“ମଙ୍ଗଲାଙ୍କ ଦଳରେ ନର୍ତ୍ତକୀମାନଙ୍କ ସଂଖ୍ୟା ପ୍ରାୟ ୧୬। ଏମାନେ ହିଁ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଅଧିକ ଦରମା ପାଆନ୍ତି”, କୁହନ୍ତି ଫାଦ୍ର ମ୍ୟାନେଜର୍ ତଥା ମଙ୍ଗଲାଙ୍କ ସାନପୁଅ ଅନୀଲ ବାନସୋଦେ। ତାଙ୍କ କହିବା ଅନୁଯାୟୀ ୨୦୧୬-୧୭ ସମୟରେ ପ୍ରତି ନର୍ତ୍ତକୀଙ୍କୁ ୩୦,୦୦୦ ଟଙ୍କା ଲେଖାଏଁ ଦରମା ଦିଆଯାଉଥିଲା। କାରଣ ସେମାନେ ହିଁ ଅଧିକ ଦର୍ଶକ ଜୁଟାନ୍ତି, ଦର୍ଶକମାନଙ୍କ ଠାରୁ ସର୍ବାଧିକ ପ୍ରଶଂସା ପାଆନ୍ତି। ସେମାନଙ୍କୁ ଅଧିକ ଦରମା ଦେବା ପଛରେ ଅନ୍ୟ କାରଣ ବି ଅଛି। ବର୍ଷରେ ଆଠମାସ ଫାଦ୍ ସହ ଏ ଯାଗାରୁ ସେ ଯାଗାକୁ ଯିବାକୁ ରାଜି ହେବାପରି ନର୍ତ୍ତକୀ ଖୋଜିବା ବି ସହଜ କାମ ନୁହେଁ। “ତେଣୁ ଅଧିକ ଦରମା ଦେଇ ସେମାନଙ୍କୁ ନିଜ ସହ ସଂଯୁକ୍ତ କରି ରଖିବାକୁ ହୁଏ”।
ଏ ଋତୁରେ ସୁଷମା ମାଲି ଅନେକ ଗୀତରେ ମୁଖ୍ୟ ନର୍ତ୍ତକୀ ଥିଲେ। ୧୨-୧୩ ବର୍ଷ ବୟସରୁ ତାଙ୍କର ତମାସା କ୍ୟାରିୟର ଆରମ୍ଭ ହୋଇଥିଲା। ପିଲାଦିନରୁ ତମାସାରେ ମା’ ନୃତ୍ୟ କରୁଥିବା ଦେଖି ଦେଖି ସେ ବଡ଼ ହୋଇଥିଲେ। ସୁଷମା ଯେତେବେଳେ ତମାସାରେ କାମ କରିବାକୁ ନିଷ୍ପତ୍ତି ନେଲେ ସେତେବେଳେ ତାଙ୍କ ମା’ ଅସନ୍ତୁଷ୍ଟ ଥିଲେ କାରଣ ସେ ଚାହୁଁନଥିଲେ ଯେଉଁ କଷ୍ଟକର ଜୀବନ ସେ ଜିଇଁଛନ୍ତି, ସେ ଜୀବନ ଝିଅ ମଧ୍ୟ ଜିଉଁ। ସୁଷମା କିନ୍ତୁ ନିଷ୍ପତ୍ତିରେ ଅଟଳ ରହିଲେ କାରଣ ତମାସାରେ କାମ କରିବା ସହ ଆର୍ଥିକ ସ୍ଵାଧୀନତା ସଂଯୁକ୍ତ। ସୁଷମା କୁହନ୍ତି, “ତାଙ୍କ ସ୍ଵାମୀ (ଜଣେ କୃଷକ) ମଧ୍ୟ ଚାହୁଁନଥିଲେ ତାଙ୍କୁ ତମାସାରେ କାମ କରିବାକୁ ଦେବାକୁ। କିନ୍ତୁ ତାଙ୍କ ଉପରେ ୮ ବର୍ଷର ଭାଇ ଓ ତିନି ବର୍ଷର ଝିଅର ମଧ୍ୟ ଦାୟିତ୍ୱ ରହିଛି”। ସୁଷମା ମଧ୍ୟ ଚାହାନ୍ତିନି ଯେ ତାଙ୍କ ଝିଅ ଏହି କ୍ଷେତ୍ରରେ କାମ କରୁ ବୋଲି। ଏପରିକି ସେ ଜଣେ ତମାସା ନର୍ତ୍ତକୀ ବୋଲି ଝିଅକୁ କହିନାହାନ୍ତି।
ତମାସାରେ କାମ କରୁଥିବା ଅଧିକାଂଶ କଳାକାର ବା ଶ୍ରମିକଙ୍କ ପିତାମାତା କିମ୍ବା ବଡ଼ ଭାଇଭଉଣୀ ଏଥିରେ କାମ କରୁଥିବା ଦେଖି ଏ କ୍ଷେତ୍ରକୁ ଆସନ୍ତି। କୃଷି ଶ୍ରମିକ ଭାବରେ ଜୀବିକା ଠାରୁ ଏ କାମରେ ସ୍ଥିରତା ବି ଅଧିକ। ଫାଦ୍ ସହ ସଂଯୁକ୍ତ ରହିବା ସେମାନଙ୍କୁ କଳାକାର ଭାବରେ ପରିଚୟ ଦିଏ ଏଥିସହ ଏହା ସାମାଜିକ ପ୍ରତିଷ୍ଠା ମଧ୍ୟ ବଢ଼ାଏ ।
ଶାରଦା ଖାଡେଙ୍କ ପରିବାର ପାଇଁ ଫାଦ୍ ନିଜ ଘର ପରି । ତାଙ୍କ ଘର ସାଙ୍ଗଲି ଜିଲ୍ଲାର ଦୁବାଲ ଦୁଲଗାଁଓ ଗାଁରେ। ଶାରଦା ଜଣେ ନର୍ତ୍ତକୀ ଏବଂ ଲୋକ ନାଟିକା ଭାଗ୍ ନାଟ୍ୟର କଳାକାର। ତାଙ୍କ ସ୍ଵାମୀ ଜଣେ ଅଭିନେତା। ଦୁଇ ପୁଅଙ୍କ ମଧ୍ୟରୁ ଜଣେ ବାଦ୍ୟକାର ଓ ଅନ୍ୟ ଜଣେ ଇଲେକ୍ଟ୍ରିସିଆନ୍। ତମାସା ତାଙ୍କ ପାଇଁ ଶ୍ରେଷ୍ଠ ବିକଳ୍ପ। କୃଷି ଶ୍ରମିକ ଭାବରେ ତାଙ୍କର ସମ୍ପର୍କୀୟମାନେ ଦନକୁ ୨୦୦ ଟଙ୍କା ଲେଖାଏଁ ମଜୁରୀ ପାଉଛନ୍ତି। ଏଥିସହ ଦିନ ମଜୁରୀ କାମରେ ନିର୍ଦ୍ଦିଷ୍ଟତା ବି ନାହିଁ।
ତେବେ ତମାସାରୁ ଏହି ସ୍ଥିର ତଥା ନିରାପଦ ଆୟର ମୂଲ୍ୟ ମଧ୍ୟ ଦେବାକୁ ହୁଏ। ଶାରଦା କୁହନ୍ତି ପ୍ରତି ଦିନ ଗୋଟିଏ ନୂଆ ଗାଁରେ ତମ୍ବୁ ବାନ୍ଧିବା କେବେ ବି ସହଜ ଜୀବନ ନୁହେଁ। ତା’ ସହ ଅବ୍ୟବସ୍ଥିତ କାର୍ଯ୍ୟ ନିର୍ଘଣ୍ଟ, ଡେରି ରାତି ପର୍ଯ୍ୟନ୍ତ ପରିବେଷଣ, ଅନିୟମିତତା ଭୋଜନ ଏବଂ ଅଧିକାଂଶ ସମୟରେ ଅପରିଷ୍କାର ବାସ କରିବା ସ୍ଥଳ ମଧ୍ୟ ଥାଏ।