ହାଜେଲବ୍ଲାଦ୍ ପୁରସ୍କାର ବିଜୟୀ ଫଟୋଗ୍ରାଫର ଦୟନିତା ସିଂଙ୍କ ସହଯୋଗରେ ‘ପରୀ’ ସହ ସଂଯୁକ୍ତ ଭାବେ ପ୍ରତିଷ୍ଠା କରାଯାଇଛି ଦୟନିତା ସିଂ-ପରୀ ବୃତ୍ତଚିତ୍ର ଫଟୋଗ୍ରାଫି ପୁରସ୍କାର


SANGUR, PUNJAB
|FRI, SEP 09, 2022
ଦୟନିତା ସିଂ-ପରୀ ବୃତ୍ତଚିତ୍ର ଫଟୋଗ୍ରାଫି ପୁରସ୍କାର ବିଜେତା ପଲାନି କୁମାର
Author
Translator

ପ୍ରଥମ ଦୟନିତା ସିଂ-ପରୀ ପ୍ରାମାଣିକ ଫଟୋଗ୍ରାଫି ପୁରସ୍କାର ରୂପେ ୨ ଲକ୍ଷ ଟଙ୍କାର ପୁରସ୍କାର ବିଜେତା ହୋଇଛନ୍ତି ପିପୁଲ୍ସ’ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆର ଏମ. ପଲାନି କୁମାର।
୨୦୨୨ ପାଇଁ ଦୟନିତା ସିଂ ସାରା ବିଶ୍ଵରେ ଫଟୋଗ୍ରାଫି କ୍ଷେତ୍ରରେ ସର୍ବଶ୍ରେଷ୍ଠ ମାନ୍ୟତା ଦିଆଯାଉଥିବା ହାଜେଲବ୍ଲାଦ୍ ପୁରସ୍କାର ପାଇଲା ପରେ ଏଭଳି ପୁରସ୍କାର ବ୍ୟବସ୍ଥା କରିବା କଥା ମନକୁ ଆସିଲା। ସ୍ଵୟଂ-ପ୍ରଶିକ୍ଷିତ ପଲାନି କୁମାରଙ୍କ ଫଟୋଗ୍ରାଫଗୁଡ଼ିକରେ ଉଦ୍ଦେଶ୍ୟ, ବିଷୟବସ୍ତୁ, ଭାବ ଓ ପ୍ରାମାଣିକତାର ବୈଶିଷ୍ଟ୍ୟ ଦୟନିତାଙ୍କୁ ଅତି ମାତ୍ରାରେ ଆକୃଷ୍ଟ କଲା।
ଦୟନିତାଙ୍କ ଦୃଷ୍ଟିରେ ସମାଜର ଶୋଷିତ ବର୍ଗର ଲୋକମାନଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ ଧ୍ୟେୟ ରଖିଥିବା ତଥା ପ୍ରାମାଣିକ ଫଟୋଗ୍ରାଫି କ୍ଷେତ୍ରରେ ଏକମାତ୍ର ସଂସ୍ଥା ରୂପେ କାର୍ଯ୍ୟ କରୁଥିବା ପିପୁଲ୍ସ’ ଆର୍କାଇଭ ଅଫ୍ ରୁରାଲ୍ ଇଣ୍ଡିଆ ବା ‘ପରୀ’ ସହଯୋଗରେ ସେ ଏହି ପୁରସ୍କାର ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଚାହିଁଲେ।
ପଲାନି କୁମାର ହେଉଛନ୍ତି ‘ପରୀ’ର ପ୍ରଥମ ପୂର୍ଣ୍ଣ-କାଳ ଫଟୋଗ୍ରାଫର (ତାଙ୍କ ସହ ଆମେ ୬୦୦ରୁ ଅଧିକ ସୁଟିଙ୍ଗ କାମ କରିଛୁ)। ‘ପରୀ’ରେ ସ୍ଵତନ୍ତ୍ର ଭାବେ ସ୍ଥାନିତ କରାଯାଉଥିବା ତାଙ୍କର ଫଟୋଗ୍ରାଫଗୁଡ଼ିକ ସଫେଇ କର୍ମଚାରୀ, ସାମୁଦ୍ରିକ ଦଳ ସଂଗ୍ରହ କରୁଥିବା ଗୋଷ୍ଠୀ ଓ କୃଷି ଶ୍ରମିକଙ୍କ ଭଳି ସମାଜ ହୀନଦୃଷ୍ଟିରେ ଦେଖୁଥିବା ଏକାଧିକ ଶ୍ରମିକ ଶ୍ରେଣୀର ଜୀବନ ଜିଜୀବିଷା ଉପରେ ଆଧାରିତ। ସମ୍ବେଦନଶୀଳତା ଦ୍ଵାରା ପ୍ରେରିତ ତାଙ୍କର ଦୃଢ଼ ସାମାଜିକ ନୈତିକତା ତଥା କଳା କୌଶଳର ଦକ୍ଷତା ଯୋଗୁଁ ଫଟୋଗ୍ରାଫି କ୍ଷେତ୍ରରେ ବହୁତ କମ୍ ଲୋକ ତାଙ୍କର ସମକକ୍ଷ ହୋଇପାରିବେ।

M. Palani Kumar
ଦକ୍ଷିଣ ତାମିଲନାଡ଼ୁର ଟୁଥୁକୁଡି ଜିଲ୍ଲାରେ ୨୫,୦୦୦ ଏକର ଜମିରେ ଥିବା ଲୁଣାମରା ଖାଲଗୁଡ଼ିକରେ ଅଳ୍ପ ପାରିଶ୍ରମିକ ପାଇ କଠିନ ଝାଳବୁହା କାମ କରୁଥିବା ସଂଖ୍ୟାଧିକ ମହିଳାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଣୀ। ଠାରୁ: ଟୁଥୁକୁଡି ଲୁଣାମରା ଖାଲର ରାଣୀ

M. Palani Kumar
ସାମୁଦ୍ରିକ ଦଳ ସଂଗ୍ରହ କରିବାକୁ ଏ. ମୁକୁପୋରି ମାତ୍ର ଆଠ ବର୍ଷ ବୟସରୁ ସମୁଦ୍ର-ବୁଡ଼ାଳି ଭାବେ କାମ କରି ଆସୁଛନ୍ତି। ତାମିଲନାଡ଼ୁସ୍ଥିତ ଭାରତୀନଗରରେ ଏଭଳି ଏକ ପାରମ୍ପରିକ ତଥା ଅସାଧାରଣ ବୃତ୍ତି ରୂପେ ଗ୍ରହଣ କରିଥିବା ଏକାଧିକ ମତ୍ସ୍ୟଜୀବୀ ମହିଳାଙ୍କର ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ଜୀବିକା ଅର୍ଜନ କଷ୍ଟକର ହୋଇଯାଇଛି। ଠାରୁ: ଅଶାନ୍ତ ସମୁଦ୍ରରେ ତାମିଲନାଡ଼ୁର ସାମୁଦ୍ରିକ ଦଳ ସଂଗ୍ରହକାରୀ

M. Palani Kumar
୭୦ରୁ ଅଧିକ ବୟସର ଗୋବିନ୍ଦାମ୍ମାର ବୃତ୍ତି ହେଉଛି ବକିଂହାମ କେନାଲ ପାଣିରୁ ଚିଙ୍ଗୁଡ଼ି ଧରିବା ଓ ପାଟିରେ ଚାପି ରଖିଥିବା ଝୁଡ଼ିରେ ସଂଗ୍ରହ କରିବା। ଦୃଷ୍ଟିଶକ୍ତି କମିଯିବା ଓ ଖଣ୍ଡିଆଖାବରା ହେବା ସତ୍ତ୍ୱେ ପରିବାର ପ୍ରତିପୋଷଣ ପାଇଁ ସେ କାମ କରି ଚାଲିଛନ୍ତି। ଠାରୁ: ଗୋବିନ୍ଦାମ୍ମା: ‘ମୋ ଜୀବନ ସାରା ପାଣିରେ କାଟି ଆସୁଛି’

M. Palani Kumar
ତାମିଲନାଡ଼ୁର କାରୁର ଜିଲ୍ଲାର କାବେରୀ ନଦୀ କୂଳରେ କୋରାଇ ଜମିରେ କାମ କରୁଥିବା ଏକାଧିକ ମହିଳା ଶ୍ରମିକଙ୍କ ମଧ୍ୟରୁ ମାରିୟାୟି ଜଣେ। ସ୍ୱଳ୍ପ ପାରିଶ୍ରମିକ ଓ କଷ୍ଟକର କାମ ସହ ସେମାନଙ୍କ ସ୍ଵାସ୍ଥ୍ୟହାନି ମଧ୍ୟ ହେଉଛି। ଠାରୁ: ‘ଏହି କୋରାଇ ଜମି ହେଉଛି ମୋର ଦ୍ଵିତୀୟ ଘର’

M. Palani Kumar
ଘରେ ରୋଷେଇ ପାଇଁ ସାଧାରଣ ଜିନିଷ କିଣିବାକୁ ତାମିଲନାଡ଼ୁର ଟୁଥୁକୁଡି ଜିଲ୍ଲାର ଲୁଣାମରା ଖାଲରେ ପ୍ରଚଣ୍ଡ ଖରାରେ କାମ କରୁଥିବା ଜଣେ ଶ୍ରମିକ - କଷ୍ଟଦାୟକ କର୍ମକ୍ଷେତ୍ର। ଠାରୁ: ଟୁଥୁକୁଡି ଲୁଣାମରା ଖାଲର ରାଣୀ

M. Palani Kumar
ତାମିଲନାଡ଼ୁର ହାତଗଣତି କୋମ୍ବୁ କଳାକାରଙ୍କ ମଧ୍ୟରୁ ପି॰ ମଗରାଜନ ହେଉଛନ୍ତି ଅନ୍ୟତମ। ହାତୀ-ଶୁଣ୍ଢ-ଆକାରର ଏହି ବିଶାଳ ବାୟୁଚାଳିତ ବାଦ୍ୟଯନ୍ତ୍ର ସାରା ରାଜ୍ୟରୁ ଲୋପ ପାଇ ଆସୁଥିଲା ବେଳେ ଏହି କଳାକାରମାନଙ୍କ ସଂଖ୍ୟା ଓ ସେମାନଙ୍କ ରୋଜଗାର ମଧ୍ୟ କମି କମି ଯାଉଛି। ଠାରୁ: ମଦୁରାଇରେ ନିଶବ୍ଦତା ବଜାଉଛି କୋମ୍ବୁ

M. Palani Kumar
ଚେନାଇର ସଫେଇ କର୍ମଚାରୀମାନେ ବହୁ ଦୂର ରାସ୍ତା ଚାଲି ଚାଲି ରାସ୍ତାରେ ଝାଡୁ ମାରିବା ଓ ସହରକୁ ସଫା କରିବା କାମରେ ନିୟୋଜିତ ହୋଇଥିଲେ ବି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଷାକପତ୍ର ଯୋଗାଇ ଦିଆଯାଇ ନାହିଁ, କିମ୍ବା କୋଭିଡ ଲକଡାଉନ୍ ସମୟରେ ଦିନଟିଏ ବି ଛୁଟି ମିଳି ନାହିଁ। ଠାରୁ: ସଫେଇ କର୍ମଚାରୀ – ଅକୃତଜ୍ଞତା ଯାହାର ପାରିଶ୍ରମିକ

M. Palani Kumar
ରୀତା ଆକ୍କା, ଜଣେ ଭିନ୍ନକ୍ଷମ ସଫେଇ କର୍ମଚାରୀ ସକାଳୁ ସକାଳୁ ଚେନ୍ନାଇର କୋଟାପୁରମ୍ ଅଞ୍ଚଳରେ ଅଳିଆ ପରିଷ୍କାର କରୁଛନ୍ତି କିନ୍ତୁ ସନ୍ଧ୍ୟାବେଳେ ସେ ତାଙ୍କର କୁକୁର ସାଥୀମାନଙ୍କୁ ଖାଦ୍ୟ ଖୁଆଇବା ଓ ସେମାନଙ୍କ ସହିତ କଥାବାର୍ତ୍ତା କରିବାରେ ବିତାଇଥାନ୍ତି। ଠାରୁ: କୁକୁର (ଏବଂ ବିଲେଇ)ଙ୍କ ସହ ରୀତା ଆକ୍କାଙ୍କ ଜୀବନ

M. Palani Kumar
ଦାରିଦ୍ର୍ୟ, ଦୁର୍ବଳ ସ୍ୱାସ୍ଥ୍ୟ ଏବଂ ଭିନ୍ନକ୍ଷମତା ସତ୍ତ୍ୱେ ଡି.ମୁଥୁରାଜା ତାଙ୍କର ପୁଅ ବସନ୍ତ ରାଜା. ମୁଥୁରାଜା ଏବଂ ତାଙ୍କର ପତ୍ନୀ ଏମ୍. ଚିତ୍ରାଙ୍କ ସହିତ ଆଶା ଓ ସାହସର ସହ ଜୀବନର ମୁକାବିଲା କରୁଛନ୍ତି। ଠାରୁ: ଚିତ୍ରା ଏବଂ ମୁଥୁରାଜା: ଏକ ଅକୁହା ପ୍ରେମ କାହାଣୀ

M. Palani Kumar
ଆର୍.ଏଳିଲରସନ୍, ଜଣେ ଚିତ୍ରକର ଯେ କି ତାଙ୍କର କଳା କାରିଗରୀ, ଥିଏଟର୍ ଏବଂ ଗୀତ ମାଧ୍ୟମରେ ତାମିଲନାଡ଼ୁର ଅଗଣିତ ଶିଶୁମାନଙ୍କ ଜୀବନରେ ଆଲୋକ ଓ ହସ ଭରିଦେଇଛନ୍ତି। ଠାରୁ: ଏଳିଲ ଆନ୍ନା, ସେ ମୋତେ ମାଟିରୁ ତିଆରି କରିଛନ୍ତି

M. Palani Kumar
ପାଲାନିଙ୍କର ମାଆ, ତିରୁମୟୀଙ୍କର ଏକ ବିରଳ ଆନନ୍ଦମୟ ମୁହୂର୍ତ୍ତ। ଠାରୁ: ମୋ ମାଆଙ୍କର ଜୀବନ - ରାସ୍ତାର ବତୀଖୁଣ୍ଟର ଆଲୋକରେ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଦୟନିତା-ସିଂ-ପରୀ-ବୃତ୍ତଚିତ୍ର-ଫଟୋଗ୍ରାଫି-ପୁରସ୍କାର-ବିଜେତା-ପଲାନି-କୁମାର

