ଶଙ୍କର ବାଗହେରେ ତାଙ୍କର ପ୍ଲାଷ୍ଟିକ୍ ବ୍ୟାଗକୁ ମାଟିରେ କଚାଡି ଦେଲେ, ଏବଂ ତାଙ୍କର କାଠ ବଙ୍କୁଲି ବାଡି ଉପରେ ଲଦି ହୋଇପଡି ନିଃଶ୍ୱାସ ନେଲେ। ତା ପରେ ସେ ଆଣ୍ଠେଇ ପଡିଲେ, ଦୀର୍ଘ ଶ୍ୱାସ ଛାଡିଲେ ଏବଂ ଆଖି ବନ୍ଦ କଲେ। ସେମାନେ ପରବର୍ତ୍ତୀ ୧୫ ମିନିଟ୍ ପାଇଁ ଚୁପ୍ ରହିଲେ। ଏହି ୬୫ ବର୍ଷୀୟ ବୃଦ୍ଧଙ୍କ ପାଇଁ ଆଜି ବହୁତ ଚାଲିବା ହୋଇଗଲା। ତାଙ୍କ ଚାରି ପାଖରେ ଅନ୍ଧାରରେ ପ୍ରାୟ ୨୫,୦୦୦ ଚାଷୀ ଥିଲେ।
ନାସିକ-ଆଗ୍ରା ଜାତୀୟ ରାଜପଥ କଡରେ ଇଗାତପୁରୀର ରାଇଗଡନଗର ଅଞ୍ଚଳରେ ବସିଥିବାବେଳେ ସେ କହିଲେ, “ଆମକୁ ଆମ ଅଧିକାର ପାଇଁ ଲଢିବାକୁ ହେବ। ” ମାର୍ଚ୍ଚ ୬ ତାରିଖ, ବ୍ୟସ୍ତବହୁଳ ମଙ୍ଗଳବାର ଅପରାହ୍ନରେ ନାସିକ ସହରରୁ ବାହାରିଥିବା କୃଷକଙ୍କର ବିଶାଳ ଶୋଭାଯାତ୍ରାର ଏହାଥିଲା ପ୍ରଥମ ରହଣି। କୃଷକମାନେ ରବିବାର, ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇରେ ପହଞ୍ଚିବାକୁ ଯୋଜନା ରଖିଛନ୍ତି, ଏବଂ ପ୍ରତିଶ୍ରୁତି ପୂରଣରେ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ ସେଠାରେ ତା ପର ଦିନ ବିଧାନସଭା ଘେରାଉ କରିବେ। (ଦେଖନ୍ତୁ ଲମ୍ବା ଶୋଭାଯାତ୍ରା – ଛିଡି ଯାଇଥିବା ପାଦ, ଅତୁଟ ଉତ୍ସାହ ଏବଂ ଶୋଭାଯାତ୍ରା ପରେ.... )
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାrର୍ବାଦୀ)ର କୃଷକ ସଂଗଠନ ଅଖିଳ ଭାରତୀୟ କିଷାନ ସଭା ପକ୍ଷରୁ ଏହି ଦୀର୍ଘ ଶୋଭାଯାତ୍ରାର ଆହ୍ୱାନ ଦିଆଯାଇଛି। ଆୟୋଜକମାନଙ୍କ ମଧ୍ୟରୁ ଜଣେ, କିଷାନ ସଭାର ସାଧାରଣ ସଂପାଦକ ଅଜିତ ନାୱଲେ କହିଲେ, “ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଖସିଯାଇପାରିବେ ନାହିଁ। ୨୦୧୫ରେ ଆମେ କୃଷକ ମାନେ ଯେପରି ସେମାନଙ୍କର(ଅଧିକାର) ଜଙ୍ଗଲ ଜମି, ଫସଲର ଅଧିକ ମୂଲ୍ୟ, ଋଣ ଛାଡ ଏହିପରି ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥିପାଇଁ ଆନ୍ଦୋଳନ କରିଥିଲୁ। ସରକାର କେବଳ ପ୍ରତିଶ୍ରୁତି ପୂରଣ କରୁଥିବା ଭଳି ଦେଖାଇ ହେଉଛନ୍ତି। ଏଥର କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ନେବାକୁ ହେବ। ”









