୫୨ ବର୍ଷୀୟ ଓମପ୍ରକାଶ ଚଭନ କହିଲେ, ‘‘ନାରୀ ଚରିତ୍ରରେ ଅଭିନୟ କରୁଥିବା ଜଣେ [ପୁରୁଷ] କଳାକାର ଗୋଟେ ରକ୍ଷଣଶୀଳ ସମାଜରେ ବଞ୍ଚିବା ଭାରି କଷ୍ଟ।’’ ଚଭନଙ୍କୁ ଏବେ ୫୨ ବର୍ଷ। ସେ ଗତ ୩୫ ବର୍ଷ ମଧ୍ୟରେ ଦଶାବତାର ନାଟକରେ ପ୍ରାୟ ୮,୦୦୦ ଥର ମହିଳା ଭୂମିକାରେ ଅଭିନୟ କରିସାରିଛନ୍ତି।
ଦଶାବତାର ହେଉଛି ଏକ ଧାର୍ମିକ ଲୋକ ନାଟକ। ଦକ୍ଷିଣ ମହାରାଷ୍ଟ୍ର ଓ ଉତ୍ତର ଗୋଆର ଅନ୍ତତଃ ୫୦୦ ବର୍ଷର ପୁରୁଣା। ଏହା ପୌରାଣିକ କଥାବସ୍ତୁ ଭଗବାନ ବିଷ୍ଣୁଙ୍କର ୧୦ଟି ଅବତାର - ମତ୍ସ୍ୟ (ମାଛ), କୁର୍ମ (କଇଁଛ), ବରାହ (ବାର୍ହା), ନରସିଂହ (ସିଂହ-ମାନବ), ବାମନ (ଗେଡ଼ା), ପର୍ଶୁରାମ, ରାମ, କୃଷ୍ଣ (ବା ବଳରାମ), ବୁଦ୍ଧ ଓ କଳ୍କୀ ଅବତାର ଉପରେ ଆଧାରିତ। ନାଟକଗୁଡ଼ିକ ବାରମ୍ବାର ମଞ୍ଚସ୍ଥ ହୋଇଥାଏ ଏବଂ କିଛି ଘଣ୍ଟା ଧରି ପରିବେଷିତ ହୋଇଥାଏ। ସାଧାରଣତଃ ଚାଷୀ ଏବଂ ଶ୍ରମିକମାନେ ଏଥିରେ ଅଭିନୟ କରିଥାନ୍ତି। ପାରଂପରିକ ଭାବେ ସେମାନେ ମନ୍ଦିର ଭିତରେ ପରିବେଷଣ କରିଥାନ୍ତି - କେବଳ ପୁରୁଷମାନେ ଅଭିନୟ କରିଥାନ୍ତି।
ପ୍ରତି ବର୍ଷ ଅକ୍ଟୋବର ମାସରେ, ଧାନ ଅମଳ ପରେ ଦଶାବତାର ଥିଏଟର କମ୍ପାନୀମାନେ ବୁଲିବା ଆରମ୍ଭ କରି ଦିଅନ୍ତି। ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲା ଏବଂ ଉତ୍ତର ଗୋଆର କିଛି ଅଞ୍ଚଳରେ ବୁଲନ୍ତି। ଏହି ଥିଏଟରବାଲାଙ୍କ ସହ ମନ୍ଦିରଗୁଡିକର ଚୁକ୍ତି ହୋଇଥାଏ, ଗ୍ରାମଦେବତାଙ୍କ ବାର୍ଷିକ ଯାତ୍ରା (ଉତ୍ସବ)ରେ ପରିବେଷଣ ପାଇଁ। ଏହାର ଦର୍ଶକ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ମୁମ୍ବାଇରେ କାମ କରିବାକୁ ଆସିଥିବା ବାହାର ଲୋକ। ଏହି ଥିଏଟର କମ୍ପାନୀଗୁଡ଼ିକ ପ୍ରାୟ ୧୫ ଜଣ ସଦସ୍ୟ ବିଶିଷ୍ଟ। ଏହା ଭିତରେ ଥାଆନ୍ତି ୮-୧୦ ଜଣ କଳାକାର, ୩ ଜଣ ବାଦ୍ୟକାର ଓ ୨ ଜଣ ରାନ୍ଧୁଣିଆ। ଗୋଟିଏ ସିଜିନ୍ରେ (ଅକ୍ଟୋବରରୁ ମଇ ମଧ୍ୟରେ) ସେମାନେ ପ୍ରାୟ ୨୦୦ଟି ନାଟକ କରିଥାନ୍ତି।
ବେଳେବେଳେ ଏହି କମ୍ପାନୀମାନଙ୍କୁ ଲୋକଙ୍କ ଘରେ ପରିବେଷଣ ପାଇଁ ନିମନ୍ତ୍ରଣ ଥାଏ। ଏଠାରେ ଚରିତ୍ରମାନେ ପୌରାଣିକ ଥିବା ବେଳେ କାହାଣୀ ମନଗଢା ହୋଇଥାଏ। ମନ୍ଦିରରେ ପରିବେଷଣ ବେଳେ ସେମାନେ ସଂସ୍କୃତମିଶା ମରାଠୀ ଭାଷା ବ୍ୟବହାର କରନ୍ତି। ଯେତେବେଳେ କାହା ଘରେ ପରିବେଷଣ ହୁଏ ସେତେବେଳେ ସେମାନେ ସ୍ଥାନୀୟ ମାଲବାନୀ ଭାଷା ବ୍ୟବହାର କରନ୍ତି।
୨୦୧୪ ରୁ, ମୁଁ ୟକ୍ଷିଣୀ ଦଶାବତାର କମ୍ପାନୀ ଓ ପାର୍ସେକର କମ୍ପାନୀର ଅନେକ ଫଟୋ ନେଇଛି। ସେମାନେ ବହୁତ ଗାଁ ବୁଲି ସାରିଛନ୍ତି। ସେମାନେଙ୍କ ପରିବେଷଣ ମଧ୍ୟରାତ୍ରରୁ ଆରମ୍ଭ ହୋଇ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ଚାଲେ। ନାଟକ ଦେଖିବାକୁ ପୂରା ପରିବାର ଲୋକ ଆସନ୍ତି ଏପରିକି ବଡ଼ ପିଲାମାନେ ମଧ୍ୟ ରାତି ଅନିଦ୍ରା ହୋଇ ଦେଖନ୍ତି। ଦର୍ଶକଙ୍କ ଭିତରେ କଳାକାରଙ୍କ ପରିବେଷଣ, ତତ୍କାଳ ମନଗଢା କାହାଣୀ ଏବଂ କାହାଣୀର ନୈତିକ କଥା ଦର୍ଶକଙ୍କୁ ବାନ୍ଧି ରଖେ।