ସନ୍ଧ୍ୟା ୬ଟାରେ ମୁଁ ରାୟପୁରର ତେଲିବନ୍ଧ ଷ୍ଟେସନରେ ରାୟପୁର-ଧାମତରୀ ନ୍ୟାରୋ ଗଜ ଟ୍ରେନ୍ରେ ଚଢିବା ପରେ କେହି ଜଣେ ମୋତେ ବସିବା ପାଇଁ ଜାଗା ଦେଲେ । ପ୍ରତିଦିନ ଏହି ଜନଗହଳିପୂର୍ଣ୍ଣ ଟ୍ରେନ୍ରେ ଯିବାଆସିବା କରୁଥିବା ଲୋକଙ୍କ ସହିତ କଥା ହେବା ଯେହେତୁ ମୋର ଏହି ଯାତ୍ରାର ଉଦ୍ଦେଶ୍ୟ ଥିଲା ତେଣୁ ମୁଁ ତାଙ୍କର ପ୍ରସ୍ତାବକୁ ଗ୍ରହଣ କଲି ଏବଂ କଥାବାର୍ତ୍ତା ଆରମ୍ଭ କଲି । ମୋର ସହଯାତ୍ରୀ କୃଷ୍ଣକୁମାର ତାରକ ନୱାଗାଓଁ(ଥୁହା) ଗାଁରେ ରହନ୍ତି । ସେଠାରୁ ସେ ୧୨ କିମି ସାଇକେଲ ଚାଳନା କରି କୁରୁଦ୍ରେ ପହଞ୍ଚିଥାନ୍ତି । କୁରୁଦ୍ ହେଉଛି ଏହି ରାସ୍ତାରେ ପଡୁଥିବା ଏକ ଷ୍ଟେସନ୍।
ଖୁବ୍ ସକାଳୁ ସେ ଏବଂ ଏହି ରୁଟ୍ରେ ପଡୁଥିବା ଗାଁମାନଙ୍କରେ ରହୁଥିବା ଅନ୍ୟ ଶ୍ରମିକମାନେ ଏହି ଟ୍ରେନ୍ ଧରି ଛତିଶଗଡ଼ର ରାଜଧାନୀ ରାୟପୁର ଅଭିମୁଖେ ଯାଇଥାନ୍ତି । ସେମାନେ ଦିନମଜୁରି କାମ ସନ୍ଧାନରେ ଯାଉଥିବାବେଳେ ବିଳମ୍ବିତ ସନ୍ଧ୍ୟାରେ ଫେରିଥାନ୍ତି । ଏହି ଟ୍ରେନ୍ ଏବଂ ଆଉ ଗୋଟିଏ ଟ୍ରେନ୍ ଧାମତରି ସହର ପର୍ଯ୍ୟନ୍ତ ୬୬ କିମି ରାସ୍ତାକୁ ଅତିକ୍ରମ କରିବା ପାଇଁ ପାଖାପାଖି ୩ ଘଣ୍ଟା ସମୟ ନେଇଥାଏ । ଦିନକୁ ଏଗୁଡ଼ିକ ୩ଥର ଚାଲିଥାଏ।
ଯଦିଓ ଧାମତାରି ଜିଲ୍ଲାର କିଛି ଅଞ୍ଚଳରେ ବର୍ଷକୁ ଦୁଇ ପ୍ରକାର ଫସଲ ଅମଳ ହୋଇଥାଏ, ଏହାଯୋଗୁ କୃଷି ଶ୍ରମିକମାନଙ୍କର ଚାହିଦା ରହିଥାଏ, ତେବେ ଏହି ଯାତ୍ରା ସମୟରେ ଶ୍ରମିକମାନେ ମୋତେ କହିଲେ ଯେ, କୃଷି କ୍ଷେତରୁ ମିଳୁଥିବା ମଜୁରୀ ପ୍ରାୟତଃ ଖୁବ୍ କମ୍ ହୋଇଥାଏ । ଦିନକୁ ଏଥିପାଇଁ ସେମାନଙ୍କୁ ମାତ୍ର ୧୦୦ ଟଙ୍କା ମିଳେ ଯେତେବେଳେକି ରାୟପୁରରେ ମଜୁରୀ ବାବଦକୁ ୨୦୦-୨୫୦ ଟଙ୍କା ମିଳିଥାଏ । ମନରେଗା କିମ୍ବା ଗାଁରେ ଅନ୍ୟାନ୍ୟ ପଞ୍ଚାୟତ କାମ କଲେ ସାଧାରଣତଃ କିଛି ମାସ ପରେ ଟଙ୍କା ଆସିଥାଏ । ସହରରେ କାମ କଲେ କିନ୍ତୁ ସେମାନଙ୍କୁ ତୁରନ୍ତ ମଜୁରୀ ମିଳିଥାଏ । ସେଥିପାଇଁ ସେମାନେ ଦିନକୁ ଛଅ ଘଣ୍ଟା ଧରି ଟ୍ରେନ୍ରେ ଯାତ୍ରା କରି ରାୟପୁରରେ କାମ କରିବାକୁ ପସନ୍ଦ କରିଥାନ୍ତି ।
୪୦ ବର୍ଷ ପାଖାପାଖି ବୟସର କୃଷ୍ଣକୁମାରଙ୍କୁ ମୁଁ କେଉଁଠାରୁ ଆସୁଛ ବୋଲି ପଚାରିଲି । ସେ କହିଲେ, ‘‘ମୁଁ କାମ ପାଇଁ ରାୟପୁର ଯାଇଥିଲି ଏବଂ ଏବେ ଘରକୁ ଫେରୁଛି । ମୁଁ କୁରୁଦରେ ଏକ ପାନ ଦୋକାନରେ ମୋର ସାଇକେଲ ରଖିଦେଇଆସିଛି । ମୁଁ ଘରେ ପହଞ୍ଚିବାବେଳକୁ ପ୍ରାୟ ରାତି ୧୦ଟା ହୋଇଯିବ । ସେହି ପାନ ଦୋକାନଟି ସାକକେଲ ଷ୍ଟାଣ୍ଡ ଭାବେ ମଧ୍ୟ କାମ କରିଥାଏ । ସେଠାରେ ପ୍ରତିଦିନ ୫୦-୧୦୦ଟି ସାଇକେଲ ରଖାଯାଉଥିବାବେଳେ ସାଇକେଲ ପିଛା ଦିନକୁ ସେ ୫ଟଙ୍କା ଭଡ଼ା ନିଏ ।’’
‘‘ତୁମର କେତେ ଜମି ଅଛି ଏବଂ ଚଳିତ ଥର କିଭଳି ଫସଲ ହୋଇଥିଲା?’’ ସେ କହିଲେ, ‘‘୫ ଏକର ଜମି ଅଛି। ରବି ଫସଲ ଏବେ ମଧ୍ୟ ଜମିରେ ରହିଛି (ଆମେ ଯେତେବେଳେ ସାକ୍ଷାତ କରିଥିଲୁ) । ଆମେ ଅମଳ ହୋଇଥିବା କିଛି ଖରିଫ ଧାନ ବିକ୍ରି କରିଦେଲୁ ଏବଂ କିଛି ମୋର ପରିବାରର ଖାଇବା ପାଇଁ ରଖିଦେଲୁ ।’’ ତାଙ୍କର ଜଳସେଚିତ ଜମିରେ ଦୁଇ ପ୍ରକାର ଫସଲ ହୋଇଥାଏ । ଚାଷ ଋତୁ ସମୟରେ ତାଙ୍କର ପୂରା ପରିବାର ଏକାଠି ହୋଇ କାମ କରିଥାଏ । ‘‘ଆମକୁ ସାର, ଖତ ଓ ଅନ୍ୟାନ୍ୟ ଜିନିଷପତ୍ର ପାଇଁ ୨୫-୩୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଆମ ପରିବାରରେ ୪୫ ଜଣ ସଦସ୍ୟ ଅଛନ୍ତି । ଆମେ ୫ ଭାଇ ବାହାହୋଇସାରିଛୁ ଏବଂ ଆମର ପିଲାମାନେ ଅଛନ୍ତି । ମୋର ପତ୍ନୀ ହେଉଛନ୍ତି ବିମଳା ଏବଂ ମୋର ୫ଜଣ ସନ୍ତାନ ଅଛନ୍ତି।’’
ମୁଁ କଥାବାର୍ତ୍ତା ଜାରି ରଖିଲି: ତୁମେ କେତେ ପର୍ଯ୍ୟନ୍ତ ପାଠ ପଢିଛ? ‘‘ମୁଁ ତୃତୀୟ ଶ୍ରେଣୀ ଯାଏ ପଢିଛି । ମୋର ବାପାମା’ ମୋତେ ଅଧିକ ପଢିବାକୁ ଛାଡ଼ିଲେ ନାହିଁ, ତା’ ପରିବର୍ତ୍ତେ ସେମାନେ ମୋତେ କାମ କରିବାକୁ କହିଲେ। ଆମର ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା । ମୋ ବାପାଙ୍କର ୩ ଜଣ ପତ୍ନୀ ଥିଲେ । ପ୍ରଥମ ପତ୍ନୀଙ୍କ ପକ୍ଷରୁ ୨ ଜଣ ପୁଅ ଓ ୨ ଜଣ ଝିଅ ଥିଲେ- ମୁଁ ସେମାନଙ୍କ ମଧ୍ୟରୁ ଅନ୍ୟତମ ।’’






