ରାମା ଆଦେଲ୍ଲୁଗାଣ୍ଡେୱାଡ ସବୁବେଳେ ଚିନ୍ତିତ ଓ ବିବ୍ରତ ରହୁଛନ୍ତି, ଏବଂ ସେ ଜାଣନ୍ତି କ’ଣ ପାଇଁ। ଯଦିଓ କୋଭିଡ୍ -୧୯ ର ଭୟଙ୍କର ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇଛି, ତଥାପି ସେ ଏହାର ସ୍ମୃତିଗୁଡ଼ିକୁ ଲିଭାଇ ପାରିବେ ନାହିଁ। ସେ କୁହନ୍ତି, "ଶବଦାହ କିଛି ସମୟ ପାଇଁ ଚଳ ଚଞ୍ଚଳ ନଥିଲା"। “କିନ୍ତୁ ଯଦି ତୃତୀୟ ଲହର ଆସେ ତେବେ କ’ଣ ହେବ? ମୁଁ ପୁନର୍ବାର ସେହି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବା କଥା ଚିନ୍ତା କରିପାରିବି ନାହିଁ।”
ମହାରାଷ୍ଟ୍ରର ଓସମାନାବାଦ ସହରର କପିଲଧରଶ୍ମଶାନ ଭୂମିରେ ୬୦ ବର୍ଷୀୟ ରାମା ଜଣେ ଶବଦାହ କର୍ମଚାରୀ ଭାବରେ ନିୟୋଜିତ ହୋଇଛନ୍ତି। ସେ ତାଙ୍କ ପରିବାର ସହିତ ଶ୍ମଶାନ ପରିସରରେ ରୁହନ୍ତି: ତାଙ୍କର ୭୮ ବର୍ଷୀୟା ମା ଆଦିଲବାଇ; ୪୦ ବର୍ଷୀୟା ପତ୍ନୀ ଲକ୍ଷ୍ମୀ; ଏବଂ ସେମାନଙ୍କର ଚାରି ଝିଅ ୧୮ ବର୍ଷର ରାଧିକା, ୧୨ ବର୍ଷର ମନୀଷା, ଏବଂ ୧୦ ବର୍ଷର ସତ୍ୟଶିଲା, ଏବଂ ୩ ବର୍ଷର ସାରିକା। ରାଧିକାଙ୍କ ୨୨ ବର୍ଷୀୟ ସ୍ୱାମୀ ଗଣେଶ ମଧ୍ୟ ସେମାନଙ୍କ ସହିତ ରୁହନ୍ତି।
ରାମା ଶ୍ମଶାନ ପରିଚାଳନା ଦାୟିତ୍ୱରେ ଅଛନ୍ତି। "ମୁଁ ମୃତ ଶରୀର ପାଇଁ ଚିତା ସ୍ଥାପନ କରିଥାଏ, ମୃତ ଶରୀର ଜଳିଯିବା ପରେ ପାଉଁଶ ସଫା କରିଥାଏ ଏବଂ ଏହିପରି ଅନେକଥର। ” ଗଣେଶ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରନ୍ତି। ରାମା କୁହନ୍ତି, “ଏଥିପାଇଁ ଆମେ[ଓସମାନାବାଦ] ପୌରପାଳିକା ପରିଷଦରୁ ମାସକୁ ୫୦୦୦ ଟଙ୍କା ପାଇଥାଉ।” ଏହି ରାଶି, ଯାହା ଉଭୟଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ପାଇଁ ମିଳିଥାଏ, ତାହା ହେଉଛି ପରିବାରର ଆୟର ଏକମାତ୍ର ଉତ୍ସ।
ଓସମାନାବାଦ ସହରଠାରୁ ୨୦୦ କିଲୋମିଟରରୁ ଅଧିକ ଦୂର - ନନ୍ଦେଡର ମୂଳ ଅଧିବାସୀ - ରାମା ଏବଂ ତାଙ୍କ ପରିବାର ପ୍ରାୟ ୧୨ ବର୍ଷ ପୂର୍ବେ ଏଠାକୁ ଆସିଥିଲେ। ସେମାନେ ମସାନଯୋଗୀ ସମ୍ପ୍ରଦାୟର, ଯାହାକି ମହାରାଷ୍ଟ୍ରର ଏକ ଯାଯାବର ଜନଜାତି ଭାବରେ ବର୍ଗୀକୃତ। ମସାନଯୋଗୀମାନେ ପାରମ୍ପରିକ ଭାବରେ ଶବଦାହକାରୀ ଏବଂ ଭିକ୍ଷୁକ ଅଟନ୍ତି। ଗାଣ୍ଡେୱାଡଙ୍କ ପରି କେତେକ ପରିବାର ଶ୍ମଶାନ ଏବଂ ସମାଧିସ୍ଥଳମାନଙ୍କରେ ରୁହନ୍ତି।









