ସେମାନେ ଏଠାରେ ପହଞ୍ଚିବାକୁ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରିଛନ୍ତି। ବର୍ତ୍ତମାନ ସେମାନେ ଦିନ ମଜୁରିରେ କାମ ପାଇବା ପାଇଁ ଅପେକ୍ଷା କରିଛନ୍ତି। ଅନିଶ୍ଚିତତା ଏହି ଶ୍ରମିକମାନଙ୍କୁ ବାନ୍ଧିରଖିଛି । ସେମାନେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ପୁଟପର୍ତ୍ତୀ ଏବଂ କାଦିରିରୁ ଦୁଇଟି ଲେଖାଏଁ ଟ୍ରେନ୍ ବଦଳାଇ ଏତେ ଦୂର ଆସିଛନ୍ତି । କେତେଜଣ ଚାଷୀ ମୋତେ କହିଥିଲେ, “ଗାଁରେ ମରୁଡ଼ି କାମ (ଅର୍ଥାତ୍ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ କିମ୍ବା ମନରେଗା) ନାହିଁ ଏବଂ ଆମେ କେଇ ସପ୍ତାହ ପର୍ଯ୍ୟନ୍ତ ଯେଉଁ କାମ କରିଥିଲୁ, ତାହାର ଦେୟ ମଧ୍ୟ ପାଇନୁ ।” ସେଠାରେ ଯାହାବି କାମ ଅଛି, ତାହା ପ୍ରକୃତ ଚାହିଦାର ଏକ ଦଶମାଂଶକୁ ଖସିଆସିଛି ।
ଏହି କାରଣରୁ ପ୍ରତି ସପ୍ତାହରେ ଗୁଣ୍ଟାକାଲ ପାସେଞ୍ଜର୍ରେ ଶହ ଶହ ପୁରୁଷ ଓ ମହିଳା କୋଚିରେ ପହଞ୍ଚୁଛନ୍ତି । ଅନନ୍ତପୁରର ମୁଡ଼ିଗୁବା ମଣ୍ଡଳର ଜଣେ ପ୍ରବାସୀ ଶ୍ରମିକ ଶ୍ରୀନିବାସୁଲୁ ମୋତେ କହିଥିଲେ, “କୋଚିକୁ ଆସିବାବେଳେ କେହି ଟିକେଟ୍ କିଣନ୍ତିନି । ଫେରିବା ସମୟରେ ଆମମାନଙ୍କ ମଧ୍ୟରୁ ଅଧେ ଟିକେଟ କିଣନ୍ତି ଆର ଅଧକ ଟିକେଟ କିଣନ୍ତିନି ।””Anantapur, Andhra Pradesh
|FRI, NOV 30, 2018
ଟିକଟ ନାହିଁ, ତଥାପି ଯିବୁ
ଆନ୍ଧ୍ରର ପ୍ରବାସୀମାନେ କେରଳରେ କାମ ଖୋଜୁଛନ୍ତି
Author
Translator

Rahul M.
ଅନନ୍ତପୁରକୁ ଫେରିବା ସମୟରେ ଥରେ ଶ୍ରୀନିବାସୁଲୁ ଧରାପଡ଼ିଲେ । “କୋଚିରେ ବର୍ଷା ହେଉଥିଲା । ମୁଁ ପାଣି ବୋତଲରେ ଅଧା ଲିଟର ଆଲକୋହଲ୍ ଭର୍ତ୍ତି କରିଦେଇଥିଲି ଏବଂ ଟ୍ରେନରେ ତାହାକୁ ପିଉଥିଲି । ଅଧାବାଟରେ ମୋର ମନେପଡ଼ିଲା ମୁଁ ଟିକେଟ୍ କିଣିନି ।” ତେଣୁ ଶ୍ରୀନିବାସୁଲୁ କେରଳରେ ଉପାର୍ଜନ କରିଥିବା ୮୦୦୦ ଟଙ୍କା ଜଣେ ସହଯାତ୍ରୀଙ୍କ ପାଖରେ ରଖିଲେ ଏବଂ ନିଜ ପାଖରେ ମାତ୍ର ୮୦ ଟଙ୍କା ରଖିଲେ । ଧୈର୍ଯ୍ୟର ସହ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଅପେକ୍ଷା କଲେ।
କାଟପଦିଠାରେ ଜଣେ ଟିକେଟ କଲେକ୍ଟର (ଟିସି) ଶ୍ରୀନିବାସୁଲୁଙ୍କୁ ଅଟକାଇଲା ।
“ଟିକେଟ କାହିଁ?” ଟିସି ତାଙ୍କୁ ପଚାରିଲେ ।
“ମୋ ପାଖରେ ଟିକେଟ ନାହିଁ,” ଶ୍ରୀନିବାସୁଲୁ କହିଲେ ।
ଟିସି ତେଲୁଗୁରେ କହିଲେ, “ଠିଆ ହୁଅ । ମୋ ସହ ଆସ, ମାମା(ଶାଳକ)।”
“ଶ୍ରୀନିବାସୁଲୁ ଆତ୍ମବିଶ୍ୱାସର ସହ ଉତ୍ତର ଦେଲେ, “ଚାଲ ମାମା ।” ଟିକେଟ କଲେକ୍ଟର ତାଙ୍କଠାରୁ ୫୦ ଟଙ୍କା ନେଲା ଏବଂ ସତର୍କ କରାଇ ଛାଡ଼ିଦେଲା । ନିଶାରେ ଝୁଲୁଥିବା ଶ୍ରୀନିବାସୁଲୁ ସେହି ଟ୍ରେନ୍ ଆଉ କେବେ ନଚଢ଼ିବା ପାଇଁ ଶପଥ କରିନେଲେ ।
ଯେତେବେଳେ ଟିକେଟ କଲେକ୍ଟର ଜଣଙ୍କ ଯିବାକୁ ଆରମ୍ଭ କଲେ, ଶ୍ରୀନିବାସୁଲୁ କହିଲେ, “ସାର୍, ମୋ ପାଖରେ ଖାଇବାକୁ ପଇସା ନାହିଁ । ” ଟିସି ତାଙ୍କୁ କୁଭାଷାରେ ଗାଳି ଦେଲେ । ତାଙ୍କ ଟଙ୍କା ଫେରାଇ ଦେଇ ସେଠାରୁ ଯିବାକୁ ଦେଲେ ।

Rahul M.
ପ୍ରବାସୀ ଶ୍ରମିକମାନେ କୋଚିର କାଲୁର ଜଙ୍କସନ୍ରେ ପ୍ରତିଦିନ ଅତି ସକାଳେ ପହଞ୍ଚୁଛନ୍ତି । ସେମାନେ ରାସ୍ତାର ଦୁଇ ପାର୍ଶ୍ଵରେ ଗଲ୍ଫ ଦିନାର୍ରେ ଘର ତିଆରି କରୁଥିବା ଜମି ମାଲିକ କିମ୍ବା ରାସ୍ତା କାମ କରୁଥିବା ଠିକାଦାରଙ୍କ ଦ୍ୱାରା କାମ କରିବା ପାଇଁ ବଛାହେବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତି । କର୍ମଦିବସମାନଙ୍କରେ ସେମାନେ ପ୍ରାୟ ସକାଳ ୬ଟା ବେଳକୁ ଉଠି ନିତ୍ୟକର୍ମ ସାରି ଗାଧାନ୍ତି ଏବଂ ଏହାପରେ ରାସ୍ତାରେ ଛିଡ଼ା ହୁଅନ୍ତି । ନାଗେଶ ନାମକ ଜଣେ ଶ୍ରମିକ କୁହନ୍ତି, ଯେଉଁଦିନ କାମ ନଥାଏ, କେବଳ ସେଦିନ ହିଁ ନଈରେ ଗାଧୋଇବାକୁ ସମୟ ମିଳେ ।
ସକାଳ ୭ଟା ସୁଦ୍ଧା ଜଙ୍କସନରେ ଭିଡ଼ ହୋଇଯାଏ । ଜଣେ ଶ୍ରମିକ କହିଥିଲେ, “କେତେକ ମାସରେ ଆମମାନଙ୍କ ସଂଖ୍ୟା ୨୦୦୦ରୁ ଅଧିକ ହୋଇଯାଏ ।” ଲୋକମାନେ ଆନ୍ଧ୍ରରୁ ଆସିଥିବା କେତେକ ପରିବାର ଦ୍ୱାରା ରାସ୍ତା କଡ଼ରେ ଥିବା ଦୁଇଟି ଉଠା ହୋଟେଲରୁ ପ୍ରାତଃ ଭୋଜନ କରନ୍ତି ଏବଂ ମଧ୍ୟାହ୍ନ ଭୋଜନ ପ୍ୟାକ୍ କରନ୍ତି । ସେମାନେ ମୁଦ୍ଧା (ବାଜରାରେ ପ୍ରସ୍ତୁତ ରାୟଲ୍ସିମାର ଏକ ବ୍ୟଞ୍ଜନ) ଆଚାର ଏବଂ ଭାତ ଦିଅନ୍ତି ।

Rahul M.

Rahul M.
ଜଙ୍କସନରେ ପ୍ରତିଦିନ ଭଲରେ ଯାଏନି । ଜଣେ ଶ୍ରମିକ କାମ ପାଇଁ ନିଆଯାଇପାରନ୍ତି, କାମ ମିଳିନପାରେ ମଧ୍ୟ । ଜଣେ ପ୍ରବାସୀ କହିଥିଲେ, “ଯେତେବେଳେ କାମ ନଥାଏ, ଆମେ ମଦ ପିଇ ଶୋଇପଡ଼ୁ ।””
ଲୋକମାନେ ଏଠାକୁ ଆସନ୍ତି, କାରଣ କେରଳରେ ଦିନମଜୁରି ଅତି କମରେ ତିନିଗୁଣ ଅଧିକା । ରଙ୍ଗାପ୍ପା କୁହନ୍ତି, “ଅନନ୍ତପୁରରେ ଆମେ ଦିନକୁ ୨୦୦ଟଙ୍କା ପାଉ । ଏଠାରେ ତାହା ୬୫୦ ଟଙ୍କା । ବେଳେ ବେଳେ ୭୫୦ଟଙ୍କା ବି ହୋଇପାରେ ।” ରଙ୍ଗାପ୍ପା ଅନନ୍ତପୁରରେ ଗୁଜ୍ରି (ପୁରୁଣା ଅଦରକାରୀ ଜିନିଷ) ବିକ୍ରି କରନ୍ତି । ଅନେକେ ମନେପକାନ୍ତି କେମିତି ଜଣେ ଜମି ମାଲିକ ଗୋଟେ ଛୋଟ ଘରୋଇ କାମ ପାଇଁ ୧୦୦୦ ଟଙ୍କା ସହ ମଦ ଏବଂ ଖାଦ୍ୟ ଦେଇଥିଲେ ।
ଜଙ୍କ୍ସନ୍ରେ ରହୁଥିବା ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ କାହାଣୀ ରହିଛି । ଏହି କାହାଣୀଗୁଡ଼ିକ ପ୍ରାୟ ସମାନ: ଫସଲ ନଷ୍ଟ, ଅନାବୃଷ୍ଟି, ବୋର୍ୱେଲ୍ ଅଚଳ ହେବା ଏବଂ ସେମାନଙ୍କର କ୍ଷତି ଭରଣା କରିବା ପାଇଁ ସରକାର ସେମାନଙ୍କୁ କ୍ଷତିପୂରଣ ଦେବାକୁ ଅସମର୍ଥ ହେବା । ଏଥିସହ ଧାର କରଜ ବୃଦ୍ଧି, କେଇ ସପ୍ତାହ ପର୍ଯ୍ୟନ୍ତ କରିଥିବା ମନରେଗା କାମର ଦେୟ ନମିଳିବା ଏବଂ କାମ ନମିଳିବା ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି ।

Rahul M.
ଏଠାରେ ସବୁ ବୃତ୍ତିର ଲୋକ ଥାଆନ୍ତି । କେଇଘଣ୍ଟା ମଧ୍ୟରେ ମୁଁ ରଙ୍ଗ ମିସ୍ତ୍ରୀ, ହସ୍ତତନ୍ତ କାରିଗର, ଅଟୋ ଡ୍ରାଇଭର, ଜଣେ ପୂର୍ବତନ ସିଆର୍þପିଏଫ୍ ଯବାନ, ଜଣେ ୮୨ବର୍ଷ ବୟସ୍କ ଦୃଷ୍ଟି ହୀନ ବ୍ୟକ୍ତି ଏବଂ ଖରା ଛୁଟିରେ ଆସିଥିବା କିଛି ଛାତ୍ରଙ୍କୁ ଭେଟିଥିଲି । କାଦିରିର ୧୭ ବର୍ଷ ବୟସ୍କ ରାଜଶେଖର ଏଇ ମାତ୍ର ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଏଠାରେ କାମ ତାଙ୍କ ପରିବାର ପାଇଁ କିଛି ଅତିରିକ୍ତ ଆୟ ଦେବ । ବାଲାଜୀ ନାୟକଙ୍କ ପରି ଡିଗ୍ରୀ ଛାତ୍ରଙ୍କ ପାଇଁ କେରଳର ଅର୍ଥ ସେମାନଙ୍କ କଲେଜ ଦେୟ ପାଇଁ ।

Rahul M.
୨୩ବର୍ଷ ବୟସ୍କ ବାଲାଜୀ କାଦିରିର ବିବେକାନନ୍ଦ କଲେଜରେ ତେଲୁଗୁ ସାହିତ୍ୟରେ କଳା ସ୍ନାତକ (ବିଏ) ଶ୍ରେଣୀରେ ପଢ଼ୁଥିଲେ। କଲେଜରେ ପଢ଼ିବା ପାଇଁ ସେ ରବିବାରଗୁଡ଼ିକରେ କାମ କରୁଥିଲେ । କିନ୍ତୁ ଗାଁରେ କାମ କମ୍ ହେବା ପରେ ସେ ଦ୍ୱିତୀୟ ବର୍ଷ ପରେ ପାଠ ଛାଡ଼ିବାକୁ ବାଧ୍ୟ ହେଲେ । ସେ କୁହନ୍ତି, “ଭୋକରେ ପେଟ ଜଳିବା ସବୁଠାରୁ ଖରାପ ଜିନିଷ ।” କ୍ରମେ ବାଲାଜୀ ବିବାହ କଲେ ଏବଂ ପତ୍ନୀ ଓ ବୟସ୍କ ପିତାମାତାଙ୍କୁ ଚଳାଇବା ପାଇଁ ଏବେ ସେ କାମ ନିମନ୍ତେ କାଦିରିରୁ କୋଚି ଯିବାଆସିବା କରୁଛନ୍ତି ।
ତାଙ୍କପରି ଅନେକ ଛାତ୍ର ଏଠାରେ କାମ ପାଇଁ ଅପେକ୍ଷା କରନ୍ତି । ଭଲ ପୋଷାକ ପିନ୍ଧିଥିବା ଜଣେ ଛାତ୍ର କହିଥିଲେ, “ ଆମେ ଆମର ଡିଗ୍ରୀ ସମ୍ପୂର୍ଣ୍ଣ କରି ଏଠାକୁ ଆସିଛୁ । ଆମମାନଙ୍କ ମଧ୍ୟରୁ କେଇଜଣ ଛୁଟିଦିନମାନଙ୍କରେ ଏଠାରେ କାମ କରନ୍ତି ।”

Rahul M.
ଜଣଙ୍କ ପରେ ଜଣେ ଘରମାଲିକ ଏବଂ ଠିକାଦାରମାନେ ଜଙ୍କସନରେ ଆସି ପହଞ୍ଚନ୍ତି । ଲୋକେ ତାଙ୍କ ଚାରିପାଖରେ ପହଞ୍ଚନ୍ତି । ବିରାପ୍ପା ନାମକ ଜଣେ ଶ୍ରମିକ କୁହନ୍ତି, “ଠିକାଦାରମାନେ ଘଣ୍ଟାଏ ପର୍ଯ୍ୟନ୍ତ ବୁଲନ୍ତି । ସତର୍କତାର ସହ ଲୋକମାନଙ୍କୁ ଯାଞ୍ଚ କରନ୍ତି ଏବଂ ଏହାପରେ ବୟସ ଏବଂ ସାମର୍ଥ୍ୟ ଅନୁଯାୟୀ ଶ୍ରମିକ ବାଛନ୍ତି ।” ଦିନ ୧୧ଟା ବେଳକୁ ଜଣାପଡ଼ିଯାଏ, ଆଜି ଦିନ ପାଇଁ ଆଉ କାମ ନାହିଁ, ବଳକା ଶ୍ରମିକମାନେ କିଛି ସମୟ ଗପସପ କରନ୍ତି କିମ୍ବା ଫୁଟପାଥର ଗୋଟିଏ କୋଣରେ ଶୁଅନ୍ତି । କେତେଜଣ ଶୂନଶାନ୍ ରାସ୍ତାରେ ମଦ ପିଅନ୍ତି ।

Rahul M.
ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳକୁ କାମ ପାଇନଥିବା କେତେଜଣ ଶ୍ରମିକ ସ୍ଥାନୀୟ ଶିବ ମନ୍ଦିରକୁ ଯାଆନ୍ତି । ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଏହି ମନ୍ଦିରରେ ମାଗଣା ମଧ୍ୟାହ୍ନ ଭୋଜନ ମିଳେ । ଜଣେ ଶ୍ରମିକ କୁହନ୍ତି, “ଏହି ଶିବ ମନ୍ଦିର ଅନେକ ଜୀବନ ରକ୍ଷା କରେ । ସେମାନେ ଆମକୁ କେରଳର ଭାତ ଦିଅନ୍ତି, ଯାହାକି ଭଲ । ସେମାନେ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି । ଆମମାନଙ୍କ ମଧ୍ୟରୁ କାମ ପାଇନଥିବା ଅଧିକାଂଶ ସେହିଠାରେ ଖାଆନ୍ତି ।"

Rahul M.
ଦିନର କାମ ସରିବା ପରେ ଶ୍ରମିକମାନେ ନିଜ ନିଜ ଶୋଇବା ଯାଗାକୁ ଫେରିଯାଆନ୍ତି । ସେମାନେ ଜଙ୍କସନ୍ର ଫୁଟ୍ପାଥ୍ ଏବଂ ସ୍ଥାନୀୟ ବସ୍ଷ୍ଟାଣ୍ଡର ପ୍ଲାଟଫର୍ମ୍ରେ ଶୁଅନ୍ତି । ଅନ୍ୟମାନେ କେରଳିମାନଙ୍କ ଦ୍ୱାରା ଭଡ଼ାରେ ଦିଆଯାଇଥିବା ପୁରୁଣା ଭଙ୍ଗାରୁଜା ଘର କିମ୍ବା ଛାତ ଉପରେ ଶୁଅନ୍ତି ।
ଗୋଟିଏ ମାଲାୟଲି ଘରର ଛାତ ଉପରେ ଶୋଉଥିବା ରାମକୃଷ୍ଣ କୁହନ୍ତି, “ସନ୍ଧ୍ୟା ୫ଟା ପରେ ଲାଇଟ୍ ଲଗାଯାଏ କିନ୍ତୁ ସେତେବେଳେ ଫ୍ୟାନ୍ ଚାଲେନି । ରାତି ୧୦ଟା ସୁଦ୍ଧା ଲାଇଟ୍ ବନ୍ଦ ହୋଇଯାଏ ଓ ଫ୍ୟାନ୍ ଚାଲୁହୁଏ । ସ୍ୱିଚ୍ ଆମ ପାଖରେ ନଥାଏ । ଆମେ ଦିନକର ଭଡ଼ା ଦେଇସାରିବା ପରେ ମାଲିକ ଫ୍ୟାନ୍ ଲଗାନ୍ତି । ଯଦି କେହି ଜଣେ ଭଡ଼ା ଦେଇନପାରନ୍ତି, ତେବେ ମାଲିକ ଫ୍ୟାନ୍ର ସ୍ୱିଚ୍ ବନ୍ଦ କରିଦିଅନ୍ତି । ଯଦିଓ ସେଠାରେ ପ୍ରାୟ ୪୦ଜଣ ଶୋଉଥାନ୍ତି ।”

Rahul M.
ରାସ୍ତାରେ ରହୁଥିବା ଲୋକମାନେ ଆଉ ଏକ ଭିନ୍ନ ପ୍ରକାରର ସମସ୍ୟାକୁ ସାମ୍ନା କରନ୍ତି: ମଶା । ୬୨ବର୍ଷ ବୟସ୍କା ଭେଙ୍କଟମ୍ମା କୁହନ୍ତି, “କିନ୍ତୁ ସେମାନେ କାମୁଡ଼ିଲେ ତୁମେ ରୋଗରେ ପଡ଼ିବନି ।" ଅନ୍ୟମାନଙ୍କ ପାଇଁ ମଶାଙ୍କୁ ଓ କୋଚିର ଲୁଣିଆ ଜଳବାୟୁକୁ ପରାସ୍ତ କରିବାର ରାସ୍ତା ମଦ ।

Rahul M.
ଦିନକୁ ୮୦୦ ଟଙ୍କାରୁ କମ୍ ମଜୁରିରେ କାମ କରିବାକୁ ମନା କରୁଥିବା ଅଞ୍ଜନେୟୁଲୁ ମଦରେ ବଞ୍ଚନ୍ତି । ସେ ସବୁବେଳେ ପିଇଥାଆନ୍ତି । “ଚନ୍ଦ୍ରବାବୁ (ନାଇଡୁ)ଙ୍କୁ କୁହ, ମୋ ପାଇଁ ପାଇଖାନା କରିଦେବେ । ମୁଁ ମଦ ପିଆ କମ୍ କରିଦେବି । ଘରେ ଆମର ପାଇଖାନା ନାହିଁ । ଆମେ କେନାଲଲ୍କୁ ଗଲେ ଲୋକେ ଆମକୁ ପାଟି କରନ୍ତି ।””
କାଲୁର୍ ଜଙ୍କ୍ସନ୍ରେ ପ୍ରତ୍ୟେକ ଶ୍ରମିକଙ୍କର କାମର ଏକ ଚକ୍ର ଅଛି । ଅଧିକାଂଶ ଲୋକ ତିନି ସପ୍ତାହ ରୁହନ୍ତି ଏବଂ ସପ୍ତାହେ ଗାଁକୁ ଯାଆନ୍ତି । କେତେଜଣ ପୁରୁଣା କରଜ ପରିଶୋଧ ପାଇଁ ଅଧିକ ଦିନ ରୁହନ୍ତି । ମୁଡ଼ିଗୁବାର ୪୦ବର୍ଷ ବୟସ୍କ ଚାଷୀ ନାରାୟଣସ୍ୱାମୀ କୁହନ୍ତି, “ମୁଁ ବର୍ଷେ ହେବ ଘରକୁ ଯାଇନି । ମୁଁ ପ୍ରତି ସପ୍ତାହରେ ପ୍ରାୟ ୨୦୦୦ଟଙ୍କା ପଠାଉଛି ।”
Rahul M.
ଶ୍ରୀନିବାସୁଲୁ କୁହନ୍ତି, “ଏଠି ସମସ୍ତଙ୍କର ଗୋଟିଏ ଗୋଟିଏ ନିଶା ଅଛି । କେତେଜଣ ତାସ୍ ପାଇଁ ପାଗଳ, କେତେଜଣ ମଦ ପାଇଁ ଏବଂ ଆଉ କେତେଜଣ ଲଟେରି ପାଇଁ ପାଗଳ ।”
ତେବେ ସମସ୍ତଙ୍କ ପାଇଁ ଗୋଟିଏ କଥା ସାଧାରଣ, ଯେତେବେଳେ ସେମାନେ କାଲୁର୍ ଜଙ୍କସନ୍ର ରାସ୍ତାର ଦୁଇ କଡ଼ରେ ଧାଡ଼ି ବାନ୍ଧି ଛିଡ଼ା ହୁଅନ୍ତି, ସେତେବେଳେ ଅନିଶ୍ଚିତତା ଥାଏ ସେମାନଙ୍କ ସହ ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଟିକଟ-ନାହିଁ-ତଥାପି-ଯିବୁ

