ଜଣେ କୃଷକ ନେତା କହିଲେ, ‘ଇନକିଲାବ ଜିନ୍ଦାବାଦ’। ‘ଜିନ୍ଦାବାଦ, ଜିନ୍ଦାବାଦ’, ଅନ୍ୟମାନେ ତା’ର ଉତ୍ତର ଦେଲେ। ୧୮୦ କିମି ଧରି ଯାତ୍ରା କରିବା ପରେ କ୍ଲାନ୍ତ ଚାଷୀମାନେ ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଏହି ସ୍ଲୋଗାନ୍ ଦେଉଥିଲେ। ନାସିକରେ ମାର୍ଚ୍ଚ ୬ ତାରିଖରେ ଶୋଭାଯାତ୍ରାର ଆରମ୍ଭ ସମୟରେ ଯେଉଁ ପରିମାଣରେ ଶକ୍ତି ଥିଲା ତାହା ମାର୍ଚ୍ଚ ୧୨ ତାରିଖରେ ଶୋଭାଯାତ୍ରାର ଅନ୍ତ ହେବାବେଳେ ନଥିଲା। କିନ୍ତୁ ସେମାନଙ୍କର ସମୂହ ଇଚ୍ଛାଶକ୍ତି ଅପରିବର୍ତ୍ତିତ ଥିଲା। ଏପରିକି ଖରାରେ ଏକ ସପ୍ତାହ ଧରି ଚାଲିବା ପରେ ଅନେକଙ୍କର ପାଦରେ ଫୋଟକା ହୋଇଯାଇଥିଲା, ପାଦରୁ ରକ୍ତ ବୋହୁଥିଲା, ସେମାନେ ରାତିରେ ଖୋଲା ଆକାଶ ତଳେ ଶୋଉଥିଲେ, ଖୁବ୍ କମ୍ ଖାଉଥିଲେ ତଥାପି ‘ଇନକିଲାବ ଜିନ୍ଦାବାଦ’ ନାରା ଦେଲାମାତ୍ରେ ସେମାନେ ତା’ର ଉତ୍ତର ଫେରାଉଥିଲେ।
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାର୍କ୍ସବାଦୀ)ର କୃଷକ ସଂଗଠନ ଅଖିଳ ଭାରତୀୟ କିଷାନ ସଭା ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଐତିହାସିକ ଶୋଭାଯାତ୍ରା ନାସିକ ସହରର ସିବିଏସ ଚୌକରୁ ପ୍ରାୟ ୨୫,୦୦୦ ପ୍ରଦର୍ଶନକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା। ଚାଷୀମାନେ ମୁମ୍ବାଇରେ ପହଞ୍ଚିବାବେଳକୁ ସେମାନଙ୍କର ସଂଖ୍ୟା ୪୦,୦୦୦ରୁ ଅଧିକ ହୋଇସାରିଥିଲା ବୋଲି କିଷାନ ସଭାର ସାଧାରଣ ସଂପାଦକ ଏବଂ ଆୟୋଜକଙ୍କ ମଧ୍ୟରୁ ଅନ୍ୟତମ ଅଜିତ ନାୱଲେ ଆକଳନ କରନ୍ତି।
ସେମାନେ ସମସ୍ତେ ଅବସନ୍ନ ହୋଇସାରିଥିଲେ କିନ୍ତୁ ସେମାନଙ୍କର ଇଚ୍ଛାଶକ୍ତି ସେଭଳି ସୁଦୃଢ ରହିଥିଲା।
ସେମାନେ ଯେତେଯେତେ ଆଗକୁ ବଢ଼ିଲେ ସାରା ରାଜ୍ୟର ଅଧିକସଂଖ୍ୟକ ଚାଷୀ ଶାହପୁର (ମୁମ୍ବାଇରୁ ୭୩ କିମି ଦୂର)ଏବଂ ଥାନେ (ମୁମ୍ବାଇରୁ ୨୫ କିମି ଦୂର)ରେ ସେମାନଙ୍କ ସହିତ ଶୋଭାଯାତ୍ରାରେ ଯୋଡ଼ିହେଲେ। (ଦେଖନ୍ତୁ କ୍ଷେତ ଓ ପଡ଼ିଆରୁ: ମୁମ୍ବାଇକୁ ଦୂରରୁ ଯାତ୍ରା)
ଭିୱାଣ୍ଡି ତାଲୁକାର ସୋନାଲେ ଗାଁ (ଆଜାଦ ପଡ଼ିଆରୁ ପାଖାପାଖି ୫୫ କିମି ଦୂରରେ ଥିଲା)ର ପଡିଆରେ ମାର୍ଚ୍ଚ ୧୦ ତାରିଖ ଅପରାହ୍ନରେ କୃଷକମାନେ ଯେଉଁଠାରେ ମଧ୍ୟାହ୍ନ ଭୋଜନ କରୁଥିଲେ, ସେଠାରେ ଥିବା ଏକ ଟେମ୍ପୋରେ ଡେରି ହୋଇ ବିଶ୍ରାମ ନେଉଥିବା ବିଲାସ ବାବର କହିଲେ, ସେହି ଯାତ୍ରା ଏତେ କଷ୍ଟକର ନ ଥିଲା, ଯେତିକି ସରକାରଙ୍କ ବ୍ୟବହାର ଆମକୁ କଷ୍ଟ ଦେଲା। ପଡିଆରେ ବସିଥିବା ହଜାର ହଜାର କୃଷକଙ୍କୁ ବଡ ବଡ ଆଲୁମିନିୟମ୍ ପାତ୍ରରୁ ଭାତ ଓ ଡାଲି ପରସା ଯାଉଥିଲା। ପ୍ରତି ତାଲୁକାରୁ ଆସିଥିବା ଚାଷୀମାନେ ଶସ୍ୟ ସଂଗ୍ରହ କରି ମିଳିତ ଭାବେ ସେହି ଖାଦ୍ୟ ପ୍ରସ୍ତୁତ କରିଥିଲେ।








