ପେସାଗତ, ବ୍ୟକ୍ତିଗତ, ଶାରୀରିକ-ସବୁ ଦୃଷ୍ଟିରୁ ଅବଦୁଲ ରେହମାନଙ୍କ ଦୁନିଆ ସଙ୍କୁଚିତ ହୋଇଯାଇଛି । ଏହା ହିଁ ବାସ୍ତବତା । ଯିଏ ଦିନେ ଜଣେ ପ୍ରବାସୀ ଶ୍ରମିକ ଭାବେ ଚାରିଟି ମହାଦେଶରେ ଶ୍ରମିକ ଦଳରେ ରହି କାମ କରୁଥିଲେ, ତାଙ୍କ ଜୀବନ ଏବେ ପରିବାରର ୫ ଜଣ ସଦସ୍ୟଙ୍କ ସହ ୧୫୦ ବର୍ଗଫୁଟର ଏକ କୋଠରୀରେ ସୀମିତ ରହିଯାଇଛି ।
ମୁମ୍ବାଇର ଏହି ଟ୍ୟାକ୍ସି ଡ୍ରାଇଭରଙ୍କ ପିତା କିଛି ଦଶନ୍ଧି ପୂର୍ବରୁ ତାମିଲନାଡ଼ୁର ଗ୍ରାମାଞ୍ଚଳରୁ ଏ ସହରକୁ ଆସିଥିଲେ । ଅତୀତରେ ସେ ସାଉଦୀ ଆରବ, ଦୁବାଇ, ବ୍ରିଟେନ, କାନାଡ଼ା, ଇଣ୍ଡୋନେସିଆ, ମାଲେସିଆ ଏବଂ ଆଫ୍ରିକାର ବିଭିନ୍ନ ଅଞ୍ଚଳରେ ବୁଲଡୋଜର ଏବଂ କାର୍ ଚଳାଉଥିଲେ । ହେଲେ ଆଜି ସେ ଶାରୀରିକ ଭାବେ ଅକ୍ଷମ । ଏକ ଚେୟାରରେ ବସାଇ ତାଙ୍କୁ ମାହିମ୍ ବସ୍ତି କଲୋନୀର ସଙ୍କୀର୍ଣ୍ଣ ଗଳିରେ ଟ୍ୟାକ୍ସି ପର୍ଯ୍ୟନ୍ତ ବୋହି ନେବାକୁ ପଡ଼ୁଛି, ଯାହାଫଳରେ ସେ ସାୟନରେ ଥିବା ଡାକ୍ତରଖାନାରେ ପହଞ୍ଚି ପାରିବେ ।
ଡାକ୍ତରଖାନା ଯିବାର ସମୟ ହେଲେ, ରେହମାନ ନିଜ କୋଠରୀରୁ ବାହାରିବା ପାଇଁ ପ୍ରସ୍ତୁତି କରିଥାନ୍ତି । ଠିକ୍ କବାଟ ବାହାରେ ଶିଢ଼ି ରହିଛି । ସେ ଚଟାଣରେ ବସି ପଡ଼ିଥାନ୍ତି, ତାଙ୍କ ପୁଅ ତାଙ୍କ ଗୋଡ଼କୁ ତଳୁ ଧରିଥାନ୍ତି, ଜଣେ ପୁତୁରା କିମ୍ବା ପଡ଼ୋଶୀ ତାଙ୍କୁ ଉପରୁ ଧରିଥାନ୍ତି । ଏହାପରେ ରେହମାନ ଅତ୍ୟଧିକ ଯନ୍ତ୍ରଣାରେ, ଧୀରେ ଧୀରେ ତଳକୁ ଓହ୍ଲାଇଥାନ୍ତି, ନଅଟି ପାହାଚ ଥିବା ଶିଢ଼ିରେ ଗୋଟିଏ ପରେ ଗୋଟିଏ ପାଦ ପକାଇ ସେ ଆସନ୍ତି ।
ତଳେ ଥିବା ସଙ୍କୀର୍ଣ୍ଣ ଗଳିରେ, ତାଙ୍କୁ ରଙ୍ଗ ହୋଇଥିବା ଏକ ପୁରୁଣା ପ୍ଲାଷ୍ଟିକ ଚେୟାର ଉପରେ ବସାଇ ଦିଆଯାଇଥାଏ, ତାଙ୍କ ଡାହାଣ ଗୋଡ଼ ସହିତ ପାଦକୁ ସେ ଏକ ସିଟ୍ ଉପରେ ରଖିଥାନ୍ତି । ଏହାପରେ ତାଙ୍କ ପୁଅ ଏବଂ ଅନ୍ୟ ଦୁଇ ଜଣ ତାଙ୍କୁ ସେହି ଲମ୍ବା ଏବଂ ଅଙ୍କାବଙ୍କା ଗଳିରେ ବୋହି ନେଇ ଯାଇଥାନ୍ତି । ତାଙ୍କୁ ମାହିମ ବସ ଡିପୋ ନିକଟ ରାସ୍ତା ପାଖକୁ ନିଆଯାଏ । ସେଠାରେ ରେହମାନ ଘୋଷାଡ଼ି ହୋଇ ଟ୍ୟାକ୍ସିରେ ବସିଥାନ୍ତି ।
ମାତ୍ର ୫ କିଲୋମିଟର ଦୂରରେ ଥିବା ସାୟନ ସରକାରୀ ଡାକ୍ତରଖାନାକୁ ଯିବା ଲାଗି ଟ୍ୟାକ୍ସି ଭଡ଼ା ମଧ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼େ, ତଥାପି ଗତ ବର୍ଷ ମାସ ମାସ ଧରି ପ୍ରତି ସପ୍ତାହରେ ତାଙ୍କୁ ନିଜର ପାଦ ବ୍ୟାଣ୍ଡେଜ୍ କରିବା ଲାଗି ସେଠାକୁ ଯିବାକୁ ପଡ଼ିଥିଲା । ଅବଶ୍ୟ, ତାଙ୍କ ଘା’ ସାମାନ୍ୟ ଉପଶମ ହେବା ପରେ ତାଙ୍କୁ ଏବେ ଆଉ ବାରମ୍ବାର ଡାକ୍ତରଖାନା ଯିବାକୁ ପଡ଼ୁନାହିଁ । ତଥାପି ଉତ୍ତର ମୁମ୍ବାଇର ମୋରି ରୋଡସ୍ଥିତ କଲୋନୀର ଉଭୟ ପାର୍ଶ୍ୱରେ ଛୋଟ ଛୋଟ ଘର ମଝିରେ ଥିବା ସଙ୍କୀର୍ଣ୍ଣ ଗଳି ଦେଇ ତାଙ୍କୁ ମଝିରେ ମଝିରେ ଡାକ୍ତରଖାନା ଯିବାକୁ ପଡ଼ୁଛି । ଚେୟାରରେ ତାଙ୍କୁ ବୋହି ନେବାର ଶୋଭାଯାତ୍ରା ଏବେ ସୁଦ୍ଧା ଜାରି ରହିଛି ବୋଲି କହିହେବ ।














