ସକାଳ ୯ଟା ବେଳେ ଏସ୍ଲାବଥ୍ ବନ୍ୟା ନାୟକ ହାଇଦ୍ରାବାଦ-ଶ୍ରୀଶୈଳମ୍ ରାଜପଥ ନିକଟସ୍ଥ ବଟ୍ୱାର୍ଲାପାଲ୍ଲେ ଗ୍ରାମରୁ ପ୍ରାୟ ୧୫୦ ଧୂଳିଧୂସରିତ ଗାଈଙ୍କୁ ଅଡ଼େଇ ନେଇ ଯାଆନ୍ତି। ସେମାନେ ପୂର୍ବଘାଟର ନଲ୍ଲାମାଳା ରେଞ୍ଜରେ ଥିବା ଅମ୍ରାବାଦ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ପ୍ରବେଶ କରନ୍ତି। ଏଠାରେ କିଛି ଗାଈ ଘାସ ଚରୁଥିବା ବେଳେ ଅନ୍ୟ କେତେକ କଅଁଳ ଘାସ ଥିବା ଡାଳଗୁଡ଼ିକୁ ମୁହଁ ବଢ଼ାଇବାକୁ ଚେଷ୍ଟା କରନ୍ତି।
୭୫ ବର୍ଷ ବୟସ୍କ ଶ୍ରୀ ନାୟକ ଲମ୍ବାଡ଼ି ସଂପ୍ରଦାୟର ଏବଂ ତାଙ୍କ ପାଳିତ ଜୀବମାନେ – ଏଠାରେ ଥିବା ଅନ୍ୟ ଗୋପାଳକଙ୍କ ପାଳିତ ଜୀବଙ୍କ ପରି ଥୁର୍ପୁ ଗୋ-ପ୍ରଜାତିର। ଲାମ୍ବାଡ଼ି (ଏକ ଅନୁସୂଚିତ ଜାତି), ଯାଦବ (ଗୋଲା) (ଏକ ପଛୁଆ ବର୍ଗ)ଏବଂ ଛେଞ୍ଚୁ (ଏକ ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ)ଗୁଡ଼ିକ ଥୁର୍ପୁର ପାରମ୍ପରିକ ପାଳକ ଏବଂ ପ୍ରବର୍ଦ୍ଧକ । ଏହି ଜୀବମାନଙ୍କ ଆକାର ଛୋଟ, ଶିଂଘ ମୁନିଆଁ ଏବଂ ଖୁରା ଟାଣ ଓ ଶକ୍ତ। ସେମାନେ ବିଭିନ୍ନ ପ୍ରକାର ଅଞ୍ଚଳରେ ଖୁବ୍ ସହଜରେ ଯାତାୟାତ କରି ପାରନ୍ତି- ଓଦା ମାଟି ସହ ଶୁଖିଲା ପଥୁରିଆ ମାଟିରେ ସହଜରେ ଚାଲିପାରନ୍ତି ଏବଂ ଖୁବ୍ ସହଜରେ ଭାରୀ ବୋଝ ଟାଣିପାରନ୍ତି। ଏଥିସହ ସେମାନେ ଅଞ୍ଚଳର ଉତ୍ତାପ ଏବଂ ଜଳାଭାବରେ ମଧ୍ୟ ଠିକ୍ ଭାବରେ ବଞ୍ଚିପାରନ୍ତି।
ଅମ୍ରାବାଦ ଉପ-ଜିଲ୍ଲା ତେଲେଙ୍ଗାନା- କର୍ଣ୍ଣାଟକ ସୀମାରେ ଥିବା ଏହି ଗ୍ରାମଗୁଡ଼ିକର ପୂର୍ବରେ ଅଛି । ଏଠାରୁ ଅନେକ କୃଷକ ଏହି ଗାଈ କିଣିବାକୁ ଆସନ୍ତି ଏବଂ ଗାଈଗୁଡ଼ିକ ଦେହରେ ଦାଗ ରହିଛି ତେଣୁ ଏହି ପ୍ରଜାତିର ଗାଈଙ୍କୁ ସେମାନେ ‘ପୋଡ଼ା ଥୁର୍ପୁ’ ବୋଲି କୁହନ୍ତି। ତେଲୁଗୁ ଭାଷାରେ ‘ପୋଡ଼ା’ର ଅର୍ଥ ଦାଗ ଏବଂ ‘ଥୁର୍ପୁ’ର ଅର୍ଥ ପୂର୍ବ। ଏହି ପୋଡ଼ା ଥୁର୍ପୁମାନେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଖୁବ୍ ସାହାଯ୍ୟକାରୀ ଯେଉଁମାନେ କି ଟ୍ରାକ୍ଟର ଏବଂ ଅନ୍ୟ କୃଷି ଉପଯୋଗୀ ମେସିନ୍ର ଖର୍ଚ୍ଚ ଉଠାଇ ପାରନ୍ତି ନାହିଁ।
















