରେ ଓହ୍ଲାଇ ଦେଲେ । କେଉଁଠିକୁ ଯିବୁ ସେ ନେଇ ଆମେ ଚିନ୍ତିତ ଥିଲୁ । ଆପ୍ପି(ଆଣ୍ଟି) ଆମକୁ କାୟାମକୁଲମ୍ରେ ଥିବା ତାଙ୍କ ଘରକୁ ପଠାଇ ଦେବାକୁ କହିଲେ । ତେଣୁ ଆମେ ଗୋଟିଏ ବଡ଼ ଗାଡ଼ିରେ ବସି ସେଠାକୁ ଗଲୁ । ଏବଂ କ୍ୟାମ୍ପ ପରିଚାଳନା କରୁଥିବା ସେହି ମହିଳା ଆମକୁ ଏହି ସ୍କୁଲକୁ ପଠାଇଲେ । ସେବେଠାରୁ ଏବେ ଯାଏଁ ଆମେ କୌଣସି ଅସୁବିଧାର ସାମ୍ନା କରିନାହୁଁ।’’
- ଆଲାପୁଝା ଜିଲ୍ଲା ଚମ୍ପାକୁଲମ୍ ବ୍ଲକ୍ ଅଧୀନ ନିଡୁମୁଡି ଗାଁ 9 ବର୍ଷର ଅଶ୍ଵଥି ବାଇଜୁ ଏହା କହିଲେ ।
V. Sasikumar

V. Sasikumar
ଉପର(ବାମରୁ ଡାହାଣ) ଅକ୍ଷୟ ଆର୍, ଆକାଶ ଆର୍, ଅଭିନବ ପି, ଅଭିଷେକ, ଆରୋମାଲ୍ ପ୍ରଦୀପ, ଆଧିରଥ, ଅଶ୍ଵଥି ବାଇଜୁ ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଧୀରେ-ଧୀରେ-ବଢ଼ିଲା-ପାଣି

