କେନ୍ଦ୍ରୀୟ କାଶ୍ମୀରର ବଡଗାମ୍ ଜିଲ୍ଲାର ଜୁଗୋ-ଖାରିଏନର ବାସିନ୍ଦା ୨୧ ବର୍ଷୀୟ ୱାଜିଦ୍ ଅହମ୍ମଦ ଅହଙ୍ଗର ଚଳିତବର୍ଷ ଅଗଷ୍ଟ ୧୧ ତାରିଖରେ ତୋସାମୈଦାନରେ ଅନୁଷ୍ଠିତ ହେବାକୁ ଥିବା ଏକ ନିଆରା ୩ ଦିନିଆ ଉତ୍ସବରେ ଯୋଗ ଦେବାକୁ ଅନ୍ୟ ଯୁବକଙ୍କ ସହ ବାହାରିଗଲେ । କିନ୍ତୁ ଏହି ସୁନ୍ଦର ଘାସ ମୈଦାନରେ ଘାସ ମଧ୍ୟରେ ପଡ଼ିଥିବା ଏକ ଅଫୁଟା ମୋର୍ଟାର ସେଲ ହଠାତ୍ ବିସ୍ଫୋରିତ ହେଲା । ତାଙ୍କ ବାପା ସ୍ଥାନୀୟ ମିଡିଆକୁ କହିଥିଲେ ଯେ, ୱାଜିଦ୍ ନିଜ ଘରୁ ନୂଆ ପୋଷାକ ପିନ୍ଧି “ଜଣେ ରାଜାପୁଅ ଘୋଡା ଚଳାଇବା ଭଳି’’ ବାହାରି ଯାଇଥିଲେ । କିନ୍ତୁ ଘରକୁ ତାଙ୍କର ମୃତଦେହ ଆସିଲା । ଅନ୍ୟ ୩ ଜଣ ଏହି ଘଟଣାରେ ଗୁରୁତର ଭାବେ ଆହତ ହେଲେ ।
ଉତ୍ସବସ୍ଥଳ ଶୋକ ସ୍ଥଳରେ ପରିଣତ ହେଲା । ଅତୀତ କିଭଳି କାଶ୍ମୀରର ପିଛା ଛାଡୁନାହିଁ ଏହା ଆଉ ଏକ ଉଦାହରଣ ଥିଲା ।
ବର୍ଷକ ପୂର୍ବରୁ ସେହି ଅଗଷ୍ଟ ମାସରେ ବଡଗାମ୍ ଜିଲ୍ଲାର ଖାଗ୍ ବ୍ଲକର ଶୁଙ୍ଗଲିପୋରା ଗାଁର ମହମ୍ମଦ ଆକ୍ରମ ଶେଖ୍ ସେହି ଉତ୍ସବ ବା ଜଶନ୍-ଇ-ତୋସାର ଗୁରୁତ୍ୱ ସଂପର୍କରେ ମୋ ସହିତ କଥା ହୋଇଥିଲେ । ୨୦୧୫ ମସିହାରୁ ସେହି ସୁନ୍ଦର ଘାସ ମୈଦାନ ସହିତ ଉତ୍ସବର ସଂପର୍କ ରହିଆସିଛି । ଜମ୍ମୁ-କାଶ୍ମୀର ସରକାର ମଧ୍ୟ ଜଶନ୍କୁ ପର୍ଯ୍ୟଟକଙ୍କ ଉତ୍ସବ ଭାବେ ପ୍ରୋତ୍ସାହିତ କରିଥାନ୍ତି ।
ସେ ବୁଝାଇଥିଲେ ଯେ, ସେହି ଉତ୍ସବ ସଂପ୍ରଦାୟକୁ ଖୋଲା ପଡ଼ିଆଟି ପୁଣି ମିଳିବାର ଖୁସିରେ ପାଳନ କରାଯାଉଛି । ପ୍ରାୟ ୫୦ ବର୍ଷ ଧରି ସେନା ସେହି ମୈଦାନକୁ ଅକ୍ତିଆର କରି ରଖିଥିଲା । ତାକୁ ଫାୟାରିଂ ରେଞ୍ଜ ଭାବେ ବ୍ୟବହାର କରାଯାଉଥିଲା । ଦୀର୍ଘ ଦିନ ଧରି ସଂଘର୍ଷ ଚାଲିବା ପରେ ୨୦୧୪ରେ ସେନା ତାକୁ ଖାଲି କରିଥିଲା ।
ବିନା ମୃତ୍ୟୁର ଭୟ, ଆହତ ହେବାର ଆଶଙ୍କା ବା ଧମକ ବିନା ଏତେତେଣେ ବୁଲିବା ଲାଗି ସେମାନଙ୍କର ସ୍ୱାଧୀନତାକୁ ଗ୍ରାମବାସୀ ପାଳନ କଲେ । ପଶୁଚରାଳୀ ସଂପ୍ରଦାୟ ହୋଇଥିବାରୁ ସେମାନେ ଜୀବିକା ପାଇଁ ସେମାନଙ୍କର ବେଉସାକୁ ପୁଣି ଅଭ୍ୟାସ କଲେ । ସେହି ସୁନ୍ଦର ଘାସ ମୈଦାନକୁ ସେନା ଖାଲି କରିବାକୁ ସେ ଆଶ୍ୱସ୍ତିର ସଙ୍କେତ ଭାବେ ବର୍ଣ୍ଣନା କରିଥିଲେ ।
କିନ୍ତୁ ଅଗଷ୍ଟ ୨୦୧୮ର ଘଟଣା ଏହି ସ୍ୱାଧୀନତା କେତେ ଭୟଙ୍କର ହୋଇପାରେ, ସାମରିକୀକରଣ କିଭଳି ସୁନ୍ଦର ଘାସ ମୈଦାନର ରୂପ ବଦଳାଇ ଦେଇପାରେ, ସେହି ଜମି ଉପରେ ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ ଲୋକଙ୍କର ଜୀବନ ଓ ଜୀବିକାକୁ ଏହା କିଭଳି ସଂପୂର୍ଣ୍ଣ ରୂପେ ପ୍ରଭାବିତ କରିପାରେ ତାହା ଦର୍ଶାଇଲା ।









