ଏହା ଥିଲା ଏମିତି ଏକ ଗୁଳିକାଣ୍ଡ, ଯାହା କେବେ ବି ଘଟି ନଥିଲା । କିନ୍ତୁ, ବାହାଦୁର ଶାହ ଜାଫର ମାର୍ଗର ସେହି ଅନୁମିତ “ହତ୍ୟା” ଘଟଣା ପରବର୍ତ୍ତୀ କେଇଟା ମୁହୂର୍ତ୍ତ ମଧ୍ୟରେ,“ପୋଲିସ ଗୁଳିରେ କୃଷକଙ୍କ ମୃତ୍ୟୁ”- ଭଳି ଭିନ୍ନ ଭିନ୍ନ ଢଙ୍ଗରେ ପ୍ରକାଶିତ ଅନେକ ଶିରୋନାମା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ସେହି ଗୁଳିମାଡ଼ରେ ମୃତ୍ୟୁ ଘଟଣା, ଯାହା କେବେ ବି ଘଟି ନଥିଲା । କିନ୍ତୁ, ଜାନୁଆରୀ, ୨୬ ତାରିଖ, ଗଣତନ୍ତ୍ର ଦିବସରେ ଏହି ଗୁଜବ ପ୍ରଚାରିତ ହେବା ପରେ ପରେ ବିଭିନ୍ନ ଆନ୍ଦୋଳନକାରୀ ଗୋଷ୍ଠୀ ମଧ୍ୟରେ ବିଭ୍ରାନ୍ତି ଏବଂ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ସେମାନେ ଦିଲ୍ଲୀର ପ୍ରସିଦ୍ଧ ଇନ୍କମ୍ ଟ୍ୟାକ୍ସ (ITO) ଜଙ୍କସନ୍ ଆଡ଼କୁ ମୁହାଁଇଥିଲେ । ସମ୍ଭବତଃ, ଏହି ଗୁଜବ ହିଁ ଲାଲ କିଲା ଏବଂ ଅନ୍ୟାନ୍ୟ ସ୍ଥାନରେ ହିଂସାକାଣ୍ଡ ସଙ୍ଗଠନକୁ ଖୋରାକ ଯୋଗାଇଥିଲା ।
ପୋଲିସ ଦ୍ୱାରା ଖୁବ୍ ନିକଟରୁ ଗୁଳିମାଡ଼ରେ ଜଣେ ଯୁବ କୃଷକଙ୍କ ମୃତ୍ୟୁ ଘଟିଥିବା କଥା ଚର୍ଚ୍ଚିତ ହେବାରେ ଲାଗିଥିଲା । ସୋସିଆଲ ମିଡିଆ ଜରିଆରେ ଚାରିଆଡ଼େ ଏହି କାହାଣୀର ବ୍ୟାପକ ପ୍ରସାରଣ ପୂର୍ବରୁ ଯାଞ୍ଚ କରିବାର ଆବଶ୍ୟକତା ନଥିଲା । ଖୁବ୍ ଶୀଘ୍ର, କେତେକ ଟେଲିଭିଜନ ଚ୍ୟାନେଲରେ ବି ଏହା ପ୍ରସାରିତ ହେଲା । ବାସ୍ତବ କ୍ଷେତ୍ରରେ ଥିବା ଲୋକେ ପୋଲିସର ଏହି ‘ ଗୋଲିକାଣ୍ଡ ’ (ଗୁଳିକାଣ୍ଡ)ର ନିନ୍ଦା କରୁଥିଲେ ଏବଂ ଏହାକୁ ପୋଲିସର ହିଂସା ବୋଲି ଅଭିଯୋଗ କରୁଥିଲେ । ଏବଂ ଆଇଟିଓ ଜଙ୍କସନ୍ରେ ଥିବା ଆନ୍ଦୋଳନକାରୀମାନେ ସମଗ୍ର ଅଞ୍ଚଳରେ ଖେଳାଇ ହୋଇଯାଇଥିଲେ ।
ପ୍ରକୃତରେ, ପରବର୍ତ୍ତୀ ସମୟରେ ୪୫ ବର୍ଷୀୟ ନବନୀତ ସିଂହ ରୂପେ ପରିଚୟ ମିଳିଥିବା ସେହି ବ୍ୟକ୍ତିଙ୍କର ମୃତ୍ୟୁ ସେ ନିଜେ ଚଲାଉଥିବା ଟ୍ରାକ୍ଟର ଓଲଟି ଯିବା କାରଣରୁ ହୋଇଥିଲା । କେହି ଗୋଟିଏ ହେଲେ ଗୁଳି ଫୁଟାଇ ନଥିଲେ । ତେବେ. ଏହି କଥା ସ୍ପଷ୍ଟ ହେବା ବେଳକୁ, ଗୁଳିମାଡ଼ ଘଟଣା ଏବଂ ଲାଲ କିଲାରେ ସଂଘଟିତ ହିଂସା ସଂପର୍କିତ ଅନ୍ୟାନ୍ୟ ଖବର ସବୁ, ୨୦୨୦ ସେପ୍ଟେମ୍ବରରେ ସଂସଦରେ ଗୃହୀତ ହୋଇଥିବା ତିନିଟି କୃଷି ଆଇନ ପ୍ରତିବାଦରେ ସେଦିନ ଆୟୋଜିତ କୃଷକମାନଙ୍କର ବାସ୍ତବିକ ବିଶାଳ ଟ୍ରାକ୍ଟର ଶୋଭାଯାତ୍ରା ସଂପର୍କିତ ଖବରକୁ ଢାଙ୍କି ଦେବାରେ ସହାୟକ ହୋଇଥିଲା ।
ଏମିତି ଭିନ୍ନ ଭାବରେ ଆରମ୍ଭ ହୋଇଥିବା ଦିନଟିଏ ପାଇଁ ଏହା ଥିଲା ଏକ ଦୁଃଖଦ ବିଷୟ ।
ଶୀତଳ ଅନ୍ଧକାରରେ ଭରା ଏକ ପର୍ଯ୍ୟାୟ ପରେ, ବେଶ୍ ଆଗ୍ରହ ଓ ସୂର୍ଯ୍ୟାଲୋକର ଉଷ୍ମ ଅନୁଭବ ସହିତ ଆରମ୍ଭ ହୋଇଥିଲା ଭାରତର ୭୨ତମ ଗଣତନ୍ତ୍ର ଦିବସ । ଜାତୀୟ ରାଜଧାନୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଦୁଇ ମାସ ହେଲା ଆନ୍ଦୋଳନ ଚଳାଇ ଆସିଥିବା କୃଷକମାନେ, ବିଭିନ୍ନ ପୂର୍ବ ନିର୍ଦ୍ଧାରିତ ରାସ୍ତାରେ ଏକ ଶାନ୍ତିପୂର୍ଣ୍ଣ ବିଶାଳ ଟ୍ରାକ୍ଟର ପ୍ୟାରେଡ୍ର ଆୟୋଜନ କରି ଇତିହାସ ରଚିବାକୁ ଯାଉଥିଲେ । କେନ୍ଦ୍ରୀୟ ଦିଲ୍ଲୀର ରାଜପଥରେ ଆନୁଷ୍ଠାନିକ ପ୍ୟାରେଡ୍ ସରିବା ପରେ,ପାଖାପାଖି ମଧ୍ୟାହ୍ନ ବେଳକୁ ଦିଲ୍ଲୀ ସୀମାବର୍ତ୍ତୀ ତିନିଟି ସ୍ଥାନ-ସିଂଘୁ, ଟିକରି ଏବଂ ଗାଜିପୁରରୁ ଏହି ଟ୍ରାକ୍ଟର ପ୍ୟାରେଡ୍ ଆରମ୍ଭ ହେବାର ଥିଲା ।
ଗଣତନ୍ତ୍ର ଦିବସ ପାଳନ ଅବସରରେ ଏହି ଟ୍ରାକ୍ଟର ପ୍ୟାରେଡ୍, ନାଗରିକମାନଙ୍କ ଦ୍ୱାରା ବେସରକାରୀ ଭାବରେ ଆୟୋଜିତ ସର୍ବବୃହତ୍ ସାମାଜିକ ସମାରୋହ ହେବାର ଥିଲା ଏବଂ ବାସ୍ତବରେ ତାହା ହିଁ ହୋଇଥିଲା । କିନ୍ତୁ ସନ୍ଧ୍ୟା ହେଲା ବେଳକୁ ଏଥିପ୍ରତି ଲୋକଙ୍କ ଆକର୍ଷଣ ଓ ଆଗ୍ରହ ଉଭେଇ ଯାଇଥିଲା ।
ଦିଲ୍ଲୀ ଓ ଉତ୍ତର ପ୍ରଦେଶ ମଧ୍ୟବର୍ତ୍ତୀ ଚିଲ୍ଲା (ଗାଜିପୁର ନିକଟ) ସୀମାକୁ ଟ୍ରାକ୍ଟର ଚଲାଇ ଯିବା ସହିତ ଆମର ଦିନ ଆରମ୍ଭ ହୋଇଥିଲା। ପ୍ରବେଶ ସ୍ଥଳରେ ଲାଗିଥିବା ବ୍ୟାରିକେଡ୍ କିଛିଟା ଅସ୍ୱାଭାବିକ ଲାଗୁଥିଲା: ଇନ୍ଧନ ବାହକ ଗାଡ଼ି ଓ ଡିଟିସି ବସ୍ଗୁଡ଼ିକୁ ଛୋଟ ଛୋଟ ହଳଦିଆ ରଙ୍ଗର ଅସ୍ଥାୟୀ ଲୁହା ଫାଟକ ନିକଟରେ ରଖାଯାଇଥିଲା । ଚିଲ୍ଲା ସୀମାରେ ଧଳା ଓ ସବୁଜ ରଙ୍ଗର ଏକ ବିରାଟ ଶିବିର ସ୍ଥାପିତ ହୋଇଥିଲା ଏବଂ ପୋଲିସ ସହଯୋଗରେ ନିର୍ଦ୍ଧାରିତ ରାସ୍ତାରେ ଟ୍ରାକ୍ଟର ନେଇଯିବା ପାଇଁ ସେଠାରେ ସମବେତ କୃଷକମାନଙ୍କୁ ସେମାନଙ୍କ ନେତାମାନେ କହୁଥିଲେ ।
ଆନ୍ଦୋଳନକାରୀମାନଙ୍କୁ ଏଠାରେ ସାଧାରଣ ଡାଲି ଓ ଭାତ ଖାଇବାକୁ ଦିଆଯାଇଥିଲା। ଏଥିପାଇଁ ଭୋର୍ ୪ଟାରୁ ରୋଷେଇ ଚାଲିଥିଲା । ପାଖାପାଖି ମଧ୍ୟାହ୍ନ ବେଳକୁ ବିଭିନ୍ନ କୃଷକ ଗୋଷ୍ଠୀ ଟ୍ରାକ୍ଟରରେ ଚଢ଼ିବା ଆରମ୍ଭ କଲେ ଏବଂ ସେମାନେ ଏକା ନିଃଶ୍ୱାସରେ ଭାରତମାତା କି ଜୟ, ଜୟ ଯବାନ ଜୟ କିଷାନ ଧ୍ୱନି ଦେଉଥିଲେ । ପ୍ରଚ୍ଛଦରୁ ଭାସି ଆସୁଥିଲା ବିଭିନ୍ନ ଲୋକପ୍ରିୟ ସ୍ଥାନୀୟ ଗୀତର ସ୍ୱର । ପୂର୍ବ ନିର୍ଦ୍ଧାରିତ ଯାତ୍ରାପଥ: ଚିଲ୍ଲା-ଦିଲ୍ଲୀ-ନୋଏଡା ଡାଇରେକ୍ଟ ଫ୍ଲାଇଓଭର-ଦାଦରି-ଚିଲ୍ଲା ରାସ୍ତାରେ ଯିବା ପାଇଁ ଟ୍ରାକ୍ଟରଗୁଡ଼ିକ ବାହାରିବା ସମୟରେ ପୋଲିସ କର୍ମଚାରୀମାନଙ୍କର ଏକ ଲମ୍ବା ଧାଡ଼ି ଏବଂ ଅନେକ ଧଳା ରଙ୍ଗର ଡ୍ରୋନ୍ କ୍ୟାମେରା ସେମାନଙ୍କ ଉପରେ ନଜର ରଖିଥିଲେ ।
କୃଷକମାନେ ଯେଉଁ ତିନିଟି ଆଇନ ପ୍ରତ୍ୟାହାର କରିନେବାକୁ ଦାବି କରୁଛନ୍ତି ସେଗୁଡ଼ିକ ହେଲା: କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ଆଇନ, ୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ ।
ବର୍ତ୍ତମାନର କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍ ୫ ତାରିଖ ଦିନ ଏହି ଆଇନଗୁଡ଼ିକୁ ଅଧ୍ୟାଦେଶ ରୂପରେ ଜାରି କଲେ, ତା’ ପରେ ସେପ୍ଟେମ୍ବର ୧୪ ତାରିଖ ଦିନ ଏସବୁକୁ ସଂସଦରେ କୃଷି ବିଲ୍ ରୂପରେ ଉପସ୍ଥାପନ କରିବା ପରେ ତରବରିଆ ଭାବେ ସେହି ମାସ ୨୦ ତାରିଖ ଦିନ ଏଗୁଡ଼ିକୁ ଆଇନ ରୂପରେ ଗୃହୀତ କରାଇନେଲେ।
କୃଷକମାନଙ୍କ ଦୃଷ୍ଟିରେ ଏହି ଆଇନଗୁଡ଼ିକ ଲାଗୁ ହେଲେ କୃଷକ ଓ କୃଷି କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀର କ୍ଷମତା ପରିସର ବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି ହେବ ଏବଂ ଏହା ସେମାନଙ୍କ ଜୀବିକାକୁ ବିପର୍ଯ୍ୟସ୍ତ କରିଦେବ। ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ସବୁ ନାଗରିକଙ୍କର ଆଇନର ଆଶ୍ରୟ ନେବା ଅଧିକାରକୁ ଅକାମୀ କରିଦେଉଥିବା କାରଣରୁ ମଧ୍ୟ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଇଛି ।
ଚିଲ୍ଲାର ଟ୍ରାକ୍ଟର ପ୍ୟାରେଡ୍ରେ ସେମିତି କିଛି ଘଟି ନଥିଲା । ଏହା ଖୁବ୍ ଶୀଘ୍ର ସରିଯାଇଥିଲା, ଟ୍ରାକ୍ଟରଗୁଡ଼ିକ ଘଣ୍ଟାକ ଭିତରେ ଆରମ୍ଭ ସ୍ଥଳକୁ ଫେରି ଆସିଥିଲେ । ତା’ପରେ ଆମେ ସେଠାରୁ ୪୦କିଲୋମିଟର ଦୂର ସିଂଘୁ ଅଭିମୁଖେ ଯାତ୍ରା କଲୁ, ଯେଉଁଠାରେ କି ମୁଖ୍ୟ ପ୍ୟାରେଡ୍ର ଆୟୋଜନ କରାଯାଇଥିଲା । ଅଧାବାଟରେ ଆମର କେତେକ ସହଯୋଗୀ ଆମକୁ ସୂଚନା ଦେଲେ କି କୃଷକମାନଙ୍କର କେତେକ ଦଳ ସିଂଘୁରୁ ବାହାରି ଦିଲ୍ଲୀର ଆଇଟିଓ ଆଡ଼କୁ ଯାଉଥିଲେ। କିଛି ନା କିଛି ଅସ୍ୱାଭାବିକ ଘଟଣା ଘଟୁଥିଲା । ଆମେ ସେମାନଙ୍କୁ ଅନୁସରଣ କରିବା ପାଇଁ ରାସ୍ତା ବଦଳାଇଲୁ । ଆମେ ଆଉଟର ରିଂ ରୋଡ୍ ଦେଇ ଯିବା ବେଳେ ରାସ୍ତାକଡ଼ରେ ଠିଆ ହୋଇଥିବା ଅନେକ ଦିଲ୍ଲୀ ବାସିନ୍ଦା ଦଳ ଦଳ ହୋଇ ଯାଉଥିବା କୃଷକମାନଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଉଥିଲେ । ବହୁ କୃଷକ ଟ୍ରାକ୍ଟରରେ ଏବଂ ଅଳ୍ପ କେତେ ଜଣ ମୋଟର ସାଇକେଲରେ ଏବଂ କାର୍ରେ ଯାଉଥିଲେ । ଏମିତି କି ମଜନୁ କା ଟିଲା ନିକଟରେ ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ଦଳେ ସାଧୁଙ୍କୁ ଦେଖି ମଧ୍ୟ ଲୋକେ ଉତ୍ସାହର ସହିତ ହାତ ହଲାଇଥିଲେ । ଟ୍ରାଫିକ ସିଗ୍ନାଲ ନିକଟରେ ଅଟକିଥିବା ଗୋଟିଏ ଟ୍ରାକ୍ଟର ପଛରେ ଝୁଲି ଝୁଲି ଯାଉଥିବା କେତେକ ଲୋକଙ୍କୁ କାର୍ରେ ବସି ନିଜ ପରିବାର ସହିତ ଯାଉଥିବା ଜଣେ ମହିଳା କେତେକ ପାଣି ବୋତଲ ଦେବାକୁ ଚେଷ୍ଟା କରିଥିଲେ ।
ଜାତୀୟ ରାଜଧାନୀର କଂକ୍ରିଟ୍ ରାସ୍ତା ଉପରେ ଗଡ଼ିବାରେ ଲାଗିଥିଲା ଦେଶର ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସହାୟତା କରୁଥିବା ବିଶାଳକାୟ ଟ୍ରାକ୍ଟରର ବଡ଼ ବଡ଼ ଚକ- ବୋଧହୁଏ ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ । ଏକ ଶକ୍ତିଶାଳୀ, ମର୍ମଭେଦୀ ପ୍ରତୀକାତ୍ମକ ପଦକ୍ଷେପ ।
ଅଚାନକ, ହାୱାର ଦିଗ ବଦଳିଗଲା-ଏବଂ ଲୋକଙ୍କ ମତିଗତି ବି ବଦଳିଗଲା । ଆମେ ଶୁଣିବାକୁ ପାଇଲୁ ଯେ କେତେକ ଆନ୍ଦୋଳନକାରୀ ଗୋଷ୍ଠୀ ମୁଖ୍ୟସ୍ରୋତରୁ ବାହାରି ଯାଇଛନ୍ତି ଏବଂ ବିନା କୌଣସି ଚେତାବନୀରେ ଲାଲ କିଲା ଆଡ଼କୁ ମୁହାଁଇଛନ୍ତି । ଠିକ୍ ପରେ ପରେ, ଏହି ଐତିହାସିକ ସ୍ମୃତିପୀଠ ନିକଟରେ ସଂଘର୍ଷ ଘଟିଥିବା ସଂପର୍କରେ ଅସମର୍ଥିତ ଖବର ସହିତ କେତେକ ଗୋଷ୍ଠୀ ସେଠାରେ ଏକ ଧାର୍ମିକ ପତାକା ଉଡ଼ାଇଥିବା ଗୁଜବ ରଟିଗଲା । ଏହା ପରେ ପରେ ନାଟକର ଯେଉଁ ଦୃଶ୍ୟାବଳୀ ଆଖିରେ ପଡ଼ିଲା, ତାହା ବିଭିନ୍ନ ପ୍ରମୁଖ ପ୍ରସଙ୍ଗରୁ ତଥା ମୁଖ୍ୟ ଟ୍ରାକ୍ଟର ପ୍ୟାରେଡ୍ରୁ ଲୋକମାନଙ୍କର ଏବଂ ଗଣମାଧ୍ୟମର ଧ୍ୟାନ ନିଶ୍ଚିତ ଭାବରେ ହଟାଇ ନେବା ଲାଗି ପର୍ଯ୍ୟାପ୍ତ ଥିଲା ।
“ଏଠାରୁ ଦୂରେଇ ରହ,” ବୋଲି ଲାଲ କିଲା ଅଞ୍ଚଳ ଛାଡ଼ିଥିବା ଜଣେ ସହକର୍ମୀ ଅପରାହ୍ଣ ପ୍ରାୟ ୩ଟା ୧୫ରେ ଆମକୁ ଫୋନ୍ରେ କହିଲେ । ବୋଧହୁଏ ପ୍ରଚାରିତ ଅନେକ ଗୁଜବ ଯୋଗୁଁ କେତେକ ଉତ୍କ୍ଷିପ୍ତ ଆନ୍ଦୋଳନକାରୀ ହିଂସ୍ର ହୋଇ ଉଠିଥିବା ସମୟରେ ସେ ଆହତ ହୋଇଥିଲେ ଏବଂ ତାଙ୍କ ଶରୀରରେ କ୍ଷତଚିହ୍ନ ଥିଲା, ତାଙ୍କର ଏକ ବହୁ ମୂଲ୍ୟବାନ କ୍ୟାମେରା ଲେନ୍ସକୁ ଭାଙ୍ଗି ଗୁଣ୍ଡ କରି ଦିଆଯାଇଥିଲା। ଆମେ ଆଇଟିଓ ଆଡ଼କୁ ଯିବାରେ ଲାଗିଲୁ। ସେଠାରେ ଗାଜିପୁର, ସିଂଘୁ ଓ ଲାଲ କିଲାରୁ ଆସୁଥିବା ଟ୍ରାକ୍ଟରଗୁଡ଼ିକ ପାଖାପାଖି ହୋଇ ଏକାଠି ହେବାରେ ଲାଗିଥିଲେ । ଦେଖୁ ଦେଖୁ ପୁରୁଣା ପୋଲିସ ହେଡ୍କ୍ୱାର୍ଟର ବାହାରେ ଥିବା ଜାଗା ଟ୍ରାକ୍ଟର ଓ ଲୋକମାନଙ୍କ ଭିଡ଼ ଯୋଗୁଁ ମୁଖରିତ ହୋଇଉଠିଥିଲା ।
ପଞ୍ଜାବର ଗୁରଦାସପୁରରୁ ଆସିଥିବା ତିନି ଜଣ ବ୍ୟକ୍ତି ରାଗି ଯାଇଥିଲେ: “ଜାନୁଆରୀ ୨୨ରେ ମୁଁ ମୋ ଟ୍ରାକ୍ଟରରେ ସିଂଘୁକୁ ଆସିଲି। ଆଜି, ଗଣତନ୍ତ୍ର ଦିବସ ପାଇଁ ଭୋର ୪ଟାରୁ ଆମେ ଉଠିଛୁ । ପ୍ୟାରେଡ୍ରେ ୨ ଲକ୍ଷରୁ ଅଧିକ ଟ୍ରାକ୍ଟର ଯୋଗ ଦେଇଛନ୍ତି । ଆମେ ବି ଆମର ଜନରାଜ୍ୟ ଉତ୍ସବ ପାଳନ କରୁଛୁ। ଏହି ଆଇନଗୁଡ଼ିକ କେବଳ ବଡ଼ ବଡ଼ କମ୍ପାନୀକୁ ଫାଇଦା ଦେବ, କୃଷକମାନଙ୍କୁ ନୁହେଁ ।” ମନେ ହେଉଥିଲା ଯେମିତି କି ସେମାନେ ନିଜ ନିଜକୁ ଏହି ବିରାଟ ଏବଂ ଆଇନସମ୍ମତ ପ୍ୟାରେଡ୍ର ଅଂଶ ବୋଲି ଭାବୁଛନ୍ତି- ସେହି ଶାନ୍ତିପୂର୍ଣ୍ଣ ପ୍ୟାରେଡ୍, ଯାହାକି ସେତେବେଳେ ବି ପୂର୍ବରୁ ସ୍ଥିରୀକୃତ ରାସ୍ତାରେ ଚାଲିଥିଲା । ଅନ୍ୟ ଅଞ୍ଚଳରେ ରହିଥିବା ଆନ୍ଦୋଳନକାରୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଦ୍ୱନ୍ଦ୍ୱ ପ୍ରତିଫଳିତ ହୋଇଥିଲା ।
କିନ୍ତୁ ସେଠାରେ ଏମିତି ଅନ୍ୟ କେତେକ ବ୍ୟକ୍ତି ଥିଲେ ଯେଉଁମାନେ କି ଆନ୍ଦୋଳନକାରୀଙ୍କ ମଧ୍ୟରେ ରହି ସହରରେ ପ୍ରବେଶ କରିଥିଲେ ଏବଂ ଯେଉଁମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନଥିଲା । ଯେଉଁମାନେ କ’ଣ କରୁଛନ୍ତି ଏବଂ କାହିଁକି ଏଠାକୁ ଆସିଛନ୍ତି ସେ କଥା ଆଗରୁ ଜାଣିଥିବା ଭଳି ଲାଗୁଥିଲା । ଯେଉଁମାନେ ବ୍ୟାଘାତ ସୃଷ୍ଟି, ବଦମାସି ଏବଂ ଭଙ୍ଗାରୁଜା କରିବାର ଯୋଜନା ନେଇ ଆସିଥିଲେ ଏବଂ ଏ ବିଷୟରେ ବି ବେଶ ସଚେତନ ଥିଲେ ଯେ ସେମାନଙ୍କ ଏଭଳି କାର୍ଯ୍ୟକଳାପ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଅବିଶ୍ୱସନୀୟ ଶୃଙ୍ଖଳିତ ଢଙ୍ଗରେ ରାଜଧାନୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଲକ୍ଷ ଲକ୍ଷ କୃଷକ ଚଳାଇ ଆସିଥିବା ଆନ୍ଦୋଳନ ବାଧାପ୍ରାପ୍ତ ହେବ । ଯେମିତି କି ସେମାନଙ୍କ ମଧ୍ୟରୁ କେତେକ ମୋତେ କହିଲେ, “ହଁ, ଭଲ ହେଲା ଯେ ଲାଲ କିଲା ଉପରେ ସେହି ପତାକା ଉଡ଼ାଇଲୁ, ଆମେ ଏହା ନିଜେ ନିଜେ ହିଁ କରିବାକୁ ଭାବିଥିଲୁ” ଏବଂ ସେମାନଙ୍କ ପାଖରେ ଥିବା ଗୋଟିଏ ପତାକା ମୋତେ ଦେଖାଇଲେ ।
୨୬ ବର୍ଷ ବୟସ୍କ ପୱନଦୀପ ସିଂହ ଦୃଢ଼ ସ୍ୱରରେ କହିଲେ, “ସରକାର ସବୁବେଳେ ହିନ୍ଦୁ ରାଷ୍ଟ୍ର ସଂପର୍କରେ କହିବାରେ ଲାଗିଛନ୍ତି, ସତେ ଯେମିତି ଏ ଦେଶରେ ଆଉ କେହି ରହୁନାହାନ୍ତି । ଲାଲ କିଲା ଉପରେ ଏହି (ଧାର୍ମିକ) ପତାକା ଉଡ଼ାଇବା ସେହି ବିଚାରଧାରା ପ୍ରତି ଏକ ଆହ୍ୱାନ ଥିଲା ।”
କେତେକଙ୍କ ମନରେ ଦ୍ୱନ୍ଦ୍ୱ ଏବଂ ଆନ୍ଦୋଳନ ପ୍ରତି ନିଷ୍ଠା ଏବଂ ଆଉ କେତେକଙ୍କ ମନରେ ସଂଶୟ ଯୋଗୁଁ ବିଶୃଙ୍ଖଳା ଆଡ଼କୁ ବାଟ ଖୋଲି ଯାଉଥିଲା ।
୪୫ ବର୍ଷ ବୟସ୍କ ରଞ୍ଜିତ ସିଂହ ଆମକୁ କହିଲେ, “ଆଜିର ଗଣତନ୍ତ୍ର ଦିବସ ଇତିହାସରେ ସ୍ଥାନ ପାଇବ ଏବଂ ଆଗାମୀ ଦିନରେ ଲୋକେ ଏହି ଟ୍ରାକ୍ଟର ଶୋଭାଯାତ୍ରାକୁ ମନେ ରଖିବେ।”
ପାଖାପାଖି ସେହି ସମୟରେ ହିଁ ନବନୀତ ସିଂହଙ୍କ ଟ୍ରାକ୍ଟର ଓଲଟି ପଡ଼ିଲା ଏବଂ ନାନା ପ୍ରକାର ଗୁଜବ ବ୍ୟାପିବାରେ ଲାଗିଲା । ତାଙ୍କ ମୃତ ଶରୀରକୁ କପଡ଼ାରେ ଢାଙ୍କି ବହୁ ଆନ୍ଦୋଳନକାରୀଙ୍କର ଏକ ଦଳ ରାସ୍ତାରେ ବସିଥିଲେ ଏବଂ ଶୋକପ୍ରକାଶ କରୁଥିଲେ ଏବଂ କେଇ ମିଟର ଦୂରରେ ରହି ପୋଲିସ ସେମାନଙ୍କ ଉପରେ ନଜର ରଖିଥିଲା ।
ଆଉ ଜଣେ ବ୍ୟକ୍ତି, ପଞ୍ଜାବର ବିଳାସପୁର ନିବାସୀ ୨୦ ବର୍ଷୀୟ ରବନୀତ ସିଂହଙ୍କ ଗୋଡ଼ରେ ପୋଲିସ ଗୁଳି ବାଜିଛି ବୋଲି ଗୁଜବ ରଟିଗଲା । ନବନୀତ ସିଂହଙ୍କ ମୃତଦେହ ରହିଥିବା ସ୍ଥାନ ନିକଟ ରାସ୍ତାରେ ଜଣେ ବୟସ୍କ ବନ୍ଧୁଙ୍କ କୋଳରେ ଶୋଇ ରହି ରବନୀତ ତାଙ୍କ କ୍ଷତର ଚିକିତ୍ସା କରାଉଥିଲେ । ସେଠାରେ ଉପସ୍ଥିତ ଗଣମାଧ୍ୟମ ଆଗରେ ସେ ସ୍ପଷ୍ଟ କରିଦେଇଥିଲେ ଯେ ତାଙ୍କ ଦେହରେ କୌଣସି ଗୁଳି ବାଜିନାହିଁ ଏବଂ ଆଇଟିଓ ନିକଟରେ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ପରେ ଲୋକେ ଇତଃସ୍ତତ ହୋଇ ଦୌଡୁଥିବା ସମୟରେ ସେ ଆହତ ହୋଇଥିଲେ । କିନ୍ତୁ ତାଙ୍କ ସ୍ୱରକୁ ଚପାଇ ଦେଇ ଜଣେ ମଧ୍ୟବୟସ୍କ ବ୍ୟକ୍ତି ସେଠାରେ ଥିବା କ୍ୟାମେରାପର୍ସନଙ୍କୁ ପଛକୁ ଫେରିଯିବାକୁ ଏବଂ ସେମାନେ ଯଦି ଦର୍ଶକଙ୍କୁ ସଂପୂର୍ଣ୍ଣ ସତ୍ୟ ଦେଖାଇବେ ନାହିଁ, ତେବେ ଆନ୍ଦୋଳନକାରୀଙ୍କୁ ହଇରାଣ କରନ୍ତୁ ନାହିଁ ବୋଲି କହିଥିଲେ ।
ଆଇଟିଓ ପାଖରେ ଆଉ ଗୋଟିଏ ଦଳ ଯୁବ କୃଷକ, ମୋହାଲିରୁ ଟ୍ରାକ୍ଟରରେ ବସି ରହିଥିଲେ । ସମସ୍ତଙ୍କ ବୟସ ଊଣାଅଧିକେ ୨୦ ବର୍ଷ ଏବଂ ସେମାନେ ଏହା ପରେ କେଉଁଆଡ଼େ ଯିବେ ବୋଲି ତାଙ୍କ ଦଳର ନେତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ। ସେମାନେ ଆମ ସହ କଥାବାର୍ତ୍ତା କରିବାକୁ ଦ୍ୱିଧାବୋଧ କରୁଥିଲେ ଏବଂ ଆମେ ‘ଆଇବି’ରୁ ଆସିଛୁ କି ବୋଲି ପଚାରିଥିଲେ । ନା, ଆମେ ଇଣ୍ଟେଲିଜେନ୍ସ ବ୍ୟୁରୋରୁ ଆସିନାହୁଁ ବୋଲି ଯେତେବେଳେ ଆମେ ସ୍ପଷ୍ଟ କରିଦେଲୁ ସେମାନେ କହିଲେ ଯେ ଟ୍ରାକ୍ଟର ପ୍ୟାରେଡ୍ରେ ଯୋଗ ଦେଇଥିବା କେହି ଜଣେ ବ୍ୟକ୍ତିଙ୍କୁ ପୋଲିସ ଗୁଳି କରିଛି ବୋଲି ଆମେ ବି ଶୁଣିଛୁ ଏବଂ ତାହା ଭୁଲ ଖବର । ଏ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲି ଆସିଛି ଏବଂ ତାହା କେବଳ ଉସୁକାଇବା ପାଇଁ ଥିଲା ବୋଲି ସେମାନେ କହିଲେ ।
ସେମାନେ ଆମକୁ କହିଲେ, “ସରକାର କୃଷକମାନଙ୍କୁ ମାରିବା ଉଚିତ ନୁହେଁ, ତା ବଦଳରେ ସେମାନେ ସେମାନଙ୍କ ଆଇନଗୁଡ଼ିକୁ ମାରିଦେବା ଉଚିତ ।” ଆଉ ଗର୍ବର ସହ କହିଲେ, “ବୋଧହୁଏ ଏ ଦେଶର ଇତିହାସରେ ଏହା ହିଁ ସବୁଠାରୁ ଲମ୍ବା ସମୟର ଆନ୍ଦୋଳନ ।”
ନବନୀତଙ୍କ ମୃତ୍ୟୁର କାରଣ ଯାଞ୍ଚ କରିବା ଲକ୍ଷ୍ୟରେ ଅନ୍ୟ ଆନ୍ଦୋଳନକାରୀଙ୍କ ସହିତ କଥାବାର୍ତ୍ତା କରିବାକୁ ଆମେ ସେଠାରେ ବୁଲୁଥିବା ବେଳେ ଉତ୍ତରାଖଣ୍ଡର ବିଜାପୁର ନିବାସୀ ଜଣେ ପୂର୍ବତନ ସେନା କର୍ମଚାରୀ, ୫ ବର୍ଷୀୟ ଅଜୟ କୁମାର ସିୱାଚଙ୍କୁ ଭେଟିଲୁ । ସେ ଏବେ ଉତ୍ତର ପ୍ରଦେଶର ମିରଟ୍ରେ ରହୁଛନ୍ତି ।
ସିୱାଚ୍ କହିଲେ, “ଯଦି ଦେଶରେ ଚାଷବାସ ବନ୍ଦ ହୋଇଯିବ, ତେବେ ସରକାର ଅଚଳ ହୋଇଯିବ। ମୁଁ ପେନ୍ସନ୍ ପାଉଛି ଏବଂ ଏବେ ଜଣେ କୃଷକ ଏବଂ ଆଖୁ ଓ ଗହମ ଚାଷ କରୁଛି। ଚାଷବାସ କରିବା ଆଗରୁ ମୁଁ ସେନାରେ ପାଖାପାଖି ୨୦ ବର୍ଷ ବିତାଇଛି ଏବଂ ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଲଦାଖରେ କାମ କରିଛି। ମୁଁ ଉଭୟ ଜଣେ ଯବାନ ଓ କିଷାନ ରହିସାରିଛି, କିନ୍ତୁ ମୁଁ ସବୁବେଳେ ଜଣେ କିଷାନ ହିଁ ରହିଥିବି । ଆଜି ମୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ଆଉ ଆମ ସମସ୍ତଙ୍କ ପାଇଁ ମଧ୍ୟ । ଆମେ ଆନ୍ଦୋଳନରେ ଯୋଗ ଦେବାକୁ ଦିଲ୍ଲୀ ଆସିବା ପାଇଁ ଆମ ଗାଁରୁ ୬୦,୦୦୦ ଟଙ୍କା ସଂଗ୍ରହ କରିଥିଲୁ।”
ହଠାତ୍ ଆମ ଆଖିରେ ପଡ଼ିଲେ ହରିଆଣାର ସୋନିପତରୁ ଆସିଥିବା ଜଣେ ୪୮ ବର୍ଷୀୟା ମହିଳା ଶ୍ରମିକ ଶ୍ରୀମତୀ ଅଣ୍ଟିଲ, ଯେ କି ଚିକମିକ କରୁଥିବା ନୀଳ ବୋତଲ ରଙ୍ଗର ପଗଡ଼ି ପିନ୍ଧିଥିଲେ। ସେ ଆମକୁ କହିଲେ ଯେ ଗତ ଦୁଇ ମାସ ହେଲା ସେ କୃଷକ ଆନ୍ଦୋଳନରେ ରହିଆସିଛନ୍ତି । ତାଙ୍କ ଘର ଓ ସିଂଘୁ ମଧ୍ୟରେ ଯା’ଆସ କରୁଛନ୍ତି । “ମୁଁ ସିଂଘୁରେ ଥିବା ବେଳେ ମୋ ସ୍ୱାମୀ ଆମ ୧୦ ବର୍ଷର ପୁଅ ଏବଂ ୧୭ ବର୍ଷୀୟା ଝିଅର ଦେଖାରଖା କରନ୍ତି । ଆଜି ଭାରତର ଗଣତନ୍ତ୍ର ଦିବସରେ ପଞ୍ଜାବ, ହରିଆଣା ଏବଂ ଉତ୍ତର ପ୍ରଦେଶ ଏକାଠି ହୋଇଛନ୍ତି । ଯାହା ବି ଚାଲିଛି ତାହା ଦ୍ୱାରା ସମସ୍ତଙ୍କର କ୍ଷତି ହିଁ ହେବ । ଏଇ କିଛି ଦିନ ଭିତରେ ପ୍ରାୟ ୨୦୦ କୃଷକ ସହିଦ ହୋଇସାରିଲେଣି । ସରକାରଙ୍କୁ ନଇଁବାକୁ ପଡ଼ିବ । ଏ ସବୁ କୃଷି ଆଇନ କେବଳ ଅମ୍ବାନି ଓ ଅଦାନିମାନଙ୍କୁ ଫାଇଦା ଦେବ, ଆମକୁ ନୁହେଁ ।”
ସେଦିନ ପାଇଁ ସୂର୍ଯ୍ୟ ବୁଡ଼ି ଯିବାବେଳକୁ, ଆଇଟିଓରେ ଥିବା କେତେକ ଟ୍ରାକ୍ଟର ବି ଯେଉଁ ସୀମାବର୍ତ୍ତୀ ସ୍ଥାନରୁ ଆସିଥିଲେ ସେଠାକୁ ଫେରିଯିବାରେ ଲାଗିଲେ । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ସେଦିନ ଦେଖାଦେଇଥିଲା ଦୁଇଟି ଦୃଶ୍ୟ- ଏକ ବିଶାଳ, ଶାନ୍ତିପୂର୍ଣ୍ଣ, ସମାରୋହ ନିମନ୍ତେ ଭବ୍ୟ ପ୍ୟାରେଡ୍ ଏବଂ ଏକ ଦୁଃଖଦ, ଅଶାନ୍ତ ଏବଂ ବିଷାକ୍ତ ପ୍ରହେଳିକା ।
ଅନୁବାଦ - ଓଡ଼ିଶାଲାଇଭ୍