

Wayanad, Kerala
|MON, AUG 12, 2019
'ଜଳବାୟୁ କାହିଁକି ଏପରି ପରିବର୍ତ୍ତନ ହେଉଛି?'
ୱଏନାଡ୍, କେରଳର କଫି ଓ ଗୋଲମରିଚ ଚାଷୀମାନେ ଏବେ ତାପମାତ୍ରା ବୃଦ୍ଧି ଓ ବିକ୍ଷିପ୍ତ ଭାବରେ ବୃଷ୍ଟିପାତ କାରଣରୁ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି। ଏକଦା ଏହି ଜିଲ୍ଲା ‘‘ଶୀତତାପ ନିୟନ୍ତ୍ରିତ ଜଳବାୟୁ’ ଭାବରେ ପରିଚିତ ଥିଲା
Reporter
Editor
Series Editors
Translator
କେରଳର ପାହାଡ଼ିଆ ୱଏନାଡ ଜିଲ୍ଲାରେ ବାସ କରୁଥିବା ଅଗଷ୍ଟିନ ବଡକିଲ୍, ଜଳବାୟୁ କାରଣରୁ ତାଙ୍କର ଧସ୍ତବିଧ୍ୱସ୍ତ ଜମିରେ କହନ୍ତି ‘‘ପ୍ରାୟ ଅପରାହ୍ଣ ୪ଟା ବେଳକୁ ଉଷୁମ ଲାଗିବା ପାଇଁ ଆମେ ଏଠାରେ ନିଆଁ ଜାଳୁଥିଲୁ।’’ ‘‘କିନ୍ତୁ ଏହା ୩୦ ବର୍ଷ ପୂର୍ବରୁ ଥିଲା। ଏବେ ଆଉ ୱଏନାଡ ଶୀତଳ, କାକର ପଡ଼ୁଥିବା ସ୍ଥାନ ହୋଇନାହିଁ।’’ ମାର୍ଚ୍ଚ ମାସ ଆରମ୍ଭ ବେଳକୁ ଅତି ବେଶୀରେ ତାପମାତ୍ରା ୨୫ ଡିଗ୍ରୀ ପର୍ଯ୍ୟନ୍ତ ଯାଉଥିଲା। କିନ୍ତୁ ଏବେ ଏହି ତାପମାତ୍ରା ୩୦ରୁ ଅଧିକ ରହୁଛି।
ଏବଂ ବଡ଼କିଲଙ୍କ ଜୀବନ କାଳ ଭିତରେ ଏହି ଜିଲ୍ଲାରେ ଗରମ ଲାଗୁଥିବା ସମୟ ଦୁଇ ଗୁଣ ବଢ଼ିଯାଇଛି। ୧୯୬୦ ମସିହାରେ, ଯେତେବେଳେ ବଡ଼କିଲ ଜନ୍ମ ହୋଇଥିଲେ ଏହି ଜୁଲାଇରେ ନ୍ୟୁୱାର୍କ ଟାଇମ୍ସରେ ଅନଲାଇନରେ ପୋଷ୍ଟ୍ ହୋଇଥିବା ଏକ ଜଳବାୟୁ ଏବଂ ବିଶ୍ୱତାପନ ସମ୍ପର୍କିତ ଇଣ୍ଟରଆକ୍ଟିଭ୍ ଟୁଲ୍ର ହିସାବ ଅନୁଯାୟୀ ‘‘ୱଏନାଡ ଅଞ୍ଚଳର ତାପମାତ୍ରା ବର୍ଷରେ ୨୯ ଦିନ ଅତି କମ୍ରେ ୩୨ ଡିଗ୍ରୀ ସେଲ୍ସିଅସ୍ ରହୁଥିଲା।’’ ‘‘ଏବେ ବର୍ଷରେ ହାରାହାରି ୫୯ ଦିନ ତାପମାତ୍ରା ୩୨ ଡିଗ୍ରୀରୁ ଅଧିକ ରହୁଛି।’’
ବଡ଼କିଲ୍ କହନ୍ତି, ଏହି ପାଣିପାଗରେ ପରିବର୍ତ୍ତନ ଶୈଳୀ ଯୋଗୁଁ ଉତ୍ତାପ ପ୍ରତି ସମ୍ବେଦନଶୀଳ ଓ ଅତ୍ୟନ୍ତ ସ୍ପର୍ଶକାତର ଶସ୍ୟ ଯେପରିକି ଗୋଲମରିଚ, କମଳା ଗଛ ଯାହାକି ଦାକ୍ଷିଣାତ୍ୟ ସମତଳ ଅଞ୍ଚଳର ଦକ୍ଷିଣ ଅଂଶର ପଶ୍ଚିମଘାଟରେ ଅବସ୍ଥିତ ଏହି ଜିଲ୍ଲାରେ ଦିନେ ପ୍ରଚୁର ପରିମାଣରେ ଦେଖାଯାଉଥିଲା ତାହା ଏବେ କ୍ଷତିଗ୍ରସ୍ତ ହୋଇଛି।
ବଡ଼କିଲ ଏବଂ ତାଙ୍କର ପତ୍ନୀ ବଲସାଙ୍କର ଚେରୁକୋଟୁର ଗ୍ରାମରେ ମନନ୍ତବାଡ଼ି ତହସିଲରେ ଚାରି ଏକରର ଜମି ରହିଛି। ତାଙ୍କ ପରିବାର ୮୦ ବର୍ଷ ତଳେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ କୋଟୟମା ଛାଡ଼ି ୱଏନାଡରେ ଅର୍ଥକାରୀ ଫସଲ ଚାଷ କରିବା ପାଇଁ ଆଗେଇ ଆସିଥିଲେ। ଏହି ସମୟରେ ବହୁ ସଂଖ୍ୟକ ଚାଷୀ ହଜାର ହଜାର ସଂଖ୍ୟାରେ କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ କେନ୍ଦ୍ରୀୟ କେରଳରୁ ଉଠିଆସି ରାଜ୍ୟର ଉତ୍ତର ପୂର୍ବରେ ଅବସ୍ଥିତ ଏହି ଜିଲ୍ଲାରେ ବସତି ସ୍ଥାପନ କରିଥିଲେ।
କିନ୍ତୁ ସମୟ କ୍ରମେ, ଏହି ଚାଷ ବୃଦ୍ଧି ପାଇବା ମନେହେଉଛି ଏବେ ବିସ୍ଫୋରଣର ରୂପ ନେଇଛି। ବଡ଼କିଲ ଆହୁରି ମଧ୍ୟ କହନ୍ତି, ‘‘ଯଦି ଗତବର୍ଷ ପରି ଏ ବର୍ଷ ମଧ୍ୟ ବିକ୍ଷିପ୍ତ ଭାବରେ ବର୍ଷା ହେବ ତେବେ ଆମେ ଚାଷ କରୁଥିବା କଫି (ଅର୍ଗାନିକ୍ ରୋବୋଷ୍ଟା) ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ’’ ବଲସା କହନ୍ତି। ‘‘କଫି ଲାଭଜନକ ହୋଇଥାଏ କିନ୍ତୁ ଏହା ଭଲ ଭାବରେ ବଢ଼ିବା ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଥାଏ ପାଣିପାଗ। ଉତ୍ତାପ ଏବଂ ବିକ୍ଷିପ୍ତ ବୃଷ୍ଟିପାତ ଏହାକୁ ନଷ୍ଟ କରିଦିଏ।’’ କଫି ଚାଷ କ୍ଷେତ୍ରରେ କାର୍ଯ୍ୟରତ ଲୋକେ କହନ୍ତି କଫି (ରୋବୋଷ୍ଟା) ବଢ଼ିବା ପାଇଁ ଉପଯୁକ୍ତ ତାପମାତ୍ରା ହେଉଛି ୨୩-୨୮ ଡିଗ୍ରୀ ସେଲ୍ସିଅସ୍ ମଧ୍ୟରେ।

Noel Benno
ୱଏନାଡର କଫି, ଯାହାକି ରୋବୋଷ୍ଟା ଫ୍ୟାମିଲି (ଏକ ଗ୍ରୀଷ୍ଣମଣ୍ଡଳୀୟ ଚିରହରିତ ଗୁଳ୍ମ)ର ଗଛ ଶକ୍ତିଶାଳୀ ହୋଇଥାଏ। ଏହା ଡିସେମ୍ବର ଓ ମାର୍ଚ୍ଚ ଶେଷ ମଧ୍ୟରେ ଚାଷ କରାଯାଇଥାଏ। ଏହି କଫି ଫେବୃଆରୀ ଶେଷ ବେଳକୁ କିମ୍ବା ମାର୍ଚ୍ଚ ଆରମ୍ଭ ବେଳକୁ ପ୍ରଥମ ବର୍ଷା ଆବଶ୍ୟକ କରିଥାଏ - ସପ୍ତାହେ ପରେ ଫୁଲ ଧରିବା ଆରମ୍ଭ ହୁଏ। ପ୍ରଥମ ବର୍ଷା ହେବା ପରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ନ ହେବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, କାରଣ ଏହି ସମୟରେ ବର୍ଷା ହେଲେ କୋମଳ ଫୁଲଗୁଡ଼ିକ ନଷ୍ଟ ହୋଇଯାଏ। ଦ୍ୱିତୀୟ ବର୍ଷା କଫି ଫଳ ବା ‘ଚେରି’ ବଢ଼ିବା ଆରମ୍ଭ ହେବା ପରେ ଏକ ସପ୍ତାହ ପରେ ଆବଶ୍ୟକ ହୋଇଥାଏ। ଥରେ ଫୁଲ ଫୁଟିଲା ପରେ ଏବଂ ଗଛରୁ ଝଡ଼ିବା ପରେ ବିନ୍ ଧାରଣ କରିଥିବା ଚେରି ପରିପକ୍ୱ କଫିରେ ପରିଣତ ହୋଇଥାଏ।
ବଡ଼କିଲ୍ କହନ୍ତି ‘‘ଠିକ୍ ସମୟରେ ବର୍ଷା ହେଲେ ଆପଣଙ୍କର ୮୫ ପ୍ରତିଶତ ଅମଳ ସୁନିଶ୍ଚିତ ହୋଇଥାଏ।‘’ ଆମେ ଯେତେବେଳେ ମାର୍ଚ୍ଚ ଆରମ୍ଭରେ ତାଙ୍କ ସହିତ ସାକ୍ଷାତ କଲୁ ସେ ଉତ୍କଣ୍ଠାର ସହିତ କଣ ହେବ ଚାହିଁବସିଥିଲେ। ମନରେ ଶଙ୍କା ଥିଲା ସତରେ କଣ ପାଗ ଭଲ ରହିବ। ପାଗ ରହିନଥିଲା।
ମାର୍ଚ୍ଚ ଆରମ୍ଭ ବେଳକୁ, କେରଳର ଉତ୍କଟ ଗ୍ରୀଷ୍ମ ପ୍ରଭାବରେ ତାପମାତ୍ରା ୩୭ ଡିଗ୍ରୀକୁ ବଢ଼ିଯାଇଥିଲା। ମାର୍ଚ୍ଚ ଶେଷ ବେଳକୁ ବଡ଼କିଲ ଆମକୁ କହିଲେ ‘‘ଏ ବର୍ଷ ମଧ୍ୟ ଦ୍ୱିତୀୟ ବର୍ଷା (ରାନ୍ଦାମାତା ମାଝା) ବହୁତ ଶୀଘ୍ର ଆସିଥିଲା ଏବଂ ସବୁକିଛି ଧ୍ୱଂସ କରିଦେଲା।’’
ବଡ଼କିଲଙ୍କ ପାଇଁ, ଯେକି ଦୁଇ ଏକରରେ ଏହି ଫସଲ ଚାଷ କରନ୍ତି, ତାଙ୍କର ଏ ବର୍ଷ ୭୦,୦୦୦ ଟଙ୍କା କ୍ଷତି ହେଲା। ୱଏନାଡ ସୋସିଆଲ୍ ସର୍ଭିସ୍ ସୋସାଇଟି (ଡବ୍ଲୁଏସଏସଏସ) ଚାଷୀମାନଙ୍କୁ ପ୍ରୋସେସ୍ ହୋଇନଥିବା ଅର୍ଗାନିକ୍ କଫି ପାଇଁ କିଲୋଗ୍ରାମ୍ ପିଛା ୮୮ ଟଙ୍କା ଦେଲା ବେଳେ, ଅନ୍ ଅର୍ଗାନିକ୍ କଫି ପାଇଁ କିଲୋଗ୍ରାମ୍ ପିଛା ୬୫ ଟଙ୍କା ଦେଇଥାନ୍ତି।
ଫାଦର ଜନ୍ ଚୋରାପୁଜାଇଲ୍, ଡବ୍ଲୁଏସଏସଏସରେ ନିର୍ଦ୍ଦେଶକ, ମୋତେ ଫୋନ୍ରେ କହିଥିଲେ ଯେ ୨୦୧୭-୨୦୧୮ରେ କଫି ଉତ୍ପାଦନ ୱଏନାଡରେ ୫୫,୫୨୫ ଟନ୍ ରହିଥିଲା ବେଳେ ଏ ବର୍ଷ ଏହାର ଉତ୍ପାଦନ ୪୦ ପ୍ରତିଶତ ହ୍ରାସ ପାଇଛି। ଡବ୍ଲୁଏସଏସଏସ ହେଉଛି ଏକ ସମବାୟ ଯାହାକି ସ୍ଥାନୀୟ ଚାଷୀମାନଙ୍କଠାରୁ କଫି କିଣିଥାଏ। ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ କୌଣସି ଅଙ୍କ ଘୋଷଣା କରାଯାଇନାହିଁ। ଏଫଆର. ଜନ୍ କହନ୍ତି ଯେ ‘‘ଉତ୍ପାଦନ ହ୍ରାସ ପାଇବା ମୁଖ୍ୟତଃ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ହୋଇଛି, ଯାହାକି ୱଏନାଡର କଫି ଚାଷୀଙ୍କ ପାଇଁ ସବୁଠାରୁ ବଡ଼ ବିପଦ ପ୍ରମାଣିତ ହୋଇଛି।’’ ଜିଲ୍ଲା ବ୍ୟାପି ଆମେ ଭେଟିଥିବା ଚାଷୀମାନେ ଅତ୍ୟଧିକ ବୃଷ୍ଟିପାତ ଏବଂ ବେଳେ ବେଳେ ବର୍ଷା ଅଭାବ ଯୋଗୁଁ ଭିନ୍ନ ଭିନ୍ନ ବର୍ଷରେ ଅମଳରେ ବ୍ୟାପକ ପରିବର୍ତ୍ତନ ବିଷୟରେ କହିଥିଲେ।

Vishaka George

Noel Benno
ବିକ୍ଷିପ୍ତ ଭାବରେ ବର୍ଷା ହେବା ଯୋଗୁଁ ଜମିରେ ଜଳାଭାବ ଦେଖାଯାଇଥାଏ। ଏଫଆର. ଜନ୍ଙ୍କ ଆକଳନ ଅନୁଯାୟୀ ‘‘ୱଏନାଡର ଚାଷୀମାନଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ’’, “ମରୁଡ଼ି କିମ୍ବା କାଆଁଭାଁ ବର୍ଷା ଘଟଣାରେ ବୋର୍ ୱେଲ୍ ଏବଂ ପମ୍ପ ପରି ଜଳସେଚନ ବ୍ୟବସ୍ଥା ସହ କାର୍ଯ୍ୟ କରିପାରନ୍ତି।’’
ଏହି ଭାଗ୍ୟଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ବଡ଼କିଲ୍ ନାହାନ୍ତି। ୱଏନାଡ ଓ କେରଳର ଅନ୍ୟାନ୍ୟ ଅଂଶରେ ୨୦୧୮ରେ ଧ୍ୱଂସର ତାଣ୍ଡବ ରଚିଥିବା ବନ୍ୟାରେ ତାଙ୍କର ଜଳସେଚନ ପମ୍ପ ନଷ୍ଟ ହୋଇଯାଇଥିଲା। ଏହା ମରାମତି କରିବା ପାଇଁ ପ୍ରାୟ ୧୫,୦୦୦ ଟଙ୍କା ଖର୍ଚ୍ଚ ହେବ। ଯେତେବେଳେ ଅମଳକୁ ନେଇ କୌଣସି ନିଶ୍ଚିତତା ନାହିଁ ଏହି କଠିନ ପରୀକ୍ଷା ସମୟରେ ଏତେ ଟଙ୍କା ଖର୍ଚ୍ଚ କରିବା ସମ୍ଭବ ନୁହେଁ।
ତାଙ୍କର ଅବଶିଷ୍ଟ ଦୁଇ ଏକର ଜମିରେ ବଡ଼କିଲ ଏବଂ ବଲସା ରବର, ଗୋଲମରିଚ, କଦଳୀ, ଧାନ ଏବଂ ଆଖୁ ଚାଷ କରୁଛନ୍ତି। ତାପମାତ୍ରା ବୃଦ୍ଧି ପାଇବା ସହ ଏହି ଶସ୍ୟଗୁଡ଼ିକ ପ୍ରଭାବିତ ହେବା ଆରମ୍ଭ ହୋଇଛି। ‘‘ପନ୍ଦର ବର୍ଷ ତଳେ, ଆମେ ବଞ୍ଚି ରହିବା ପାଇଁ କେବଳ ଗୋଲମରିଚ ଯଥେଷ୍ଟ ଥିଲା। କିନ୍ତୁ ତାହା ପରଠାରୁ ବିଭିନ୍ନ ରୋଗ ଯେପରିକି ଦ୍ରୁତବାତମ୍ (କ୍ୱିକ୍ ୱିଲ୍ଟ) ଜିଲ୍ଲା ବ୍ୟାପି ଏକର ଏକର ଜମି ଧ୍ୱଂସ କରିଦେଲା।’’ ଗୋଲମରିଚ ଏକ ବହୁ ବର୍ଷୀୟ ଫସଲ ହୋଇଥିବାରୁ, ଚାଷୀମାନଙ୍କର ବହୁଳ କ୍ଷତି ହୋଇଥିଲା।
‘‘ସମୟ ଅତିକ୍ରମ ହେବା ସହିତ ଏବେ ମନେ ହେଉଛି ଯେ ଚାଷ କାମ କରିବାର ଏକମାତ୍ର କାରଣ ହେଉଛି ଏହା ଆମର ସୌକ। ମୋ ପାଖରେ ଏତେ ଜମି ଅଛି କିନ୍ତୁ ମୋର ଅବସ୍ଥା ଦେଖନ୍ତୁ,’’ କୋହଭରା କଣ୍ଠରେ କହନ୍ତି ବଡ଼କିଲ। ହସି ହସି ସେ କହନ୍ତି ‘‘ଏବେ ସମୟ ହେଉଛି କିଛି ଅଧିକ ଲଙ୍କା ଗୁଣ୍ଡ କରି ରଖିବାକୁ ହେବ କାରଣ ଭାତ ସହିତ ଲୁଣ ଲଙ୍କା ବ୍ୟତୀତ ଆଉ କିଛି ଯୋଗାଡ କରିବା ସମ୍ଭବ ହୋଇନପାରେ।’’
ସେ କହନ୍ତି ‘‘୧୫ ବର୍ଷ ତଳେ ଏହା ଆରମ୍ଭ ହୋଇଥିଲା,’’ କାଳାବସ୍ଥା ଏପରି କାହିଁକି ବଦଳୁଛି? ମାଲାୟଲମ ଭାଷାରେ କାଳାବସ୍ଥାର ଅର୍ଥ ହେଉଛି ଜଳବାୟୁ, ତାପମାତ୍ରା ବା ପାଣିପାଗ ନୁହେଁ। ଆମେ ୱଏନାଡ ବ୍ୟାପି ଚାଷୀମାନଙ୍କୁ ବହୁ ଥର ଏହି ପ୍ରଶ୍ନ ପଚାରିଥିଲୁ।
ଦୁଃଖର କଥା, ଏହି ଉତ୍ତର ଆଂଶିକ ଭାବରେ ଦଶନ୍ଧି ଦଶନ୍ଧି ବ୍ୟାପି ଚାଷୀମାନେ ଗ୍ରହଣ କରିଥିବା ଚାଷ ଶୈଳୀରେ ହିଁ ନିହିତ ରହିଛି।

Vishaka George

Noel Benno
ସୁମା ଟି.ଆର. କହନ୍ତି ‘‘ଆମେ କହୁ ଯେ ଗୋଟିଏ ଜମିର ପ୍ରତି ଖଣ୍ଡରେ ଅଲଗା ଅଲଗା ଫସଲ ଚାଷ କରିବା ମଙ୍ଗଳକାରୀ ହୋଇଥାଏ। କିନ୍ତୁ ଆଜିକାଲି କେବଳ ଗୋଟିଏ ଫସଲ ଚାଷ କରାଯାଉଛି।’’ ସେ ବର୍ତ୍ତମାନ ଏମ.ଏସ୍. ସ୍ୱାମୀନାଥନ ରିସର୍ଚ ଫାଉଣ୍ଡେସନ୍ ୱଏନାଡରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ। ସେ ଗତ ୧୦ ବର୍ଷ ହେଲା ଭୂମି - ବ୍ୟବହାର ପରିବର୍ତ୍ତନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏକକ ଫସଲ ଚାଷ ଫଳରେ ରୋଗ ପୋକ ବ୍ୟାପୁଛି, ସେଗୁଡ଼ିକୁ ରାସାୟନିକ କୀଟନାଶକ ଓ ସାର ଦ୍ୱାରା ଉପଚାର କରାଯାଉଛି। ଏଗୁଡ଼ିକ ଭୂତଳ ଜଳରେ ମିଶୁଛି କିମ୍ବା ବାୟୁବାହିତ ହୋଇ ପ୍ରଦୂଷଣ ଓ ଅପମିଶ୍ରଣର କାରଣ ହେଉଛି ଏବଂ ସମୟ କ୍ରମେ ପରିବେଶର ଗୁରୁତର କ୍ଷତି କରୁଛି।
ସୁମା କହନ୍ତି ବ୍ରିଟିଶମାନଙ୍କ ଦ୍ୱାରା ବ୍ୟାପକ ବୃକ୍ଷ କାଟ ସହିତ ଏହା ଆରମ୍ଭ ହୋଇଥିଲା। ‘‘ସେମାନେ କାଠ ପାଇଁ ଜଙ୍ଗଲ କାଟି ପଦା କରିଦେଇଥିଲେ ଏବଂ ବିଭିନ୍ନ ପାହାଡ଼ ଗଡାଣିକୁ ଉଦ୍ୟାନରେ ରୂପାନ୍ତରିତ କରିଥିଲେ।’’ ଏହି ପରିବର୍ତ୍ତନ ସହ ଜଳବାୟୁ ମଧ୍ୟ ସମ୍ପର୍କିତ। ସେ କହନ୍ତି “ବହୁ ସଂଖ୍ୟକ ବ୍ୟକ୍ତି ଅନ୍ୟ ସ୍ଥାନରୁ ଆସି ଏହି ସ୍ଥାନରେ ବସତି ସ୍ଥାପନ କରିବା କାରଣରୁ (୧୯୪୦ ମସିହା ପୂର୍ବ ସମୟରୁ ବିଭିନ୍ନ ସ୍ଥାନରୁ ଏହି ଜିଲ୍ଲାକୁ) ଏହା ଭୂଭାଗ ପରିକଳ୍ପନାରେ ପରିବର୍ତ୍ତନ ହୋଇଥିଲା, ପ୍ରାଥମିକ ଭାବରେ ୱଏନାଡର ଚାଷୀମାନେ ସ୍ଥାନ ବଦଳାଇ ଚାଷ କରୁଥିଲେ।’
ଏହି ଦଶନ୍ଧିଗୁଡ଼ିକରେ, ଏଠାକାର ମୁଖ୍ୟ ଫସଲ ଥିଲା ସନ୍ତସନ୍ତିଆ ଅଞ୍ଚଳରେ ଧାନ, କଫି କିମ୍ବା ଗୋଲମରିଚ ନୁହେଁ - ଏପରିକି ‘ୱଏନାଡ’ ଶବ୍ଦ ‘ବାୟଲ ନାଡ଼ୁ’ ବା ଧାନ ଜମିର ଭୂମି ଶବ୍ଦରୁ ଆସିଛି। ଏହି ଜମିଗୁଡ଼ିକ କେରଳ ତଥା ଏହି ଅଞ୍ଚଳର ପରିବେଶ ଓ ପରିସଂସ୍ଥାନ ପ୍ରଣାଳୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ୧୯୬୦ ମସିହାରେ ପ୍ରାୟ ୪୦,୦୦୦ ହେକ୍ଟରରେ ଧାନଚାଷ କରାଯାଉଥିଲା - ଏବେ ଏହା ମାତ୍ର ୮,୦୦୦ ହେକ୍ଟରକୁ ଖସି ଆସିଛି। ସରକାରୀ ତଥ୍ୟ ଅନୁଯାୟୀ ୨୦୧୭- ୧୮ରେ ଜିଲ୍ଲାର ମୋଟ ଚାଷ କରାଯାଉଥିବା କ୍ଷେତ୍ରର ୫ ପ୍ରତିଶତରୁ କମ୍ ସ୍ଥାନ ରହିଛି ଏବଂ କଫି ଉଦ୍ୟାନ ଏବେ ୱଏନାଡର ପ୍ରାୟ ୬୮,୦୦୦ ହେକ୍ଟର ଜମିରେ ବ୍ୟାପିଗଲାଣି। ଯାହାକି କେରଳ ମୋଟ କଫି ଚାଷ କରାଯାଉଥିବା କ୍ଷେତ୍ରର ୭୯ ପ୍ରତିଶତ ଏବଂ ୧୯୬୦ ମସିହାରେ, ବଡ଼କିଲ ଯେଉଁ ବର୍ଷ ଜନ୍ମ ହୋଇଥିଲେ ସେହି ବର୍ଷ ସମଗ୍ର ଦେଶରେ ରୋବୋଷ୍ଟା ଚାଷ କରାଯାଉଥିବା ଜମିର କ୍ଷେତ୍ରଫଳଠାରୁ ୩୬ ପ୍ରତିଶତ ଅଧିକ।
ସୁମା କହନ୍ତି ‘‘ଚାଷୀମାନେ ପାହାଡ଼ ଉପରେ ମାଣ୍ଡିଆ ପରି ଫସଲ ଚାଷ କରୁଥିଲେ,’’ ଅର୍ଥକାରୀ ଫସଲ ପାଇଁ ଜମିରୁ ଗଛ କାଟୁନଥିଲେ। ଚାଷଜମି ପରିସଂସ୍ଥାନକୁ ଧରିରଖିଥିଲା। କିନ୍ତୁ ବହୁ ସଂଖ୍ୟାରେ ବସତି ସ୍ଥାପନ ବୃଦ୍ଧି ପାଇବା ଫଳରେ ଅନ୍ୟ ଖାଦ୍ୟ ଶସ୍ୟ ତୁଳନାରେ ଅର୍ଥକାରୀ ଫସଲକୁ ଅଧିକ ପ୍ରାଧାନ୍ୟ ଦିଆଗଲା ଏବଂ ୧୯୯୦ ଦଶକରେ ଜାଗତିକରଣ ସହିତ ଅଧିକରୁ ଅଧିକ ଲୋକେ ଗୋଲମରିଚ ପରି ଅର୍ଥକାରୀ ଫସଲ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିବାକୁ ଆରମ୍ଭ କଲେ।
ଭିଡିଓ ଦେଖନ୍ତୁ: ‘‘ଚାଷ କରିବାର କାରଣ ହେଉଛି ଏହା ଏକ ସୌକ’’
ଜିଲ୍ଲା ବ୍ୟାପି ଆମେ ବିଭିନ୍ନ କୃଷକଙ୍କୁ ଭେଟି ଅମଳରେ ବ୍ୟାପକ ପରିବର୍ତ୍ତନ ବିଷୟରେ ପଚାରିଥିଲୁ, ସେମାନେ କହିଥିଲେ - ‘‘ୱଏନାଡରେ କଫି ଚାଷ କ୍ଷେତ୍ରରେ ଅମଳ ହ୍ରାସ ପାଇବାର ସବୁଠାରୁ ବଡ଼ ବିପଦ କାରଣ ହେଉଛି ଜଳବାୟୁରେ ପରିବର୍ତ୍ତନ’’
ଡବ୍ଲୁଏସଏସଏସର ପୂର୍ବତନ ପ୍ରକଳ୍ପ ଅଧିକାରୀ ଇ. ଜେ. ଜୋସ ଏବଂ ମନାନ୍ତବାଡ଼ି ସହରର ଜଣେ ଜୈବିକ କୃଷକ କହନ୍ତି ‘‘ଆଜିକାଲି ଚାଷୀମାନେ ଧାନ ଫସଲରୁ ଏକ କିଲୋଗ୍ରାମ୍ ପିଛା ୧୨ ଟଙ୍କା ପାଇଲା ବେଳେ କଫି ପାଇଁ କିଲୋ ପିଛା ୬୭ ଟଙ୍କା ପାଆନ୍ତି। ଯେତେବେଳେ କି ଗୋଲମରିଚ ପାଇଁ କିଲୋଗ୍ରାମ୍ ପିଛା ୩୬୦ ଟଙ୍କାରୁ ୩୬୫ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ।’’ ମୂଲ୍ୟରେ ବ୍ୟାପକ ପ୍ରଭେଦ ଯୋଗୁଁ ଅଧିକରୁ ଅଧିକ ଚାଷୀ ଧାନ ଚାଷ ଛାଡ଼ି କଫି ଓ ଗୋଲମରିଚ ଚାଷ କରିବାକୁ ବାଛିଲେ। ‘‘ଏବେ ସମସ୍ତେ ଯାହା ଦରକାର ତାହାକୁ ଛାଡ଼ି ଯେଉଁଟି ଅଧିକ ଲାଭଜନକ ତାହା ଚାଷ କରୁଛନ୍ତି। (ଆମେ ହରାଉଛୁ) ଧାନ ମଧ୍ୟ ନଷ୍ଟ ହେଉଛି, ଏହି ଫସଲ ବର୍ଷାଦିନେ ଜଳ ଅବଶୋଷଣ କରିବାରେ ସାହାଯ୍ୟ କରେ ଏବଂ ଜଳସ୍ତରକୁ ଧରିରଖିଥାଏ।’’
ରାଜ୍ୟର ବହୁ ଧାନ ଜମି ମୁଖ୍ୟ ରିଏଲ ଇଷ୍ଟେଟ୍ ପ୍ଲଟ୍ ପାଲଟିଯାଇଛି ଫଳରେ କୁଶଳୀ ଧାନଚାଷୀମାନଙ୍କର କାର୍ଯ୍ୟ ଦିବସ ମଧ୍ୟ ହ୍ରାସ ପାଉଛି।
ସୁମା କହନ୍ତି ‘‘ଏ ସମସ୍ତ ପରିବର୍ତ୍ତନ ଲଗାତର ଭାବରେ ୱଏନାଡର ଭୂଭାଗ ଗଠନକୁ ପ୍ରଭାବିତ କରିଆସୁଛି।’’ ଗୋଟିଏ ଫସଲ ଚାଷ ଦ୍ୱାରା ମୃତ୍ତିକାର କ୍ଷୟ କରାଯାଉଛି। ଜନସଂଖ୍ୟା ବୃଦ୍ଧି (୧୯୩୧ ଜନଗଣନା ବେଳେ ୧୦୦,୦୦୦ରୁ କମ୍ ଥିଲା ବେଳେ ୨୦୧୧ ଜନଗଣନା ଅନୁସାରେ ଏହା ୮୧୭, ୪୨୦ ରହିଛି) ଏବଂ ଜମି ମଧ୍ୟ ବିଭାଜିତ ହୋଇଛି, ତେଣୁ ୱଏନାଡ ଅଧିକ ଉତ୍ତପ୍ତ ହେବାରେ କିଛି ଆଶ୍ଚର୍ଯ୍ୟ ହେବାରେ ନାହିଁ।’’
ଜୋସଙ୍କର ବିଶ୍ୱାସ କୃଷି ବିଧିରେ ଏହି ପରିବର୍ତ୍ତନ ସହିତ ତାପମାତ୍ରା ବୃଦ୍ଧିର ଦୃଢ଼ ସମ୍ପର୍କ ରହିଛି। ସେ କହନ୍ତି ‘‘କୃଷି ଶୈଳୀରେ ପରିବର୍ତ୍ତନ ବୃଷ୍ଟିପାତରେ ପରିବର୍ତ୍ତନକୁ ପ୍ରଭାବିତ କରିଛି।’’
ନିକଟବର୍ତ୍ତୀ ତାବିନହାଲ ପଞ୍ଚାୟତରେ ୧୨ ଏକର ଜମିରେ ଆମ ସହିତ ଚାଲିଚାଲି କଥାବାର୍ତ୍ତା ହେଲା ବେଳେ ୭୦ ବର୍ଷ ବୟସ୍କ ଏମ. ଜେ. ଜର୍ଜ କହନ୍ତି, ‘‘ଦିନେ ଏହି ଜମି ଗୋଲମରିଚରେ ଭରପୂର ଥିଲା, ଗଛ ଭିତର ଦେଇ ତଳେ ଆଲୁଅ ପଡ଼ିବା କଷ୍ଟକର ଥିଲା। ଗତ କିଛି ବର୍ଷ ମଧ୍ୟରେ ଆମେ ଶହ ଶହ କ୍ୱିଣ୍ଟାଲ ଗୋଲମରିଚ ହରାଇଛୁ। ଜଳବାୟୁ ପରିବର୍ତ୍ତନ ଯୋଗୁଁ କ୍ୱିକ୍ ୱିଲ୍ଟ (ଝାଉଁଳା ରୋଗ) ନାମକ ରୋଗ ହୋଇଯାଇଛି।
ଜୋସ୍ କହନ୍ତି, ‘‘ଫାଇଟୋପ୍ଥୋରା ନାମକ କବକ ଜନିତ ଝାଉଁଳା ରୋଗ ଜିଲ୍ଲା ବ୍ୟାପି ହଜାର ହଜାର ବ୍ୟକ୍ତିଙ୍କର ଜୀବିକାକୁ ଗ୍ରାସ କରିଛି। ଏହା ଅଧିକ ଆର୍ଦ୍ରତା ରହିଥିବା ସ୍ଥାନରେ ବୃଦ୍ଧି ପାଇଥାଏ ଯାହାକି ଗତ ୧୦ ବର୍ଷ ଭିତରେ ୱଏନାଡ ବ୍ୟାପି ବହୁ ମାତ୍ରାରେ ବୃଦ୍ଧି ପାଇଛି।’’ ‘‘ବର୍ଷା ମଧ୍ୟ ଏବେ ଅନିୟମିତ ହୋଇଛି। ଅଧିକ ପରିମାଣର ରାସାୟନିକ ସାର ବ୍ୟବହାର ମଧ୍ୟ ରୋଗ ବଢ଼ିବାରେ ସାହାଯ୍ୟ କରୁଛି। ଏହା କ୍ରମାଗତ ଭାବରେ ଉପକାରୀ ଜୀବାଣୁ ଯେପରିକି କବକ ସହିତ ଲଢ଼ୁଥିବା ଟ୍ରାଇକୋଡର୍ମା ମାରିଦେଉଛି।”

Noel Benno
ଜର୍ଜ କହନ୍ତି, ‘‘ପୂର୍ବେ ୱଏନାଡରେ ଶୀତତାପ ନିୟନ୍ତ୍ରିତ ଜଳବାୟୁ ଥିଲା କିନ୍ତୁ ଆଉ ତାହା ନାହିଁ।’’ ‘‘ବୃଷ୍ଟିପାତ ପୂର୍ବରୁ, ବର୍ଷସାରା ଲଗାତର ହେଉଥିଲା, ଗତ ୧୫ ବର୍ଷ ଧରି ବହୁ ପରିମାଣରେ ହ୍ରାସ ପାଉଛି। ଆମେ ଆମର ବୃଷ୍ଟିପାତ ପାଇଁ ପ୍ରସିଦ୍ଧ ଥିଲୁ...’’
ତିରୁବନନ୍ତପୁରମ୍ ସ୍ଥିତି ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି ଯେ ୨୦୧୯ରେ ଜୁନ୍ ୦୧ ଏବଂ ଜୁଲାଇ ୨୮ ଭିତରେ ୱଏନାଡର ବୃଷ୍ଟିପାତ, ଏହି ସମୟର ସାଧାରଣ ହାରାହାରି ତୁଳନାରେ ୫୪ ପ୍ରତିଶତ କମ୍ ରହିଛି।
ସାଧାରଣତଃ ୱଏନାଡର ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳ କେତେକ ବର୍ଷରେ ୪,୦୦୦ ମିଲିମିଟରରୁ ଅଧିକ ବର୍ଷା ଲାଭ କରିଥାଏ କିନ୍ତୁ କିଛି ଦିନ ପାଇଁ ଏହି ହାରାହାରି ପରିମାଣ ବହୁଳ ଭାବରେ କମ୍ ବେଶୀ ହେଉଛି। ୨୦୧୪ ମସିହାରେ ଏହା ଥିଲା ୩୨୬୦ ମିଲିମିଟର, ଆଗାମୀ ଦୁଇ ବର୍ଷରେ ଏଥିରେ ତୀବ୍ର ହ୍ରାସ ପରିଲକ୍ଷିତ ହୋଇଥିଲା, ଏହା ଯଥାକ୍ରମେ ୨,୨୮୩ ମିଲିମିଟର ଏବଂ ୧,୩୨୮ ମିଲିମିଟର ରହିଥିଲା। ତାହା ପରେ, ୨୦୧୭ରେ, ଏହା ଥିଲା, ୨,୧୨୫ ମିଲିମିଟର ଏବଂ ୨୦୧୮ ମସିହାରେ କେରଳରେ ବନ୍ୟା ହୋଇଥିଲା, ଏହି ପରିମାଣ ୩,୮୩୨ ମିଲିମିଟର ରହିଥିଲା।
ଡକ୍ଟର ଗୋପକୁମାର ଚୋଲାୟିଲ୍, ଏକାଡେମି ଅଫ୍ କ୍ଲାଇମେଟ୍ ଚେଞ୍ଜ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ ବିଭାଗ, କେରଳ କୃଷି ବିଶ୍ୱବିଦ୍ୟାଳୟ, ତ୍ରିସୁର ବୈଜ୍ଞାନିକ ଅଧିକାରୀ କହନ୍ତି ‘‘ବର୍ଷ ମଝିରେ ବୃଷ୍ଟିପାତ ମଧ୍ୟ ଏହି ଦଶନ୍ଧିଗୁଡ଼ିକରେ ବଦଳିଛି। ବିଶେଷକରି ୧୯୮୦ ଦଶକଠାରୁ ଏବଂ ‘ନବେ’ ଦଶକରେ ଏହା ତ୍ୱରାନ୍ୱିତ ହୋଇଛି ଏବଂ କେରଳ ବ୍ୟାପି ଉଭୟ ମୌସୁମୀ ଏବଂ ମୌସୁମୀ ପରବର୍ତ୍ତୀ ସମୟରେ ଅତ୍ୟଧିକ ବୃଷ୍ଟିପାତର ଘଟଣା ବୃଦ୍ଧି ପାଇଛି। ୱଏନାଡରେ ମଧ୍ୟ ଏହି ଧାରା ପରିଲକ୍ଷିତ ହେଉଛି।
ଏହା ବଡ଼କିଲ୍, ଜର୍ଜ ଏବଂ ଅନ୍ୟ କୃଷକମାନଙ୍କ ଅନୁଧ୍ୟାନକୁ ସୁନିଶ୍ଚିତ କରୁଛି। ଏପରିକି ସେମାନେ ଯେତେବେଳେ ‘‘ଅମଳ ହ୍ରାସ’’ ପାଇଁ ଉଦ୍ବେଗ ପ୍ରକାଶ କରୁଛନ୍ତି - ଦୀର୍ଘକାଳୀନ ହାରାହାରି ପରିମାଣ ମଧ୍ୟ ହ୍ରାସ ପାଉଛି - ଏହାର ଅର୍ଥ ଯେଉଁ ଋତୁରେ ବର୍ଷା ଆବଶ୍ୟକ ଏବଂ ଆଶା କରାଯାଇଥାଏ ସେହି ସମୟରେ ବର୍ଷାର ପରିମାଣ ବହୁତ କମ୍ ରହୁଛି। ଏହା ଅଧିକ ତଥା କମ୍ ବର୍ଷା ହେଉଥିବା ବର୍ଷଗୁଡ଼ିକରେ ମଧ୍ୟ ଘଟିପାରେ। ବର୍ଷା ବ୍ୟାପି ରହୁଥିବା ଦିନ ସଂଖ୍ୟା କମିଛି, ଯେତେବେଳେ କି ଏହାର ତୀବ୍ରତା ବୃଦ୍ଧି ପାଇଛି। ୱଏନାଡରେ ଅଗଷ୍ଟ- ସେପ୍ଟେମ୍ବରରେ ମଧ୍ୟ ବର୍ଷା ହୋଇପାରେ, ଯେତେବେଳେ କି ଏଠାରେ ମୌସୁମୀର ଋତୁ ହେଉଛି ଜୁଲାଇ ମାସ। (ଏବଂ ଜୁଲାଇ ୨୯ରେ ଆଇଏମଡି ଏହି ଅଞ୍ଚଳରେ ଏବଂ କେତୋଟି ଜିଲ୍ଲାରେ ‘ଅରେଞ୍ଜ୍ ଆଲର୍ଟ’ (ନାରଙ୍ଗୀ ରଙ୍ଗର ସତର୍କ ସୂଚନା) ଜାରି କରିଛନ୍ତି, ଯାହାର ଅର୍ଥ ‘ଅଧିକ’ରୁ ‘ଅତ୍ୟଧିକ’ ବୃଷ୍ଟିପାତ ହେବ।)

Vishaka George

Vishaka George
ଡକ୍ଟର ଚୋଲାୟିଲ୍ କହନ୍ତି, ‘‘ଫସଲ ଶୈଳୀରେ ପରିବର୍ତ୍ତନ, ଜଙ୍ଗଲ ଆଛାଦନ କ୍ଷୟ, ଭୂମିର ବ୍ୟବହାର ଧାରା... ସହିତ ଅନ୍ୟ ଅନେକ ବିଷୟ ପରିସଂସ୍ଥାନ ଉପରେ ଗୁରୁତର ପ୍ରଭାବ ପକାଇଛି।’’
ମନନ୍ତବାଡ଼ିରେ ସ୍ନେହରେ ସମସ୍ତେ ‘ଗୁରୁମା’ ଡାକୁଥିବା ସୁବଦ୍ରା କହନ୍ତି ‘‘ଗତବର୍ଷ ବନ୍ୟାରେ ମୋର ସମସ୍ତ କଫି ଫସଲ ନଷ୍ଟ ହୋଇଗଲା। ଏ ବର୍ଷ ୱଏନାଡ ବ୍ୟାପି କଫିର ଉତ୍ପାଦନ ବହୁତ କମ୍ ରହିଛି। ୭୫ ବର୍ଷ ବୟସ୍କ କୃଷକ (ସୁବଦ୍ରା ବାଲକ୍ରିଷ୍ଣନ୍) କହନ୍ତି, ‘‘ଏ ବର୍ଷ ୱଏନାଡ ବ୍ୟାପି ସମସ୍ତଙ୍କର କଫି ଅମଳ ଖୁବ୍ କମ୍ ରହିଛି।’’ ସେ ତାଙ୍କ ପରିବାର ଏଡବକ ପଞ୍ଚାୟତରେ ୨୪ ଏକର ଜମିରେ ଚାଷ କରୁଥିବା କଫି, ଧାନ ଏବଂ ନଡ଼ିଆ ସହିତ ଫସଲର ଦେଖାରଖା କରିଥାନ୍ତି। ଏବେ ୱଏନାଡର ବହୁ କୃଷିକ (କଫି) ବ୍ୟାପକ ଭାବରେ ଗାଈଗୋରୁଙ୍କ ଉପରେ (ଜୀବିକା ପାଇଁ) ନିର୍ଭର କରୁଛନ୍ତି।
ସେମାନେ ‘ଜଳବାୟୁ ପରିବର୍ତ୍ତନ’ ଶବ୍ଦ ବ୍ୟବହାର କରୁନଥାଇପାରନ୍ତି, କିନ୍ତୁ ଆମେ ଭେଟିଥିବା ସମସ୍ତ ଚାଷୀ ଏହି ପ୍ରଭାବ ବିଷୟରେ ଚିନ୍ତିତ।
ଆମର ଶେଷ ଗନ୍ତବ୍ୟ ସ୍ଥଳ - ଏଡେନ ଭାଲି, ସୁଲତାନ ବାତେରି ତହସିଲର ପୁତାଡ଼ି ପଞ୍ଚାୟତରେ ୮୦ ଏକର କଫି ଉଦ୍ୟାନ - ଆମେ ଗିରିଜନ ଗୋପି ନାମକ ଜଣେ ୪୦ ବର୍ଷ ବୟସ୍କ ଦିନମଜୁରିଆଙ୍କୁ ଭେଟିଲୁ। ସେ ତାଙ୍କର ଅଧା ଦିନର କାମ ଶେଷ କରିଆସୁଥିଲେ। ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଯିବା ପୂର୍ବରୁ କହିଲେ ‘‘ରାତିରେ ଭାରି ଥଣ୍ଡା ଲାଗୁଛି ଆଉ ଦିନରେ ଭାରି ଗରମ ଲାଗୁଛି। ଏଠାରେ କଣ ହେଉଛି କିଛି ଜଣାପଡୁନି।’’ ସବୁ ଭଗବାନଙ୍କର ଲୀଳା। ଆମେ ବା କେମିତି ବୁଝିବୁ?’’
ପ୍ରଚ୍ଛଦ ଫଟୋ: ବିଶାଖା ଜର୍ଜ
ଏହି ଲେଖକ ଗବେଷଣାକାରୀ ନୋଏଲ୍ ବେନୋଙ୍କୁ ତାଙ୍କର ସହାୟତା ଓ ଉଦାରତାପୂର୍ଣ୍ଣ ସାହାଯ୍ୟ ପାଇଁ କୃତଜ୍ଞତା ଜଣାଉଛନ୍ତି।
ପରୀ ଦେଶ ବ୍ୟାପି ୟୁଏନଡିପି - ସମର୍ଥିତ ପ୍ରୟାସର ଅଂଶ ଭାବରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରୁଛି, ଏହା ସାଧାରଣ ଲୋକଙ୍କର ବାସ୍ତବ ଅନୁଭୂତି ଓ ସ୍ୱର ମାଧ୍ୟମରେ ସତ୍ୟତାକୁ ଉପସ୍ଥାପିତ କରୁଛି।
ଆପଣ ଏହି ଲେଖା ପ୍ରକାଶ କରିବାକୁ ଚାହାଁନ୍ତି କି ? ଦୟାକରି [email protected]ଙ୍କୁ ଏକ ପ୍ରତିଲିପି ପ୍ରଦାନ କରିବା ସହିତ [email protected] ଙ୍କୁ ଲେଖନ୍ତୁ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଜଳବାୟୁ-କାହିଁକି-ଏପରି-ପରିବର୍ତ୍ତନ-ହେଉଛି

