ଗତ ଦୁଇ ମାସ ଧରି ଭିଠଲ ଚୌହାନ ଫୋନ କଲ୍ ଅପେକ୍ଷାରେ ରହିଥିଲେ। ଫେବୃଆରୀ ୨୮ ତାରିଖରେ ସେ ଓସମାନାବାଦର କଲମ୍ବ ତାଲୁକାରେ ଥିବା ନାଫେଡ କେନ୍ଦ୍ରରେ ସେ ନିଜ ନାମ ପଞ୍ଜିକରଣ କରିଥିଲେ। ଫଳରେ ସେ ରଖିଥିବା ୯ କ୍ଵିଣ୍ଟାଲ ହରଡ଼ ସରକାର ତାଙ୍କଠାରୁ କିଣିବେ। କିନ୍ତୁ ସେଠାରେ ଥିବା ଅଧିକାରୀମାନେ କେବଳ ତାଙ୍କର ନାଁ ଓ ନମ୍ବର ଖାତାରେ ଟିପି ରଖିଥିଲେ ଓ କହିଥିଲେ, “ତୁମକୁ ଫୋନ କଲ୍ ଯିବ” ।
“ମୁଁ ତାଙ୍କୁ ଦିନେ ଛାଡ଼ି ଦିନେ ଫୋନ କଲି, ଫେବୃଆରୀ ୨୮ ତାରିଖ ପରଠାରୁ କେନ୍ଦ୍ରକୁ ୪-୫ ଥର ଆସିଥିଲି,” ବୋଲି ମେ ମାସ ପ୍ରଥମ ସପ୍ତାହର ଏକ ଗରମ ସକାଳେ ଅଫିସରଙ୍କ ଟେବୁଲ ପାଖରେ ବସି ସେ କୁହନ୍ତି। ଭିଠଲଙ୍କର ପଣଗାଓଁରେ ୯ ଏକର ଜମି ଅଛି, ସେ ୨୫ କିମି ଯାତ୍ରା କରି କଲମ୍ବରେ ପହଁଚିଛନ୍ତି, କେବଳ ଏତିକି ପଚାରିବାକୁ ଯେ ତାଙ୍କର ହରଡ଼ ଡାଲି କିଣାହେବ କି ନାହିଁ। ଆଉ କିଛି ଚାଷୀଙ୍କର ମଧ୍ୟ ସମାନ ଅବସ୍ଥା। “ସେମାନେ ଲଗାତାର କହୁଛନ୍ତି ଯେ ପଣ୍ୟାଗାର ପୂରଣ ହୋଇସାରିଛି କିମ୍ବା ଆବଶ୍ୟକ ଝୋଟ ଅଖା ନାହିଁ। ବର୍ତ୍ତମାନ ଧାର୍ଯ୍ୟ ସମୟ ବିତିସାରିଲାଣି ଏବଂ ମୁଁ ପଞ୍ଜିକରଣ କରିଥିବାର କୌଣସି ପ୍ରମାଣ ନାହିଁ ।”
ଗତବର୍ଷ ପ୍ରଚୁର ପରିମାଣରେ ହରଡ଼ ଡାଲି ଉତ୍ପାଦନ ହୋଇଥିଲା। ବ୍ୟବସାୟୀମାନେ ଅଧିକ ଡାଲି କମ୍ ଦରରେ କିଣିଲେ ଚାଷୀଙ୍କ କ୍ଷତି ହେବାର ଆଶଙ୍କା ଥିବାରୁ ଡିସେମ୍ବର ୨୦୧୬ର ଆଖପାଖରେ ମହାରାଷ୍ଟ୍ର ସରକାର ନ୍ୟାସନାଲ ଏଗ୍ରିକଲଚରାଲ କୋଅପରେଟିଭ ମାର୍କେଟିଂ ଫେଡେରେସନ ଅଫ ଇଣ୍ଡିଆ (ନାଫେଡ) କେନ୍ଦ୍ରମାନ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ତାଲୁକାରେ ପ୍ରତିଷ୍ଠା କରିଥିଲେ, ଉଦ୍ଦେଶ୍ୟ ଥିଲା ଉପଯୁକ୍ତ ମୂଲ୍ୟରେ ଡାଲି କିଣାଯିବ।
କିନ୍ତୁ ନାଫେଡ କେନ୍ଦ୍ରରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। କଲମ୍ବ କେନ୍ଦ୍ରରେ ଅଧିକାରୀମାନେ ଏହାକୁ ଅସ୍ୱୀକାର ମଧ୍ୟ କରୁନାହାନ୍ତି। ସେ କଲମ୍ବରେ ଥିବା କୃଷି ଉତ୍ପାଦ ବଜାର ସମିତିର ସଚିବ ଏସ.ସି. ଚୌହାନଙ୍କ ସହିତ ଆଲୋଚନା କରୁଛନ୍ତି। “ଆମେ ଏକ ରିପୋର୍ଟ ପ୍ରସ୍ତୁତ କରୁଛୁ ଏବଂ ଏହାକୁ ସରକାରଙ୍କ ନିକଟକୁ ପଠାଉଛୁ”, ବୋଲି ଚୌହାନ କୁହନ୍ତି। “ଧାର୍ଯ୍ୟ ତାରିଖ ପୂର୍ବରୁ ବହୁ ଚାଷୀ ସେମାନଙ୍କ ହରଡ଼ ଡାଲି ଆଣିଛନ୍ତି, କିନ୍ତୁ କେତେକ ସମସ୍ୟା ଯୋଗୁ ଆମେ ସେଗୁଡ଼ିକୁ କିଣିପାରୁନାହୁଁ। ସରକାରଙ୍କ ପାଖରୁ ନିର୍ଦ୍ଦେଶ ଆସିଲେ ଆମେ ସେହି ଅନୁଯାୟୀ କାମ କରିବୁ” ।


