ଭାରତୀବାଇ ଖୋଡ଼େ କହିଲେ, ‘‘ଆମେ ଦିଲ୍ଲୀ ଆସିଛୁ, କାରଣ ସରକାର ଆମ ଦାବିକୁ କାର୍ଯ୍ୟକାରୀ କଲେ ନାହିଁ।’’ ମାର୍ଚ୍ଚ ୨୦୧୮ରେ ଭାରତୀବାଇ ନାସିକ୍ରୁ ୧୮୦ କିଲୋମିଟର ଚାଲିଚାଲି ମୁମ୍ବାଇ ଆସିଥିଲେ। ଏହା ଥିଲା କୃଷକମାନଙ୍କର ଏକ ନିର୍ଣ୍ଣାୟକ ପ୍ରତିବାଦ ପଦଯାତ୍ରା।
ସେପଟେମ୍ବର ୫ରେ ମଜଦୁର କିଷାନ ସଂଘର୍ଷ ଶୋଭାଯାତ୍ରାର ପୂର୍ବଦିନ ମୁଁ ଭାରତୀବାଇଙ୍କୁ କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ରାମଲୀଳା ମଇଦାନରେ ଭେଟିଥିଲି। ତାଙ୍କ ଘର ମହାରାଷ୍ଟ୍ର ନାସିକ ଜିଲ୍ଲା କଲୱାନ ତାଲୁକର ସପ୍ତଶୃଙ୍ଗଗଡ଼ ଗାଁରେ। ତାଙ୍କ ଗାଁରୁ ଆହୁରି ଅନେକ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହୋଇଥିବା ୪୦,୦୦୦ ରୁ ୫୦,୦୦୦ କୃଷକ ଦିଲ୍ଲୀ ଆସିଥିଲେ। ସେମାନଙ୍କର ଦାବି ଥିଲା ଜମି ପଟ୍ଟା, ଜଳସେଚନ, ଋଣଛାଡ଼, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ଆହୁରି ଅନେକ କିଛି।
ଏଥର ସେମାନଙ୍କ ସଂଖ୍ୟା ବହୁ ଗୁଣିତ ହୋଇଯାଇଥିଲା। ଶୋଭାଯାତ୍ରାର ଆୟୋଜକଙ୍କ ଆକଳନ ଅନୁସାରେ ଏହି ସଂଖ୍ୟା ପ୍ରାୟ ୩୦୦,୦୦୦ ରୁ ଅଧିକ ଥିଲା। ଏଥିରେ ୨୬ଟି ରାଜ୍ୟର ଆନ୍ଦୋଳନକାରୀ ସାମିଲ ହୋଇଥିଲେ। ଏଥର କୃଷକଙ୍କ ସହ ଅନ୍ୟ ଶ୍ରମିକମାନେ ମଧ୍ୟ ସାମିଲ ହୋଇଥିଲେ। ଅଲ ଇଣ୍ଡିଆ କିଷାନ ସଭା, ଇଣ୍ଡିଆନ୍ ଟ୍ରେଡ୍ ୟୁନିୟନର କେନ୍ଦ୍ର ଏବଂ ଅଲ ଇଣ୍ଡିଆ ଏଗ୍ରିକଲଚରାଲ ୱାର୍କର୍ସ ୟୁନିୟନ୍ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଏମାନେ ସମସ୍ତେ ଦିଲ୍ଲୀ ଆସିଥିଲେ।
ସେପଟେମ୍ବର ୫ରେ ଶୋଭଯାତ୍ରା ଥିଲା। ଏହାର ଦିନକ ପୂର୍ବରୁ ପ୍ରାୟ ଅଧିକାଂଶ ଦିଲ୍ଲୀରେ ପହଞ୍ଚିସାରିଥିଲେ। ସମସ୍ତେ ପ୍ରାୟ ଟ୍ରେନ୍ ଆଉ ବସ୍ରେ ଆସିଥିଲେ। ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ଛୋଟ ବ୍ୟାଗ ଥିଲା। ସେଥିରେ ପୋଷାକ ଏବଂ ଘରୁ ଆଣିଥିବା କିଛି ଖାଦ୍ୟ ଥିଲା। ରାତିରେ ଶୋଇବା ପାଇଁ ରାମଲୀଳା ମଇଦାନରେ ସେମାନଙ୍କ ପାଇଁ ତମ୍ବୁ ଟଣା ଯାଇଥିଲା। ୨୫ ଟଙ୍କାରେ ଖାଇବା ପାଇଁ ବ୍ୟବସ୍ଥା ହେଇଥିଲା।







