ଆମର ବିଳମ୍ବ ହେଲା । ଶିରଗାଓଁରେ ଥିବା ଆମ ସାମ୍ବାଦିକ ବନ୍ଧୁ ସମ୍ପତ୍ ମୋରେ କହିଲେ, “ଗଣପତି ଯାଦବ ଏ ମଧ୍ୟରେ ଦୁଇଥର ନିଜ ଗାଁରୁ ଆସି ତୁମକୁ ଖୋଜିଗଲେଣି । ସେ ଦୁଇଥର ଯାକ ନିଜ ଗାଁ ରାମପୁରକୁ ଫେରିଛନ୍ତି । ଆପଣ ପହଞ୍ଚି ଗଲେଣି ବୋଲି କହିଲେ ସେ ତୃତୀୟ ଥର ଆସିବେ।” ଦୁଇ ଗାଁ ଭିତରେ ଦୂରତା ୫ କିଲୋମିଟର । କିନ୍ତୁ ୩ ଥର ଯିବାଆସିବା ଅର୍ଥ ୩୦କିଲୋମିଟର । ତାହା ପୁଣି ମଝି ମେ’ ମାସର ଖରା ଦିନରେ, ଧୂଳି ଧୁସର ରାସ୍ତାରେ, ୨୫ ବର୍ଷର ପୁରୁଣା ସାଇକେଲରେ ପୁଣି ଯେତେବେଳେ ଚାଳକର ବୟସ ୯୭ ବର୍ଷ ।
ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କାଡେଗାଓଁ ବ୍ଲକର ଗୋଟିଏ ଗ୍ରାମରେ , ଆମେ ମୋରେଙ୍କ ଜେଜେ ବାପାଙ୍କ ଘରେ, ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିଲୁ, ସେତେବେଳେ ଗଣପତି ବାଲ୍ ଯାଦବ ସ୍ୱାଭାବିକ ଭାବରେ ତାଙ୍କ ସାଇକେଲ୍ ଚଢ଼ି ପହଞ୍ଚିଗଲେ । ଯେତେବେଳେ ତାଙ୍କୁ ଖରାରେ ଏତେଦୂର ଆସିବାକୁ ଦେଇଥିବାରୁ ମୁଁ ତାଙ୍କୁ କ୍ଷମା ପ୍ରାର୍ଥନା କଲି ସେତେବେଳେ ସେ ଦ୍ୱନ୍ଦରେ ପଡ଼ିଗଲେ । ନରମ ସ୍ୱର ଓ ବିନମ୍ର ହସ ସହ ସେ କହିଲେ, ଏଥିରେ କ’ଣ ଅଛି? ଗତକାଲି ଅପରାହ୍ନରେ ମୁଁ ଭିଟାକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲି । ତାହା ବି ମୋ ସାଇକେଲରେ । ମୁଁ ସେମିତି ହିଁ ଯାଏ।” ରାମପୁରରୁ ଭିଟା ଯିବା ଆସିବା ଅର୍ଥ ୪୦ କିଲୋମିଟର ଦୂରତା । ପୂର୍ବଦିନ ପୁଣି ଅଧିକ ଗରମ ଥିଲା । ତାପମାତ୍ରା ପାଖାପାଖି ୪୫ ଡିଗ୍ରୀ ହୋଇଯାଇଥିଲା ।ସମ୍ପତ ମୋରେ କୁହନ୍ତି, ‘ବର୍ଷେ ବା ଦୁଇବର୍ଷ ତଳେ ସେ ପାନ୍ଧାରପୁରକୁ ସାଇକେଲ ଚଢ଼ି ଯାଇଥିଲେ ଏବଂ ଫେରିଥିଲେ, ଏହା ପ୍ରାୟ ୧୫୦ କିଲେମିଟର ଦୂରତା । ଏବେ ସେ ଏତେଦୂର ଯିବା ଆସିବା କରୁନାହାନ୍ତି ।’







