ତାଙ୍କର ପ୍ରାପ୍ୟ ଅର୍ଥ ଦାବି କରିବା ପାଇଁ ସି. ଭେଙ୍କଟ ସୁବା ରେଡ୍ଡି ଯୋଗ ଦେଇଥିବା ଧାରଣାର ଏହା ଷଷ୍ଠ ଧାରଣା ଥିଲା । ୧୮ ମାସରୁ ଅଧିକ ସମୟ ଧରି ଆନ୍ଧ୍ରପ୍ରଦେଶର ୱାଇଏସ୍‌ଆର୍‌ ଜିଲ୍ଲାର ଏହି କୃଷକ ତାଙ୍କ ଆଖୁର ଅର୍ଥ ପାଇନାହାନ୍ତି ।

ଫେବୃଆରୀ ୨, ୨୦୨୦ରେ ସୁବା ରେଡ୍ଡି ଆନ୍ଧ୍ରପ୍ରଦେଶ ଆଖୁ ଚାଷୀ ସଂଗଠନ ଦ୍ୱାରା ଆୟୋଜିତ ଧାରଣା (ଷ୍ଟ୍ରାଇକ୍‌)ରେ ଯୋଗ ଦେବା ପାଇଁ ଚିତ୍ତୁର ଜିଲ୍ଲାରେ ଥିବା ତିରୁପତି ସହରକୁ ପ୍ରାୟ ୧୭୦ କିଲୋମିଟର ବସ୍‌ରେ ଯାତ୍ରା କରିଛନ୍ତି ।

ସୁବା ରେଡ୍ଡି କହିଥିଲେ, ‘‘ମୟୂର ଚିନି କାରଖାନା ମୁଁ ୨୦୧୮ରେ ଯୋଗାଇଥିବା ଆଖୁ ବାବଦରେ ଟ. ୧.୪୬ ଲକ୍ଷ ବାକି ରଖିଛି । ତାଙ୍କର କମଲ୍‌ପୁରମ୍‌ ମଣ୍ଡଳରେ ବିଭାରାମପୁରମ୍‌ ଗ୍ରାମରେ ୪.୫ ଏକର ଜମି ରହିଛି । ମୟୂର ସୁଗାର ତାଙ୍କୁ ୨୦୧୮-୧୯ ଋତୁରେ ଟନ୍‌ ପିଛା ଟ. ୨,୫୦୦ ଦେବାର ପ୍ରତିଶ୍ରୁତି ଦେଇଥିଲା ।’’ ‘‘କିନ୍ତୁ କମ୍ପାନୀ ପରେ ଏହି ଦର ଟନ୍‌ ପିଛା ଟ. ୨,୩୦୦କୁ ହ୍ରାସ କରିଦେଇଥିଲା । ମୁଁ ଠକିଯାଇଥିଲି ।’’

ଆର୍.ବାବୁ ନାଇଡୁ ଯେ କି ଧାରଣାରେ ମଧ୍ୟ ଅଛନ୍ତି, ଏହି ସୁଗାର୍ ମିଲ୍‌ରୁ ତାଙ୍କର ଟ. ୪.୫ ଲକ୍ଷ ପାଉଣା ପାଇଁ ଅପେକ୍ଷା କରିଛନ୍ତି। ସେ ଚିତ୍ତୁର୍‌ର ରାମଚନ୍ଦ୍ରପୁରମ୍‌ ମଣ୍ଡଳରେ ଥିବା ଗଣେଶପୁରମ୍‌ ଗ୍ରାମରେ ଆଖୁ ଚାଷ କରନ୍ତି । ସେଠାରେ ସେ ଜଣେ ସମ୍ପର୍କୀୟଙ୍କଠାରୁ ଆଠ ଏକର ଭଡ଼ା ନେଇଛନ୍ତି । ସେ ତାଙ୍କର ନିଜ ଜମି ଛାଡ଼ିଛନ୍ତି କାରଣ ଗଭୀର କୂପ ଶୁଖିଯାଇଛି । ସେ କୁହନ୍ତି, ‘‘ମୁଁ ଜମି ଚାଷ କରିବା ପାଇଁ ଟ. ୮୦,୦୦୦ [୨୦୧୯-୨୦ରେ] ପୈଠ କରିଥିଲି । ମୋ ସମ୍ପର୍କୀୟ ମୋଠାରୁ କମ୍‌ ଭଡ଼ା ନେଇଥିଲେ । ସାଧାରଣତଃ ଏକର ପିଛା ଭଡ଼ା ହେଉଛି ଟ. ୨୦,୦୦୦ ।’’

ବାବୁ ନାଇଡୁଙ୍କର ଥିବା ସମୁଦାୟ ଟ. ୮.୫ ଲକ୍ଷ ମଧ୍ୟରୁ ମୟୂର ସୁଗାର୍ସ ତାଙ୍କୁ ମାତ୍ର ଟ. ୪ ଲକ୍ଷ ପୈଠ କରିଛି । ‘‘ବଳକା ବାକି ପଡ଼ିଛି, ଚାଷୀମାନେ ସେମାନଙ୍କର ଜମି ଚଳାଇବାକୁ ଅର୍ଥ ଆବଶ୍ୟକ କରନ୍ତି ।’’

ଚିତ୍ତୋର ଏବଂ ୱାଇଏସ୍‌ଆର୍‌ ଜିଲ୍ଲା (କାଦପା ନାମରେ ମଧ୍ୟ ଜଣାଶୁଣା) ରେ ଆଖୁ ଚାଷୀମାନେ ମୟୂର ସୁଗାର ଦ୍ୱାରା ଦେୟ ପାଇବାକୁ ଅପେକ୍ଷା କରିଛନ୍ତି | ସୁବା ରେଡ୍ଡୀ କୁହନ୍ତି, "ଆମେ ଆମର ବିରୋଧକୁ ତୀବ୍ର କରିବାକୁ ଚାହୁଁଥିଲୁ’’ କିନ୍ତୁ ଆମେ ତାହା କରିପାରିଲୁ ନାହିଁ। ମାର୍ଚ୍ଚ ୨୦୨୦ରେ କୋଭିଡ -୧୯ ଲକଡାଉନ୍ ସେମାନଙ୍କୁ ଗତ ବର୍ଷ ଅଧିକ ବିରୋଧର ଆୟୋଜନ କରିବାରେ ବାରଣ କରିଥିଲା।

Left: A. Rambabu Naidu grows sugarcane in his 15 acres of land in Chittoor district. Right: Farm leader P. Hemalatha speaking at a dharna in Tirupati
PHOTO • G. Ram Mohan
Left: A. Rambabu Naidu grows sugarcane in his 15 acres of land in Chittoor district. Right: Farm leader P. Hemalatha speaking at a dharna in Tirupati
PHOTO • G. Ram Mohan

ବାମ : . ରାମବାବୁ ନାଇଡୁ ଚିତ୍ତୁର ଜିଲ୍ଲାରେ ୧୫ ଏକର ଜମିରେ ଆଖୁ ଚାଷ କରନ୍ତି । ଡାହାଣ : କୃଷକ ନେତା ପି . ହେମଲତା ତିରୁପତିରେ ଏକ ଧାରଣାରେ ଉଦ୍‌ବୋଧନ ଦେଉଛନ୍ତି

କୃଷକମାନେ କାରଖାନାକୁ ଆଖୁ ଯୋଗାଇବାର ୧୪ ଦିନ ମଧ୍ୟରେ ସେମାନଙ୍କର ପ୍ରାପ୍ୟ ଗ୍ରହଣ କରିବା ଉଚିତ୍‌ । ୧୯୬୬ର ଆଖୁ (ନିୟନ୍ତ୍ରଣ) ନିର୍ଦ୍ଦେଶ ଶାସନାଦେଶ ଦେଇଛି ଯେ ଯଦି ଏକ ମିଲ୍‌ ୧୪ ଦିନ ମଧ୍ୟରେ କୃଷକମାନଙ୍କୁ ପୈଠ କରିବାରେ ବିଫଳ ହୁଏ, ଏହା ପରେ ସୁଧ ସହିତ ପୈଠ କରିବାକୁ ହେବ । ଏବଂ ଯଦି ତାହା ମଧ୍ୟ ହୁଏ ନାହିଁ, ଆଖୁ କମିଶନ ଆନ୍ଧ୍ରପ୍ରଦେଶ ରାଜସ୍ୱ ଆଦାୟ ଅଧିନିୟମ, ୧୮୬୪ ଅଧିନରେ ସେହି କାରଖାନାର ସମ୍ପତ୍ତି ନିଲାମ କରିପାରିବେ ।

କିନ୍ତୁ ଚିତ୍ତୁରର ବୁଚିନାଇଡୁ କାନ୍ଦ୍ରିଗା ମଣ୍ଡଳରେ ଥିବା ମୟୂର ଚିନି କାରଖାନା ୨୦୧୮ରେ ଏକ ତାଲାବନ୍ଦର ସାମ୍ନା କରିଥିଲା ଏବଂ ୨୦୧୯ ଫେବୃଆରୀରେ ଏହାର ସଂଚାଳନ ବନ୍ଦ କରିଥିଲା । କାରଖାନାର ପରିଚାଳନା କୃଷକମାନଙ୍କୁ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ଭାଗ ଭାଗ କରି କୃଷକମାନଙ୍କୁ ପୈଠ କରିଥିଲେ ମଧ୍ୟ କମ୍ପାନୀ ସେମାନଙ୍କୁ ଟ. ୩୬ କୋଟି ବାକି ରଖିଛି ।

ତେଣୁ ପ୍ରାପ୍ୟ ଅର୍ଥ ଆଦାୟ କରିବା ପାଇଁ ରାଜ୍ୟ ସରକାର କାରଖାନା ଜମିର ୧୬୦ ଏକର କୋରଖ କରିଛନ୍ତି ଯାହାର ମୂଲ୍ୟ ଟ. ୫୦ କୋଟି ବୋଲି ଚିତ୍ତୁର ଜିଲ୍ଲାର ସହକାରୀ ଆଖୁ କମିଶନ ଜନ୍‌ ଭିକ୍ଟର କହିଛନ୍ତି । ନଭେମ୍ବର ୪, ୨୦୨୦ରେ ଏହାର ସମ୍ପତ୍ତିଗୁଡ଼ିକ ନିଲାମ ପାଇଁ ରଖାଯିବା ପୂର୍ବରୁ ମୟୂର ସୁଗାର୍ସକୁ ୭ଟି ବିଜ୍ଞପ୍ତି  ବା ନୋଟିସ୍ ପଠାଯାଇଥିଲା । କିନ୍ତୁ ମାତ୍ର ଗୋଟିଏ ନିଲାମ ଡାକ ଗ୍ରହଣ କରାଯାଇଥିଲା ଯାହା ମଧ୍ୟ ଖୁବ୍‌ କମ୍‌ ଥିଲା ବୋଲି ଭିକ୍ଟର କହିଛନ୍ତି । ଏହା ପରେ ମୟୂର ଆଖୁ କମିଶନରଙ୍କୁ ଏକ ବ୍ୟାଙ୍କର୍ସ ଚେକ୍‌ ଦେଇଥିଲା । ଭିକ୍ଟର କୁହନ୍ତି, ‘‘ମୟୂର ସୁଗାର୍ସର ପରିଚାଳନା କର୍ତ୍ତୃପକ୍ଷ ଡିସେମ୍ବର ୩୧, ୨୦୨୦ ଦିନାଙ୍କିତ ହୋଇଥିବା ଏକ ଚେକ୍‌ ମୋତେ ଦେଇଥିଲେ । କିନ୍ତୁ ଆମେ ଏହା ଜମା କରିବା ସମୟରେ ଏହା ବାଉନ୍ସ ହୋଇଯାଇଥିଲା ।’’

ଏହି ଚେକ୍‌ ଟ. ୧୦ କୋଟି ପାଇଁ ଥିଲା । ଅଖିଳ ଭାରତୀୟ ଆଖୁଚାଷୀ ସଂଘର ଜଣେ କମିଟି ସଦସ୍ୟ ପି. ହେମଲତା କୁହନ୍ତି, ‘‘କିନ୍ତୁ ମୟୂର ସୁଗାର୍ସ କୃଷକମାନଙ୍କଠାରୁ ଟ. ୩୬ କୋଟି ବାକି ରଖିଛି । ଆମକୁ କୁହାଯାଇଥିଲା ଯେ, କମ୍ପାନୀର ପରିଚାଳନା କର୍ତ୍ତୃପକ୍ଷ ଜାନୁଆରୀ ୧୮ [୨୦୨୧] ସୁଦ୍ଧା ଦେୟଗୁଡ଼ିକ ପୈଠ କରିଦେବେ । କିନ୍ତୁ ଚାଷୀମାନେ କୌଣସି ଅର୍ଥ ପାଇନାହାନ୍ତି ।’’

ଚିତ୍ତୁରରେ ମୟୂର ଏକମାତ୍ର ଚିନିକଳ ନୁହେଁ ଯାହା କୃଷକମାନଙ୍କୁ ସେମାନଙ୍କ ଅର୍ଥ ପାଇଁ ଅପେକ୍ଷା କରାଇଛି । ନିନ୍ଦ୍ରା ମଣ୍ଡଳରେ ନାଟେମ୍‌ସ ସୁଗାର ପ୍ରାଇଭେଟ୍ ଲିମିଟେଡ୍‌ ମାଲିକାନାରେ ଥିବା କାରଖାନା ୨୦୧୯-୨୦ରେ ନିଆଯାଇଥିବା ଆଖୁ ପାଇଁ କୃଷକମାନଙ୍କୁ ଅର୍ଥ ପୈଠ କରିନାହିଁ ।

ନାଟେମ୍‌ସ ଚିନିକଳ କୃଷକ ସଂଗଠନର ସମ୍ପାଦକ ଦଶାରୀ ଜନାର୍ଦ୍ଦନଙ୍କ ଅନୁଯାୟୀ ନାଟେମ୍‌ସ ପରିଚାଳନା କୃଷକମାନଙ୍କୁ ଆଶ୍ୱାସନା ଦେଇଥିଲା ଯେ ସେମାନଙ୍କୁ ଅର୍ଥ ପୈଠ କରାଯିବ । ‘‘କିନ୍ତୁ ଏହି ଲକ୍‌ଡାଉନ୍‌ [୨୦୨୦ରେ] ଆମକୁ ଏକ ଝଟ୍‌କା ଦେଇଥିଲା । ସେମାନେ କହିଥିଲେ ଯେ ପରିଚାଳନା ନିର୍ଦ୍ଦେଶକ ଲଣ୍ଡନରେ ଅଟକି ରହିଯାଇଥିବାରୁ ପ୍ରାପ୍ୟଗୁଡ଼ିକ ପୈଠ କରାଯାଇପାରିନାହିଁ ।’’

Left: Entrance of Natems' sugar factory in Chittoor's Nindra mandal. Right: Farmers demanding their dues at the factory
PHOTO • G. Ram Mohan
Left: Entrance of Natems' sugar factory in Chittoor's Nindra mandal. Right: Farmers demanding their dues at the factory
PHOTO • G. Ram Mohan

ବାମ : ଚିତ୍ତୁରର ନିନ୍ଦ୍ରା ମଣ୍ଡଳରେ ଥିବା ନାଟେମ୍ସ ଚିନି କାରଖାନାର ପ୍ରବେଶ ପଥ । ଡାହାଣ : କୃଷକମାନେ କାରଖାନାରେ ସେମାନଙ୍କର ପ୍ରାପ୍ୟ ଦାବି କରୁଛନ୍ତି

ଭିକ୍ଟର କୁହନ୍ତି, ସେପ୍ଟେମ୍ବର ୨୦୨୦ ସୁଦ୍ଧା, ନାଟେମ୍‌ସର କୃଷକମାନଙ୍କ ପାଖରେ ଟ. ୩୭.୬୭ କୋଟି ବାକି ଥିଲା । କାରଖାନାର ମେସିନ୍‌ଗୁଡ଼ିକ ସେପ୍ଟେମ୍ବର ୧୯, ୨୦୨୦ରେ ନିଲାମ ହେବାକୁ ଥିଲା । ‘‘କିନ୍ତୁ କମ୍ପାନୀ ଉଚ୍ଚ ନ୍ୟାୟାଳୟଙ୍କଠାରୁ ଏକ ମଧ୍ୟବର୍ତ୍ତୀ ରହିତାଦେଶ ପାଇଥିଲା ।’’

ନାଟେମ୍ସ ଜାନୁଆରୀ ୨୦୨୧ ସୁଦ୍ଧା କିଛି ଦେୟ ପ୍ରଦାନ କରିଥିଲା । ସେହି ମାସରେ କମ୍ପାନୀର ନିର୍ଦ୍ଦେଶକ ଆର୍‌ ନନ୍ଦ କୁମାର କହିଥିଲେ, ‘‘ଆମେ ଏବେ କୃଷକଙ୍କର ଟ. ୩୨ କୋଟି ବାକି ରଖିଛୁ’’ । ମୁଁ ଅର୍ଥ ଯୋଗାଡ଼ କରୁଛି । ଆମେ ଏହି ମାସ [ଜାନୁଆରୀ] ଶେଷ ସୁଦ୍ଧା କୃଷକମାନଙ୍କୁ ପୈଠ କରିବୁ ଓ ଆଖୁ ପେଡ଼ିବା ଆରମ୍ଭ କରିବୁ । ମୁଁ କମ୍ପାନୀକୁ ବଞ୍ଚାଇବା ପାଇଁ ସମ୍ବଳ ଏକତ୍ର କରୁଛି।’’ କିନ୍ତୁ କୃଷକମାନେ କିଛି ପାଇନଥିଲେ ।

ନନ୍ଦ କୁମାର କୁହନ୍ତି, ଆନ୍ଧ୍ରପ୍ରଦେଶରେ ଚିନି କାରଖାନାଗୁଡ଼ିକର ଅବସ୍ଥା ଭଲ ନାହିଁ । ସେ ମଧ୍ୟ ଭାରତୀୟ ଚିନି କଳ ସଂଗଠନ (ଆଇଏସ୍‌ଏମ୍‌ଏ)ର ଆନ୍ଧ୍ରପ୍ରଦେଶ ଅଞ୍ଚଳ ଅଧ୍ୟକ୍ଷ । ‘‘ଏକଦା ଆମ ପାଖରେ ଥିବା ୨୭ଟି ଚିନି କାରଖାନା ମଧ୍ୟରୁ ଏବେ ରାଜ୍ୟରେ ମାତ୍ର ସାତୋଟି କାମ କରୁଛି ।’’

କୃଷକ ନେତାମାନେ କୁହନ୍ତି ଯେ ତ୍ରୁଟିପୂର୍ଣ୍ଣ ନୀତିଗୁଡ଼ିକ ସମସ୍ୟାର ମୂଳ କାରଣ । ଚିନିର ଖୁଚୁରା ଦାମ୍‌ ଏବଂ ଆଖୁ ପାଇଁ ଉଚିତ୍‌ ଓ ଲାଭଦାୟୀ ଦାମ୍‌ ମଧ୍ୟରେ ମେଳକ ନ ହେବା ମୁଖ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ଗୋଟିଏ ।

୨୦୧୯ରେ ଆଖୁ ଏବଂ ଚିନି ଉଦ୍ୟୋଗ ଉପରେ ନୀତି ଆୟୋଗର ଟାସ୍କ ଫୋର୍ସ ନିକଟରେ କରାଯାଇଥିବା ଏକ ଉପସ୍ଥାପନାରେ ଆଇଏସ୍‌ଏମ୍‌ଏ ସୂଚିତ କରିଥିଲେ ଯେ ଚିନି ଉତ୍ପାଦନର ଦାମ୍‌ ଏହାର ବିକ୍ରୟ ମୂଲ୍ୟଠାରୁ ଅଧିକ । ନନ୍ଦ କୁମାର ବ୍ୟାଖ୍ୟା କରନ୍ତି, ‘‘ଗୋଟିଏ କିଲୋ ଚିନି ଉତ୍ପାଦନ କରିବା ପାଇଁ ଟ. ୩୭-୩୮ ଖର୍ଚ୍ଚ ହୋଇଥାଏ । କିନ୍ତୁ ଚେନ୍ନାଇରେ ଏହା ଟ. ୩୨ ଏବଂ ହାଇଦ୍ରାବାଦରେ ଏହା ଟ. ୩୧ରେ ବିକ୍ରି ହେଉଛି । ଆମେ ଗତବର୍ଷ [୨୦୧୯-୨୦] ଟ. ୫୦ କୋଟି ଏବଂ ତା’ ପୂର୍ବ ବର୍ଷ ଟ. ୩୦ କୋଟି ହରାଇଥିଲୁ ।

ଏ. ରାମବାବୁ ନାଇଡୁ ଯେ କି ନିନ୍ଦ୍ରା ମଣ୍ଡଳରେ ଗୁରୁପ୍ପା ନାଇଡୁ କାନ୍ଦ୍ରିଗା ଗ୍ରାମରେ ତାଙ୍କ ୧୫ ଏକର ଜମିରେ କେବଳ ଆଖୁଚାଷ କରନ୍ତି, ଏହା ଅନୁଭବ କରନ୍ତି ଯେ ଉଦ୍ୟୋଗକୁ ଚିନିର ଖୁଚୁରା ମୂଲ୍ୟ ସ୍ଥିର କରିବା ପାଇଁ ଅନୁମତି ଦେବା ଉଚିତ୍‌ । ‘‘ଚିନି କାହିଁକି କିଲୋ ପିଛା ଟ. ୫୦ରେ ବିକ୍ରି ହୋଇପାରିବ ନାହିଁ? ଅନ୍ୟ ଉଦ୍ୟୋଗଗୁଡ଼ିକ ସେମାନଙ୍କ ଉତ୍ପାଦଗୁଡ଼ିକର ଦାମ୍‌ ସ୍ଥିର କରିବାକୁ ପାଉଛନ୍ତି, ତା’ହେଲେ ଚିନି ଉଦ୍ୟୋଗ କାହିଁକି ନୁହେଁ?’’

Left: K. Venkatesulu and K. Doravelu making the rounds of Natems to collect their payment. Right: V. Kannaiah, a tenant farmer, could not repay a loan because the factory had not paid the full amount that was his due
PHOTO • G. Ram Mohan
Left: K. Venkatesulu and K. Doravelu making the rounds of Natems to collect their payment. Right: V. Kannaiah, a tenant farmer, could not repay a loan because the factory had not paid the full amount that was his due
PHOTO • G. Ram Mohan

ବାମ : କେ . ଭେଙ୍କଟେସୁଲୁ ଏବଂ କେ . ଦୋରାଭେଲୁ ସେମାନଙ୍କର ଦେୟ ପାଇବା ପାଇଁ ନାଟେମ୍‌ସର ଚକ୍କର କାଟୁଛନ୍ତି । ଡାହାଣ : ଭି . କନ୍ନେହ , ଜଣେ ଭାଗ ଚାଷୀ ଗୋଟିଏ ଋଣ ପରିଶୋଧ କରିପାରିନଥିଲେ କାରଣ ଏହି କାରଖାନା ତାଙ୍କର ପ୍ରାପ୍ୟର ପୂର୍ଣ୍ଣ ରାଶି ପୈଠ କରିନଥିଲା

ଚିନି ଉଦ୍ୟୋଗ ମଧ୍ୟ ନଗଦ ଅର୍ଥର ନିଅଣ୍ଟ ଭୋଗୁଛି । ନନ୍ଦ କୁମାର କୁହନ୍ତି, ‘‘ଅନୁସୂଚିତ ବ୍ୟାଙ୍କଗୁଡ଼ିକଠାରୁ ଆର୍ଥିକ ସହଯୋଗ ମିଳୁନାହିଁ । କାର୍ଯ୍ୟକାରୀ ପୁଞ୍ଜି ପାଇଁ ମଧ୍ୟ ଋଣ ଉପଲବ୍ଧ ନୁହେଁ ।’’

କୃଷକମାନଙ୍କୁ ଖୁବ୍‌ କମ୍‌ ଆନୁଷ୍ଠାନିକ ଋଣ ମିଳୁଛି, ଯେଉଁମାନଙ୍କୁ ସେମାନଙ୍କର ଆବଶ୍ୟକତା ପାଇଁ ବ୍ୟକ୍ତିଗତ ଋଣ ନେବାକୁ ହୋଇଥିଲା । ଜନାର୍ଦ୍ଦନ କୁହନ୍ତି, ‘‘ଆମକୁ ଆମର ଅନ୍ୟ ଫସଲ ପାଇଁ ଋଣରେ ସାର କିଣିବାକୁ ହୋଇଥିଲା ।’’ ସେ ମଧ୍ୟ କୃଷି ଶ୍ରମିକମାନଙ୍କୁ ପୈଠ କରିବା ପାଇଁ ଅର୍ଥ ଧାର କରିଥିଲେ । ‘‘ଚିନି କାରଖାନା ସାଧାରଣତଃ କୃଷକମାନଙ୍କୁ ଶ୍ରମ ଦେୟ ପୈଠ କରିଥାଏ ଯଦ୍ୱାରା ସେମାନେ ଶ୍ରମିକମାନଙ୍କୁ ଅର୍ଥ ପୈଠ କରିପାରିବେ । କିନ୍ତୁ ସେମାନଙ୍କୁ ପୈଠ କରିବା ପାଇଁ ମୋତେ ଟ. ୫୦,୦୦୦ ଧାର କରିବାକୁ ହୋଇଥିଲା । ବର୍ତ୍ତମାନ ମୁଁ ସେହି ଅର୍ଥ ଉପରେ ସୁଧ ଦେଉଛି ।’’

ଚିନିର କମ୍‌ ମୂଲ୍ୟ ପ୍ୟାକେଜ୍‌ ହୋଇଥିବା ଖାଦ୍ୟ ଏବଂ ପାନୀୟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକୁ ଲାଭ ଦେଉଛି, ଏହା କୁହନ୍ତି କୃଷକ ସଂଗଠନ ସଂଘର ରାଜ୍ୟ ଅଧ୍ୟକ୍ଷ ମଙ୍ଗତି ଗୋପାଳ ରେଡ୍ଡି । ‘‘ଏହି ଦାମ୍‌ ବଡ଼ କମ୍ପାନୀଗୁଡ଼ିକର ସ୍ୱାର୍ଥ ପାଇଁ ହିତକର ।’’ ମୃଦୁ ପାନୀୟ ଏବଂ କନ୍‌ଫେକ୍ସନାରୀ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ଗତ ତିନି ଦଶକରେ ବୃଦ୍ଧି ପାଇଛି ଏବଂ ଚିନି ବ୍ୟବହାରର ଶୈଳୀ ବଦଳାଇ ଦେଇଛି । ଏସବୁ ବୃହତ୍‌ ଉପଭୋକ୍ତାମାନେ ଉତ୍ପାଦିତ ଚିନିର ୬୫ ପ୍ରତିଶତ ବ୍ୟବହାର କରନ୍ତି ବୋଲି ଟାସ୍କ ଫୋର୍ସକୁ ଆଇଏସ୍‌ଏମ୍‌ଏର ରିପୋର୍ଟ ଦର୍ଶାଇଛି ।

ନନ୍ଦ କୁମାରଙ୍କ ଅନୁଯାୟୀ ଭାରତ ବଳକା ଚିନି ପ୍ରସ୍ତୁତ କରୁଛି । ‘‘ଏହା ହ୍ରାସ ହେବା ଉଚିତ୍‌ । ଏ ମଧ୍ୟରୁ କିଛି ରପ୍ତାନୀ ହେଉଛି ଏବଂ କିଛି ବର୍ତ୍ତମାନ ଇଥାନଲ୍ ଉତ୍ପାଦନ ପାଇଁ ଯାଉଛି । ଯଦି ଏହି ଧାରା ଜାରି ରୁହେ ତେବେ ବଜାର ସ୍ଥିର ହୋଇଯିବ ।’’

ଶିଳ୍ପପତିମାନେ କେନ୍ଦ୍ର ସରକାରଙ୍କ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ କାର୍ଯ୍ୟକ୍ରମ ଉପରେ ନିର୍ଭର କରୁଛନ୍ତି, ଯାହା ଜରିଆରେ ଘରୋଇ ଚିନିକଳଗୁଡ଼ିକ ରାଷ୍ଟ୍ରାୟତ- କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକୁ ଚିନି ଉତ୍ପାଦନର ଏକ ଉପଉତ୍ପାଦ- ଗୁଡ଼ ଯୋଗାଣ କରିପାରିବେ । ନନ୍ଦ କୁମାର କୁହନ୍ତି, ‘‘ଇଥାନଲ୍ ଉତ୍ପାଦନ ପାଇଁ ଆଖୁ ଦେବା ବଜାରର ଆଧିକ୍ୟ ହ୍ରାସ କରିବ ।’’

ଅକ୍ଟୋବର ୨୦୨୦ରେ, କୃଷକମାନଙ୍କୁ ପୈଠ କରିବା ପାଇଁ ଚିନି ଉଦ୍ୟୋଗଗୁଡ଼ିକର ସାମର୍ଥ୍ୟ ଉନ୍ନତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆଖୁ – ଆଧାରିତ କଞ୍ଚାମାଲ୍‌ରୁ ଇଥାନଲ୍‌ ଉତ୍ପାଦନ କରିବା ପାଇଁ ଏକ ଉଚ୍ଚ ଦର ସ୍ଥିର କରିଥିଲେ ।

କିନ୍ତୁ କୃଷକ ନେତା ଜନାର୍ଦ୍ଦନ ଏଥିରେ ସନ୍ତୁଷ୍ଟ ନୁହଁନ୍ତି । ସେ କୁହନ୍ତି, ‘‘ଚିନି କାରଖାନା ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନ୍ୟ ଉଦ୍ଦେଶ୍ୟ ପାଇଁ ଅର୍ଥର ଦିଗ ପରିବର୍ତ୍ତନ କରିବା ପରିସ୍ଥିତିକୁ ଖରାପ କରିଦେଉଛି ।’’

Sugarcane farmers protesting in Tirupati in April 2021, seeking the arrears of payments from Mayura Sugars
PHOTO • K. Kumar Reddy
Sugarcane farmers protesting in Tirupati in April 2021, seeking the arrears of payments from Mayura Sugars
PHOTO • K. Kumar Reddy

ଏପ୍ରିଲ୍ ୨୦୨୧ରେ ଚିତ୍ତୁରରେ ଆଖୁ ଚାଷୀମାନେ ମୟୂର ସୁଗାର୍ସଠାରୁ ବକେୟା ଦେୟ ଦାବି କରି ପ୍ରତିବାଦ କରୁଛନ୍ତି

ଏକ ସହଉତ୍ପାଦନ ପ୍ଲାଣ୍ଟ୍ ନିମନ୍ତେ ନାଟେମ୍‌ସର ଟ. ୫୦୦ କୋଟି ପୁଞ୍ଜି ନିବେଶ ଏହି କମ୍ପାନୀ ପାଇଁ ମଧ୍ୟ ଏକ ଚିନ୍ତାର ବିଷୟ । ଚିନି କାରଖାନା ଦ୍ୱାରା ଉତ୍ପାଦିତ ଅତିରିକ୍ତ ବିଦ୍ୟୁତ୍‌ ଶକ୍ତି ବିଦ୍ୟୁତ୍‌ ଗ୍ରୀଡ୍‌କୁ ପଠାଯିବାର ଥିଲା । କମ୍ପାନୀର ନିର୍ଦ୍ଦେଶକ କୁହନ୍ତି, ‘‘ଆମେ କାରଖାନାରେ ୭.୫ ମେଗାୱାଟ୍‌ କ୍ଷମତା ସ୍ଥାପନ କରିଛୁ, କିନ୍ତୁ ଆମେ ବିଦ୍ୟୁତ୍‌ ଯୋଗାଉ ନାହୁଁ କାରଣ [ରାଜ୍ୟ] ସରକାର ଆମ ଦରରେ ଶକ୍ତି କ୍ରୟ କରିବାକୁ ଆଗ୍ରହୀ ନୁହନ୍ତି ଏବଂ ଶକ୍ତି ବିନିମୟର ଦର ୟୁନିଟ୍‌ ପିଛା ଟ. ୩ ରୁ ଟ. ୨.୫୦କୁ ଖସିଯାଇଛି ।’’ ଏଥିସହିତ ସେ କହିଥିଲେ ଯେ ଏହି ଦର ଉତ୍ପାଦନ ଖର୍ଚ୍ଚଠାରୁ କମ୍‌ ଥିଲା ।’’

ନନ୍ଦ କୁମାର କୁହନ୍ତି ଅନେକ ଚିନିକଳରେ ସହଉତ୍ପାଦନ କେନ୍ଦ୍ରଗୁଡ଼ିକ ଅଣ-କାର୍ଯ୍ୟକ୍ଷମ ସମ୍ପତ୍ତି ହୋଇଯାଇଛି । ‘‘ଏଥିରେ ନିବେଶ କରିସାରିଥିବାରୁ, ଆମର କୌଣସି ବିକଳ୍ପ ନାହିଁ । ସରକାରୀ ନୀତି ଯୋଗୁଁ ଏକ ୨୦ ମେଗାୱାଟ୍ ପ୍ଲାଣ୍ଟ୍ ସ୍ଥାପନ କରିବା ନିମନ୍ତେ ଆମର ଯୋଜନା ଆମେ ବନ୍ଦ କରିଦେଉଛୁ । ନୀତି ବଦଳିବା ଏବଂ ପରିସ୍ଥିତି ଉନ୍ନତ ହେବା ପର୍ଯ୍ୟନ୍ତ ଆମକୁ ଚଳାଇ ନେବାକୁ ହେବ ।’’

କିନ୍ତୁ ଆନ୍ଧ୍ରପ୍ରଦେଶର ଦ୍ୱିତୀୟ ବୃହତ୍ତମ ଆଖୁ ଉତ୍ପାଦନ ଜିଲ୍ଲା ଚିତ୍ତୁରରେ ଏହି ପରିସ୍ଥିତିର ଏକ ଦୂରଗାମୀ ପରିଣାମ ଥିଲା । ଜିଲ୍ଲା ପ୍ରଶାସନର ରେକର୍ଡ ପ୍ରଦର୍ଶନ କରୁଛି ଯେ ଚିତ୍ତୁରର ୬୬ ମଣ୍ଡଳରେ କୃଷି ୮ ବର୍ଷରେ ପ୍ରାୟ ଅଧାକୁ ହ୍ରାସ ପାଇଛି – ୨୦୧୧ରେ ଜିଲ୍ଲାରେ ପ୍ରାୟ ୨୮,୪୦୦ ହେକ୍ଟର ଜମିରେ ଆଖୁ ଚାଷ କରାଯାଉଥିଲା ଏବଂ ୨୦୧୯ ବେଳକୁ ମାତ୍ର ୧୪,୫୦୦ ହେକ୍ଟରରେ ଆଖୁ ଚାଷ କରାଯାଉଥିଲା ।

ଆଖୁ ଚାଷୀମାନେ ସେମାନଙ୍କୁ ନ୍ୟସ୍ତ କରାଯାଇଥିବା କଳଗୁଡ଼ିକୁ ହିଁ ସେମାନଙ୍କର ଫସଲ ବିକ୍ରୟ କରନ୍ତି - ସେମାନଙ୍କ ପାଉଣା ପାଇବାରେ ବିଳମ୍ବ ହେଉଥିବାରୁ ଆଖୁ ଚାଷୀମାନେ ଅନ୍ୟ ଫସଲ ଚେଷ୍ଟା କରୁଛନ୍ତି, କିନ୍ତୁ ଏଥିରେ ମଧ୍ୟ ଅଧିକ ସଫଳତା ନାହିଁ । ସୁବା ରେଡ୍ଡି କୁହନ୍ତି, ଏହି ଫସଲ ଚାଷ କରିବାର ଖର୍ଚ୍ଚ କୃଷକମାନଙ୍କ ପାଇଁ ଏହାକୁ ଲାଭହୀନ କରିଦେଇଛି ।

ବାବୁ ନାଇଡୁଙ୍କ ନିମନ୍ତେ, ଏହାର ଅର୍ଥ ହେଉଛି ତାଙ୍କ ପରିବର୍ଦ୍ଧିତ ପରିବାରଠାରୁ ସାହାଯ୍ୟ ଚାହିଁବା । ସେ କୁହନ୍ତି, ‘‘ମୋ ସମ୍ପର୍କୀୟମାନଙ୍କୁ ସାମିଲ୍ ହୋଇଥିଲେ ଏବଂ ମୋ ଝିଅକୁ ଚେନ୍ନାଇର ଏକ ଇଞ୍ଜିନିୟରିଂ କଲେଜ୍‌ରେ ନାମ ଲେଖାଇବାରେ ସାହାଯ୍ୟ କରିଥିଲେ । ଯଦି ମୁଁ ମୋ ପାଉଣା ପାଇଥାନ୍ତି ମୋତେ ସେମାନଙ୍କ ସାହାଯ୍ୟ ଆବଶ୍ୟକ ହୋଇନଥାଆନ୍ତା ।’’

ସୁବା ରେଡ୍ଡି ଅନୁଭବ କରନ୍ତି ଚିନି କାରଖାନାଗୁଡ଼ିକ ସେମାନଙ୍କ ସହ କେମିତି ବ୍ୟବହାର କରନ୍ତି ସେ ସମ୍ପର୍କରେ କୃଷକମାନଙ୍କର କୌଣସି ବିକଳ୍ପ ନାହିଁ । ସେ କୁହନ୍ତି, ‘‘କିନ୍ତୁ ଆମର ପିଲାମାନେ ଦେୟ ଦେଇନପାରିବା କାରଣରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି । ଏସବୁ ପରିସ୍ଥିତିରେ କୃଷକମାନେ ଆତ୍ମହତ୍ୟା ବିଷୟରେ ଚିନ୍ତା କରିବେ ନାହିଁ କି?’’

ଅନୁବାଦ: ଓଡ଼ିଶାଲାଇଭ୍‍

G. Ram Mohan

ଜି. ରାମ ମୋହନ ହେଉଛନ୍ତି ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଥିବା ଜଣେ ମୁକ୍ତ ବୃତ୍ତି ସାମ୍ବାଦିକ । ସେ ଶିକ୍ଷା କୃଷି ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ G. Ram Mohan
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE