‘‘ସେମାନେ ବୋଧେ ମୋତେ ମାରି ଦେଇଥାନ୍ତେ....’’ ୨୮ ବର୍ଷ ବୟସ୍କା ଅରୁଣା କୁହନ୍ତି। କିଛି ଦୂରରେ ଖେଳୁଥିବା ନିଜ ଛଅ ବର୍ଷର ଝିଅ ଉପରେ ନଜର ରଖିଥିବା ଅରୁଣା ଏହା କହିବା ସମୟରେ ତାଙ୍କ ମୁଖମଣ୍ଡଳରେ ବ୍ୟସ୍ତତା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥାଏ। ଏଠି ‘ସେମାନେ’ର ଅର୍ଥ ହେଉଛି ଅରୁଣାଙ୍କ ପରିବାର। ସେମାନେ ମଧ୍ୟ ଅରୁଣା କାହିଁକି ଏପରି ବ୍ୟବହାର କରୁଥିଲେ ତାହା ବୁଝିପାରୁନଥିଲେ। ‘‘ମୁଁ ସବୁ ଜିନିଷ ଫିଙ୍ଗି ଦେଉଥିଲି, ଘରେ ରହୁନଥିଲି। କେହି ଆମ ଘର ପାଖକୁ ଆସୁନଥିଲେ....’’
ପ୍ରାୟତଃ ସେ ତାମିଲନାଡ଼ୁର କାଞ୍ଚିପୁରମ ଜିଲ୍ଲାରେ ଥିବା ତାଙ୍କ ଘର ପାଖ ପାହାଡ଼ ଉପରେ ଘୂରି ବୁଲୁଥିଲେ। କିଛି ଲୋକ ଆକ୍ରମଣ ଆଶଙ୍କା କରି ତାଙ୍କ ପାଖକୁ ଯାଉନଥିଲେ, ଅନ୍ୟମାନେ ତାଙ୍କ ଉପରକୁ ପଥର ଫିଙ୍ଗୁଥିଲେ। ତାଙ୍କ ବାପା ତାଙ୍କୁ ଘରକୁ ଫେରାଇ ଆଣୁଥିଲେ ଏବଂ ବେଳେବେଳେ ତାଙ୍କୁ ବାହାରକୁ ଯିବାରୁ ରୋକିବା ଲାଗି ଏକ ଚୌକିରେ ବାନ୍ଧି ଦେଉଥିଲେ।
ଅରୁଣା (ଛଦ୍ମନାମ)ଙ୍କୁ ୧୮ ବର୍ଷ ହୋଇଥିବା ବେଳେ ତାଙ୍କ ଠାରେ ସ୍କିଜୋଫ୍ରେନିଆ ନାମକ ମାନସିକ ବିକାର ଦେଖା ଦେଇଥିଲା। ଏହି ଅସୁସ୍ଥତା ତାଙ୍କର ଚିନ୍ତାଧାରା, ଭାବନା ଓ ଅଭ୍ୟାସକୁ ପ୍ରଭାବିତ କରିଥିଲା।
କାଞ୍ଚିପୁରମର ଚେଙ୍ଗଲପଟ୍ଟୁ ତାଲୁକ କୋଣ୍ଡାଙ୍ଗୀ ଗାଁର ଦଳିତ କଲୋନୀରେ ନିଜ ଘର ବାହାରେ ବସିଥିବା ଅରୁଣା ନିଜ କଷ୍ଟର ଦିନ ବିଷୟରେ କହୁଥିବା ସମୟରେ ହଠାତ୍ ଅଟକି ଯାଆନ୍ତି। ସେ ଅଚାନକ ଉଠି ଚାଲି ଯାଆନ୍ତି। ଗୋଲାପୀ ରଙ୍ଗର ନାଇଟୀ ପିନ୍ଧିଥିବା ଓ କେଶକୁ ଛୋଟ ଛୋଟ କରି କାଟି ଦେଇଥିବା ଶ୍ୟାମଳ ବର୍ଣ୍ଣର ମହିଳା ଅରୁଣା ଚାଲିବା ସମୟରେ ଆଗକୁ ନଇଁ ପଡ଼ନ୍ତି। ସେ ନିଜର ବଖୁରିକିଆ ଚାଳ ଛପର ଘର ଭିତରକୁ ପ୍ରବେଶ କରନ୍ତି ଏବଂ ଡାକ୍ତରଙ୍କ ସୁପାରିସପତ୍ର ଓ ଦୁଇଟି ବଟିକା ଖୋଳ ଧରି ଫେରି ଆସନ୍ତି। ‘‘ଏହି ଔଷଧ ଖାଇଲେ ମୋତେ ନିଦ ହୋଇଯାଏ। ଆଉ ଗୋଟିଏ ସ୍ନାୟୁ ସମସ୍ୟା ଦୂର କରିଥାଏ,’’ ବଟିକାଗୁଡ଼ିକୁ ଦେଖାଇ ସେ କୁହନ୍ତି। ‘‘ମୁଁ ଏବେ ଭଲରେ ଶୋଇପାରୁଛି। ଔଷଧ ଆଣିବାକୁ ମୁଁ ସବୁ ମାସରେ ସେମ୍ବକ୍କମ (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଯାଇଥାଏ।’’
ଯଦି ଶାନ୍ତି ଶେଷା ନଥା’ନ୍ତେ ତା’ହେଲେ ବୋଧହୁଏ ଅରୁଣାଙ୍କ ରୋଗ ଚିହ୍ନଟ ହୋଇପାରିନଥାନ୍ତା।



