“ଗ୍ରାମବାସୀ ସେମାନଙ୍କ ଦ୍ୱାର ପାଖକୁ ଗଲେ ସେଠାକୁ ନଯିବା ପାଇଁ ଆମ ଉପରେ ପାଟି କରୁଛନ୍ତି । ସେମାନେ କହୁଛନ୍ତି ଯେ କିଛି ବିମାରୀ ଆସିଛି । କେହି ମଧ୍ୟ ଆମକୁ ସେହି ବିମାରୀ ବିଷୟରେ ଜଣାଉନାହାନ୍ତି। ମୋତେ କିଛି ରୋଗ ହେଇନି। ସେମାନେ ମୋତେ କାହିଁକି ରହିବାକୁ କହୁଛନ୍ତି?”
ଗୀତାବାଇ କାଲେ, ଜଣେ ଫନ୍ସେ ପର୍ଧି ଆଦିବାସୀ, ଗତ ଏକ ସପ୍ତାହ ହେବ କିଛି ମଧ୍ୟ ଖାଇବାକୁ ପାଇନାହାନ୍ତି । କାରଣ, ଏହି ଭୋକିଲା ୭୮ବର୍ଷୀୟ ବୃଦ୍ଧାଙ୍କ ପାଇଁ ଖାଦ୍ୟ ପାଇବାର ଗୋଟିଏ ମାତ୍ର ରାସ୍ତା ହେଉଛି ଭିକ୍ଷାବୃତ୍ତି, ଯେକୌଣସି ସାଧାରଣ ଦିନରେ ମଧ୍ୟ । ହେଲେ ତାଲାବନ୍ଦ ଯୋଗୁଁ ଏହି ଉତ୍ସ ଶୁଷ୍କ ହୋଇଯାଇଛି । କୋଭିଡ୍- ୧୯ କ’ଣ ସେ ବିଷୟରେ ତାଙ୍କ ପାଖରେ ସମ୍ୟକ୍ ସୂଚନା ମଧ୍ୟ ନାହିଁ କିନ୍ତୁ ସେ ଓ ତାଙ୍କ ଭଳି ଅନ୍ୟ ପର୍ଧିମାନେ ପ୍ରତିଦିନ ଏହାର ଜ୍ୱାଳା ଅନୁଭବ କରିପାରୁଛନ୍ତି- ସେମାନଙ୍କ ଖାଲି ପେଟରେ ।
ମାର୍ଚ୍ଚ ୨୫ରେ ଶେଷଥର ପାଇଁ ତାଙ୍କୁ ବାସୀ ବାଜରା ଭାକ୍ରି ଖାଇବାକୁ ଦିଆଯାଇଥିବା କଥା ସେ ମନେପକାନ୍ତି । “କେତେକ ବାଳକ – ଯାହାକୁ ମୁଁ ଚିହ୍ନିନି- ସେମାନେ ଇତ୍ୱାର୍ [ରବିବାର, ମାର୍ଚ୍ଚ ୨୨ରେ]କୁ ଆସିଥିଲେ ଓ ମତେ ଚାରିଟି ଭାକ୍ରି ଖାଇବାକୁ ଦେଇଥିଲେ।’’ ଚାରିଦିନ ପର୍ଯ୍ୟନ୍ତ ମୁଁ ସେଗୁଡିକୁ ଖାଇଲି । ତା’ ପରଠାରୁ ସେ ନିଜ ଭୋକକୁ ଚାପି ଆସୁଛନ୍ତି । “ତା’ପରେ କେହି ମଧ୍ୟ ଆସିନାହାନ୍ତି ଓ ଗ୍ରାମବାସୀମାନେ ମଧ୍ୟ ମତେ ପ୍ରବେଶ କରିବାକୁ ଦେଉନାହାନ୍ତି’’।
ଗୀତାବାଇ ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ଶିରୁର୍ର ମୂଖ୍ୟ ରାସ୍ତା ପାଖରେ ଏକ ଟିଣ ଘରେ ଏକଲା ରୁହନ୍ତି ଓ ଏଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଚୱନ୍ୱାଡି ଗ୍ରାମକୁ ଭିକ ମାଗିବାକୁ ଯାଆନ୍ତି । “ଲୋକମାନେ ସେମାନଙ୍କ ଯାହା ବଳକା ଖାଦ୍ୟ ଥାଏ ଆମକୁ ଦିଅନ୍ତି, ଆମେ ତାହା ଖାଉ,” ବୋଲି ସେ କୁହନ୍ତି । “ମୁଁ କେହି ଜଣେ କହୁଥିବା ଶୁଣିଲି ଯେ ସରକାର ମାଗଣାରେ ଖାଦ୍ୟଶସ୍ୟ ଦେଉଛନ୍ତି – କିନ୍ତୁ ତାହା କେବଳ ସେମାନଙ୍କ ପାଇଁ ଯେଉଁମାନଙ୍କ ପାଖରେ ରାସନ୍ କାର୍ଡ ଅଛି । ମୋ ପାଖରେ ତାହା ନାହିଁ’’।
ଅନୁସୂଚୀତ ଜନଜାତି ତାଲିକାଭୁକ୍ତ ଫନ୍ସେ ପର୍ଧିମାନେ ହେଉଛନ୍ତି ଗରିବମାନଙ୍କ ମଧ୍ୟରେ ସବୁଠାରୁ ନିମ୍ନଶ୍ରେଣୀର ଓ ବଞ୍ଚିତ ବର୍ଗର ଆଦିବାସୀ ଗୋଷ୍ଠୀ । ପର୍ଧିମାନଙ୍କୁ ସ୍ୱାଧୀନତାର ୭୦ ବର୍ଷ ପରେ ଆଜି ମଧ୍ୟ ନୃଶଂସ ଔପନିବେଶିକ ବିଧାନର ବୋଝ ମୁଣ୍ଡାଇଛନ୍ତି ଓ ପରମ୍ପରା ନିର୍ବାହ କରୁଛନ୍ତି । ୧୮୭୧ରେ ଅନେକ ଆଦିବାସୀ ଓ ପଶୁଚାରଣକାରୀ ଯାଯାବର ଗୋଷ୍ଠୀ ଯେଉଁମାନେ ବିଦ୍ରୋହ କରିଥିଲେ ଓ ସେମାନଙ୍କ ସାର୍ବଭୋମତ୍ୱକୁ ଚାଲେଞ୍ଜ କରିଥିଲେ, ବ୍ରିଟିଶ ସରକାର ସେମାନଙ୍କୁ ଦଣ୍ଡିତ ତଥା ଦମନ କରିବା ପାଇଁ ଅପରାଧ ପ୍ରବଣ ଜନଜାତି ଆକ୍ଟ ପ୍ରବର୍ତ୍ତନ କରି ପ୍ରାୟ ୨୦୦ ସମ୍ପ୍ରଦାୟକୁ ଆଜନ୍ମ ‘ଅପରାଧୀ’ ବୋଲି ଘୋଷଣା କରିଥିଲେ । ଏହି ଗୋଷ୍ଠୀଗୁଡିକ ପାଇଁ ଏହାର ପରିଣତି ବିଧ୍ୱଂସକାରୀ ପ୍ରମାଣିତ ହେଲା ଓ ବାକି ସମାଜ ଠାରୁ ସେମାନଙ୍କୁ ପୃଥକ୍ କରିଦେଲା ।
ସ୍ୱାଧୀନ ଭାରତରେ ୧୯୫୨ରେ ଏହି ଆକ୍ଟକୁ ଉଠାଇ ଦିଆଗଲା ଓ ‘ଅପରାଧ ପ୍ରବଣ ଜନଜାତି’ ତାଲିକାକୁ ରଦ୍ଦ କରିଦିଆଗଲା । ହେଲେ, ଏହା ସହିତ ଜଡିତ କଳଙ୍କ, ଘୃଣା ଭାବ ଓ ବାକି ସମାଜ ଦ୍ୱାରା ଦିଆଯାଉଥିବା ମାନସିକ ଯନ୍ତ୍ରଣା ଆଜି ମଧ୍ୟ ସେପରି କଠୋର ହୋଇ ରହିଛି । ଆଜି ମଧ୍ୟ ଏହି ସମ୍ପ୍ରଦାୟଗୁଡିକ ମଧ୍ୟରୁ ଅନେକ ସମ୍ପ୍ରଦାୟ କ୍ଷେତ୍ରରେ ମୁଖ୍ୟ ଗ୍ରାମ ଭିତରକୁ ପ୍ରବେଶ କରିବା ବା ଏହାର କୂଅରୁ ପାଣି କାଢିବା ସମ୍ଭବ ନୁହେଁ । ସେମାନେ ଏଠାରୁ ପ୍ରାୟତଃ ୨-୩ କିଲୋମିଟର ଦୂରରେ ରୁହନ୍ତି । ସେମାନଙ୍କୁ କୌଣସି କାମରେ ନିୟୋଜିତ କରାଯାଏ ନାହିଁ, ଯେହେତୁ ସେମାନଙ୍କ ଶିକ୍ଷାଗତ ସ୍ତର ଅତ୍ୟନ୍ତ ନିମ୍ନ, ସେମାନଙ୍କ ମଧ୍ୟରୁ ଅନେକ ଛୋଟ ଛୋଟ ଅପରାଧ ଅଭିଯୋଗରେ ଜେଲ୍ରେ ଅଛନ୍ତି । ଅନ୍ୟ କୌଣସି ବିକଳ୍ପ ନଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ବଞ୍ଚିବା ପାଇଁ ବାଧ୍ୟ ହୋଇ ଭିକ୍ଷାବୃତ୍ତି କରୁଛନ୍ତି ।




