ଅଧାଗଢ଼ା ହୋଇଥିବା ଏକ ଘୋଡ଼ାକୁ ତକିଆ କରି, ରାସ୍ତା କଡ଼ରେ ଜୁଆରା ରାମ ଭଟ ଶୋଇଥିବା ସମୟରେ ସେମାନଙ୍କ ନିକଟରେ ଏକ କାର୍ ଅଟକି ଗଲା। ଏଥିରେ ସେ ଉଠିପଡ଼ିଲେ। ଏହି ୬୦ ବର୍ଷୀୟ କାରିଗର ଜଣଙ୍କ କାର୍ରେ ବସିଥିବା ବ୍ୟକ୍ତିଙ୍କ ନିକଟକୁ ଦୌଡ଼ିଗଲେ ଏବଂ ଖେଳନା ଘୋଡ଼ା ଉପରେ ବସିପଡ଼ି ତାହାର ଦୃଢ଼ତା ଦର୍ଶାଇଥିଲେ। ନିଶ୍ଚିତ ଭାବେ ତାହା ୩୦୦ ଟଙ୍କାରେ ମୂଲଚାଲ ହୋଇଥିଲା? ହେଲେ ଗ୍ରାହକ ଜଣଙ୍କ ଜିଦ୍ କରି ଦାମ୍କୁ ୨୦୦ ଟଙ୍କାକୁ କମାଇ ଦେଇଥିଲେ। ଏବଂ ଜୁଆରା ରାମ ଅପରାହ୍ଣ ୪ଟା ବେଳେ ସେଦିନର ପ୍ରଥମ ଏବଂ ବୋଧହୁଏ ଶେଷ ସାମଗ୍ରୀଟିକୁ ବିକ୍ରି କରିଥିଲେ।
ସେ ବସିଥିବା ସ୍ଥାନ ନିକଟରେ ବାଉଁଶ ଖୁଣ୍ଟ ଉପରେ ତାରପଲିନ ଓ ପ୍ଲାଷ୍ଟିକ ଚଦର ଘୋଡ଼ା ହୋଇଥିବା ଜୁଆରା ରାମଙ୍କର ଛୋଟ କୁଡ଼ିଆ ଥିଲା। ସେ ସେଠାରେ ନିଜର ପତ୍ନୀ ବୁଗ୍ଲିବାଇ ଏବଂ ସେମାନଙ୍କର ଦୁଇ ପୁଅ, ସେମାନଙ୍କର ପତ୍ନୀ ଓ ପିଲାମାନଙ୍କ ସହିତ ରହୁଥିଲେ। ପଶ୍ଚିମ ଜୟପୁରର ଅମ୍ବାବରୀ ଦରଘା ଅଞ୍ଚଳରେ ଅମନିଶାହ ଝରଣା ଉପରେ ଥିବା ସେତୁ ନିକଟରେ ଏହିପରି ୪୦-୫୦ଟି ଘର ଭିତରୁ ସେମାନଙ୍କର କୁଡ଼ିଆ ଗୋଟିଏ ଥିଲା। ଏଠାରେ ରହୁଥିବା ପରିବାର ଭଟ ସମ୍ପ୍ରଦାୟର (ରାଜସ୍ଥାନରେ ଓବିସି ଭାବେ ତାଲିକାଭୁକ୍ତ), ସମସ୍ତେ ଶୁଖିଲା ଘାସ (ନଡ଼ା)-ରେ ତିଆରି ହାତୀ, ଘୋଡ଼ା, ଓଟ ଏବଂ ଆହୁରି ଅନେକ ସାଜସଜ୍ଜା ସାମଗ୍ରୀ ତିଆରି କରିଥାନ୍ତି।
“ମୋର ଠିକ୍ ବର୍ଷ ମନେ ନାହିଁ, କିନ୍ତୁ ମୋ ବାପା ନାଗୌର ଜିଲ୍ଲାର ଦିଦୱାନା ସହରରୁ ଜୟପୁରକୁ ଆସିଥିଲେ”, ଜୁଆରା ରାମ କୁହନ୍ତି। ଖେଳନା ତିଆରି କରିବା ପ୍ରକ୍ରିୟାରେ, ତାଙ୍କର ମୁଖ୍ୟ କାମ ଥିଲା ନଡ଼ା ପିତ୍ତୁଳା ତିଆରି କରିବା। ସେହି ନଡ଼ା ପିତ୍ତୁଳାକୁ ସହାୟକ ହେବା ଲାଗି ସେଥିରେ ବେଳେ ବେଳେ ଏକ ପତଳା ବାଉଁଶ ପାତିଆ ଭର୍ତ୍ତି କରିଥାନ୍ତି ଏବଂ ଶୁଖିଲା ଘାସକୁ ତାର ଓ ରଶି ସହିତ ବାନ୍ଧି ଏହାକୁ ଆକାର ଦେଇଥାନ୍ତି। ଏହାପରେ ସେ ଏହି ନଡ଼ା ପିତ୍ତୁଳାର ସମ୍ପୂର୍ଣ୍ଣ ଢାଞ୍ଚାକୁ ବୁଗ୍ଲିବାଇଙ୍କ ହାତକୁ ଦେଇଦିଅନ୍ତି। ସେ ସେଥିରେ ଲାଲ ଭେଲଭେଟ କପଡ଼ା ଗୁଡ଼ାଇଥା’ନ୍ତି ଏବଂ ପରେ ସୁନେଲି ରଙ୍ଗର ଫିତା ଦେଇ ତା’କୁ ସଜାଇଥାନ୍ତି। ଏପରି ଗୋଟିଏ ସାମଗ୍ରୀ ତିଆରି କରିବା ଲାଗି ତାଙ୍କୁ ୨ରୁ ୩ ଘଣ୍ଟା ଲାଗିଥାଏ।
ସେମାନେ ଯେଉଁ ସ୍ଥାନରେ ବସି ରହି ଏହିସବୁ କଳାକୃତିଗୁଡ଼ିକୁ ତିଆରି କରୁଛନ୍ତି ତାହା ତାଙ୍କ ଘର ଓ କାର୍ଯ୍ୟସ୍ଥଳୀ, ଏହା ତାଙ୍କ ‘ଭଣ୍ଡାର ଘର’ ମଧ୍ୟ। ସେମାନେ ଏହି ଅସ୍ଥାୟୀ ଘରକୁ ଚାରିରୁ ଅଧିକ ଥର ସ୍ଥାନାନ୍ତର କରିଛନ୍ତି, ପ୍ରତିଥର ଏହାକୁ ବେଆଇନ ବୋଲି କହି ପୁଲିସ ଓ ଜୟପୁର ସହରାଞ୍ଚଳ କର୍ତ୍ତୃପକ୍ଷ ସେମାନଙ୍କ ଆବାସକୁ ଭାଙ୍ଗିଦେବା ପରେ ସେମାନଙ୍କୁ ଏପରି କରିବାକୁ ପଡ଼ିଛି। ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନରେ, ସେମାନଙ୍କୁ ପାଣି ପାଇଁ ଟ୍ୟାଙ୍କର ଓ ନିକଟସ୍ଥ ଦୋକାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ, ସେମାନେ ଅମନିଶାହା ଝରଣା ନିକଟରେ ଥିବା ଶୌଚାଳୟ ଓ ସ୍ଥାନକୁ ଶୌଚ ହେବା ନିମନ୍ତେ ବ୍ୟବହାର କରିଥାନ୍ତି। ଏବଂ ବିଦ୍ୟୁତ ପାଇଁ ଅଧିକାଂଶ ପରିବାର ବ୍ୟାଟେରୀ ଦ୍ୱାରା ଚାର୍ଜ ହେଉଥିବା ଏଲଇଡି ଲାଇଟ୍ ବ୍ୟବହାର କରିଥାନ୍ତି।
ସେତୁ ନିକଟ ବସ୍ତିରେ ରହୁଥିବା ଅନ୍ୟମାନଙ୍କ ଭଳି ଜୁଆରା ରାମଙ୍କ ପରିବାର ଭୂମିହୀନ-ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଘର ରାଜସ୍ଥାନର ଯୋଥପୁର ଓ ନାଗୌର ଜିଲ୍ଲାରେ। ସେ କୁହନ୍ତି, ତାଙ୍କର ପାରମ୍ପରିକ କାମ ହେଉଛି କାଠ କଣ୍ଢେଇ ତିଆରି କରିବା ଏବଂ ସେଗୁଡ଼ିକର ନାଚ ପ୍ରଦର୍ଶନ କରିବା, କିନ୍ତୁ ଏବେ ସେମାନେ ମୁଖ୍ୟତଃ ନଡ଼ା ଓ ଭେଲଭେଟରେ ସାଜସଜ୍ଜା ସାମଗ୍ରୀ ତିଆରି କରିବାରେ ସମ୍ପୃକ୍ତ ରହୁଛନ୍ତି।








