ଏସ. ରାମାସାମୀ ନିଜର ପୁରୁଣା ବନ୍ଧୁ ସହ ମୋର ପରିଚୟ କରାଇ ଦେଇଥିଲେ। ତାଙ୍କର ପ୍ରିୟ ସାଥୀ ଅନେକ ଆଗନ୍ତୁକମାନଙ୍କୁ ଆକୃଷ୍ଟ କରିଥାଏ: ସମ୍ବାଦପତ୍ର, ଟିଭି ଚାନେଲ, ଆଇଏଏସ ଏବଂ ଆଇପିଏସ ଅଧିକାରୀ ଏବଂ ଆହୁରି ଅନେକ। କୌଣସି ତଥ୍ୟ ଯେମିତି ସେ ଛାଡ଼ି ନଯାଆନ୍ତି ସେଥିପ୍ରତି ସେ ସଚେତନ ଥିଲେ। ସର୍ବୋପରି ସେ ଜଣେ ସେଲିବ୍ରିଟୀ, ଜଣେ ଭିଆଇପିଙ୍କ ବିଷୟରେ କଥା ହେଉଥିଲେ।
ତାଙ୍କର ବନ୍ଧୁ ହେଉଛି ୨୦୦ ବର୍ଷ ପୁରୁଣା ଏକ ଗଛ: ମାଳିଗମପଟ୍ଟର ମହାନ ଆୟିରମକାଚୀ
ଆୟିରମକାଚୀ ହେଉଛି ଏକ ପଲା ମରମ୍ ବା ପଣସ ଗଛ,ଏହା ମୋଟା, ଡେଙ୍ଗା ଓ ଫଳବତୀ। ଗଛଟି ଏତେ ଚଉଡ଼ା ଯେ, ଏହାର ଚାରିପାଖରେ ଥରେ ବୁଲି ଆସିବା ପାଇଁ ୨୫ ସେକେଣ୍ଡ ସମୟ ଲାଗିଥାଏ। ଏହି ପୁରୁଣା ଗଛର ଗଣ୍ଡିରେ ୧୦୦ରୁ ଅଧିକ କଣ୍ଟାଯୁକ୍ତ ସବୁଜ ଫଳ ଝୁଲି ରହିଥାଏ। ଏହି ଗଛ ପାଖରେ ଛିଡ଼ା ହେବା ଏକ ସମ୍ମାନର ବିଷୟ। ଏହା ଚାରିପାଖରେ ବୁଲିବା ସୌଭାଗ୍ୟର ବିଷୟ। ମୋର ପ୍ରତିକ୍ରିୟା ଦେଖି ରାମସାମୀ ସ୍ମିତହାସ୍ୟ ଦେଇଥିଲେ; ଆନନ୍ଦ ଓ ଗର୍ବରେ ତାଙ୍କର ନିଶ ଫୁଲି ଉଠିଥିଲା, ଏହି ଅଭିବ୍ୟକ୍ତି ତାଙ୍କ ଆଖିରେ ପ୍ରତିଫଳିତ ହୋଇଥିଲା। ୭୧ ବର୍ଷ ମଧ୍ୟରେ, ତାଙ୍କ ଗଛକୁ ଦେଖି ପ୍ରଭାବିତ ହୋଇଥିବା ଅନେକ ଅତିଥିଙ୍କୁ ସେ ଦେଖିଛନ୍ତି। ସେ ମୋତେ ଆହୁରି ଆଗକୁ କହିଥିଲେ...
“ଆମେ କୁଡ଼ାଲୋର ଜିଲ୍ଲା, ପନରୁଟି ବ୍ଲକର ମଳିଗମପଟ୍ଟ ପଡ଼ାରେ ଥିଲୁ,” ଖାବି (ଗେରୁଆ) ଧୋତି ପିନ୍ଧି ଓ ନିଜ ପତଳା କାନ୍ଧରେ ତଉଲିଆ ପକାଇ ସେ ଗଛ ପାଖରେ ଛିଡ଼ା ହୋଇ ନିଜର କଥାବାର୍ତ୍ତା ଜାରି ରଖିଥିଲେ। “ପାଞ୍ଚ ପିଢ଼ି ପୂର୍ବରୁ ମୋର ପୂର୍ବଜମାନେ ଏ ଗଛକୁ ଲଗାଇଥିଲେ। ଆମେ ଏହାକୁ ‘ଆୟିରମକାଚୀ’ ବା ୧,୦୦୦ ଫଳ ଦେଇଥିବା ଗଛ ବୋଲି କହୁ। ପ୍ରକୃତରେ, ଏ ଗଛରେ ଏବେ ବର୍ଷକୁ ୨୦୦ରୁ ୩୦୦ ଫଳ ଫଳୁଛି ଏବଂ ସେଗୁଡ଼ିକ ୮ରୁ ୧୦ ଦିନ ମଧ୍ୟରେ ପାଚି ଯାଉଛି। ପଣସର ଫୁଟଗୁଡ଼ିକ ଭାରି ସୁଆଦିଆ, ରଙ୍ଗ ଖୁବ ସୁନ୍ଦର ଏବଂ ପାଚିନଥିବା ପଣସକୁ ମଧ୍ୟ ବିରିୟାନି ସହ ରନ୍ଧା ହୁଏ।” ପ୍ରାୟ ଅଧା ମିନିଟ ମଧ୍ୟରେ, ସେ ଏହାର ଗୁଣକୁ ପ୍ରଶଂସା କରିଥିଲେ। ତାଙ୍କ ଗଛ ଭଳି, ରାମସାମୀଙ୍କ ଭାଷଣ ମଧ୍ୟ ସମୟ ସହିତ ଶାଣିତ ଏବଂ ବହୁ ଦଶନ୍ଧି ଧରି ଗଢ଼ା ହୋଇଥିବା ଭଳି ଲାଗିଥିଲା।


















