ଗଦାଇ ଦାସ କୁହନ୍ତି, ‘‘ଏହି ମହାମାରୀ ଏବଂ ଲକ୍ଡାଉନ୍ ଆମକୁ ହଇରାଣ କରିଛି । ତଥାପି ଏକ କୋଭିଡ୍-ଆକ୍ରାନ୍ତ ନଗରକୁ ଆମର ଆନନ୍ଦର ଧ୍ୱନୀରେ ଉଲ୍ଲସିତ କରିବା ପାଇଁ ଏଠାକୁ ଆସିଛୁ ।
ଦାସ ହେଉଛନ୍ତି ଜଣେ ଢାକି , ଗ୍ରାମୀଣ ବଙ୍ଗଳାର ଜଣେ ପାରମ୍ପରିକ ଏବଂ ସାଧାରଣତଃ ଜଣେ ବଂଶାନୁକ୍ରମିକ ବାଦକ । ସେ ତାରାପୀଠ ଅଞ୍ଚଳରୁ ଆସିଛନ୍ତି, ଯାହାକି ବିରଭୁମ୍ ଜିଲ୍ଲାର ଚାନ୍ଦିପୁର ଗ୍ରାମରେ ଥିବା ଏକ ବିଖ୍ୟାତ ମନ୍ଦିରର ଅଞ୍ଚଳ । ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ସାରା ବଙ୍ଗଳାର ଗ୍ରାମାଞ୍ଚଳରେ ଥିବା ଢ଼ାକି ମାନେ ସିଆଳଦା ରେଳ ଷ୍ଟେସନରେ ଏକ୍ରତିତ ହୁଅନ୍ତି । ଏହି ଷ୍ଟେସନର ପରିସର ବିଭିନ୍ନ ଗତିବିଧିରେ ଚଳଚଞ୍ଚଳ ହୋଇଯାଏ ଏବଂ ଅଧିକାଂଶ ସମୟରେ ଢ଼ୋଲ ଏବଂ ଅନେକ ପାଦର ଶବ୍ଦ ଏବଂ ଆଗମନର ସଙ୍ଗୀତରେ ସଙ୍ଗୀତମୟ ହୋଇଯାଏ – ସବୁକିଛି ଏକତ୍ର ହୋଇ ।
ବାଙ୍କୁରା, ବର୍ଦ୍ଧମାନ, ମାଲଦା, ମୁର୍ସିଦାବାଦ ଏବଂ ନଦିୟାର ଡ୍ରମବାଦକମାନଙ୍କର ଦକ୍ଷତା ସାଧାରଣତଃ ଭୀଷଣ ଭିଡ଼ ଏକତ୍ର କରେ। ଏହି ବାଦକମାନେ ଅପେକ୍ଷାକୃତ ଭାବରେ ଛୋଟ ସାମୁହିକ ପୂଜାରେ ଯୋଗ ଦିଅନ୍ତି, ଯେଉଁମାନେ ସେମାନଙ୍କ ପ୍ରଦର୍ଶନ ପାଇଁ ଭଡ଼ା ଦେଇଥାନ୍ତି ।
କିନ୍ତୁ ଏ ବର୍ଷ ନୁହେଁ । ଅନ୍ୟ ସମସ୍ତ ଲୋକ କଳାକାରମାନଙ୍କ ପରି ସେମାନେ ମଧ୍ୟ କୋଭିଡ୍-୧୯ ଲକ୍ ଡାଉନ୍ ମଧ୍ୟରେ ବିପର୍ଯ୍ୟସ୍ତ ହୋଇଯାଇଛନ୍ତି । ଖୁବ୍ କମ୍ ସଂଖ୍ୟକ ବାଜା ବାଲା କୋଲକାତାକୁ ଆସିବାକୁ ସକ୍ଷମ ହୋଇଛନ୍ତି- ଟ୍ରେନ୍ଗୁଡ଼ିକ ଚାଲୁନାହିଁ । ମୁର୍ସିଦାବାଦ ଜିଲ୍ଲାର ଶେରପୁରରୁ ଆସିଥିବା ଢ଼ାକି ବାଦୁ ଦାସ ବର୍ଣ୍ଣନା କରନ୍ତି ଯେ, ତାଙ୍କ ଗାଁ ଏବଂ ଆଖପାଖ ଅଞ୍ଚଳର ୪୦ଜଣ ଗୋଟିଏ ଛୋଟ ବସ୍ରେ ଚାପି ଚୁପି ହୋଇ ଏଠାକୁ ଆସିଥିଲେ, ଯେଉଁଥିପାଇଁ ସେମାନଙ୍କୁ ୨୨ହଜାର ଟଙ୍କା ଦେବାକୁ ହୋଇଥିଲା। ଅନ୍ୟ ଅଣ ମହାମାରୀ ବର୍ଷ ତୁଳନାରେ କୋଲକାତାରେ ଢ଼ାକିମାନଙ୍କ ପାଇଁ ପାଉଣା ଅଧାରୁ କମ୍ ହୋଇଯାଇଛି । ଏବଂ ଅନେକ ଅର୍ଥ ନିଅଣ୍ଟ ଭୋଗୁଥିବା ପୂଜା ଆୟୋଜକମାନେ ପ୍ରାକ୍ ରେକର୍ଡ ହୋଇଥିବା ସଙ୍ଗୀତକୁ ଗ୍ରହଣ କରିନେଇଛନ୍ତି- ଏହା ଏହି ଗ୍ରାମୀଣ ସଙ୍ଗୀତଜ୍ଞମାନଙ୍କ ପାଇଁ ଏକ ବଡ଼ ଆଘାତ ।
ମୁଁ ଯେଉଁ ସବୁ ଢ଼ାକି ଦଳଗୁଡ଼ିକ ନିକଟକୁ ଯାଇଥିଲି ସେ ସମସ୍ତଙ୍କର ମାଆ ଦୁର୍ଗାଙ୍କ ପାଇଁ ଗୋଟିଏ ପ୍ରାର୍ଥନା ଥିଲା: ଦୟାକରି ଯେତେ ଶୀଘ୍ର ସମ୍ଭବ ଖୁସିର ଦିନ ଫେରାଇ ଆଣ ।
ଅନୁବାଦ: ଓଡ଼ିଶାଲାଇଭ୍