ବିଡ ଏବଂ ଜଲନା: ଭୋର ୩ଟା ବେଳର କିଟିକିଟିଆ ଅନ୍ଧାର, ପୂରା ଖାଲି ହୋଇଯାଏ କାଚିଙ୍କୋଲି ଗାଁ। ସମସ୍ତେ ପହଞ୍ଚିଯାଆନ୍ତି ଗୋଦାବରୀର ଶୁଖିଲା ଶଯ୍ୟାରେ। ସମସ୍ତଙ୍କ ହାତରେ ଯେତେ ସମ୍ଭବ ଅଧିକ ପାତ୍ର, ମହିଳାମାନେ ହାତରେ ଖୋଳିବା ଆରମ୍ଭ କରନ୍ତି। ଚୁଆରେ କାଦୁଆ ପାଣି ଦେଖାଯିବା ମାତ୍ରେ ସାଙ୍ଗରେ ଆଣିଥିବା ପାତ୍ରରେ ଡଙ୍କି ସାହାଯ୍ୟରେ ଭର୍ତ୍ତି କରନ୍ତି। ତା ପରେ କାଦୁଅ ଆଉ ଗୋଡିକୁ ଛାଣନ୍ତି। ଏ ହେଉଛି ସେହି ପାଣି ଯାହାକୁ ଗାଁ ଲୋକେ ପିଅନ୍ତି। ଗୋଟିଏ ପାତ୍ରରେ ପାଣି ଭର୍ତ୍ତି କରିବାକୁ ପ୍ରାୟ ୨ ଘଣ୍ଟା ଲାଗିଯାଏ। ଆଉ ପ୍ରତି ପରିବାର ପାଇଁ ପ୍ରତି ଦିନ ଅତି କମରେ ଏଭଳି ତିନିଟି ପାତ୍ରରେ ପାଣି ଆବଶ୍ୟକ। ୬୦ ଛୁଇଁଥିବା ଗଙ୍ଗୁବାଇ ସିନ୍ଦେ କହନ୍ତି, ‘‘ମୁଁ ଏଠି ସବୁଦିନ ପ୍ରାୟ ୬ ଘଣ୍ଟା ରହେ। ମୋ ଖଞ୍ଜା-ହାଡ଼ ବାହାରକୁ ବାହାରି ଆସିଲାଣି।’’ ଚୂଆ ପାଖରେ ଶହେ ଜଣଙ୍କ ଧାଡ଼ି ଲାଗିଥିବାରୁ ଗଣ୍ଡଗୋଳ ବି ହୁଏ।
କଚିଙ୍କୋଲି ଗାଁ ଲୋକେ ସପ୍ତାହରେ ଗୋଟିଏରୁ ଅଧିକ ଦିନ ଗାଧୋଇ ପାରନ୍ତିନି। ପୂର୍ବତନ ସରପଞ୍ଚ ଲିମ୍ବାଜି ଖୋଟେ କହନ୍ତି, ‘‘ଆମେ ଓଦା କପଡ଼ାରେ ପୋଛି ହେଉ। ଖାଇ ସାରିବା ପରେ ହାତ ଆଉ ଥାଳିକୁ ଧୋଇବା ବଦଳରେ କପଡ଼ାରେ ପୋଛୁ।’’ ଗାଁରେ କୌଣସି ପାଇଖାନାକୁ ପାଣି ଯୋଗାଣ ନାହିଁ।
ବେଦ୍ ଜିଲ୍ଲା ଜିଓରାଇ ତାଲୁକର ଏହି ଗାଁରେ ଜଳ ସଙ୍କଟ ବଢୁଛି। ମରାଠାଓ୍ୱାଡ଼ାର ଏହି ଅନାବୃଷ୍ଟି ଅଞ୍ଚଳରେ ସ୍ୱାଭାବିକ ବର୍ଷାର ଅଧା ବର୍ଷା ହୋଇଛି। ଡ୍ୟାମ୍ ଗୁଡ଼ିକରେ ପାଣି ୧୫% କୁ ଖସି ଯାଇଛି। ସମଗ୍ର ଅଞ୍ଚଳରେ କୂଅ ଓ ନଳକୂଅ ଶୁଖିଗଲାଣି। ଅଧିକାରୀମାନେ କୁହନ୍ତି ମହାରାଷ୍ଟ୍ରରେ ଏହି ମରୁଡ଼ି - ଗତ କିଛି ବର୍ଷ ମଧ୍ୟରେ ସବୁଠୁ ଭୟଙ୍କର -- ପିଇବା ପାଣିଠାରୁ ଫସଲକୁ ବେଶୀ ପ୍ରଭାବିତ କରିଛି। ସଂକଟ ଭିତରେ ପଡ଼ିଥିବା ମରାଠାୱାଡ଼ା ଖରା ମାସଗୁଡ଼ିକରେ ଅଧିକ ଉତ୍କଟ ସ୍ଥିତିର ସାମ୍ନା କରିବ। ଗତ ଅକ୍ଟୋବରରେ ଏହି ଅଞ୍ଚଳକୁ ମାତ୍ର ୨୨ ଟ୍ୟାଙ୍କର ପାଣି ମିଳିଥିଲା। ଏବେ ଏହି ସଂଖ୍ୟା ୬୪୦ କୁ ବୃଦ୍ଧି ପାଇଛି।
ଗାଈଗୋରୁଙ୍କ ଅଭାବ ବିକ୍ରି
ବେଦ୍ ଜିଓରାଇ ତାଲୁକର ଗାଁ ଲୋକମାନେ ଏବେ ଗାଈଗୋରୁଙ୍କୁ ଅଧା ଦାମରେ ବିକିବା ଆରମ୍ଭ କରିଦେଲେଣି। କାରଣ ତାଙ୍କ ପାଖରେ ପାଣି ନାହିଁ କି ଖାଦ୍ୟ ନାହିଁ। ଗତ ମାସରେ ଦତ୍ତ ପରହଦ ତାଙ୍କର ଚାରିଟି ଗୋରୁ ବିକି ଦେଇଛନ୍ତି। ୨୦,୦୦୦ ଟଙ୍କାରେ ଦୁଇଟି ବଳଦ ବିକିଛନ୍ତି ଯାହାର ଦାମ ଏହାର ଦି ଗୁଣ ହେବ। ସେହିଭଳି ଦୁଇଟି ଗାଈ ଜଣେ ସଂପର୍କୀୟଙ୍କୁ ମାଗଣାରେ ଦେଇ ଦେଇଛନ୍ତି। ଯାହାର ଦାମ୍ ୩୦,୦୦୦ ଟଙ୍କା ହେବ।
ସେ କହନ୍ତି, ‘‘ଏଇ ଗୋରୁ ମୋତେ ଜୀବିକା ଦେଇଥିଲେ। ମୁଁ ଦୁଇ ଦିନ ପର୍ଯ୍ୟନ୍ତ ଖାଇ ପାରିଲିନି। କିନ୍ତୁ ମୋ ପରିବାର ପାଇଁ ପାଣି ନାହିଁ, ଗୋରୁଙ୍କୁ କେମିତି ରଖିଥାନ୍ତି?




