ହାତ ଆଙ୍ଗୁଠିର ନଖଠାରୁ ବଡ଼ ନୁହେଁ। କିନ୍ତୁ ଗୋଟି ଗୋଟି କରି ସବୁ ଫୁଲକଢ଼ ମଳିନ, ଧଳା ଏବଂ ସୁନ୍ଦର। ଏଠି ସେଠି ସବୁଠି, କ୍ଷେତ ସାରା ସଂପୂର୍ଣ୍ଣ ଫୁଟିଥିବା ଫୁଲରେ ଭର୍ତ୍ତି ଏବଂ ସେସବୁର ମନମତାଣିଆ ବାସ୍ନାରେ ଭରିଯାଏ ନାସାରନ୍ଧ୍ର। ମଲ୍ଲୀ ଫୁଲ ଏକ ଉପହାର – ଧୂଳି ଧୂସରିତ ଧରିତ୍ରୀ ପାଇଁ, ସଗର୍ବେ ଦଣ୍ଡାୟମାନ ବୃକ୍ଷ ପାଇଁ ଏବଂ ମେଞ୍ଚା ମେଞ୍ଚା ବାଦଲରେ ଭର୍ତ୍ତି ଆକାଶ ପାଇଁ।
ହେଲେ ଏମିତି ରୋମାଞ୍ଚକର ଢଙ୍ଗରେ ପୁରୁଣା ସ୍ମୃତିକୁ ସାଉଁଟିବାର ପ୍ରୟାସ ପାଇଁ ଏଠାକାର ଶ୍ରମିକଙ୍କ ପାଖରେ ସମୟ ହିଁ ନାହିଁ। ଫୁଲ ପୂରା ଫୁଟିବା ପୂର୍ବରୁ ସେମାନଙ୍କୁ ମଲ୍ଲୀକୁ ନେଇ ପୋକଡ଼ାଇରେ (ଫୁଲ ବଜାର) ପହଞ୍ଚାଇବାକୁ ପଡ଼ିବ। ଆଉ ଦିନ ଚାରିଟା ପରେ ବିନାୟକ ଚତୁର୍ଥୀ, ପ୍ରଭୁ ଗଣେଶଙ୍କ ଜନ୍ମଦିନ। ଅର୍ଥାତ୍ ଏହି ସମୟରେ ହିଁ ଆପଣ ଭଲ ଦର ମିଳିବ ବୋଲି ଆଶା କରିପାରିବେ।
କେବଳ ବୁଢ଼ା ଆଙ୍ଗୁଠି ଏବଂ ବିଶି ଆଙ୍ଗୁଠିରେ ଅତି ଶୀଘ୍ର ଶୀଘ୍ର ଫୁଲକଢ଼ ତୋଳିବାରେ ଲାଗି ପଡ଼ନ୍ତି ପୁରୁଷ ଓ ମହିଳାମାନେ। କଢ଼ରେ ହାତ ପାପୁଲି ଭରିଗଲେ ସେମାନେ ନିଜ ନିଜ ଶାଢ଼ି ବା ଧୋତିରେ କରିଥିବା ମୁଣାରେ ରଖି ଦିଅନ୍ତି ଏବଂ ପରେ ଏହାକୁ ଅଖାବସ୍ତାରେ ଭରି ଦିଅନ୍ତି। ନିର୍ଭୁଲ ଧାରାରେ ଏହି କାମ କରିବାକୁ ପଡ଼େ: ପ୍ରଥମେ ଡାଳକୁ ଟେକିଧର (କଡ଼ମଡ଼, କଡ଼ମଡ଼), ଫୁଲକଢ଼ି ତୋଳିନିଅ (ଟକ୍, ଟକ୍, ଟକ୍), ପରବର୍ତ୍ତୀ ଗଛ ପାଖକୁ ଯାଅ, ଯେଉଁ ଗଛର ଉଚ୍ଚତା ତିନି ବର୍ଷର ଛୁଆ ଭଳି, ଆଉ ଅଧିକ ଫୁଲ ତୋଳିରଖ ଏବଂ ଗପସପ କର। ତା ସହିତ ରେଡିଓରୁ ଲୋକପ୍ରିୟ ତାମିଲ ଗୀତ ବି ଶୁଣ, ସୂର୍ଯ୍ୟ ଯେବେ ପୂର୍ବ ଆକାଶରେ ଧୀରେ ଧୀରେ ଉଇଁ ଆସେ ...
ଖୁବ୍ ଶୀଘ୍ର ଏହି ଫୁଲ ପହଞ୍ଚିବ ମଦୁରାଇ ସହରର ମାଟ୍ଟୁତାବାଣୀ ବଜାରରେ ଏବଂ ସେଠାରୁ ତାମିଲନାଡୁର ଅନ୍ୟ କେତେକ ସହରକୁ ଯିବ। ଏବଂ ବେଳେବେଳେ ଉତ୍ତୁଙ୍ଗ ସମୁଦ୍ର ପାର କରି ଅନ୍ୟ ଦେଶକୁ ବି ଯିବ।
PARI ଟିମ୍ ୨୦୨୧, ୨୦୨୨ ଏବଂ ୨୦୨୩ ମସିହାରେ ମଦୁରାଇ ଜିଲ୍ଲାର ତିରୁମଙ୍ଗଳମ ଏବଂ ଉସିଲାମ୍ପାଟ୍ଟି ତାଲୁକ ଗସ୍ତ କରିଥିଲା। ଐତିହାସିକ ମୀନାକ୍ଷୀ ଆମ୍ମାନ୍ ମନ୍ଦିର ଏବଂ ଫୁଲ ବଜାରର ଗହଳଚହଳ ଦେଇ ମଦୁରାଇ ସହରରୁ ଗାଡ଼ିରେ ଗଲେ ଘଣ୍ଟାକରୁ କମ୍ ସମୟରେ ମଲ୍ଲୀଫୁଲ କ୍ଷେତରେ ପହଞ୍ଚି ହୁଏ। ଏଠାକାର ଫୁଲ ବଜାରରେ ଆଞ୍ଜୁଳାଏରୁ ଆରମ୍ଭ କରି ଗଦା ଗଦା ପର୍ଯ୍ୟନ୍ତ ମଲ୍ଲୀଫୁଲ ବିକ୍ରି ହୁଏ।




























